Unknown

 

 

 

 

 

 

 

 

 

 

 

ଅସ୍ତ ତାରାର ଉପତ୍ୟକା

ଶ୍ରୀ ଧୁନ ଖୁଣ୍ଟିଆ

 

ଉତ୍ସର୍ଗ

 

ମୋର ବାପା ବିଶିଷ୍ଟ ସମାଜସେବୀ ତଥା

ସାହିତ୍ୟିକ ଶ୍ରୀଯୁକ୍ତ ଯୁଧିଷ୍ଠିର ଦାସଙ୍କ

ପାଦତଳେ ଭକ୍ତିର

ଅର୍ଘ୍ୟ ସ୍ୱରୂପ...

 

ଧୁନ

Image

 

ଏକ

 

ଜୀବନରେ ଶାନ୍ତର ଅମୃତ ଟିକିଏ ଚାଖିବା ପାଇଁ ଯିଏ ଅହରହ ଆକୁଳ ହୁଏ, ତା’ଠାରୁ ବୋକା ପ୍ରାୟ ଏ ଦୁନିଆରେ ଆଉ କେହି ନାହିଁ; ବରଂ ସଂଘର୍ଷ ମଧ୍ୟରେ ଯେ ପ୍ରଚୁର ଅଶାନ୍ତିର ହଳାହଳ ପାନ କରି ନୀଳକଣ୍ଠ ହୁଏ, ସେଇ ତ ସ୍ଥିତପ୍ରଜ୍ଞ ମଣିଷ ରୂପୀ ଦେବତା । ଶେଷରେ ତା’ରି ନିକଟରେ ସମସ୍ତ ଶାନ୍ତି ସାନ୍ତ୍ୱନା ମନକୁ ମନ ଆତ୍ମ ସମର୍ପଣ କରେ ।

 

ପ୍ରକୃତରେ ଏ କଥା ସତ ଯେ, ଗହନ ଅନ୍ଧକାର ମଧ୍ୟରେ ସାମାନ୍ୟ ଆଲୋକ ବିନ୍ଦୁ ଚହଟି ଉଠିଲା ପରି, ଅଜସ୍ର ହାଉଯାଉ ଅଶାନ୍ତ ମଧ୍ୟରେ ସାମାନ୍ୟ ପ୍ରଶାନ୍ତିର ଝଲକ ଜୀବନକୁ ଆଲୋକିତ କରେ, ଆମୋଦିତ କରେ ।

 

ଏତକ କିନ୍ତୁ ସୁରଭିର ନିଜସ୍ୱ ଚନ୍ତାଧାରା ନୁହେଁ । ସମୀରଠାରେ ତା’ ସମ୍ପର୍କର ଅଙ୍କୁରୋଦ୍‍ମ ହେବା ପରେ ସେ ତା’ ମୁହଁରୁ କେଉଁ ଏକ ନିର୍ଜ୍ଜନ, ନିକାଞ୍ଚନ ସ୍ଥାନରେ ଏକଥା ସବୁ ଶୁଣି, ମନେ ମନେ କିଛିଦିନ ଗୁଣି ହୋଇ ସେତକ ଏକ ପ୍ରକାର ମୁଖସ୍ଥ କରି ଦେଇଥିଲା । କିନ୍ତୁ ସେତେବେଳେ ବି ସୁରଭିର ମନ ବନର କେଉଁ ଉପାନ୍ତରେ ସନ୍ଦେହର ଅଲକ୍ଷଣା ଚଢ଼େଇଟିଏ ଲୁହାକୁ ତୁହା ରାବି ଉଠୁଥିଲା । କେବଳ ଏ କଥା ନୁହେଁ, ଏମିତି ବହୁ ଛୋଟ ଛୋଟ ଆଦର୍ଶଗତ ମୂଲ୍ୟବାନ ନୀତିବାକ୍ୟମାନ ସମୀର ମୁହଁରୁ ଶୁଣି ସେ ପ୍ରଥମେ ପ୍ରଥମେ ଭାବୁଥିଲା, ସମୀର କେଉଁ ବହିରୁ ଏସବୁ ମୁଖସ୍ଥ କରି ତା’ ଆଗରେ ଗପୁ ନାହିଁ ତ ? କାରଣ, ପ୍ରଥମେ ପ୍ରଥମେ ଝିଅମାନଙ୍କ ସହ ସମ୍ପର୍କ ଯୋଡ଼ିବା ବେଳେ ପୁଅମାନେ ନିଜକୁ ବେଶ୍ ଏକ ଆଦର୍ଶ ତରୁଣ ଭାବରେ ସାବ୍ୟସ୍ତ କରିବା ପାଇଁ ଏମିତି କେତେ କେତେ ଉପାୟ ଅବଲମ୍ବନ କରିବାର ଦୃଷ୍ଟାନ୍ତ କଛି କମ୍ ନାହିଁ ।

 

କିନ୍ତୁ, କିଛିଦିନ ଅନ୍ତେ ସମୀରର ମଧୁର ବ୍ୟବହାରର ଉଚ୍ଛଳ ସ୍ରୋତରେ ଭାସି ଭାସି ସୁରଭିର ପ୍ରତ୍ୟୟ ଜାତ ହେଲା ଯେ, ସମସ୍ତ ସାଧାରଣ ତରୁଣଙ୍କ ପରି ତା’ର ଏକାନ୍ତ ପ୍ରିୟ ସମୀର ଏତେଟା ଶସ୍ତା ନୁହେଁ । ସମୀର ମୁହଁର କଥା ତା’ର ଅନ୍ତରର ଏକ ଝଲମଲ ନୀତିଗତ ଆତ୍ମଲିପି ମାତ୍ର ।

 

ସେଇଠୁ ସୁରଭି ଅନୁଭବ କଲା, ତା’ର ମନ ଉପବନରୁ ସେ ସନ୍ଦେହର ଚଢ଼େଇଟି କୁଆଡ଼େ ଉଡ଼ିଯାଇ ତା’ ସ୍ଥାନରେ ଏକ ଅଜଣା, ଅଚିହ୍ନା ଚଢ଼େଇଟିଏ ମିଠା ମିଠା କଣ୍ଠରେ ଗୀତ ଗାଉଛି ।

 

ସେ, ସେ ଚଢ଼େଇଟିର ନାଆଁ କ’ଣ ଦେବ, ବହୁଦିନ ଭାବି ଭାବି ଶେଷରେ କେଜାଣି କାହିଁକି ପ୍ରୀତି, ପ୍ରଣୟ, ପ୍ରେମ ଇତ୍ୟାଦି ଏପରି ବହୁ ନାଆଁରେ ତାକୁ ଡାକି ଯାଇଥିଲା ।

 

ହଁ, ହଠାତ୍ ସେ କଥାଗୁଡ଼ାକ ମନେ ପଡ଼ିବା ମାତ୍ରେ ସୁରଭି ଲାଜକୁଳି ଲତାପରି ଝାଉଁଳି ପଡ଼ିଲା । ଭସା ଭସା ଦୃଷ୍ଟିରେ ଦୂର ଦିଗ୍‍ବଳୟକୁ ଚାହିଁଲା–ଗୋଧୂଳିର ଦିଗନ୍ତରେ । ରକ୍ତିମ ଆଭା ବେଶ୍ କମନୀୟ ଭାବରେ ଉକୁଟି ଉଠିଛି ସେଠାରେ, ଦିଗନ୍ତରେ ।

 

ନା–ସେ ଚାହିଁଲା ନାହିଁ ତ, ଶୂନ୍ୟେ ଶୂନ୍ୟେ ଦିଗନ୍ତର ସେ ରଙ୍ଗୀନ ନଈର ସୁନେଲୀ ବଉଦର ନାଆରେ ଭାସି ଭାସି କେଉଁ ଅଜଣା ରାଇଜକୁ ପହଁରି ଗଲା .. ଯେଉଁ ରାଇଜରେ ଅଜସ୍ର ପୁଲକର ଚନ୍ଦ୍ରଉଦିଆ ସଦା ସର୍ବଦା ଉଜଳି ଉଠିଛି ।

 

ହେଇ ଏଇ କାଲି ପରି ଲାଗୁଛି ।

 

ଆକାଶରେ ତାରାର ଜରିବୁଟି ଦିଆ ଚାନ୍ଦୁଆତଳେ ଜହ୍ନର ଫାନୁସ୍ ଜଳୁଥିଲା । ଅନେକ ଆନନ୍ଦିତ ସମୀରଣମାନଙ୍କ ହାଉଜାଉ ସ୍ରୋତ ମୁହଁରେ ସେ ଦୁଇଜଣ ନିର୍ଜ୍ଜନ ନଈକୂଳେ ବସି ଅନ୍ତରେ ଅନ୍ତରେ ବାରମ୍ବାର ହିଲ୍ଲୋଳିତ ହେଲାପରି ମନେ କରୁଥିଲେ ବି, ସେ ପାଖ କୂଳରେ କେଉଁ ଏକାକୀ ପକ୍ଷୀର କରୁଣ ସ୍ଵର-ସାହାନାଇ ସେମାନଙ୍କର ହୃଦୟକୁ ଯେପରି ଗୁରୁ ଗୁରୁ ଆଘାତ ଦେଇ ଚହଲାଇ ଦେଉଥିଲା ।

 

ପରସ୍ପର ସେମାନେ ଏକ ଅଜଣା ଆବେଗରେ ଘନିଷ୍ଠ ହୋଇ ଉଠିବା ପରେ ସମୀର ସୁରଭିର ସୁନ୍ଦର ଚିବୁକକୁ ଧୀରେ ଟେକି ତନ୍ଦ୍ରାଭରା ସ୍ଵରରେ ଉଚ୍ଚାରଣ କଲା–

 

ସୁରଭି !

 

ଉଁ ।

 

ତୁମେ ମୋତେ ଚିହ୍ନିପାରୁଛ ?

 

ମାନେ... ! ସୁରଭିର ବିସ୍ମୟ-ବିମୂଢ଼ ସ୍ୱର ।

 

ସମୀର କିନ୍ତୁ ସୁରଭିର ଏ ପ୍ରକାର ବିମୂଢ଼ତାକୁ ଟିକିଏ ମନକୁ ନ ଆଣି ବିହ୍ୱଳ ହୋଇ କହି ଉଠିଲା, ସତରେ ସୁରଭି, ତୁମେ କ’ଣ ଭାବୁଛ ‘କେଜାଣି, କନ୍ତୁ ମୁଁ ତୁମକୁ ଏଇ ମୁହୂର୍ତ୍ତରେ ଯେପରି ଚିହ୍ନିବି, ଚିହ୍ନି ପାରୁନାହିଁ...ଜାଣି ବି, ଜାଣି ପାରୁନାହିଁ... । ତୁମେ ସତରେ କ’ଣ ମୋର ଏତେ ଆପଣାର ?? ....ଆଃ ! ଏଇ ଚିହ୍ନା ଅଚିହ୍ନା, ଜଣା ଅଜଣା ରାସ୍ତାର ମଝି ଛକରେ ଠିଆ ହୋଇ ମୁଁ ଯେପରି ଏକ ସରଳ ହତଭମ୍ବ ପଥିକ ପରି ରାସ୍ତା ନ ଖୋଜି କେବଳ ରାସ୍ତାର ଶୋଭା ଦେଖୁଛି; ଅଥଚ ମୋର ପୂର୍ବର ପଥଯାତ୍ରା କ୍ଳାନ୍ତିକୁ ତିଳେ ହେଲେ ଅନୁଭବ କରିପାରୁ ନାହିଁ କି ଭବିଷ୍ୟତର ଯାତ୍ରା ପ୍ରତି ସାମାନ୍ୟତମ ସଚେତନ ହୋଇପାରୁନି ।

 

ଏଇ ବୋକା ବୋକା ବର୍ତ୍ତମାନୀ ଭାବରେ ଅନ୍ୟ ନାମ ତେବେ କ’ଣ ଭଲ ପାଇବା ?

 

ସୁରଭିକୁ ସମୀରର ଏକଥା ଗୁଡ଼ାକ ଅତି ଅବୁଝା ଲାଗୁଥିଲେ ବି ତାହାର ପ୍ରବଣ ଧ୍ୱନିରେ ସେ ଅସମ୍ଭବ ଭାବରେ ପୁଲକିତ ହୋଇ ଉଠିଥିଲ ।

 

ସେ ଭଲ ଭାବରେ ଜାଣେ ସମୀର ଭାବପ୍ରବଣ ହୋଇ ଉଠିଲେ ତା’ ମୁହଁରୁ ଏମିତ ଗୁଡ଼ାଏ ଏଣୁ ତେଣୁ ବାଣୀର ଆଓ୍ୱାଜ ଛୁଟେ । ସୁରଭି ବେଳେବେଳେ ସେ କଥାର ଆଦିଅନ୍ତ ବୁଝିବାକୁ ଚେଷ୍ଟା ନ କରି ତା’ କଥାର ଏକ ମୋଟାମୋଟି ଧାରଣା ମନରେ ଆଙ୍କି ସରଳ ଭାବରେ ଉତ୍ତର ଦେଇଦିଏ ।

 

ସେ ଦିନ ସେମିତି ସେ ସମୀରର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା, ତୁମର ଏସବୁ କଥାର ଅର୍ଥ କ’ଣ ? ତାହା ଜାଣିବାରେ ମୋ’ର ଲାଭ କ’ଣ ଅଛି ? ଏକ ପବିତ୍ର ଭାବକୁ ଶବ ଭାବରେ ମୁଁ ତନ୍ନ ତନ୍ନ କରି ବ୍ୟବଚ୍ଛେଦ କରିବାକୁ ଚାହେଁନା ।

 

ସମୀର ଏଥର ସ୍ମିତ ହସିଲା । ସୁରଭି ଲକ୍ଷ୍ୟ କଲା, ସମୀର ଓଠ ପ୍ରାନ୍ତରୁ ଯେପରି ଅଜସ୍ର ସୁରଭିତ ହେନାଫୁଲ ଝର ଝର ହୋଇ ଝରି ପଡ଼ୁଛି । ସୁରଭି ସେ ହସକୁ ମନପ୍ରାଣ ଭରି ଉପଭୋଗ କରୁ କରୁ ସମୀର ଆକାଶକୁ ଚାହିଁ କହିଲା, ସତକଥା । ମମତା ଆନ୍ତରିକତାକୁ ଯେତେ ସଚେତନ ହୋଇ ବିଶ୍ଳେଷଣ କଲେ ବି ସେ ସେତେ ଆହୁରି କ୍ଳୀଷ୍ଟ ହୋଇଉଠେ । ଆଉ ଆମ୍ଭେ ଯେତେ ଆତ୍ମବିସ୍ମୃତି ସେଥିରେ ମଜୁଥ‌ିବା ସେ ଉଷାର କଅଁଳ ଆଲୋକ ପରି ଆମ ଆଗରେ ସେତେ ଧୀରେ ଧୀରେ ସ୍ପଷ୍ଟ ହୋଇ ଉଠୁଥ‌ିବ ।

 

ସୁରଭି ହସ ହସ କଣ୍ଠରେ କହିଲା, ସେ ମମତା ଓ ଆନ୍ତରିକତା କ’ଣ ମୁଁ ବୁଝି ନାହିଁ କି ମୋ’ର ବୁଝିବାର ମୋଟେ ଦରକାର ନାହିଁ । ମୁଁ କେବଳ ଏତିକି ଜାଣେ ମୁଁ ସମଗ୍ର ଭାବରେ ମୋ’ର ହୃଦୟ ଓ ମନ ତୁମରିଠାରେ ବିସର୍ଜନ ଦେଇ ବ ମୁଁ ନିଃସ୍ୱ ହୋଇନି । ମୋ’ ହୃଦୟ ଯେପରି ଅପୂର୍ବ ଭାବାବେଶରେ ଆହୁରି ପରିପୂର୍ଣ୍ଣ ହୋଇଉଠୁଛି ଏବଂ ମୁଁ ପ୍ରାଣ ପ୍ରାଚୁର୍ଯ୍ୟର ଚଇତାଳିରେ ଆମୋଦିତ ହୋଇ ଯେପରି ଏକ ମୁଗ୍‌ଧା ହରିଣୀ ପରି ଖୁସିରେ ଡିଆଁ ମାରୁଛି !!

 

ସମୀର ଗମ୍ଭୀର ହୋଇ କହିଲା, ଜଣେ ନିଜକୁ ଏକପାଖିଆ କରି ଅନ୍ୟଜଣଙ୍କ ଭିତରେ ଉଜେଇଁ ଦେଲେ ସେଠାରେ ପରିପୂର୍ଣ୍ଣତାର ପ୍ରଶ୍ନ ଉଠେ ନାହିଁ । ସେ ପ୍ରଶ୍ନ ଉଠେ ଯେତେବେଳେ ପରସ୍ପର ହୃଦୟ ଓ ମନ ମିଶାମିଶି ଏକାକାର ହୋଇ ଉଠେ । ଆମେ ପରସ୍ପର ସର୍ବାନ୍ତଃକରଣରେ ନିଜ ଭିତରେ ଅନ୍ୟକୁ ପାଇଛେ । ତେଣୁ ତ ଆମ ମନରେ ଏ ପୂରିଲା ପୂରିଲା ଭାବଧାରାର ଉଜାଣି ସୁଅ । ମୁଁ ଯଦି ତୁମ ଭିତରେ ହଜି ନ ଥାନ୍ତି କି ତୁମକୁ ଭଲପାଉ ନ ଥାନ୍ତି, ତୁମ ମନରେ ଏ ପରିପୂର୍ଣ୍ଣତା ପ୍ରଶ୍ନ ଉଙ୍କି ମାରନ୍ତା ନାହିଁ ବରଂ ତୁମେ ନାନା ପ୍ରକାର ଅଶାନ୍ତି ରିହରେ ଅହରହ ଜଳୁଥାନ୍ତ ।

 

ସୁରଭି ଏକଥା ଶୁଣି ସମୀର ମୁହଁକୁ ନିରୀକ୍ଷଣ କଲା । ପୁଣି କ'ଣ ଭାବି କେଜାଣି ସେ ଧୂସର ଦିଗନ୍ତକୁ ତା’ର ଦୃଷ୍ଟି ଲମ୍ୱେଇ ଦେଇ ମନେ ମନେ ଚିନ୍ତା କଲା-ସମୀର ଯାହା କହୁଛନ୍ତି ତା’ ସତକଥା ନୁହେଁ କି ? ପ୍ରଣୟରେ ଜଣେ କ’ଣ କେବେ ନିର୍ଲିପ୍ତ ଭାବରେ ନିଜକୁ ଅନ୍ୟ ପାଖରେ ସମର୍ପି ଦେଇପାରେ ? ସେଠାରେ ମଧ୍ୟ ସ୍ୱାର୍ଥପରତା ଲୁଚି ଲୁଚି ହାଇ ମାରୁଥାଏ । ସେ କ’ଣ ପରୋକ୍ଷରେ ଚାହେଁ ନାହିଁ ତା’ର ଭଲପାଇବା, ଅନୁରକ୍ତି ବଦଳରେ ତା’ର ପ୍ରିୟଜନ ତାକୁ ଏକାନ୍ତ ଭାବରେ ଭଲପାଉ, ତା’ପ୍ରତି ଅନୁରକ୍ତ ହୋଇଉଠୁ; ସେ ନିଜକୁ ସମୀରଠାରେ ହଜାଇ, ତା’ ବଦଳରେ ସମୀରକୁ ପାଇଛି । ନ ହେଲେ ପ୍ରୀତିର ଗାଥା ତାକୁ ଏତେ ମିଠା ମିଠା ଲଗୁଥାନ୍ତା କାହିଁକି ? ଆଃ ! କେତେ ଚଞ୍ଚଳ ସମୀର ତା’ର ନିଜର ହୋଇଗଲା... !!

 

ସୁରଭି ଏକ ସ୍ତିମିତ ଉଚ୍ଚାଟନରେ ଶିହରି ଉଠି ସମୀର କୋଳରେ ମୁଣ୍ଡ ରଖି ସମୀର ହାତକୁ ନିଜ ହାତରେ ରଖି ଅନୁଭବ କଲା ଗ୍ରୀଷ୍ମଋତୁ ହୋଇଥିଲେ ବି ସମୀରଣରେ ଯେପରି ମଳୟର ରୋମାଞ୍ଚ ଅସ୍ତବ୍ୟସ୍ତ ହୋଇ ଉଠି ତାକୁ ବାରମ୍ବାର ପୁଲକିତ କରୁଛି ।

 

ସମୀର ଏଥରକ କଣ୍ଠରେ କିଛି କାରୁଣ୍ୟ ଭରି କହିଲା, ସୁରଭି ! ମୋତେ ଆଜି ସମସ୍ତେ କହୁଛନ୍ତି, ମୁଁ କାଙ୍ଗାଳ, ନିଃସ୍ୱ । ତୁମେ ତ ଜଣେ ପୁଞ୍ଜିପତିର କନ୍ୟା । ତୁମେ ମୋତେ ଏପରି ଭଲପାଇ ବସିଲ କାହିଁକି ?

 

ସମୀରର ଏ ପ୍ରକାର ପ୍ରଶ୍ନରେ ସୁରଭି ହଠାତ୍ ଶିଥିଳ ହୋଇ ଉଠିଲା । ସେ କ’ଣ ଭାବିଲା କେଜାଣି ଧଡ଼ପଡ଼ ହୋଇ ଉଠିବସି ସମୀର ମୁହଁକୁ ବୋକା ବୋକା ଦୃଷ୍ଟିରେ ଚାହିଁଲା । ସେ କିନ୍ତୁ ଅନୁମାନ କରିଥିଲା ସମୀର ମୁହଁରୁ ଏ କଥାଗୁଡ଼ାକ ଉଚ୍ଚାରିତ ହେଲାବେଳେ ତା’ ମୁହଁଟା ଦୁଃଖରେ ଭାରି ଭାରି ହୋଇ ଉଠିଥ‌ିବ । କିନ୍ତୁ ସେ ଆଶ୍ଚର୍ଯ୍ୟ ହେଲା ସମୀର ମୁହଁରେ ଶ୍ରାବଣୀ ଅକାଶର ସୂଚନା ନ ଥାଇ ବରଂ ଶରତ ଆକାଶର ନୀଳିମା ଝଲସି ଉଠିଛି ! ସେ ମୁହଁ ଖୋଲିଲା । କହିଲା, ସମ୍ପତ୍ତି ବୋଇଲେ ମୁଁ ବୁଝେ ପୁରୁଷର ପୌରୁଷ । ଯାହାର ପୌରୁଷ ଅଛି ସେହି ତ ଏ ବିଶ୍ଵରେ ପ୍ରତିପତ୍ତିଶାଳୀ ଧନବାନ୍ । ସେହିଯୋଗୁ ମୁଁ ତୁମକୁ କୁବେର ବୋଲି ଧରି ନେଇଛି ।

 

ସମୀର ସ୍ଥିର କଣ୍ଠରେ କହିଲା, ପୌରୁଷ କହିଲେ ତୁମେ କ’ଣ ବୁଝ ?

 

ସୁରଭି ସାଙ୍ଗେ ସାଙ୍ଗେ କହଲା, ଏଇ ତୁମର ନୈତିକତା, ନିର୍ଭୀକତା, ନେତୃତ୍ୱ ପ୍ରଭୃତି କେତେକ ସଦ୍‌ଗୁଣର ସମାହାର ।

 

ସେତେକ ଯଦି କେବେ ମୋ’ ଠାରୁ ହଜିଯାଏ ?

 

ସୁରଭି ଚିଆଁ ଲାଗିଲା ପରି ଚମକି ପଡ଼ି ସମୀର ମୁହଁରେ ହାତ ଦେଇ ବ୍ୟସ୍ତ ବିବ୍ରତ ସ୍ୱରରେ କହିଲା, ଏ ତୁମେ କ’ଣ କହୁଛ ? ତୁମର ଅନ୍ତରର ଭଣ୍ଡାରରୁ ଏ ଅମୂଲ୍ୟନିଧି କ’ଣ କେବେ ହଜି ଯାଇପାରେ ? ....ନା ନା ତାହା ହଜିବାକୁ ମୁଁ କେବେ ଦେବି ନାହିଁ ।

 

ମୁଁ ନାରୀ । ପୁରୁଷର ସଦ୍‌ଗୁଣରେ ସୁରକ୍ଷା ପାଇଁ ନାରୀ ତ ଉପଯୁକ୍ତ ବିଚକ୍ଷଣ ପ୍ରହରୀ । ଯେଉଁଦିନଠାରୁ ମୁଁ ତୁମର ସହଧର୍ମିଣୀ ହେବି ବୋଲି ନଶ୍ଚିନ୍ତ ହୋଇ ସାରିଛି, ସେହିଦିନଠାରୁ ତୁମର ଧର୍ମରକ୍ଷା କରିବା ମୋର ଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ଧରି ନେଇଛି । ସତରେ ସମୀର ସେ ଦାୟିତ୍ଵ ମୋତେ ସମର୍ପି ତୁମେ କ’ଣ ନଶ୍ଚିନ୍ତ ହୋଇ ପାରିବନି ?

 

ସମୀର ଏକ ସ୍ଵର୍ଗୀୟ ଭାବାବେଶରେ ପୁଲକି ଉଠିଲା । ପ୍ରକୃତରେ ତା’ର ଜୀବନସଙ୍ଗିନୀ ନିର୍ବାଚନରେ କୌଣସି ଭୁଲ୍‍ ହୋଇନାହିଁ । ତା’ର ରାଜନୈତିକ ଜୀବନର ବନ୍ଧୁର ପଥରେ ସହଯାତ୍ରୀ ପାଇଁ ସୁରଭି ହିଁ ଉପଯୁକ୍ତା ।

 

ସେ ଏଥରକ ଗଭୀର ଆବେଗରେ ସୁରଭିକୁ ନିବିଡ଼ ଭାବରେ ବକ୍ଷ ସଂଲଗ୍ନା କରି ତା’ର ଅଧରରେ ମଦିର ସ୍ପର୍ଶ ଦେଲା । ଆକାଶ ବତାଶ ସେହି ସ୍ପର୍ଶର ମୃଦୁ ଧ୍ୱନିରେ ଯେପରି ମୂର୍ଚ୍ଛିତ ହୋଇ ପଡ଼ିଲେ ।

 

ହଠାତ୍ ଆଜି ସୁରଭିର ମନପ୍ରାନ୍ତରେ ସେହି ସ୍ୱପ୍ନିଳ ଅନୁଭୂତି ବାରମ୍ବାର ମୃଦୁ ଆଘାତ ଦେବା ଫଳରେ ତା’ର ସ୍ନାୟୁ ଶୋଣିତର ସମସ୍ତ ତନ୍ତ୍ରୀରେ ସ୍ତିମିତ ଉତ୍ତେଜନାର ଏକ ଗଭୀର ଆଲୋଡ଼ନ ସୃଷ୍ଟି ହେଲା । ସେହି ଆଲୋଡ଼ନର ସମୁଦ୍ର ମଧ୍ୟରେ ସେ କ’ଣ କେବେ ଏକାକୀ ସନ୍ତରଣ କରିପାରିବ ? ନା-ତା’ର ଏ ମୁହୂର୍ତ୍ତରେ ସାଥୀ ଦରକାର ।

 

ସେ ସାଥୀ-ସମୀର ।

 

ଏ କଥା ସୁରଭିର ମୁଣ୍ଡରେ ଢୁକିବା ମାତ୍ରେ ସମୀରର ଅନୁପସ୍ଥିତିକୁ ଏ କ୍ଷଣରେ ସେ ଭୟଙ୍କର ଭାବରେ ଅନୁଭବ କରି ଅସ୍ଥିର ହୋଇଉଠିଲା ।

 

ଯେଉଁ ଆକାଶ କିଛି ମୁହୂର୍ତ୍ତ ପୂର୍ବରୁ ଏତେ ସୁନ୍ଦର, ଏତେ ଅଧୀର ମନେ ହେଉଥିଲା, ତାହା ସାଙ୍ଗେ ସାଙ୍ଗେ ଯେପରି ଅତି ଫିକା ଫାଙ୍କା ଫାଙ୍କା ପରି ତାକୁ ଜଣାଗଲା ।

 

କିନ୍ତୁ ସମୀର ତାଙ୍କର ରାଜନୈତିକ ସଙ୍ଗଠନ କାମରେ କେଉଁ ମଫସଲକୁ ଯାଇଛନ୍ତି । ଆସିବେ ଆହୁରି ଦୁଇଦିନ ପରେ । ଓଃ ! ସେ ଏତେଟା ଦୀର୍ଘ ସମୟ କିପରି କଟାଇବ ! ତେବେ ଏ ଅଣନିଶ୍ୱାସୀ ନିଃସଙ୍ଗ ଅତିକାୟ ମୁହୂର୍ତ୍ତଗୁଡ଼ାକୁ ହତ୍ୟା କରିବାକୁ ହେଲେ ତପନ ଭାଇ ପାଖକୁ ବୁଲିଗଲେ କିପରି ହୁଅନ୍ତା ?

 

ସତେ ତ, ତପନ ଭାଇଟା ଏହା ଭିତରେ କିପରି ଧୀରେ ଧୀରେ ଅତି କର୍କଷ, ରୁକ୍ଷ ହୋଇଉଠୁଛି । ଦରିଦ୍ର ପୁଣି ବେକାର ହେଲେ ମଣିଷର ଏପରି ପରିବର୍ତ୍ତନ ହୁଏ ବୋଲି ସେ କେବେ କଳ୍ପନା କରି ନ ଥିଲା ।

 

ଯେଉଁ ତପନ ବିଶ୍ଵାଳ ଏ ସହରରେ ଏକ ଶାନ୍ତଶିଷ୍ଟ, ସୁଧାର ପିଲା ଭାବରେ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲା, ଏଇ କିଛିଦିନ ହେଲା ଲେକେ ତାକୁ ଏକ ହିଂସ୍ର, ଦୁର୍ଦ୍ଦାନ୍ତ, ରାକ୍ଷସ ପରି ବର୍ଣ୍ଣନା କରିବା ପଛରେ କ’ଣ କିଛି କାରଣ ନାହିଁ ?

 

ଅଭାବ ଅନାଟନର ଅକାଳ ବନ୍ୟା ମଣିଷ ଅନ୍ତରର ସବୁଜ ଭୂମିରୁ କ’ଣ ସମସ୍ତ ପ୍ରବଣତା, ଦୟା, ନମ୍ରତା ଚାଟିଚୁଟି ନିଃଶେଷ କରି ଏପରି ଧୂସର, ଅସ୍ଥିର କରିଦିଏ ।

 

ତେବେ ତପନ ସହିତ କଥାବାର୍ତ୍ତା ହେଲାବେଳେ ସେ ଭିତରେ ଭିତରେ କିପରି ଏକ ସ୍ତିମିତ ଆଗ୍ନେୟ ଉତ୍ତେଜନା ଅନୁଭବ କରେ । ତପନ ଭାଇ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହୁଥ‌ିବା ଜାଣି ବି ସେ ଅନୀତିପୂର୍ଣ୍ଣ କାର୍ଯ୍ୟରୁ ତାକୁ ନିବର୍ତ୍ତାଇବା ପାଇଁ କିଛି କହିଲା ବେଳେ ତା’ର ସେ ଯେପରି କେତେଗୁଡ଼ାଏ ନୀତିଶ୍ଳୋକ ତା’ ଆଗରେ ଗଣି ଚାଲିଛି; ଅଥଚ ସେ ଶ୍ଳୋକର ବିନ୍ଦୁ ବିଃସର୍ଗ ବି ବୁଝିପାରୁ ନାହିଁ ।

 

ଦିନେ କଥା ପ୍ରସଙ୍ଗରେ ସେ ତପନକୁ ଏ ପ୍ରକାର କାମରୁ ନିବର୍ତ୍ତାଇବା ପାଇଁ କହିଥିଲା, ଆଛା ତପନ ଭାଇ ! ତୁ କ’ଣ ଆଉ ଏବେ ଈଶ୍ୱରଙ୍କୁ ବିଶ୍ୱାସ କରୁନାହୁଁ କି ?

 

ତପନ ବିଶ୍ଵାଳ ପରି ଜଣେ ବାସ୍ତବତା-ସଚେତନ ବିପ୍ଳବୀ ତରୁଣ ସୁରଭିର ଏପରି କଥାରେ ହସି ଉଠିବା କଥା, ମାତ୍ର କିଛିକ୍ଷଣ ସେ ଗମ୍ଭୀର ହୋଇ ଉଠିବା ପରେ କରୁଣାର୍ଦ୍ର କଣ୍ଠରେ କହିଥିଲା, ଦେଖ୍ ସୁରଭି–ଈଶ୍ଵର ବୋଇଲେ ତୁ କ’ଣ ବୁଝିଛୁ ଆଗ ମୋତେ କହିଲୁ ?

 

କାହିଁକି ? ଏକ ଅଦୃଶ୍ୟ ଶକ୍ତି । ଯାହାର କାଳ୍ପନିକ ଭରସାରେ ମଣିଷ ଏହି ଐହିକ ଦୁଃଖକୁ ଖାତିର କରେ ନାହିଁ ।

 

ତପନ ହସି ଉଠିଲା, କହିଲା–ସମୀର ସହିତ ବହୁତ ମିଶିବା ପରେ ତୁ ଏବେ ଭାରି କଳ୍ପନାରଞ୍ଜିତ ରୋମାଞ୍ଚ ଦରିଆରେ ଉବୁଟୁବୁ ହେଉଛୁ । ତେଣୁ ତୋ’ପରି ଏକ ଧନୀ ଦୁଲାଳୀ ଈଶ୍ୱରଙ୍କୁ କଳ୍ପନା ଦୃଷ୍ଟିରେ ଦେଖିପାରେ କିନ୍ତୁ ଯେ ଦୁଃଖୀ, ଚାରି ଦିନରେ ଥରେ ଯାହା ପେଟକୁ ମୁଠାଏ ଦାନା ଯାଏ ନାହିଁ, ସେ କ’ଣ କେବେ କଳ୍ପନା ବଳରେ ନିଜ ଭିତରେ ଭରସା ସୃଷ୍ଟି କରି ଦୁଃଖକୁ କ୍ଷୁଧାକୁ ଦୂରେଇ ଦେଇପାରେ ?

 

ମଣିଷ, ମଣିଷ । ସବୁ ମଣିଷ ଯୋଗୀ ଋଷି ହୋଇପାରିବ ନାହିଁ କି କୌଣସି ନିକାଞ୍ଚନ ସ୍ଥାନରେ ଧ୍ୟାନରତ ହୋଇ ନିଜର ଜୀବନକୁ ଅନ୍ୟଥାରେ ଖର୍ଚ୍ଚ କରିବ ନାହିଁ ।

 

ସୁରଭି ଏଥରକ ଈଷତ୍ ବିରକ୍ତ କଣ୍ଠରେ କହିଲା-ତୁ ମୋତେ କିଛି କହିଲାବେଳେ, ସମୀରର ଦୁହା ଦେଉ କାହିଁକି ? ଆଉ ସମୀର ଯଦି ଈଶ୍ୱରଙ୍କ ଉପରେ ଦୃଢ଼ ଭରସା ରଖି ଥାଆନ୍ତି ତେବେ କ୍ଷତି କ’ଣ ? ମହାତ୍ମା ଗାନ୍ଧୀ ପୁଣି ତ ଆଧ୍ୟାତ୍ମିକତା ସହ ରାଜନୀତିର ସମନ୍ୱୟ ଆଣିଥିଲେ-?

 

ଦେଖ୍ ସୁରଭି, ସମୀରର ସାମାନ୍ୟ ନିନ୍ଦା ଶୁଣିଲେ ତୁ ନିଶ୍ଚୟ ଅଧୈର୍ଯ୍ୟ ହୋଇ ଉଠିବୁ ମୁଁ ଜାଣେ । କିନ୍ତୁ ତୁ ଥରେ ଭାବି ଦେଖ୍ ସମୀର ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରୁଥିଲେ ବି ମୁଁ ମଧ୍ୟ ତାଙ୍କ ନୀତିକୁ ଅସମ୍ମାନ ଜଣାଉ ନାହିଁ ।

 

ମାନେ ?

 

ତାଙ୍କର ଦୃଢ଼ ନୀତି ଥିଲା ଅନ୍ୟାୟ, ଅନୀତି ବିରୁଦ୍ଧରେ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କରିବା । ଆତ୍ମ ମର୍ଯ୍ୟାଦାର ସୁରକ୍ଷା ପାଇଁ ହସି ହସି ଆତ୍ମବଳି ଦେବା କଥା ମଧ୍ୟ ସେ ଅସ୍ୱୀକାର କରୁ ନ ଥିଲେ । ଆଉ ମୁଁ ତ ସେଇଆ କହୁଛି ।

 

କ’ଣ ଏହି ହିଂସାତ୍ମକ ଉପାୟରେ ?

 

ତପନ ଉଦ୍‌ଭ୍ରାନ୍ତ ପରି ହସି ଉଠି କହଲା, ଆମେ କେତେଟା ବେକାର ଯଦି କିଛି ଗୋଟାଏ କରି ବସିଲୁ ତାହା ସମସ୍ତଙ୍କ ଆଖିକୁ ଖାଲି ହିଂସା, ସମାଜ ବିଦ୍ରୋହ ପରି ଜଣାଯାଉଛି; ଆଉ ଯେଉଁମାନେ ସମାଜ ସେବକର ଖୋଳ ପିନ୍ଧି ଭିତରେ ଭିତରେ ଏ ସମାଜର ଚେର କାଟୁଛନ୍ତି ସେମାନେ କ’ଣ ସାଧୁ ପୁରୁଷ ?

 

ହଁ, ଅନ୍ୟାୟ, ଅନୀତିକୁ ବିରୋଧ ନ କରି ନୀରବ ରହିଲେ ତାହା ଏକ ଦୁର୍ବଳ ମନୋବୃତ୍ତିର ପରିଚୟ ବୋଲି ବାପୁଜୀ କହୁଥିଲେ । ମୁଁ ଯଦି ନ୍ୟାୟ ଓ ନୀତିର ପ୍ରତିଷ୍ଠା ପାଇଁ ହିଂସାତ୍ମକ ବିପ୍ଳବର ଆଶ୍ରୟ ନିଏ ତେବେ କ୍ଷତି କ’ଣ ? ଆଦର୍ଶ ଲକ୍ଷ୍ୟ ହାସଲ ପାଇଁ ସମୟର ଆହ୍ୱାନରେ ଉପାୟର ବା ପନ୍ଥାର ପରିବର୍ତ୍ତନ କରିବା କ’ଣ ଏମିତି ଗର୍ହିତ କାର୍ଯ୍ୟ ?

 

ସୁରଭି ଏଥରକ କ’ଣ କହିବାକୁ ଯାଇ କିଛି କହିପାରିଲା ନାହିଁ । କିନ୍ତୁ ସେ ତପନର ଯୁକ୍ତିକୁ ସମର୍ଥନ କରି ବି କରିପାରିଲା ନାହିଁ । ତା’ର ମନେ ହେଲା ସମୀର ତ ପୁଣି ନ୍ୟାୟ ଓ ସତ୍ୟର ପ୍ରତିଷ୍ଠା ପାଇଁ ଅହିଂସା ଆନ୍ଦୋଳନରେ ମାତିଛନ୍ତି ।

 

ତପନ ସୁରଭିର ଏ ପ୍ରକାର ନୀରବତାରେ ଆଘାତ ଦେଇ ତାକୁ ଚିଡ଼େଇବାକୁ ଯାଇ କହିଲା, କିଛି କହୁନାହୁଁ ଯେ; ସମୀର କଥା ଭାବୁଛୁ କି ?

 

ସୁରଭି ରାଗିଯାଇ କହିଲା, କାହିଁ ସେ ବାଜେ କଥା ମୋତେ କହୁଛୁ କହିଲୁ ? ମୁଁ ପ୍ରଥମେ ତୋତେ ଈଶ୍ୱରଙ୍କ କଥା ପଚାରୁଥିଲି; ସମୀର କଥା ନୁହେଁ ।

 

ସମୀର କ’ଣ ଈଶ୍ୱର ନୁହେଁ ? ହିନ୍ଦୁଶାସ୍ତ୍ରରେ ପତିଙ୍କୁ ଦେବତା ବୋଲି ପରା ବର୍ଣ୍ଣନା କରାଯାଇଛି ।

 

ସୁରଭି ବିରକ୍ତ ହୋଇ କହିଲା, ତୁ ତାହାହେଲେ କହୁଛୁ ମୁଁ ଏଠାରୁ ଚାଲିଯିବି ନା ?

 

ତପନ କହିଲା, ସମୀର କଥା କହିଲେ ତୁ ଉପରେ ଉପରେ ମୋ’ ଉପରେ ଏମିତି ଚିଡ଼ୁଛୁ ନା ? ହେଲେ ଭିତରେ ଭିତରେ ଭାରି ତୋତେ ମଜା ଲାଗୁଥିବ । ...ଛାଡ଼, ସେ କଥାରୁ ମୋ’ର ଏବେ କ’ଣ ମୋତେ ମିଳିବ ? କିନ୍ତୁ ମୋତେ ଏତିକି ଦୁଃଖ ଲାଗୁଛି ଯେ, ତୋର ଏପ୍ରକାର ଚକ୍ରାନ୍ତ...

 

ଚକ୍ରାନ୍ତ ! ମାନେ ?

 

କିଛି ବୁଝିପାରୁ ନ ଥିବୁ ? ମୋ ପାଖରେ ଏଣେ ଈଶ୍ୱରଙ୍କ କଥା ଉଠାଇ ଈଶ୍ୱରଙ୍କ ବିଶ୍ୱାସରେ ପ୍ରବର୍ତ୍ତାଇ, ସନ୍ନ୍ୟାସୀଟିଏ କରିବାକୁ ମନସ୍ଥ କରି ତେଣେ ବେଶ୍ ସମୀର ସହିତ ସାଂସାରୀ ହେବା ପାଇଁ ପ୍ରସ୍ତୁତ ହୋଇ ସାରିଲୁଣି, ନୁହେଁ ? ଏକଥା କ’ଣ ମିଛ ? ତପନ ଏତକ କହି ଚୁପି ଚୁପି ହସି ସୁରଭିର ମୁହଁକୁ ଚାହିଁ ତା’ର ମନୋଭାବକୁ ଚତୁରତାର ସହ ଲକ୍ଷ୍ୟ କଲା ।

 

ସୁରଭି କିନ୍ତୁ ବେଶ୍ ଅନୁମାନ କଲା, ତପନ ଉପରେ ଉପରେ ଏମିତି ହସୁଛି ନା, ହେଲେ ତା’ର ସାଂସାରୀ କଥା କହିଲାବେଳେ ତା’ର କଣ୍ଠ ସ୍ୱରରେ ଯେପରି କିଛି ବେଦନାର ରେଣୁ ଜମି ଯାଇଛି । ସୁରଭି ରାଗି ନ ଯାଇ ସହାନୁଭୂତି ମିଶା ସ୍ୱରରେ କହଲା, ମୁଁ କହୁଛି ଈଶ୍ୱରଙ୍କ ସତ୍ତା ଏ ବିଶ୍ୱରେ ଜୀବ ଓ ଜଡ଼–ଜଗତରେ ସର୍ବତ୍ର ବିଦ୍ୟମାନ । ଜଡ଼ଜଗତ କଥା ଛାଡ଼ । ଏ ଜୀବଜଗତ ଅନ୍ତର୍ଗତ ଯେଉଁ ଶ୍ରେଷ୍ଠ ଜୀବ, ମାନବ ଓ ଏ ସମାଜ, ତାକୁ ତ ତୁ ମଣିଷ ହିସାବରେ ସମ୍ମାନ ଜଣାଇ ଉନ୍ନତ କରିବୁ ତ ? ଏପରି ଅସାମାଜିକ କାମ କଲେ ଲୋକେ ତୋତେ ଭଲ କହିବେ ତ ?

 

ତପନ ନିଷ୍ପ୍ରଭ ହସ ହସିଲା । କହିଲା, ଭଲ କଥାଟିଏ କହିଲୁ । ଯେଉଁ ମଣିଷ କଥା ତୁ ଉଠେଇଛୁ ସେହି ମଣିଷ ଭିତରେ ଐଶ୍ୱରିକ ସତ୍ତା ସହ ଆସୁରିକ ବା ପାଶବିକ ସତ୍ତା ମଧ୍ୟ ବିଦ୍ୟମାନ । ଆମେ ଯାହାକୁ ପ୍ରଜ୍ଞା ଓ ପ୍ରବୃତ୍ତି ନାମରେ ନାମିତ କରିଛୁ, ଆଉ ମଣିଷ ଅନ୍ତରରେ ପ୍ରବୃତ୍ତିର ଅତ୍ୟାଚାର ଦେଖାଦେଲେ ସେଠାରେ ଐଶ୍ୱରିକ ସତ୍ତା ବା ପ୍ରଜ୍ଞାର ମୃତ୍ୟୁ ହୁଏ । ଆଉ ତାହାରି ଉଦାହରଣ ହେଉଛି ଏଇ ସମାଜର ଶୋଷକ ଓ ଧନୀକ ଶ୍ରେଣୀ । ସେପରି ପଶୁମାନଙ୍କୁ ନିଃଶେଷ କରିବାକୁ ହେଲେ ଆମକୁ ବି ପଶୁ, ରାକ୍ଷସ ସାଜିବାକୁ ହେବ । ତେବେ ଯାଇ ଏ ସଂସାରରେ ନ୍ୟାୟ ଧର୍ମର ପୁନଃ ପ୍ରତିଷ୍ଠା ହେବ । ‘ଯେସାକୁ ତେସା’ ନୀତି ନ ଧରିଲେ ଆମ ପରି ସର୍ବହରା ଛୋଟ ଛୋଟ ଦୁର୍ବଳ ଚାରାଗଛ ଧନୀକମାନଙ୍କର ଔଦ୍ଧତ୍ୟର ଝଙ୍କା ବରଗଛ ଛାଇରେ କୁଆଡ଼େ ନିଶ୍ଚିହ୍ନ ହୋଇଯିବ । ଏକଥା କ’ଣ ତୁ ଅସ୍ୱୀକାର କରିବୁ ?

 

ସୁରଭି ତପନର କଣ୍ଠରେ ଆଗ୍ନେୟ ଝଡ଼ର ସୂଚନା ପାଇ ଆଉ ସେଦିନ ଅଧିକ ଯୁକ୍ତି କରିବାକୁ ଇଚ୍ଛା କରି ନ ଥିଲା । ଅଥଚ ସମୀର ଆଗରେ ସେ ସବୁ କହିଲାବେଳେ ସମୀର କିଛି ସମୟ ଗୁମ୍ ମାରି ଏକ ଦୀର୍ଘଶ୍ଵାସ ଛାଡ଼ି ଧୀର ଅଥଚ ଗମ୍ଭୀର କଣ୍ଠରେ କହିଥଲା—‘ବୁଭୂକ୍ଷିତ କିଂ ନ କରୋତି ପାପଂ’ । ଏ ଦେଶରେ ନାନା ପ୍ରକାର ବିଶୃଙ୍ଖଳା ଦୂର କରିବାକୁ ହେଲେ ଆମକୁ ପ୍ରଥମେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏ ଦେଶରେ ଦିନକୁ ଅନ୍ତତଃ ଥରେ ଖାଦ୍ୟ ଯୋଗାଇବାକୁ ହେବ ସୁରଭି ।

 

ହଠାତ୍ କାହା ଡାକରେ ସୁରଭି ଭାବନାରୁ ଖସି ପଡ଼ିଲା । କିଏ ସମୀର କି ? ନା—କେହି ଡାକୁ ନାହାନ୍ତି । ଇଏ ତା’ ମନର ଭ୍ରମ । ସମୀରର କେତୋଟି ଦିନ ଅନୁପସ୍ଥିତିରେ ତା’ର ଏମିତି ଏ ରୋଗ ବାହାରେ । କେହି ନ ଡାକୁଥିଲେ ବି ସମୀରର ସେହି ଲଳିତ ସ୍ୱର ଝଙ୍କାର କେଉଁ ମିଠା ସ୍ମୃତିର ମଧୁର ଗାନ ପରି ତା’ର କାନରେ ବାରମ୍ବାର ଅନୁରଞ୍ଜିତ ହୋଇଉଠି କିପରି ଖସି ଆସି ଏକ ଅପୂର୍ବ ଆବେଗରେ ତାକୁ ମୁହ୍ୟମାନ କରିଦିଏ ! ଆଉ ପ୍ରବଣତାରୁ ବାସ୍ତବତାରେ ପହଞ୍ଚିଲେ ସେ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲାପରି ମନେକରେ ।

 

ସୁରଭି ସେପରି ଗଭୀର ହତାଶାରେ ଆକୁଳ ହୋଇଉଠି ବାହାରକୁ ନିରୁତ୍ସାହ ଦୃଷ୍ଟିରେ ଚାହିଁଲା ।

 

ପଶ୍ଚିମ ଆକାଶରୁ ଗୋଧୂଳିର ନାଗକନ୍ୟା ଧୀରେ ଧୀରେ ଦିଗନ୍ତର ଗର୍ତ୍ତରେ ଆତ୍ମଗୋପନ କରିବାକୁ ବସିଲାଣି । ଆକାଶର ନିର୍ଜ୍ଜନ ପ୍ରାନ୍ତରରେ ନିଃସହାୟ ଏକାକିନୀ ସନ୍ଧ୍ୟାତାରା ଆକୁଳ ଆଖିରେ ଅନାଇଛି ଏ ବ୍ୟାଧିଗ୍ରସ୍ତ ପୃଥ‌ିବୀକୁ ।

 

ତା’ର ମନେ ହେଲା ପୃଥବୀର ସଂଖ୍ୟାହୀନ ହତାଶା ଓ ଦୀର୍ଘଶ୍ୱାସ ଧୀରେ ଧୀରେ ଘନୀଭୂତ ହୋଇ, ଅନ୍ଧକାରରେ ରୂପାନ୍ତରିତ ହୋଇ ପୁଣି ଯେପରି ସମଗ୍ର ବିଶ୍ଵକୁ ଗ୍ରାସ କରିବାକୁ ବସିଛି ।

 

ସୁରଭି ଇତସ୍ତତଃ ହୋଇ ଉଠି ଠିଆହେଲା ।

 

ଦୁଇ

 

ସମୀର ଅକାଶକୁ ତନ୍ମୟ ହୋଇ ଚାହିଁଲା ।

ଏ ଆକାଶ ଯେ ତା’ର ଏକାନ୍ତ ଆପଣାର, ସୁପରିଚିତ । ଏଇ ପ୍ରଶାନ୍ତ ଆକାଶକୁ ଚାହିଁଲେ ତା’ର ମନ ବକ୍ଷରୁ ସମସ୍ତ ଦୁଶ୍ଚିନ୍ତାର ଅନ୍ଧକାର କୁଆଡ଼େ ଲିଭିଯାଇ ଏକ ଅପୂର୍ବ ପ୍ରେରଣାର ଅଲୋକରେ ସେ ସ୍ଥାନ ଝଲସି ଉଠେ ।

ଆଜି କିନ୍ତୁ ସମୀର ସଭାରୁ ଫେରି ଦୁଶ୍ଚିନ୍ତା ଦୂର କରିବା ପାଇଁ ପାଟପୁର ଗାଆଁର ନିର୍ଜ୍ଜନ ନଈକୂଳେ ବସି ଆକାଶକୁ ନିରୀକ୍ଷଣ କରୁ ନ ଥିଲା; ବରଂ ସେ ଆକାଶର ଶାଶ୍ୱତ ନୀଳିମାରେ ଲୀନ ହୋଇ ତା’ର ପ୍ରାଣ ପ୍ରତିମା ସୁରଭିକୁ ଖୋଜୁଥିଲା ତା’ର ସ୍ମୃତି ମନ୍ଦିରରେ ପ୍ରତିଷ୍ଠା କରିବା ପାଇଁ ।

ଆଃ ! ସୁରଭି ସହ ସମ୍ପର୍କିତ ହୋଇସାରିବା ପରେ ଏ ଗଗନ ଏ ପବନ ତାକୁ ଏତେ ଭଲ ଲାଗୁଛନ୍ତି କାହିଁକି ? ସତେ କ’ଣ ପ୍ରେମ, ପ୍ରଣୟର ପବିତ୍ର ଧାରା ରୁକ୍ଷ ମନ-ମରୁଭୂମିରେ ପ୍ରବଣତାର ଶ୍ୟାମ ଶସ୍ୟ ଉପୁଜାଇ ତାକୁ ଗୀତିମୟ କରି ଦେଇପାରନ୍ତି ।

କାହିଁ, ପୂର୍ବର ତା’ର ଏହି ନିରସ ରାଜନୈତିକ ଜୀବନରେ ସେ ଏତେ ଉନ୍ମାଦନା, ପ୍ରେରଣା ତ କେବେ ଅନୁଭବ କରି ନ ଥିଲା । ସତେ କ’ଣ ପୁରୁଷ ଜୀବନର ପୂର୍ଣ୍ଣତା କେବଳ ନାରୀର ପ୍ରେରଣାରେ ସମ୍ଭବ ହୋଇପାରେ ?

ସୁରଭି ସହିତ ପ୍ରଥମେ ପ୍ରଥମେ କିଛିଦିନ ପ୍ରଣୟାତ୍ମକ ମହକରେ ପୁଲକିତ ହୋଇଉଠି ସେ ବେଳେ ବେଳେ ନିଜର କର୍ତ୍ତବ୍ୟ ଜ୍ଞାନକୁ ପାଶୋରି ପକାଉଥିଲା । ସୁରଭି ତାକୁ ପୁଣି କର୍ତ୍ତବ୍ୟ ସଚେତନ ହେବାପାଇଁ ବାରମ୍ବାର ଆକଟ କରୁଥିଲା । ତା’ ମତରେ କୌଣସି ତରୁଣୀ କେବଳ ଜଣେ ତରୁଣକୁ ତା’ର ପ୍ରବଣତା ପାଇଁ ଭଲ ପାଏ ନାହିଁ । ସେ ଭଲପାଏ ତା’ର ତାରୁଣ୍ୟ ସହିତ ମହତ୍ ଗୁଣକୁ । ତେଣୁ ଜଣେ ଗୁଣବାନ କୁତ୍ସିତ ତରୁଣ ବି ସୁନ୍ଦରୀ ତରୁଣୀମାନଙ୍କର ଅନ୍ତରରେ ବେଶ୍ ଆସ୍ଥାନ ଜମେଇ ଦେଇପାରେ ।

ସୁରଭି ସେ ଦିନ ଏ କଥାରେ ତା’ର ପ୍ରଥମ ପ୍ରଣୟର ମଧୁତନ୍ଦ୍ରା କୁଆଡ଼େ କଟିଯାଇ ପୁଣି ସେ କର୍ମରେ ଚଳ-ଚଞ୍ଚଳ ହୋଇ ଉଠିଥିଲା ।

ସମୀର ମନେ ମନେ ରାତିର ବୟସ ମାପିଲା । ତରୁଣୀ ରାତି ବୁଢ଼ୀ ହେବାକୁ ବସିଲାଣି-। ହେଉ, ରାଜନୀତି ଧନ୍ଦାରେ ବୁଡ଼ି ରହି ଦିନରେ ମଣିଷ ନିଜକୁ ବି ପାସୋରି ଦିଏ । ତେବେ ଏ ରାତ୍ରିର ନିଶ୍ଚଳ ମୁହୂର୍ତ୍ତମାନଙ୍କରେ ସେ ଯଦି ତା’ର ପ୍ରିୟାର କଥା ନିଜ ସହ ସାମିଲ କରି ଚିନ୍ତା ନ କରିବ ଆଉ କରିବ କେତେବେଳେ ? ନା-ନା ତା’ କଥା ଚିନ୍ତା କରି କରି ବରଂ ଏ ରାତି ବିତିଯାଉ-

ସମୀର ଏଥରକ ନଈବାଲିରେ ଚିତ୍ ହୋଇ ଶୋଇ ପଡ଼ିଲା । ନଈ ସେପାଖରୁ ତୁହାକୁ ତୁହା ସୁଲୁ ସଲୁ ବାଆ ତା’ ଛାତିରେ ନେଶି ହୋଇ ତାକୁ ଅତ୍ୟଧିକ ଭାବରେ ସାଥୀ ସଚେତନ କରେଇ ଦେଇ ପାଖ ଅଶ୍ଵତ୍‌ଥ ଗଛପତ୍ର, ସତ୍ତାରେ ସଙ୍ଗୀତ ଗାଇ ଉଠିଲେ । ସମୀର ଶରୀରର ଶୋଣିତ ହ୍ରଦରେ କାମନାର ରକ୍ତପଦ୍ମଗୁଡ଼ିଏ ଫୁଟି ଉଠି ହସି ଉଠିଲେ । ସେ ଏକ ସ୍ୱପ୍ନିଳ ଉଚ୍ଚାଟନରେ ବିମୋହିତ ହୋଇ ଏକାକୀ ବିରହୀ ଯକ୍ଷ ପରି କେବଳ ଛଟପଟ ହେବାକୁ ଲଗିଲା ।

ଏଇ ତ ସୁରଭିର ସେହି ବନ୍ଧୁର କୋମଳ ଦେହର ଶୋଭାଶ୍ରୀ ତା’ ଚତୁର୍ଦ୍ଦିଗରେ ପରିଚ୍ଛନ୍ନ ହୋଇ ଯେପରି ବିଭିନ୍ନ ଛାନ୍ଦରେ ନୃତ୍ୟରତା ହୋଇ ଉଠିଛନ୍ତି ।

 

ଆଃ, ସୁରଭି ! ତା’ର ଏକାନ୍ତ ପ୍ରାଣର ସୁରଭି । ତା’ର ଅନ୍ତରର ନନ୍ଦନକାନନର ଏକ ଦରଫୁଟା ରକ୍ତିମ କରବୀ ।

 

ଅକସ୍ମାତ ସେହି ଢଳ ଢଳ ମୂର୍ଚ୍ଛାଳିଆ ପରିବେଶରେ ସୁରଭିର ସ୍ୱର ଲହରୀ ଚହଲି ଚହଲି ଭାସି ଆସିଲା ।

 

“ସବୁ ଜିନିଷ ଆଖି ପୂରେଇ ଦେଖିହୁଏ, କିନ୍ତୁ ମନ ପୂରେଇ ରୁଝିହୁଏ ନାହିଁ, ସମୀର ? ଦେଖା ଜିନିଷକୁ ଯେତେ ବୁଝିବାକୁ ଚେଷ୍ଟାକଲେ ବି ସେ ଯେପରି ଆହୁରି...ଆହୁରି ଅସ୍ପଷ୍ଟ ହୋଇ ଅବୁଝା ରହିଯାଏ ।’’

 

ସୁରଭି ଏତକ ତାକୁ କହିଥିଲା ଏକ ଚନ୍ଦ୍ରଚକିତ ରାତିରେ । ଯେତେବେଳେ ସମୀର ତାକୁ ହାଲୁକା କଣ୍ଠରେ ପଚାରିଥିଲା—ଆଚ୍ଛା, ସୁରଭି ତୁମେ ମୋତେ ନ ବୁଝି ନ ସୁଝି ମୋ ସାଙ୍ଗରେ ଏପରି ମିଶିବା ଉଚିତ କି ?

 

ସମୀର ତା’ର ଉତ୍ତର ପାଇ ଏକ ପ୍ରକାର ଗମ୍ଭୀର ହୋଇଯାଇ କହିଥିଲା, ଏ ସୃଷ୍ଟିରେ ମଣିଷଠାରୁ ପ୍ରତାରକ ଜୀବ କେହି ନାହିଁ । ସେ ଯେତେ ସଭ୍ୟ, ଶିକ୍ଷିତ ହେବାରେ ଲାଗିଛି ସେତେ ସେ ଛଳନା, ପ୍ରତାରଣାର ମାୟାଜାଲରେ ଅନ୍ୟକୁ ଛନ୍ଦି ତାକୁ ଠକିବାରେ ଆକଣ୍ଠ ଆନନ୍ଦ ପାଇଛି ।

 

ସୁରଭି କିନ୍ତୁ ସ୍ପଷ୍ଟ କଣ୍ଠରେ କହିଥଲା, ମଣିଷକୁ ନ ବୁଝିଲେ ସୁନ୍ଦର । ବୁଝିଲେ କଦାକାର-। ଆତ୍ମବିଶ୍ଵାସ ହେଲା ମୂଳକଥା । ସେ ଆଲୋକରେ ଏପର୍ଯ୍ୟନ୍ତ କେହି ଜଳକା ହୋଇନାହାନ୍ତି; ବରଂ ସେ ଆଲୋକର ଫୁକାରରେ ଜୀବନର ସମସ୍ତ ଗ୍ଲାନି, କ୍ଳାନ୍ତି କୁଆଡ଼େ ନଶ୍ଚିହ୍ନ ହୋଇଯାଇ ଜୀବନ ପଥକୁ ସୁଷମିତ, ସୁରଭିତ କରେ ।

 

ସୁରଭିର ଏ ଉକ୍ତି ଶୁଣି ସମୀର ତା’ ମୁହଁକୁ ଡବ ଡବ ଆଖିରେ ଚାହିଁ ଚାହିଁ କିଛିକ୍ଷଣ ଚିନ୍ତା କରିଥିଲା—ଏ ସୁରଭିର ସ୍ଵପ୍ନ ନୁହେଁ ତ ! କାରଣ ଏ ବୟସରେ ତରୁଣୀମାନେ ଚେଇଁ ଚେଇଁ ବହୁ ସ୍ଵପ୍ନ ଦେଖି ଆତ୍ମପ୍ରତ୍ୟୟ, ଆନ୍ତରିକତା ଇତ୍ୟାଦି ଏମିତିଗୁଡ଼ାଏ ବଡ଼ ବଡ଼ କଥା କହି ପୁଅମାନଙ୍କୁ ନିଜର କରି ନିଜ ଦେହକୁ ସମର୍ପି ଦେବାରେ ବେଶ୍ ଏକ ଅଦମ୍ୟ ଉନ୍ମାଦନା ଅନୁଭବ କରନ୍ତି । ସୁରଭି ସେଇଥିପାଇଁ ତେବେ କ’ଣ ତା’ ଆଗରେ ଏମିତି ଅଭିନୟ କରୁଛି !

 

କିନ୍ତୁ ସୁରଭି ଯଦି ସେ ପ୍ରକାର ଝିଅ ହୋଇଥାନ୍ତା ତେବେ ପିଲାଟି ଦିନୁ ତପନ ବିଶ୍ୱାଳ ସହିତ ମିଶିବା ଫଳରେ ସେ କ’ଣ ତା’ର କାମନାକୁ ଚରିତାର୍ଥ କରିପାରି ନ ଥାନ୍ତା ! ତାକୁ ଛାଡ଼ି ତା’ ସହିତ ସମ୍ପର୍କ ରଖିବାରେ ମାନେ ଏବେ କ’ଣ ? ତେବେ....ତେବେ...ସୁରଭି କ’ଣ ଏକ ବାରଭୋଗ୍ୟା ରମଣୀ ?

 

ସମୀର ସୁରଭିକୁ ଏ ଦୃଷ୍ଟିରେ ଚିନ୍ତା କରିବା ମାତ୍ରେ ତା’ ତଣ୍ଟିଟା ଯେପରି କିଏ ଚିପି ଧରିଲା । ଅଜାଣତରେ ସେ ଯେପରି ଏକ ଗର୍ହିତ କାମ କରି ଦେଇଛି ବୋଲି ଭାବି ନିଜକୁ ବାରମ୍ବାର ଦୋଷୀ ବୋଲି ସାବ୍ୟସ୍ତ କରିବାରେ ଲଗିଲା । ନା ସୁରଭି ସହିତ ଏତେଦିନ ମିଶିବା ପରେ ବି ସେ କ’ଣ ତାକୁ ଚିହ୍ନି ପାରିଲା ନାହିଁ ?

 

ସତେ ତ ! ତପନ ବିଶ୍ୱାଳ କଥା ତା’ ଆଗରେ ସୁରଭି ନିର୍ଲିପ୍ତ ଭାବରେ ଗପିଲାବେଳେ ସନ୍ଦେହର କଳାମେଘ ଖଣ୍ଡେ ବି ତା’ ମନ ଆକାଶରେ ଉଙ୍କିମାରି ନାହିଁ । କେଉଁ ତରୁଣୀ କ’ଣ କେବେ ତା’ର ଜୀବନର ପ୍ରଥମ ପ୍ରେମିକ କଥା ଅନ୍ୟ ପ୍ରେମିକ ଆଗରେ ଏମିତି ଦରଦି ହୋଇ ଗପିପାରେ ! ବରଂ ଝିଅମାନେ ମରିବା ପର୍ଯ୍ୟନ୍ତ ବି ନିଜର ଜୀବନର ଦୁର୍ବଳତାକୁ ନିଜ ଭିତରେ ହୁସିଆର ହୋଇ ତାଲା ପକାନ୍ତି ।

 

ନା,ତା’ର ଏପ୍ରକାର ଦୂଷିତ ଚିନ୍ତା ନରର୍ଥକ । ତା’ର ସୁରଭି ସକାଳର ଫୁଟନ୍ତା ଫୁଲର ସୁରଭି ପରି ସତେଜ, ମଧୁର, ପବିତ୍ର ଓ ସୁନ୍ଦର । ସୁରଭି ପ୍ରତି ଏ ପ୍ରକାର କଦର୍ଯ୍ୟ ଚିନ୍ତା ମନକୁ ଆଣି ସେ ମହାପାପ କରିଛି । ଏକ ସରଳା ତରୁଣୀର ସରଳ ବିଶ୍ୱାସରେ ବରଂ ସେ ବିଷ ଦେବାକୁ ତତ୍ପର ହୋଇ ଉଠିଛି । ନା...ନା...ସେ ଏ ପ୍ରକାର ଭାବନା କେବେହେଲେ ମନରେ ଆଣିବ ନାହିଁ ।

 

ସମୀର ମନେ ମନେ ଏମିତି ବହୁବାର ଶପଥ ନେଇସାରି କାହିଁକି କେଜାଣି ତପନ ବିଶ୍ୱାଳ କଥା ଅଜାଣତରେ ଭାବିଗଲା ।

 

ନଈ ସେ କୂଳରେ ସ୍ତିମିତ ଅନ୍ଧକାର ମଧ୍ୟରେ ବଣବୁଦାଗୁଡ଼ାକ ଏକ ଏକ ସିଲିହଟ୍ ଛବିପରି ଦେଖା ଯାଉଛନ୍ତି ଏବଂ ସେହି ଛାଇ ଛାଇ ବଣବୁଦାଗୁଡ଼ାକ ଉପରେ ଟିକି ଟିକି ତାରାମାନେ କେଉଁ ଏକ ଏକ ଉତଫଣ ସର୍ପର ମଣିପରି ଚିକ୍ ଚିକ୍ ହେଉଛନ୍ତି ।

 

ତପନ ବିଶ୍ଵାଳର ଆଖି ଦୁଇଟା ଚଷମା ଭିତରେ ଏମିତି ଦୁଇଟି ଆଗ୍ନେୟ ବିନ୍ଦୁ ପରି ତାକୁ କିପରି ଜଣାଯାଏ । କିନ୍ତୁ ସେ ଶାନ୍ତ ଅହିଂସାବ୍ରତର ପଟ୍ଟ-ପୁରୋଧା ହୋଇଥିଲେ ବି ତପନକୁ ସେ ସମଗ୍ର ଭାବରେ ଘୃଣା କରିପାରେ ନାହିଁ ।

 

ସୁରଭି ମୁହଁରୁ ତପନର ବାଚାଳତା ଶୁଣିଲେ ପ୍ରେମିକ ହିସାବରେ ସେ ତାକୁ ହିଂସା କରିବା କଥା କି ତା’ର ନୀତିବିରୋଧୀ ଲୋକ ବୋଲି ଘୃଣା କରିବା କଥା; ଅଥଚ ତା’ ମନ ପ୍ରାଣ କିପରି ତା’ପ୍ରତି ସମବେଦନାରେ ଆର୍ଦ୍ର ହୋଇଉଠେ । ଅନ୍ତରର କେଉଁ ଏକ ନିଭୃତ କୋଣରୁ ଏକ ଅଜଣା ଡାକରା ଛୁଟେ । ସତେ କ’ଣ ଏହା କେବଳ ତପନ ବିଶ୍ଵାଳର ଦୋଷ ? ଏ ସ୍ଖଳିତ ସମାଜର କ’ଣ କିଛି ଦୋଷ ନାହିଁ.....ନା’ ସର୍ବପ୍ରଥମେ ଏ ସମାଜକୁ ସଜାଡ଼ିବାକୁ ହେଲେ, ବିପ୍ଳବ ମାଧ୍ୟମରେ ନେତୃସ୍ଥାନୀୟ ସ୍ଵାର୍ଥପର ବଡ଼ପଣ୍ଡାମାନଙ୍କୁ ତଳକୁ ଟାଣିଆଣି ଜନତାର ଆଖି ଖୋଲି ଦେବାକୁ ହେବ ।

 

ଆ ! ତପନ ଭଲ ପଢ଼ି ବି ବେକାର । ହତାଶାର ଧାସରେ ତା’ର ଜୀବନର ସେହି ଥମ ଥମ ରଙ୍ଗୀନ କୃଷ୍ଣଚୂଡ଼ା ବଣଟା ଏମିତି ଜଳିପୋଡ଼ି ଅଙ୍ଗାରରେ ପରିଣତ ହୋଇଗଲା ! ସେ ଏବେ ତିଷ୍ଠିବ କିପରି ? ଜୀବନର ସ୍ଵାଦୁ ଚାଖିବାକୁ ହେଲେ ମନରେ ତ କିଛି ସତେଜ ଉତ୍ତେଜନା ଦରକାର । କିନ୍ତୁ ବାରମ୍ବାର ହତାଶ ହୋଇ ଅଗଛିଣ୍ଡା ଲତାପରି ମୁକୁଟିଆ ହୋଇ ସେ ଯଦି ମାଟିରେ ମିଶିବ, ତେବେ କ’ଣ ଏ ଦେଶର ଏକ ଅଂଶ ନଷ୍ଟ ହୋଇଯିବନି ? ବ୍ୟକ୍ତିକୁ ନେଇ ତ ଏ ସମାଜ, ଦେଶ ! କ୍ଷୁଧାର ମତ୍ତହସ୍ତୀ ମାନବିକତାର ପଦ୍ମବନ ଦଳନ କରି ସାରିଲା ପରେ ଆଉ ସେ ଜୀବନ ପୁଷ୍କରିଣୀର ମାନେ କିଛି ନ ଥାଏ ।

 

ସମୀର ତ ଏହା ଭିତରେ ବେଶ୍ ଏକ ନେତା ହିସାବରେ ସୁପରିଚିତ ହୋଇ ଉଠିଲାଣି-। ସଭାମଣ୍ଡପରେ ଠିଆ ହୋଇ ବଡ଼ ବଡ଼ କଥା କହିଲାବେଳେ ତା’ ତଣ୍ଟି କିପରି ଅଠା ଅଠା ହୋଇଯାଏ । ତା’ରି ଭିତରୁ ନିର୍ଗତ ସ୍ଵର ତାକୁ ଯେପରି ପେଚା ରାବ ପରି କର୍କଷ ଲାଗେ । ସମସ୍ତେ ତ ଏମିତି ସବୁଦିନେ କିଛି ନା କିଛି କହୁଛନ୍ତି; ହେଲେ କରୁଛନ୍ତି କେତେ ଜଣ ?

 

ବହୁତ କହିବା ଅପେକ୍ଷା ଅଳ୍ପ କରିବାରେ ଯଥେଷ୍ଟ ମହତ୍ତ୍ୱ ଫୁଟି ଉଠେ । ତପନ ତ ଯେ କୌଣସି ଉପାୟରେ ଦରିଦ୍ରଙ୍କର କିଛି ଉନ୍ନତି କରିବା ପାଇଁ ଅଣ୍ଟାଭିଡ଼ି ଆଗେଇ ଚାଲିଛି । କିନ୍ତୁ ସେ କ’ଣ କରୁଛି ? ସେ ତେବେ ତପନ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହେବ କି ?

 

ହଠାତ୍ ଏମିତିଗୁଡ଼ାଏ ଅମାନିଆ ଅଝଟ ଧାରଣା ତା’ର ଚିନ୍ତାଧାରାର ନିଷିଦ୍ଧ କୋଠରୀରେ ପ୍ରବେଶ କରି ଆସୁଥ‌ିବା ଦେଖି ସମୀର ଚମକି ପଡ଼ି ଉଠି ବସିଲା । ଧୀରେ ଧୀରେ ଯାଇ ନଈଧାରର ଥଣ୍ଡାପାଣିରୁ ଆଞ୍ଜୁଳା କରି ମୁହଁରେ ଛାଟିଲା, ଦେହଯାକ ବୋଳିହେଲା । ସତେ ଯେପରି ସେ କେଉଁଠୁ ନରହତ୍ୟା କରି ଫେରିଛି !

 

ନା, ନିର୍ଜ୍ଜନତାର ସୁଯୋଗ ନେଇ ସୁରଭି ସ୍ମୃତିକୁ ଆଲୋଡ଼ନ କରିବାକୁ ଆସି ସେ ଯେପରି ଆସ୍ତେ ଆସ୍ତେ ତପନ ବିଶ୍ଵାଳର ସେ ରକ୍ତାକ୍ତ ନୀତିର ଯୂପକାଠରେ ବେକ ପାତି ଦେଉଛି ।

 

ଏତେ ଦିନର ତା’ର ସେହି ସୁ-ଚିନ୍ତିତ ଅହିଂସା ଆଦର୍ଶକୁ ଓ ବହୁ ପରିକଳ୍ପିତ ଲକ୍ଷ୍ୟକୁ ସେ ଏମିତି ପାଶବିକ ଚିନ୍ତାର ଗଭୀର ବିବରରେ ହଜାଇ ଦେବ ନାହିଁ । ବରଂ ପୌଷ କୁହୁଡ଼ି ପରି ତପନର ସେ ଧ୍ୱଂସାତ୍ମକ ନୀତି ତା’ର ଜ୍ୱଳନ୍ତ ଆଦର୍ଶକୁ କିଛି ସମୟ ଆଚ୍ଛନ୍ନ କଲେ ମଧ୍ୟ ଶେଷରେ ସେ ତାକୁ ନିଶ୍ଚୟ ପରାସ୍ତ କରିବ । ସେ ପୁଣି ଉତ୍ତରଳ ଅଲୋକ ବନ୍ୟାରେ ଏ ସୃଷ୍ଟିକୁ ପ୍ଳାବିତ କରି ତପନ ପରି ଭ୍ରାନ୍ତ ତରୁଣମାନଙ୍କ ଧ୍ୱାନ୍ତ ଚିନ୍ତାର ବୁଦ୍‍ବୁଦୁକୁ କୁଆଡ଼େ ନିଶ୍ଚିହ୍ନ କରିଦେବ ।

 

ସମୀର ପୁଣି ସଜାଡ଼ି ହୋଇ ବସିବାକୁ ଯାଉ ଯାଉ କ’ଣ ଭାବିଲା କେଜାଣି ଉଠିଲା । ସୁରଭି ବାରମ୍ବାର କରି ତାକୁ ଅନୁରୋଧ କରିଥିଲା ଏଠାରେ ପହଞ୍ଚି ତା’ ପାଖକୁ ସାଙ୍ଗେ ସାଙ୍ଗେ ଚିଠି ଖଣ୍ଡେ ଲେଖିବା ପାଇଁ । କାର୍ଯ୍ୟବ୍ୟସ୍ତତା ଭିତରେ ସେ ସେତକ ସମ୍ପୂର୍ଣ୍ଣ ପାସୋରି ଦେଇଛି । ଏକଥା ଭାବି ସେ ନିଜକୁ କିପରି ଦୋଷୀ ବୋଲି ମନେକଲା !

 

ନା-ଆଜି ରାତିରେ ଖଣ୍ଡେ ଚିଠି ଲେଖି ଡାକରେ ନ ପକେଇଲେ ତାକୁ ମୋଟେ ଭଲ ଲାଗିବ ନାହିଁ କି ନିଦ ହେବ ନାହିଁ ।

 

ସମୀର ଝାଡ଼ିଝୁଡ଼ି ହୋଇ ଗାଆଁ ଆଡ଼କୁ ମୁହାଁଇଲା ।

 

ତିନି

 

ବିଷାଦର ଉତ୍‌ପୀଡ଼ନ ଅପେକ୍ଷା ଆନନ୍ଦର ଉଦ୍‌ବେଳନ ସମ୍ଭବ ଅସମ୍ଭବ ଭାବରେ ଆଖିରୁ ନିଦ୍ରାକୁ ନିର୍ବାସନ କରେଇ ଦିଏ । ନ ହେଲେ ସୁରଭି ଏତେ ରାତିଯାଏ ଉନ୍ନିଦ୍ର ରହି ଏଣୁ ତେଣୁ ଅନାବନା କଳ୍ପନାର ଫୁଲକଢ଼ି ତୋଳୁ ଥା’ନ୍ତା କାହିଁକି ?

 

ଏଇ ଆଜି ଖରାବେଳେ ସୁରଭି ଏକ ଅଶାନ୍ତ ସାଗର ପରି ଅତିଶୟ ଦୁଶ୍ଚିନ୍ତାରେ ଅସ୍ଥିର ହୋଇ ଉଠିଥିଲା । ସେତେବେଳେ ତା’ ମୁହଁଟା ଝଡ଼ ପୂର୍ବର ବାତାବରଣ ପରି ବେଶ୍ ଗୁମ୍‌ସୁମ୍, ନିଶ୍ଚଳ, ନୀରବ ।

 

ଭିତରେ ଭିତରେ ସେ ଜଳି ପୋଡ଼ି ଭାବୁଥିଲା, ତା’ ସମୀର ପରି ଭୋଳା ଲୋକ ସେ ଆଉ କେଉଁଠି ଦେଖି ନାହିଁ । କହିଥିଲେଟି ସାଙ୍ଗେ ସାଙ୍ଗେ ପହଞ୍ଚି ଚିଠି ଦେବାପାଇଁ; କିନ୍ତୁ କ’ଣ ହେଲା ? ଆସି ତିନିଦିନ ବିତିଗଲାଣି ଚିଠି କାହିଁ ?

 

ତେବେ ତାଙ୍କର ଦେହ କ’ଣ ଖରାପ ହେଲାକି ? ......ନା–ସେ ଆନ୍ଦୋଳନରେ ମାତିବା ବେଳେ କିଛି ଅଘଟଣ ଘଟିଲା ? .....ହେ ଭଗବାନ୍ ! ସମୀର ପଛେ ଚିଠି ନ ଦିଅନ୍ତୁ, ସେ ଯେଉଁଠି ଥିଲେ ପଛେ କୁଶଳରେ ଥାଆନ୍ତୁ ।

 

ହଠାତ୍ ସେତିକିବେଳେ ତା’ ବୋଉ ତଳୁ ଡାକ ଛାଡ଼ିଥିଲେ–ସୁର ତୋ ଚିଠି ଆସିଛି, ନେ-

 

ଏକା ନିଶ୍ୱାସକେ ସୁରଭି ତଳକୁ ଦୌଡ଼ି ଯାଇ ଚିଠିଟା ଧରି ଅତି ଆନନ୍ଦରେ ଏକ ବିଚିତ୍ର ଭଙ୍ଗୀରେ ଡେଇଁ ଡେଇଁ ଉପର ମହଲାର ତା’ ଶୋଇବା ଘର ଶେଯ ଉପରେ ଚିଠିଟାକୁ ଛାତିରେ ଜାକି ବହେ ଗଡ଼ି ଯାଇଥିଲା ।

 

କିନ୍ତୁ ହଠାତ୍ ସୁରଭି ଆତଙ୍କିତ ହୋଇ ଉଠିଥିଲା । ଚିଠିରେ ସତେ କ’ଣ ଲେଖା ହୋଇଛି ? ସେ ଚିଠିଟା ନ ପଢ଼ି ଏମିତି ବାଇଆଣୀ ପରି ହେଉଛି କାହିଁକି ?

 

ସୁରଭି ତରତରରେ ଚିଠିଟା ଖୋଲି ପଢ଼ି ଯାଇଥିଲା ଏବଂ ସମୀର ଭଲ ଅଛନ୍ତି ଜାଣି ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି କୃତଜ୍ଞତା ପ୍ରକାଶ କରିଥିଲା ।

 

ଅଧୀର ଆନନ୍ଦରେ ଉବେଇ ଟୁବେଇ ହୋଇ ସେ ବାହାରକୁ ଚାହିଁ ଦେଖିଥିଲା ଅଜସ୍ର ଲାଲ ଫୁଲରେ ଲଦି ହୋଇଥିବା ପାଳଧୂଆ ଗଛ ଡାଳରେ ହଳଦୀ ବସନ୍ତଟାଏ ଡେଇଁ ଡେଇଁ ମନ ଖୁସିରେ ରାବି ଉଠୁଛି । ଆଃ, ଆଜି ସେ ଏଇ ହଳଦୀବସନ୍ତ ମୁହଁ ଚାହିଁଥିବା ଯୋଗୁ ସମୀରଠାରୁ ଚିଠି ପାଇନାହିଁ ଯେ, ଯେପରି ସ୍ଵର୍ଗପୁରୀର ସେ ଅମୂଲ୍ୟ ପାରିଜାତ ଫୁଲଟିଏ ପାଇଛି ।

 

ଏ ତ ଗଲା ଆଜି ଖରାବେଳ କଥା । ତେବେ ଆସି ଏତେ ରାତି ହେଲାଣି, ସେ ସମୀରର ଚିଠିରେ ଲେଖାଥ‌ିବା କେତୋଟି କବିତା ଧାଡ଼ିକୁ ବାରମ୍ବାର ଆବୃତ୍ତି କରି କେତେ କ’ଣ ସ୍ଵପ୍ନ ଦେଖିଯାଉଛି !

 

ସୁରଭି ଏଥରକ ସୂଅ ମୁହଁରେ ଭାସି ଯାଉଥିବା ଏକ ଏକାକୀ ପତ୍ର ପରି ତା’ ମନକୁ ବେଶ୍ ହାଲୁକା କରିଦେଲା ଓ ସେ ଚିଠିର ପ୍ରତ୍ୟେକ ହରଫ ତା’ ଆଗରେ ଜୀବନ୍ତ ହୋଇ ଉଠୁଥ‌ିବା ଦେଖି ସେ ତାକୁ ସ୍ୱାଗତ ଜଣାଇ ପୁଣି ସେ କଳ୍ପନାରେ କବିତା ଧାଡ଼ିଟି ପାଖରେ ଅଟକି ଯାଇ ତାକୁ ଚାପା ସ୍ଵରରେ ଆବୃତ୍ତି କଲା ।

 

“ମୁଁ ଏକ ନୀଳ ହ୍ରଦ, ତୁମେ ମୋ’ର ନୀଳିମା ସମ୍ଭାର ।” ତୋ’ ପାଇଁ ଉଦ୍ଦିଷ୍ଟ ଏ ଲେଖାରେ ଯେ ଆନ୍ତରିକତାର ଅନ୍ତଃସଲୀଳା ଛଳ ଛଳ ଫଲ୍‍ଗୁଧାରା । ପ୍ରବାହିତ ହେଉଛି ସେ କଥା ସେ ଭଲ ଭାବରେ ବୁଝିପାରି ଅତିଶୟ ଅପ୍ରିତି ଉପରେ ସଢ଼ିଯାଇ ମନେ ମନେ ହସିଲା ।

 

ସେ ଶୁଣିଥିଲା ରାଜନୀତି କରି ନେତା ହେଲେ ସଦାସର୍ବଦା ସମାଜର ବହୁ ଲୋକଙ୍କ ଯନ୍ତ୍ରଣା ଦାୟକ, ହା-ହତାଶୀ ଜୀବନ ସମ୍ପର୍କରେ ଆସି ମଣିଷ ରୁକ୍ଷ, ବାସ୍ତବମୁଖୀ ହୋଇଯାଏ ଏବଂ ତା’ର ଅନ୍ତରରୁ କୁଆଡ଼େ କବିତ୍ୱ ଓ କଳ୍ପନାର କଳକଳ ଧାରା ଶୁଷ୍କ ହୋଇଯାଏ ।

 

ଅଥଚ ଏତେ ଆନ୍ଦୋଳନ ଏତେ ବିକ୍ଷୋଭର ନେତୃତ୍ୱ ନେଇ ବି ସମୀର ହୃଦୟରେ ପୁଣି କବିତ୍ୱର ଅମୃତ ଧାରା...... ?

 

ପୁଣି ଏ ବାସ୍ତବଧର୍ମୀ ଚନ୍ଦ୍ରଯାତ୍ରା ଯୁଗରେ..... ??

 

ସେ ଯାହାହେଉ ତା’ ସମୀର କ’ଣ ପ୍ରକୃତରେ ନୀଳ ହ୍ରଦଟିଏ ? ସମତଳ ଅଞ୍ଚଳର ଲୋକମାନେ ଦୂର ଦିଗ୍‍ବଳୟରେ ଢେଉ ଢେଉକା ନୀଳ ମେଘକୁ ଦେଖି ଯେପରି ନୀଳ ପର୍ବତ ବୋଲି କଳ୍ପନା କରନ୍ତି । ସୁରଭି ସେପରି ଥମ ଥମ କଳା ଘୁମର ଅନ୍ଧାରୀ ରାତ୍ରିର ନୀଳ ଆକାଶକୁ ଚାହିଁ ତାକୁ ଅମାପ ନୀଳିମାରେ ଭରା ନୀଳ ହ୍ରଦଟିଏ ସହିତ ତୁଳନା କଲା ।

 

ଅକାଶରେ ଉଚ୍ଛନ୍ନ ହସ ହସ ଜହ୍ନ ଓ ଅଜସ୍ର ତାରକା ଛନ୍ନ ଛନ୍ନ । ନୀଳ ଆକାଶରେ ସୂର୍ଯ୍ୟ ଚନ୍ଦ୍ର, ଗ୍ରହ, ତାରକା ପରି ନୀଳ ହ୍ରଦରେ ପାଣି ଟଗର, କଇଁ, ପଦ୍ମ ପ୍ରଭୃତି କେତେ ଫୁଲ ନ ଫୁଟେ..... ?

 

ସମୀର ଯଦି ନୀଳ ହ୍ରଦଟିଏ, ତା’ ହୃଦୟରେ ସବୁଦିନିଆ ନୀଳିମା ହୋଇ ବି ଆଉ କାହାର ସ୍ଥିତି ସେ ସହିପାରିବ କି ?

 

.......ନା

 

ସମୀର ଯେ ଏକାନ୍ତ ଭାବେ ତା’ର ।

 

ସେ ଆଉ କାହାର କେବେ ହୋଇ ପାରେନା ।

 

ତେବେ ତା’ର ସମୀର କ’ଣ..... ?”

 

......ହଁ...ହଁ ହେଲା ।

 

ତା’ ସମୀର ସସୀମ ହ୍ରଦଟିଏ ନୁହେଁ ।

 

ଅସୀମ ନୀଳ ସାଗରଟିଏ ।

 

ସାଗର ଓ ନୀଳିମା, ନୀଳିମା ଓ ସାଗର

 

ସମୀର ଓ ସୁରଭି, ସୁରଭି ଓ ସମୀର

 

ଏକା ।

 

ତାଙ୍କର ପ୍ରୀତ ଅସରନ୍ତି । ଅତି । ଅତି ।

 

ସୁରଭି ଏ ଶିହରଣ ସମୁଦ୍ରରେ ସନ୍ତରଣ କରୁ କରୁ ହଠାତ୍ ତା’ ବାପା ସବ୍ୟସାଚୀ ସ୍ୱାଇଁଙ୍କ କଥା ମନେ ପକାଇ ନିସ୍ତେଜ, ଶିଥିଳ ହୋଇପଡ଼ିଲା ।

 

ବାପାଙ୍କର ସେହି ବିରକ୍ତିକର କଥା—ସମୀରଟା ଏତେ ପାଠପଢ଼ି ଶେଷରେ ଏଇଆ ହେବ ବୋଲି କ’ଣ କିଏ କେବେ ଆଶା କରିଥିଲା ? ପଞ୍ଝାଏ ବାସ୍ତୁରା ବେକାର ଟୋକାଙ୍କୁ ମତେଇ, କ’ଣ ନା ଆନ୍ଦୋଳନ କରୁଛି ? କିହୋ ! ଏ ମାଗଣା ଆନ୍ଦୋଳନ; ବିକ୍ଷୋଭ କରି ଏ ଦେଶଟାକୁ କିଏ ଓଲଟାଇ ପକାଇଲାଣି ? କିଛି ନ ହେଲା ନାହିଁ, ଅନ୍ତତଃ ସେ ଟୋକା ଗୋଟାଏ ଅଧ୍ୟାପକ କି ମାଷ୍ଟରଟାଏ ହୋଇ ପାରିଥାନ୍ତା । ଆଉ କ’ଣ ହୋଇଛି ନା-ଯୁବନେତା ।

 

ସୁରଭି ହସିଲା ।

 

ସମସ୍ତେ କହୁଛନ୍ତି କ’ଣ ନା ତା ସମୀର ନେତା; କିନ୍ତୁ ତା’ ପାଖରେ ସେ ସବୁ କିଛି-ତା’ର ଧ୍ୟାନ ଧାରଣ ଚିନ୍ତା ଏବଂ ଝିଲ୍‌ଝିଲ୍ ସାଉଁଳିଆ ସବୁଜ କୃଷ୍ଣଚୂଡ଼ା ଗଛ ଡାଳରେ ଲଦି ହେଇଥିବା ବୋଝ ବୋଝ ଫୁଲର ଥୋପି ଥୋପି ଲୀଳିମା ପରି ସେ ତା’ର ବଡ଼ ସ୍ମୃତିର ଗାଥା ।

 

ସୁରଭି ସେ ସ୍ମୃତିର ଗାଥା କବିତାକୁ ନିଠେଇ ନିଠେଇ ପଢ଼ିବା ପାଇଁ ଅତୀତକୁ ପହଁରିଗଲା ।

 

ସେ ଦିନ ସୁରଭି ଯେତେବେଳେ ସମୀର ବସାରେ ପହଞ୍ଚିଲା, ନୂଆ ବାହା ହୋଇଥିବା ପଲ୍ଲୀ ବୋହୂର ହଳଦୀ ଗୁରୁ ଗୁରୁ ବଳାଗଣ୍ଠି ପରି ପୁଳାଏ ଅପରାହ୍ନର କଅଁଳ ଖରା ତା’ ବସା ଦୁଆରମୁହଁ ହେନା ଗଛର ପତ୍ରେ ପତ୍ରେ କୁରୁଳି କୁରୁଳି ହସି ଉଠୁଥିଲା ।

 

ସୁରଭିର ଏପରି ଆକସ୍ମିକ ଆବିର୍ଭାବରେ ସମୀର ବିସ୍ମିତ ହୋଇ ନ ଥିଲା ବରଂ ତା’ ଓଠର ଉପକୂଳରେ କେତୋଟି ହସର ଧିମା ଲହରୀ ନଚାଇ କହିଲା, ତୁମେ ଏକ ଲାଜକୁଳୀ ଅଭିସାରିକା ପରି ଏଠାରେ ପହଞ୍ଚିବ ବୋଲି ମୁଁ ଠିକ୍ ଅନୁମାନ କରିଥିଲି ।

 

ଅପ୍ରତିଭ ସୁରଭି ଗେହ୍ଲେଇ ହୋଇ କହିଲା, ମୋତେ ଏମିତି ଏପାଖ ସେପାଖ କରି କ’ଣ ଲାଭ ପାଇଲ ଶୁଣେ ? ମୋତେ କ’ଣ ଏଠାକୁ କହିଥିଲେ ମୁଁ ଆସି ନ ଥାନ୍ତି ?

 

ସମୀର ଏଥରକ ମୁହଁରେ କୃତ୍ରିମ ଗମ୍ଭୀରତାର ମାୟାଜାଲ ସୃଷ୍ଟି କରି କହିଲା, ସାଧାରଣତଃ ଧନୀ କନ୍ୟାମାନେ ନିଜର ବିଳାସମୟ ପ୍ରାସାଦ ପରିତ୍ୟାଗ କରି ଏ ଦୀନ-ହୀନର ଆବର୍ଜ୍ଜନାପୂର୍ଣ୍ଣ କୁଟୀର ପ୍ରାଙ୍ଗଣରେ ନିଜର ପବିତ୍ର ପଦରେଣୁ......

 

କ’ଣ ଭାଷା ପାଉ ନାହଁ କି ? ଓହୋ.....କବି ପ୍ରବର ?

 

ସତରେ ସୁରଭି ! ତୁମେ ଯେ ମୋର ମୁହଁର ଭାଷା, ମୋର ଯୁଗ ଯୁଗର ସଞ୍ଚିତ ଆଶା ଏବଂ ମୋର ଅଧରର ତୃଷା......

 

ଆରେ, ମୁଁ ପରା ଏହିଯୋଗୁ ମନା କରେ ଏମିତି ଏଠାକୁ ଏକୁଟିଆ ଆସିବାକୁ ।

 

ବାଃ, ଏହା ଭିତରେ ମୋ’ର ପୁଣି କ’ଣ ଦୋଷ ହୋଇଗଲା ? ସତରେ ସୁରଭି ଦେଖିଲ ଏ ପାଖକୁ । ଆଃ ! ଅପରାହ୍ନର ଚେନାଏ ସୂନେଲୀ ଖରା ସେ କଅଁଳ ପତ୍ର ଉପରେ କିପରି ଛଳ ଛଳ ହୋଇ ତୁମରି ମୁହଁର ସଞ୍ଚିତ . ଲଜ୍ଜା ରେଣୁ ପରି ଦେଖାଯାଉଛି !

 

ହଉ ବାରୁ ତୁମର ସେ କବିତ୍ୱ ଥାଉ । ଆଚ୍ଛା, ମୋତେ ଏଠାକୁ ଆଜି ଏମିତି ଟାଣି ଆଣିବାର ଉଦ୍ଦେଶ୍ୟ କ’ଣ କହିଲ ? ସେଇଠି ସେ ନଈକୂଳରେ ବସି ପଶ୍ଚିମ ଦିଗରେ ସୂର୍ଯ୍ୟାସ୍ତ ଉତ୍ସବ ଦେଖିବାରେ ଓ ଛୋଟ ଛୋଟ ଢେଉ ଗଣିବାରେ ସତେ କି ମଜା ହୋଇଥାନ୍ତା କହଲ ? ...ଆଜି ପୂର୍ଣ୍ଣିମା ଯେ ...

 

ସତେ ! ତେବେ ଆଜି ବୁଲିଯିବା ।

 

କେଉଁଠିକି ?

 

ସମୀର ସାମାନ୍ୟ ଚନ୍ତାକରି କହିଲା-କେଦାରଗୌରୀ ।

 

ମାନେ ? ଏଇ ବର୍ତ୍ତମାନ !!

 

କଟକରୁ ଭୁବନେଶ୍ୱର ଏମିତି କେତେ ବାଟ କି ? ଓ... ବୁଝିଲି ।

 

ଘରେ କିଛି କହି ନାହଁ ନା କ’ଣ ?

 

ତୁମ ସଙ୍ଗରେ ବୁଲଯିବା ପାଇଁ ମୁଁ ପୁଣି ଘରେ କହିବି ?

 

ମୁଁ ପରା ତୁମକୁ କେତେ ଥର କହିଛି, ଘରେ ସମସ୍ତଙ୍କର ତୁମଠାରେ ଯଥେଷ୍ଟ ଭରସା ଅଛି ।

 

ସମୀର ତା’ ଓଠ ଉପକଣ୍ଠରେ ପୁଳାଏ ହସର ହେନାଫୁଲ ଫୁଟାଇ ପରିହାସ ମିଶା ସ୍ଵରରେ କହିଲା, କ’ଣ ବାହାଘର ପୂର୍ବରୁ ତୁମକୁ ଅନ୍ତତଃ କୌଣସି ଅସୁବିଧାରେ ପକାଇବି ନାହିଁ । ଏଇ ତ ?

 

ସମୀର କଥାରେ ସୁରଭି ଏକ ପ୍ରକାର ଲାଜରେ ସରିଗଲା ସରିଗଲା ଭାବରେ ସମୀର ଉଲ୍ଲସିତ ହୋଇ ଉଠି ଚୁପି ଚୁପି ହସିଲା ଓ ତାର ମସୃଣ ଚିବୁକକୁ ହଲାଇ ଦେଇ କହିଲା, ଚାଲ ସାଙ୍ଗେ ସାଙ୍ଗେ ବାହାରି ପଡ଼ିବା ।

 

ସୁରଭି ଏବେ କ’ଣ କହିବ ?

 

ସେମାନେ ଯାଇଥିଲେ ।

 

ସେ ଦିନ ଈଷତ୍ ମ୍ଳାନ ଜ୍ୟୋତ୍ସ୍ନାଲୋକରେ କେଦାରଗୌରୀ ପାର୍କଟା ସ୍ଵପ୍ନିଳ ହୋଇ ଉଠିଥିଲା ।

 

ସେମାନେ ବସିଥିଲେ ନର୍ଜ୍ଜନ ପାର୍କ ମଝି ସେଇ ଝଙ୍କାଳିଆ ବୁଢ଼ା ଆମ୍ବଗଛ ମୂଳ ଚାନ୍ଦିନୀ ଉପରେ । ସୁରଭି ସମୀର କୋଳରେ ମୁଣ୍ଡ ରଖି ନିଷ୍ପ୍ରଭ ଜହ୍ନକୁ ଚାହୁଁଥିଲା ଓ ମଝିରେ ମଝିରେ ଧୀର ସମୀରଣର ସଙ୍ଗୀତ ଶୁଣି ଓ ସମୀରର ଭାବମଗ୍ନ ମୁହଁକୁ ଦେଖି ପୁଲକିତ ହୋଇ ଉଠୁଥିଲା ।

 

କିଛି ସମୟ ଏକ ସ୍ଵପ୍ନସିକ୍ତ ନୀରବତା ପରେ ସମୀର ବିମୋହିତ ଦୃଷ୍ଟିରେ ସୁରଭିକୁ ଚାହିଁ ଗଦ୍ ଗଦ୍ ସ୍ୱରରେ କହିଲା, କ’ଣ ଏତେ ଭାବୁଛ ସୁରଭି !

 

ସୁରଭି ଏକ ଗଭୀର ଦୀର୍ଘଶ୍ୱାସ ନେଇ କହିଲା, ଏଇ କେଦାରଗୌରୀ କଥା ।

 

ସମୀର ଭାବବ୍ୟଞ୍ଜକ ସ୍ୱରରେ କହିଲା, ମୁଁ ବି ସେଇଆ ଭାବୁଛି । ସେମାନଙ୍କ ପ୍ରେମ କେତେ ଶାଶ୍ଵତ : କେତେ ସୁନ୍ଦର ସତେ !

 

ଆମ ପ୍ରେମ କ’ଣ ସେପରି ନୁହେଁ ? ଆମେ କ’ଣ ପରସ୍ପର ପାଇଁ ଜୀବନ ଉତ୍ସର୍ଗ କରିପାରିବା ନାହିଁ, ସୁରଭି !

 

ସମୀର ଏକ ଅସ୍ପଷ୍ଟ ଗୁଞ୍ଜନ କଣ୍ଠରେ ଫୁଟାଇ ବିହଳ ଦୃଷ୍ଟିରେ ସୁରଭିକୁ ଚାହିଁଲା ଓ ନିଜକୁ ସୁରଭିର ବୁକୁ ଉପରକୁ ନୂଆଁଇ ଆଣିଲା ।

 

ହଠାତ୍ ସୁରଭି ସମୀର କୋଳରୁ ଉଠିପଡ଼ି ଚାପା ଚିତ୍କାର କରି ଉଠିଲା—ସମୀର ତୁମେ ଏ କ’ଣ କଲ ? ଓଃ.....

 

ଭାବ ପ୍ରବଣ ସମୀର ସୁରଭିର ବାଧାକୁ ନ ମାନି ସୁରଭିର ମୁଣ୍ଡ କଣ୍ଟାରେ ନିଜ ହାତକୁ ଚିର ରକ୍ତାକ୍ତ କରି ସେଇ ଝରି ପଡ଼ୁଥିବା ଟୋପା ଟୋପା ରକ୍ତକୁ ସୁରଭିର ସିନ୍ଥାରେ ସିନ୍ଦୂର କରି ସଜାଇ ଦେଲା ଓ ନିର୍ବିକାର ଭାବେ ହସି ଉଠିଲା । ତୁମେ ମୋର ଆଜି କେତେ ନିଜର ଦେଖାଯାଉଛ ସୁରଭି । ଏ ନିର୍ଜ୍ଜନ ପରିବେଶ, ମୋର ସାନ୍ନିଧ୍ୟ ସବୁକିଛି ମିଶି ତୁମକୁ ଉଚ୍ଚକିତ କରୁନାହିଁ ? ମୁଁ ଆଜି ମର୍ମେ ମର୍ମେ ଅନୁଭବ କରୁଛି, ଆମେ ଏକା । ଅଜୟ ଜୀବନରେ କେହି କାହାକୁ ଛାଡ଼ି ପାରିବାନି ସୁରଭି ! ତୁମେ କେବଳ ମୋର ସୁରଭି !

 

ବିସ୍ମିତା ସୁରଭିର ଆଖି ଛଳ ଛଳ ହୋଇଉଠିଲା । ସୁରଭିର ରକ୍ତାକ୍ତ ହାତକୁ ଅତି ଯତ୍ନରେ ନିଜ ଶାଢ଼ୀ ପଣତରେ ପୋଛି ସେ ଖୋଜିଲା ଖୋଜିଲା ଆଖିରେ ପୁଣି ସମୀର ମୁହଁକୁ ଚାହିଁଲା ।

 

ସମୀର ମୁହଁରେ ସେଇ ଅପୂର୍ବ ମିଠାହସ ଚେନାଏ ଲାଖି ରହିଛି । ଆଃ ! ଏଇଟା ତା’ ସ୍ୱପ୍ନର ପୁରୁଷ ସ୍ୱାମୀ ।

 

ଅତ୍ୟଧିକ ଆନନ୍ଦରେ ଶିହରି ଉଠି ଅପୂର୍ବ ଭାବାବେଶରେ ସେ ସମୀର ପାଦ ଦୁଇଟି ଧରି କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ସମୀର ସୁରଭିକୁ ତଳୁ ଉଠାଇ ଛାତିରେ ଜାକି କହିଲା—ଶୁଣୁଛ ସୁରଭି, କେଉଁ କାଳର ବୁଢ଼ା ଆମ୍ବଗଛଟି ଆମ ମିଳନ ମହୋତ୍ସବରେ କିପରି ଖିଲି ଖିଲି ହୋଇ ହସି ଉଠୁଛି ।

 

ସୁରଭି ସେ ଆମ୍ବଗଛର ପତ୍ରମର୍ମର ଶୁଣୁଥୁଲା କି ନାହିଁ କେଜାଣି, କିନ୍ତୁ ସେ ସମୀର ଛାତିରେ କାନପାରି ଶୁଣୁଥିଲା ତା’ର ହୃଦୟ ସ୍ପନ୍ଦନର ସେ ମଧୁର ପ୍ରତିଧ୍ୱନି ଏବଂ ସେଇ ସଙ୍ଗୀତର ସ୍ୱର ଲହରୀ ଯେପରି କେଉଁ ଆଦିମକାଳରୁ ସୃଷ୍ଟିର ଝଙ୍କାର ତୋଳି ତାକୁ ସମୀର ଭିତରେ ହଜାଇ ଦେଇଥିଲା । ତା’ର ସୁନ୍ଥାରେ ସମୀର ଉଷ୍ଣରକ୍ତର ସେ ସୁଖାନୁଭୂତି ତା’ର ସମସ୍ତ ସ୍ନାୟୁ ତନ୍ତ୍ରୀରେ ଯେପରି ଅସଂଖ୍ୟ ପୁଲକ ସୃଷ୍ଟି କରି ତାକୁ ଏକ ଅନାସ୍ଵାଦିତ ଆବେଗରେ ଥରାଇଦେଲା ।

 

ସେ ସବୁ କହିବାକୁ ଯାଇ ଯେପରି କିଛି କହିପାରୁ ନାହିଁ ! କେବଳ ତା’ର କଅଁଳ ଓଠ ଦି’ଫାଳ ଥରାଇ ଥରାଇ ଛାତି ଭିତରୁ ହାବ୍‍କା ମାରି ଆସୁଥ‌ିବା ଆକଣ୍ଠ ଆନନ୍ଦକୁ ସମ୍ଭାଳିବା ପାଇଁ ସେ ସମୀର ଦେହରେ ଆହୁରି ନିବିଡ଼ ହୋଇଗଲା ।

 

ସମୀର ସୁରଭିକୁ ନିଜ ଦେହରୁ ଧୀରେ ଅଲଗା କରି କହିଲା–ଏଥରକ ଚାଲ ସୁରଭି, ଏଇ କେଦାରଗୌରୀ ମନ୍ଦିରକୁ । ସେଇ ଠାକୁର ହିଁ ହେବେ ଆଜି ଆମ ହୃଦୟ ଓ ମନ ବନ୍ଧନର ଦେବ ପୁରୋହିତ ।

 

ଆଃ ! ସେଇ ସ୍ମୃତି ସେଇ ସ୍ଵର୍ଗାନୁଭୂତିର ମୃଦୁ ମୂର୍ଚ୍ଛନା ଏବେ ବି ତା’ର ସ୍ନାୟୁକୋଷରେ ଅନୁରଞ୍ଜିତ ହେଉଛି ।

 

ସୁରଭି ତା’ର ସ୍ୱପ୍ନ ସିକ୍ତ ଅବଶ ନିଦୁଆ ଆଖିରେ ବାହାରକୁ ଚାହିଁଲା ଏବଂ ହଠାତ୍ ଯାହା ଦେଖିଲା ଆକଣ୍ଠ ଘୃଣାରେ ତା’ ଦେହଟା ଶିହରି ଉଠିଲା ।

 

ଓଃ ! ଭଗବାନ ।

 

ମଣିଷ ଏତେଟା ଘୃଣ୍ୟ, ଏତେଟା ନୀଚ୍ଚ ପୁଣି ହୋଇପାରେ ! ନିଜର ନିଭୃତ କକ୍ଷରେ କେଉଁ ଏକ ନିରୀହା ନାରୀକୁ ସମ୍ଭୋଗ ପରେ ସେ ରାକ୍ଷସ ସାଗର ମହାପାତ୍ର ତାକୁ ଏତେ ରାତିରେ ବିଦାୟ ଦେଉଛି ନା ?

 

ବାପା ଏ ଅଭଦ୍ରଟାକୁ କାହିଁକି ଏବେ ଘରେ ରଖିଛନ୍ତି ? କ’ଣ ତା’ର ଉଦ୍ଦେଶ୍ୟ ?

 

ଏକଥା ସେ ତା’ର ବୋଉ ଶ୍ୟାମାମଣିକୁ ବହୁତଥର କହିଲାଣି । ଶ୍ୟାମାମଣି ସବ୍ୟସାଚୀକୁ ଏକଥା କହିଲେ ସେ ହସି ହସି କଥାକୁ ଉଡ଼େଇ ଦେଇ କହୁଛନ୍ତି, ଏ ମିଛ କଥା । ଆଉ ଯଦି ସତ ହୋଇଥାଏ, ତେବେ କ୍ଷତି କ’ଣ ? ସାଗର ସ୍ତ୍ରୀ ନୁହେଁ ପୁରୁଷ ହୋଇ ଯଦି ସେ ମାତାଲ ନ ହେଲା, ତେବେ ସେ ମାଇଚିଆ, ଜାଣିଲ ? ହଁ, ସାଗର ସାମାନ୍ୟ ଲୋକର ପୁଅ ନୁହେଁ ତା’ ବାପା ସୁନ୍ଦର ମହାପାତ୍ର ମୋର ବିଶିଷ୍ଟ ବନ୍ଧୁ । କଲିକତାରେ ତା’ର ବଡ଼ ବ୍ୟବସାୟ ଚାଲିଛି । ପିଲାଟା କଲିକତାରେ ଚଗଲା ହୋଇ ଚାରି ବର୍ଷ ହେଲା ଏମ୍. ଏ. ପରୀକ୍ଷାଟା ଦେଇପାରୁ ନାହିଁ । ସୁନ୍ଦର ମୋତେ ଲେଖିଛି ଏଠାରେ ଟିକିଏ ମୋ ଆକଟରେ ରହିଲେ ଅନ୍ତତଃ ସେ ଏମ୍. ଏ. ଟା ପାସ୍‍ କରିଯିବ । ପାସ୍‍ କରିବାଟା ତା’ ପକ୍ଷରେ ଯେପରି ସଉକ, ମଦ ଖାଇ ନାଚିବାଟା ତା’ର ସେମିତି ଗୋଟାଏ ସଉକ । ଜାଣିଲ, ତା’ ଟଙ୍କା ସିଏ ଉଡ଼ାଉଛି ଆମ ହାତରୁ ତ ପଡ଼ୁନାହିଁ ?

 

ବାପାଙ୍କ ମୁହଁରୁ ସୁରଭି ଅବଶ୍ୟ ଏକଥା ନିଜେ ଶୁଣି ନାହିଁ । ତେବେ ଭଲ ଭାବରେ ଜାଣିଛି ଯେ, ସାଗର ମହାପାତ୍ରର ଏ ଅସାମାଜିକ ଅଶ୍ଳିଳ କଥା ଉପରେ-ବାପା ମୋଟେ ଗୁରୁତ୍ୱ ଦିଅନ୍ତି ନାହିଁ; ବରଂ ହସି ହସି ତା’ ସହିତ ସଦାବେଳେ ଭଲମନ୍ଦ କଥାବାର୍ତ୍ତା ହୋଇ ତାକୁ ଆହୁରି ସାହସ ଦିଅନ୍ତି ।

 

ସାଗର କଥା ଚିନ୍ତା କରୁ କରୁ ସୁରଭିର ତପନ ଭାଇ କଥା ମନେ ପଡ଼ିଲା ।

 

ସେ ଏବେ ତା’ ତପନ ଭାଇକୁ ଘୃଣା କରୁଛି କାହିଁକି ? ସମୀର ପରି ସେ ଶାନ୍ତିପୂର୍ଣ୍ଣ ଅହିଂସା ଆନ୍ଦୋଳନକୁ ବିଶ୍ଵାସ କରୁନାହିଁ ବୋଲି ତ ! କିନ୍ତୁ ଏପରି ଅହିଂସା ଅସହଯୋଗ ଆନ୍ଦୋଳନ ଦ୍ୱାରା ସମାଜର ଏ ଅସାମାଜିକ ଦୁଷ୍ଟବ୍ରଣମାନେ ମୂଳପୋଛ ହେବେ ନାହିଁ ବୋଲି ତପନଭାଇର ଦୃଢ଼ ମତ ।

 

ସେ କହେ ଧନ ହିଁ ଧନୀମାନଙ୍କର ବିଷଦାନ୍ତ । ସେ ଧନକୁ ଯେ କୌଣସି ପ୍ରକାରେ ଲୁଣ୍ଠନ କରି ସେମାନଙ୍କର ବିଷଦାନ୍ତ ଝାଡ଼ିଦେଲେ ସେମାନେ ଯାଇ ଜବତ ହେବେ । ସମାଜ ସୁସ୍ଥ ହେବ । ଆଉ ଏଥିପାଇଁ ଦରକାର ହିଂସାତ୍ମକ ରକ୍ତାକ୍ତ ବିପ୍ଳବ ।

 

ସତରେ ତପନ ଭାଇର ଏ କ’ଣ ସୃଷ୍ଟି ଛଡ଼ା ମନୋବୃତ୍ତି ? ଆଉ ସମୀର ରାୟର ଏ ଅହିଂସା ବିପ୍ଳବ !! ଯେଉଁ ନୀତିଯୋଗୁଁ ଯୁଗାବତାର ବାପୁଜୀ ଆଜି ବିଶ୍ୱବନ୍ଦିତ ।

 

କେଉଁ ନୀତି ପ୍ରକୃତରେ ଉପଯୁକ୍ତ ??

 

ଅତିଶୟ ମାନସିକ ଦ୍ୱନ୍ଦ୍ୱରେ ସୁରଭି ଅସ୍ଥିର ହୋଇଉଠିଲା ଏବଂ ତା’ର ଛାତିକୁ ମଥିତ କରି ନିର୍ଗତ ଏକ ଗଭୀର ଦୀର୍ଘଶ୍ଵାସ କକ୍ଷର ନର୍ଜ୍ଜନତାକୁ କିଛି ସମୟ ପାଇଁ ବିପର୍ଯ୍ୟସ୍ତ କରିଦେଲା ।

 

ସେ ଏଥରକ ଭାରି ଭାରି ଦୃଷ୍ଟିରେ ନିରୀକ୍ଷଣ କଲା ବାହାରକୁ । କିଛିକ୍ଷଣ ପୂର୍ବର ସେ ବିଜନ ପରିବେଶ ତାକୁ ବର୍ତ୍ତମାନ କିପରି ଖାଁ ଖାଁ ଶ୍ଵାସରୋଧୀ ପରି ମନେହେଲା । ସାଗର ମହାପାତ୍ର ପାଖରୁ ବିଦାୟ ନେଇଥ‌ିବା ଚଳନ୍ତ ସିଲହଟ୍ ଛବିପରି ସେ ଦୟନୀୟା ନାରୀଟି ଏବେ ବ ରାସ୍ତା ମୋଡ଼ ଟପି ନାହିଁ । ସମ୍ଭବ ଆଗଛକରେ ସେ ରିକ୍‍ସା ପାଇବ; ଅଥଚ ସେ ଲମ୍ପଟ ସାଗର ମହାପାତ୍ର ନିଶ୍ଚିନ୍ତରେ ଘରେ କବାଟ ଦେଇ ଶୋଇ ଘୁଙ୍ଘୁଡ଼ି ମାରିବଣି ।

 

ସମାଜରେ ଏପରି ଭଦ୍ରଖୋଳ ଭିତରେ ମଣିଷ ପୁଣି ଏତେ ଜଘନ୍ୟ ହୋଇପାରେ !

 

ସୁରଭି ଅନାଇଲା ଆକାଶକୁ ।

 

ଏଇ କିଛି ସମୟ ପୂର୍ବରୁ ତା’ ଦେହରେ ଯେଉଁ ଚିକ୍ ଚିକ୍ ତାରାମାନେ ହସି ହସି ଲୋଟୁଥିଲେ ସେମାନଙ୍କୁ ଏକାବେଳକେ ଆଚ୍ଛନ୍ନ କରି ଦାନବ ପରି କଳାମେଘ ଖଣ୍ଡେ ହୁ ହୁ ହୋଇ ମାଡ଼ି ଆସୁଛି ।

 

ଅର୍ଥାତ୍ ନୀରବ ଆକାଶର କ’ଣ ସେଥିରେ କିଛି ପ୍ରତିବାଦ କରିବାର ନାହିଁ ?

 

ସୁରଭି ଅନୁଭବ କଲା ପାହାନ୍ତାପହର ଶୀତଳ ପବନ ସ୍ପର୍ଶରେ ବି ତା’ ଦେହଟା ଯେପରି ଝାଳେଇ ଉଠୁଛି !!

 

ଚାରି

 

ନିଜ ଗରିବ ବାପାର ଟଙ୍କା ଶ୍ରାଦ୍ଧ କରି, ଏତେ ପାଠ ପଢ଼ି, ସାର୍ଟିଫିକେଟ ଉପରେ ସାର୍ଟିଫିକେଟ ହାସଲ କରି ଲାଭଟା ଏବେ କ’ଣ ହେଲା ? ଶେଷକୁ ନିଜ ପାଇଁ ସେ ଦାନା ମୁଠିଏ ବି ସୁସ୍ଥ ଉପାୟରେ ଯୋଗାଡ଼ କରି ପାରିଲା ନାହିଁ ? ଏକ ବର୍ଷ ଧରି ବିଭିନ୍ନ ଇଣ୍ଟରଭିୟୁ କିଉରେ ଠିଆ ହୋଇ ସେ ଦୀର୍ଘଶ୍ୱାସ ପକାଇ ନିରାଶ ହୋଇ ଫେରୁଛି କାହିଁକି ?

 

ତା’ର କ’ଣ ବ୍ୟାକିଂ ନାହିଁ ବୋଲି ? ନା କେହି ନେତା, ମନ୍ତ୍ରୀ, ଅଫିସର ଚିହ୍ନା ନାହାନ୍ତି ବୋଲି । ଗରିବ ଘରେ ଜନ୍ମହେବା କ’ଣ ଏତେ ପାପ ? କାହିଁକି, କାହିଁକି ? ଏତେ ଅଭିଶାପ ତା’ ମୁଣ୍ଡ ଉପରେ !

 

ଅସ୍ଥିର ତପନ ବିଶ୍ୱାଳ କର୍କଶ ଦୃଷ୍ଟିରେ ଅନାଇଲା ବାହାରକୁ ।

 

ସାରା ସହରଟା ଉପରେ ନିସ୍ତବଧ ନିର୍ଜ୍ଜନ ମଧ୍ୟାହ୍ନର ରାଜତ୍ଵ । ମଝିରେ ମଝିରେ ଅତୀତ ଜୀବନର ଯନ୍ତ୍ରଣାଦାୟକ ସ୍ମୃତି ପରି ଖଣ୍ଡେ ଖଣ୍ଡେ ଉତ୍‌କ୍ଷିପ୍ତ ବାଲିଝଡ଼ ଆକାଶକୁ କିପରି ଧୂସର କରି ଦେଉଛି ଏବଂ ସେ ଝଡ଼ ମଧ୍ୟରେ ଏକୁଟିଆ ମାଟିଆ ଚିଲଟିର ଉଡ଼ିବାକୁ କି ଅଦମ୍ୟ ପ୍ରଚେଷ୍ଟା !

 

ତପନ ଏଥରକ ଭଲଭାବରେ ନିରୀକ୍ଷଣ କଲା ଏକାକୀ ସେ ମାଟିଆ ଚିଲଟିକୁ । କିପରି ଏକ ବୁଝା ବୁଝା ଆବହାଓ୍ୱା । ତା’ ନିଜ ଭିତରେ ସଞ୍ଚରି ଗଲା । ସେ ନିଜକୁ ସଜାଡ଼ି ଦେଇ ମନକୁ ମଜବୁତ କଲା ।

 

ତା’ ସମ୍ମୁଖରେ ଯେତେ ଝଡ଼ଝଞ୍ଜା ସୃଷ୍ଟି ହେଉନା କାହିଁକି, ସେ ଉଡ଼ିବ । ଅନ୍ୟାୟ, ଅନାଚାର, ଅତ୍ୟାଚାରର ପ୍ରତିରୋଧ କରି ସେ ଜଟାୟୁ ପରି ଭଗ୍ନୀଳ ହେବ ପଛକେ, ସେ କିନ୍ତୁ ପଛେଇ ଯିବ ନାହିଁ । ବରଂ ଏ ସମାଜରେ ଯେତେ ମାୟା ରାବଣ ଦରିଦ୍ରମାନଙ୍କୁ ତଳିତଳାନ୍ତ କରି ଦେଉଛନ୍ତି, ସେମାନଙ୍କ ସହିତ ସେ ସଂଗ୍ରାମ କରି ସେମାନଙ୍କର ଛଳନାର ମୁଖା ଖୋଲିଦେବ । ସେମାନଙ୍କର ଅସଲ ବିକୃତ ରୂପ ସେ ପଦାରେ ପକାଇଦେବ ।

 

ତପନ ମୁହଁରେ ପ୍ରତ୍ୟୟର ଝଲକ ଠିକ୍ ଝଲସି ଉଠିଲାବେଳେ ବାହାରର ଦୃଶ୍ୟ ପୁଣି ତାକୁ କରୁଣ କରିଦେଲା ।

 

ତା’ ବୋ’ଉ କିପରି ଭୋକିଲା ଡବ ଡବ ଆଖିରେ ଅନାଇ ରହିଛନ୍ତି ବ୍ୟବସାୟୀ ରତନ ଚାନ୍ଦର ତିନି ମହଲା କୋଠାର ଶୀର୍ଷଦେଶକୁ । ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ୁଛି । ସେ ସୁଁ ସୁଁ ହୋଇ କାନ୍ଦୁଛନ୍ତି ।

 

ଏଇ କୋଠା ଉପରୁ ତା’ ବାପା ଦିନେ ମୂଲିଆ କାମ କରୁ କରୁ ତଳକୁ ଖସିପଡ଼ି ମରିଥିଲେ ନା ?

 

ଆଜି ସେ କୋଠାଟା ଏକ ଅତିକାୟ ପୁରାଣବର୍ଣ୍ଣିତ ହିଂସ୍ର ପକ୍ଷୀ ପରି ଡେଣା ମେଲାଇ ତାଙ୍କ ଚାଳଘରଟା ଉପରେ ହାମୁଡ଼େଇ ପଡ଼ିଛି । ଆଃ ! ତା ବାପା ସିନା ମରିଗଲେ । ହେଲେ ରତନ ଚାନ୍ଦର କ’ଣ ହୋଇଗଲା ?

 

ତା’ ବାପା ଦିନେ ସ୍ୱପ୍ନ ଦେଖୁଥିଲେ ସେ ବଡ଼ଲୋକ ହେବ । ଏଇ ରତନ ଚାନ୍ଦର କୋଠା ପରି ତିନି ମହଲା କୋଠା କେତେ ତିଆରି କରିବ ।

 

ଯେଉଁ ବାପା ମୁଣ୍ଡଝାଳ ତୁଣ୍ଡରେ ମାରି ତା’ ପୁଅକୁ ମଣିଷ କରୁଛି, ସେଇ ପୁଅ ଉପାର୍ଜିତ ଧନରେ ବୟସ ଖସିଲା ବେଳକୁ ଘରେ ବସି ଅୟସ କରିବ । ଆଉ ତା’ର କୁନି କୁନି ନାତି ନାତୁଣୀମାନଙ୍କୁ କୋଳରେ ଖେଳାଇ ସେ ସ୍ୱର୍ଗସୁଖ ଭୁଞ୍ଜିବ । ...ନୁହେଁ ?

 

ତପନ ପୁଣି ଉଦଭ୍ରାନ୍ତ ପରି ହସି ଉଠିବା ସଙ୍ଗେ ସଙ୍ଗେ ଦାଣ୍ଡଦୁଆର କବାଟି ଠକ୍ ଠକ୍ ଶବ୍ଦରେ ପ୍ରକୃସ୍ଥିତ ହେଲା ।

 

କିଏ ?

 

ମୁଁ । ଏକ ଧୀର ଅଥଚ କଅଁଳ ଥରିଲା କଣ୍ଠସ୍ୱର ।

 

ତପନ କବାଟଖୋଲି ମ୍ଳାନ ହସି କହିଲା—କିଏ ସୁରଭି !

 

ଆରେ ଏତେବେଳେ ?

 

ସୁରଭି ତପନକୁ କିଛି ନ କହି ସିଧା ସିଧା ରାଧାରାଣୀଙ୍କ ପାଖକୁ ଯାଇ କହିଲା–ମାଉସୀ ନିଅ ଏଇ ଶହେଟଙ୍କା ରଖ । ଏ ଟଙ୍କାରେ ଔଷଧ କିଣି ନିଶ୍ଚୟ ଖାଇବ । ମୁଁ ତ ତୁମର ଝିଅ ପରି । ଯେତେବେଳେ ଯାହା ଦରକାର ମୁଁ ତୁମକୁ ଆଣି ଦେଇ ଯାଉଥ‌ିବି ।

 

ସୁରଭିର କଥା ମଝିରେ ବାଧାଦେଇ ତପନ ଚିତ୍କାର କରି ଉଠିଲା । କାହିଁକି ସେ ଟଙ୍କା ରଖୁଛୁ ବୋଉ କହିଲୁ ? ଦେ ତାଙ୍କୁ ସେ ଟଙ୍କା ଫେରେଇ ଦେ–ଧନୀ ସେମାନେ । ଗରୀବଙ୍କୁ ଦାନ କରିବାରେ ତାଙ୍କର ଥାଏ ଅହମିକା, ଦେଖେଇ ହେବା ଖୋଇ । ଏ ଯୁଗରେ କିଛି ସ୍ଵାର୍ଥ ନ ଥାଇ କିଏ କାହାକୁ ଦାନ କଲାଣି ।

 

ତପନର ଏ ପ୍ରକାର କଠୋର କଥାରେ ସୁରଭି ଆଖି ଛଳ ଛଳ କରି ଆହତ ସ୍ୱରରେ କହିଲା, ତୋ ସହିତ ମୁଁ ତ କଥାବାର୍ତ୍ତା କରିନାହିଁ, କି ତୋ ଖର୍ଚ୍ଚପାଇଁ ତୋ ପକେଟରେ ନେଇ ମୁଁ ଟଙ୍କା ଗୁଞ୍ଜିଦେଉ ନାହିଁ । ହେଲେ ମୋ ମନରେ ତୁ ଏମିତି ଆଘାତ ଦେଇ କି ଲାଭ ପାଉଛୁ କହିଲୁ-? କେବେ ମୋର ବଡ଼ଲୋକ ପଣିଆ ତୁ ଦେଖିଛୁ ତପନ ଭାଇ ?

 

ରାଧାରାଣୀ ବିମର୍ଷ ସ୍ୱରରେ କହିଲେ, ମା’ ମୁଁ କେତେଥର ତୋତେ କହିଛି ସେଟା ବାଇଆଟାଏ । ତା’ କଥା ତୁ ଧରୁଛୁ ? ମୋ ରାଣଟା ପରା, ତା’ କଥାରେ ତୁ କେବେ ମନ ଦୁଃଖ କରିବୁନି ।

 

ସୁରଭି କହିଲା, ମୁଁ କାହିଁକି ତା’ କଥା ଶୁଣିବି ମାଉସୀ ? ମୁଁ ଯାଉଛି । ଡେରି ହେଲେ ବୋଉ ତେଣେ ବିରକ୍ତ ହେବ ।

 

ସୁରଭି ଚାଲି ଯାଉ ଯାଉ ହଠାତ୍ ତପନ ତା’ର ବାଟ ଓଗାଳି କହିଲା, ଏମିତି କାହିଁକି ଉଚ୍ଛନ୍ନ ହେଉଛୁ ଚାଲିଯିବାକୁ । ମୋ ସାଙ୍ଗରେ ପଦେ କଥାବାର୍ତ୍ତା ହେବା ପାଇଁ କ’ଣ ତୋତେ ଘୃଣା ଲାଗୁଛି ? ସେ ଘରକୁ ଚାଲ୍ ବସିବା ।

 

ସୁରଭି ମନେ ମନେ ହସି, ବାଧ୍ୟ ଶିଶୁଟି ପରି ବସୁ ବସୁ ତପନ ଢୋକଗିଳି କହିଲା ଏମିତି ମଝିରେ ମଝିରେ ସାହାଯ୍ୟ ଦେଇ ତୁ ଭାବୁଛୁ ମୋ ମନର କ୍ଷତକୁ ଲିଭାଇ ଦେବୁ । ଟଙ୍କାରେ ପେଟ ପୂରେ ସୁରଭି, ହେଲେ ମନର ଭୋକ ଶୋଷ ମରେ ନାହିଁ ।

 

ତପନ ଭାଇ !!

 

ତପନ ଓଠ ଧାରରେ ମଲା ଜହ୍ନର ମଳିନ ଧିସା ପରି ଖଣ୍ଡେ ଶୁଖିଲା ହସ ଝୁଲାଇ କହିଲା, ସମୀର ତୋ’ର ଭଲ ଅଛି ତ ସୁରଭି ? ....ଆଚ୍ଛା ସତ କହିଲୁ, ସମୀର କଥା ଭାବିଲାବେଳେ ମୋ’ କଥା ତୋ’ ମନକୁ କ’ଣ କେବେ ଛୁଏଁ ନାହିଁ । ଆମ ପିଲାଦିନର ସେ କଣ୍ଢେଇ ଖେଳ....ଅଲିଭା ଦରୋଟି କଅଁଳ ସ୍ମୃତି କ’ଣ ସବୁ ଯେପରି ପିଲାଖେଳ ହୋଇ ରହିଗଲା-?

 

ସୁରଭି ବିବ୍ରତ ହୋଇ ଉଠିଲା ତପନର ଏ କଥାରେ । ସେ ନିଜକୁ ସଂଯତ କରି କହିଲା, ଦେଖ ତପନଭାଇ, ତୁ ଏମିତି ଗୁଡ଼ାଏ ନିତି ପାଗଳଙ୍କ ପରି କାହିଁକି ଗପୁ କହିଲୁ ? ସେ ଗଲା କଥା ସବୁ ଆମର ପିଲାଦିନର ଖେଳ । ଏବେ ଆମେ ବଡ଼ ହୋଇଛେ । ସେ ସବୁ କଥା ମନରୁ ପାସୋରି ଦେଇ ତୁ ନିଜକୁ ବୁଝେଇ ଦେଉନୁ କାହିଁକି ? ମୋ ରାଣ, ସେ ସବୁ ତୁ ପାସୋରି ଦେ’ରେ ତପନ ଭାଇ । ତୁ ବିଶ୍ୱାସ କରି ନ ପାରୁ । ହେଲେ ମୋର ହେତୁ ପାଇଲା ଦିନଠାରୁ ମୁଁ ତୋତେ ବଡ଼ଭାଇ ବ୍ୟତୀତ ଆଉ ଅନ୍ୟ କୌଣସି ଦୃଷ୍ଟିରେ ଦେଖି ନାହିଁ ।

 

ତପନ କିଛି ସମୟ ଗୁମ୍ ମାରି ଶେଷରେ ଏକ ଦୀର୍ଘଶ୍ଵାସ ଟାଣି କହିଲା, ଆଚ୍ଛା ସେ କଥା ଛାଡ଼ । ହଁ, ତୁ ଆଉ କେବେ ଆମ ଘରକୁ ଟଙ୍କା ପଇସା ନେଇ ଆସିବୁନି, ଏଣିକି ମୋର ଆଉ ସେ ସବୁ କିଛି ଅଭାବ ରହିବ ନାହିଁ । ସୁରଭି ଅତି ଆଗ୍ରହରେ କହିଲା, କ’ଣ କେଉଁଠି କିଛି ଚାକିରି ମିଳିଲା କି ତପନ ଭାଇ !

 

ତପନ ହସି ହସି କହଲା, କ’ଣ କେବଳ ଚାକିରି କରି ଟଙ୍କା ରୋଜଗାର କରି ହୁଏ ? ଆଉ କୌଣସି ଉପାୟରେ ନୁହେଁ ? ଟଙ୍କା କିପରି ରୋଜଗାର କରିବାକୁ ହୁଏ ସେ ଉପାୟ ବେଶ୍ ମୁଁ ଏହା ଭିତରେ ଖୋଜି ପାଇ ସାରିଲିଣି । ସୁରଭି ପରିହାସ ମିଶା ସ୍ୱରରେ କହିଲା, କ’ଣ ଅନ୍ୟ ଛାତିରେ ଛୁରି ଭୁଷି, ନା ଧମକ ଦେଇ, ଭୟ ଦେଖାଇ ? ଜାଣିଲୁ ତପନ ଭାଇ ତୁ ସିନା ଏତେ ପାଠ ପଢ଼ିଲୁ, କିନ୍ତୁ ତୋ ମୁଣ୍ଡରେ ଖାଲି ପୁଳାଏ ଗୋବର । ଝିଅଙ୍କ ପରି ତ ବାଳ ପୁଳାଏ ଛାଡ଼ିଛୁ, ଏଣେ ପୁଣି ଗାଆଁ ଯାତରା ରଜାଙ୍କ ଲମ୍ବା କଲି ପରି ଏଡ଼େ ଏଡ଼େ କଲି । ଏଣିକି ଟିକିଏ ଟିକିଏ ପିଇ ଏଲ୍. ଏସ୍. ଡ଼ି. ସେବନ କରି ମାତାଲ ହେଲେ, ଲେକେ ତୋତେ ଭାରି ଡରିବେ । ତୋତେ ଟିକିଏ ଲାଜ ଲାଗୁ ନାହିଁ ।

 

ତପନ ହାସ୍ୟ ଉଦ୍‌ବେଳିତ କଣ୍ଠରେ କହିଲା, ମୁଁ ଲମ୍ବାବାଳ ରଖି ମଦ ଖାଇଲେ କି ଅନ୍ୟ ଛାତିରେ ଛୁରି ଭୁଷିଲେ ଖରାପ ଲୋକ ହୋଇଯିବି ନୁହେଁ ? ଆଉ ଏ ସମାଜରେ ଯେତେ ଭଣ୍ଡ ମାୟାବୀ ରାକ୍ଷସମାନେ ଦିନ ଦିପହରରେ ଯେଉଁ ଅସାମାଜିକ ନାରକୀୟ କାମ କରୁଛନ୍ତି, ସେମାନଙ୍କୁ ତୁ କ’ଣ କହିବୁ ? ତୁ ବିଶ୍ଵାସ କରିପାରିବୁ ନାହିଁ ସୁରଭି, ନିଜକୁ ସରକାରଙ୍କ କୋପ ଦୃଷ୍ଟିରୁ ରକ୍ଷା କରିବା ପାଇଁ ସେମାନେ କ୍ଷମତାସୀନ ବିଶିଷ୍ଟ ରାଜନୀତି ଦଳରେ ସଭ୍ୟ ହୋଇଯାଉଛନ୍ତି ଓ ଭିତରେ ଭିତରେ ନାନା ଅସାମାଜିକ କୁତ୍ସିତ କାମକରି ମଧ୍ୟ ଏ ସମାଜରେ ପୁଣି ତ ନେତୃସ୍ଥାନୀୟ ବ୍ୟକ୍ତି ହିସାବରେ ସମସ୍ତଙ୍କଠାରୁ ପୂଜା ପାଉଛନ୍ତି । ମୁଁ ବି ଭାବୁଛି ସେମିତି କିଛି ଗୋଟାଏ... ।

 

ତପନ କଥାରେ ହଠାତ୍ ବାଧାଦେଇ ସୁରଭି ଗର୍ଜି ଉଠି କହିଲା, ଭଲ କାମ କରିବାକୁ ବାହାରିଛୁ ନୁହେଁ ? ଛଦ୍ମବେଶୀ ପ୍ରତାରକ ହୋଇ ଅନ୍ୟର ତଣ୍ଟି କାଟିକୁଟି ? ତୋତେ ଏ କଥା କହିବାକୁ ଟିକିଏ ବି ଖରାପ ଲାଗୁନାହିଁ ? ରହିଥା ଯଦି ତୁ ଏମିତି କାମ କରିବୁ ତୋ ଆଗରେ ମୁଣ୍ଡ ପିଟି ମୁଁ ମରିବି ଜାଣିଥା ତପନ ଭାଇ । ଏ ଗୌତମ, ଗାନ୍ଧୀ, ଅଶୋକ ଦେଶରେ ତୋ’ର ଏଇ ହିଂସାତ୍ମକ କଦର୍ଯ୍ୟ କଥା ଓ କାର୍ଯ୍ୟର ଦିନେ ନା ଦିନେ ଗଜାମରୁଡ଼ି ହେବ ଜାଣିଲୁ ?

 

ତପନ ବହୁତ ହସିଲା । ହସି ହସି ଶେଷକୁ ସ୍ୱରକୁ ଟିକିଏ ଧିମା କରି କହିଲା, ତା’ ହେଲେ ତୁ ବଙ୍କେଇ ବଙ୍କେଇ କହୁଛୁ ଯେ ତୋ’ର ପ୍ରେମିକ ସମୀର ରାୟର ଚିନ୍ତାଧାରାକୁ ମୁଁ ସ୍ଵାଗତ ଜଣାଇ ତା’ ସଙ୍ଗଠନରେ ସାହାଯ୍ୟ କରିବି, ନୁହେଁ ? ସମୀରକୁ ଭଲ ପାଇ ତୁ ଏକ ପ୍ରକାର ଅନ୍ଧୁଣୀ ହୋଇଯାଇଛୁ ସୁରଭି । ଏ ଅହିଂସା, ଶାନ୍ତି, ନୀତି ପ୍ରଭୃତି କେତେକ ଆଦର୍ଶ ଶବ୍ଦାବଳୀ କେବଳ ଶଠମାନଙ୍କର ଅକ୍ଷୟ କବଚ ଜାଣିଲୁ ? ଏହାରି ଭିତରେ ସେମାନେ ନୀଚ, ପ୍ରତାରକ, ମିଥ୍ୟାବାଦୀ-

 

ସୁରଭି ରାଗରେ ଥରିଉଠି କହିଲା, ଏ ଦୁନିଆରେ ତୁ ଏକା ସତ୍ୟବାନ । ଚୋରଘରେ ସବୁଦିନ ଆଲୁଅ ନ ଥାଏ ଜାଣିଲୁ ? ହଉ ହେଲା । ତୋ’ ମନଇଚ୍ଛା ତୁ ଏଥରକ ଯାହା କରୁଛୁ କର-। ବାପ ଅଜାଙ୍କ ନା ପକା । ତୋତେ ମୁଁ ପୁଣି ଥରେ କହୁଛି, ଯଦି ତୁ କେବେ ଏ ବାଟରେ ଯିବା କଥା ମୁଁ ଜାଣିବି, ତୋରି ଆଗରେ ମୁଁ ମୁଣ୍ଡ ପିଟି ନିଶ୍ଚୟ ମରିବି । ଏଣିକ ତୋ ମନକୁ ଯାହା ଆସୁଛି ତାହା କର ।

 

ସୁରଭି କହୁ କହୁ ରାଗରେ ତମ ତମ ହୋଇ ସେଠାରୁ ବାହାରିଗଲା । ଆଉ ସୁରଭିର ଏ ଭାବ ଲକ୍ଷ୍ୟ କରି ତପନ ଏକ ନିଶାଗ୍ରସ୍ତ ବ୍ୟକ୍ତି ପରି ହୋ...ହୋ ହୋଇ ହସି ଉଠିଲା ।

 

ତପନର ଏପରି ଖାପଛଡ଼ା ହସରେ ରାଧାରାଣୀଙ୍କ ଛାତିଟା ଅସହ୍ୟ ଯନ୍ତ୍ରଣାରେ ବିଦୀର୍ଣ୍ଣ ହୋଇଗଲା ଯେପରି ? ସେ ଝର ଝର କାନ୍ଦି ପକାଇ ପୁଣି ସେ ଅତିକାୟ କୋଠାଟାକୁ ଅନାଇ ଗାଳି ବର୍ଷଣ କରିବାକୁ ଲାଗିଲେ–

 

ତୁମ୍ଭେମାନେ, ହଁ–ହଁ ତୁମ୍ଭେମାନେ ମୋ ପୁଅର ମୁଣ୍ଡକୁ ବିଗାଡ଼ି ଦେଇଅଛ । ତୁମ ପୁଅ, ପୁତୁରା, ବନ୍ଧୁ, ବାନ୍ଧବମାନେ ଦଶ ଦଶଥର ଫେଲ ହୋଇ ତାଙ୍କୁ ଚାକିରି ମିଳୁଛିଟି ? ଆଉ ମୋ’ ପୁଅ ଏତେ ପାଠ ପଢ଼ି, ଦି’ଓଳି ଗଣ୍ଡାଏ ଖାଇବାକୁ ପାଉନାହିଁ; ତୁମେ କୋଠାବାଡ଼ି ପାଉଁଶ ହୋଇଯାଉ; ତୁମ ଆଖି ଫୁଟି ଯାଉରେ ସବାଖିଆ ଦଳ । ତୁମ ଛୁଆ ରାଣୀଛୁଆ, ଆଉ ମୋ ଛୁଆ ମୂଲିଆଣୀ ଛୁଆ ନୁହେଁ ? ସବୁ କୁଆଡ଼େ ସମାନ ବୋଲି ଚାରିଆଡ଼େ ନାଗରା ପିଟୁଛ । ବଡ଼ ବଡ଼ ସଭାରେ ଫୁଲମାଳ ପକେଇ ବଡ଼ ବଡ଼ କଥା କହୁଛ; ହେଲେ କାମରେ କାହିଁ ? ତୁମେ କି ରାଜା, କି ମନ୍ତ୍ରୀ, କି ନେତା ହୋଇଛ ବା ? ତୁମର ତ ପର ଆପଣା ଭାବ ଗଲା ନାହିଁ । ସେ ଧରମ ଗାଦିରେ କେମିତି ବସିଛ । ତମକୁ ଦଇବ ସହବଟି ?

 

ତପନ ରାଧାରଣୀଙ୍କ ପାଖକୁ ଯାଇ ସେ ଗାଳିକୁ ଆକଣ୍ଠ ଉପଭୋଗ କରି ଏକ ପ୍ରତିହିଂସା ମୂଳକ ହିଂସୁକ ଆନନ୍ଦରେ ଅଧୀର ହୋଇ ଉଠୁଥିଲେ ବି ସେ ଡରିଗଲା । ବୋଉ ଏବେ ବହୁତ ପାଟିକଲେ ଶେଷରେ କାଶି କାଶି ମୂର୍ଚ୍ଛା ଚାଲିଯିବ ।

 

ସେ ରାଧାରାଣୀଙ୍କ ପାଖକୁ ଯାଇ ଧମକ ଦେଲପରି କହିଲା, ହେ ବୋଉ, କାହିଁକି ଏମିତି ପାଟି କରୁଛୁ କହିଲୁ ? ତୁ ଏମିତି ପାଟି କରି ତଣ୍ଟି ଫଟେଇ ଦେଲେ ବି କାହାର କୋଠା ପୋଡ଼ି ପାଉଁଶ ହୋଇଯିବନି । ତୁ ପାଟି ବନ୍ଦ କଲୁ ।

 

ରାଧାରଣୀ ତପନ ମୁହଁକୁ କଟମଟ କରି ଅନେଇ ପୁଣି ଗର୍ଜ୍ଜି ଉଠି କହିଲେ, କ’ଣ କହିଲୁ କୋଠା ପୋଡ଼ି ପାଉଁଶ ହେବନି ? ଇରେ, ଇଏ ଆମ ଗରିବଙ୍କ ଇଶ୍ୱର ନୁହେଁ । ଏ ଜଳନ୍ତା ନିଆଁ ଧାସ । ଏ ଧାସରେ ତଣ୍ଟିକଟାମାନଙ୍କର କୋଠାବାଡ଼ି ଜଳିଯିବନି ?

 

ରାଧାରାଣୀ ଅସମ୍ଭବ ଉତ୍ତେଜନାରେ ଖୁଁ ଖୁଁ ହୋଇ କାଶି ଉଠି ଧଇଁସଇଁ ହୋଇ ଉଠିଲେ । ତପନ ଆତଙ୍କିତ ହୋଇ ତାଙ୍କ ପିଠିକୁ ଆଉଁଷି ଦେଉ ଦେଉ ଦୃଢ଼ କଣ୍ଠରେ କହିଲା, ଆମକୁ ଯେଉଁମାନେ ଏମିତି କଲବଲ କରି, ଦହଗଞ୍ଜ କରି ମାରୁଛନ୍ତି, ଯେଉଁମାନଙ୍କ ଯୋଗୁ ଆମେ ଏମିତି ଅବହେଳିତ, ଲାଞ୍ଛିତ ହୋଇପଡ଼ି ରହିଛେ ସେଇ ଧନୀ ସ୍ଵାର୍ଥପର ବ୍ୟକ୍ତିମାନଙ୍କ ରକ୍ତରେ ମୁଁ ଯଦି ଚିତା ନ ଘେନିଛି.......

 

ତପନ...... !

 

ତପନର କଥାରେ ବାଧାଦେଇ ରାଧାରାଣୀ ପୁଣି ଗର୍ଜ୍ଜନ କରି ଉଠିଲେ ।

 

ପୁଣି ତୁ ମୋ’ ଆଗରେ ସେଇ କଥା କହିଲୁ ? ସେମାନେ ଯଦି ରକ୍ତଶୋଷା ଟଙ୍କାରେ କୋଠା ବାଡ଼େଇ ଖିରିପୁରିରେ ଭାସିଲେ, ଆଉ ଆମେ କାଣି କଉଡ଼ିଟିଏ ପାଇଲେ ନାହିଁ, ତାକୁ କ’ଣ ସେ ଠାକୁର ଯେ ଦିନରାତି କରୁଛି, ସେ ଦେଖୁନାହିଁ ? ଆଉ ତୁ ଯଦି ସେମାନଙ୍କ ପରି ହେବୁ, ତେବେ ଭଲଟା କ’ଣ କଲୁ ? ଦେଖ ବାପା ! ମୋ କଥା ମାନ । ସେ ଅନ୍ୟ ଧନ । ତୁ ଆଉ ସେ ପାପ ଧନ ପ୍ରତି ନଜର ଦେ’ନା । ଅଧର୍ମ ବିତ୍ତ ପାଇଁ ପରଛାତିରେ ଛୁରି ଭୁଷିଲେ ଧର୍ମ ସହବଟି ?

 

ତପନ ଏଥରକ ରାଧାରାଣୀଙ୍କ ପାଖରୁ ଅଲଗା ହୋଇ ବିରକ୍ତ ମିଶା ସ୍ୱରରେ କହିଲା, ଭାରି ତ ନୀତି ଉପଦେଶ କଥାଗୁଡ଼ାଏ ଗପୁଛୁ ? ନୀତିରେ ରହି ତୋର ଏବେ କେଉଁ ସୁଖଟା ମାଡ଼ି ଯାଉଛି କହିଲୁ ? କେଇଦିନ ଆଉ ପର ହାତଟେକା ଧନରେ ଚଳୁଥିବୁ; ଆମର ବଞ୍ଚିବା ଦରକାର-ସେ ଯେ କୌଣସି ଉପାୟରେ ହେଉ । ଗୋଟାଏ ଧନୀ ଲୋକ ଯଦି ଶହ ଶହ ଦରିଦ୍ରଙ୍କ ଲୁହ ଲହୁରେ ନିଜ ସମ୍ପତ୍ତି ବଢ଼ାଇଲା, ତେବେ ମୁଁ କାହିଁକି ଗୋଟିଏ ଧନୀ ଲୋକର ଛାତିରେ ଛୁରି ଭୁଷି, ସୁସ୍ଥରେ ନିଜେ ଚଳି ଅନ୍ୟମାନଙ୍କୁ ସାହାଯ୍ୟ ନ କରିବି ?

 

ମୁଁ ସେ ବିଷୟରେ ଠିକ୍ କରିସାରିଛି ବୋଉ । ଆଉ ମୋର ଏ ଉତ୍ତାଳ ଅଭିଯାନକୁ ଦୁନିଆରେ କୌଣସି ଶକ୍ତି ଅଟକାଇ ପାରିବ ନାହିଁ ।

 

ତପନର କଥା ଶେଷରେ ତା’ର ଜଳନ୍ତା ଆଖିରୁ ସତେ ଯେପରି ପୁଳାଏ ନିଆଁ ଝୁଲ ରାଧାରାଣୀଙ୍କ ଉପରେ ଖସିପଡ଼ଲା । ସେ ପାଗଳଙ୍କ ପରି ଟଳି ଟଳି ଘରୁ ବାହାରିଗଲା ।

 

ବିସ୍ମୟ ଚକିତା ରାଧାରାଣୀ ଯନ୍ତ୍ରଣାକାତର ଦୃଷ୍ଟିରେ ଅନାଇ ରହିଲେ ତାଙ୍କର ଏକମାତ୍ର କୁଳପ୍ରଦୀପ, ତାଙ୍କର ସ୍ଵାମୀଙ୍କର ବହୁ ଆଶାର ସ୍ଵପ୍ନ ତପନର ଗତି ପଥକୁ । ପୁଣି ସେ ଆକୁଳ ଆଖିରେ ଅନାଇଲେ ସେ କୋଠାକୁ ।

 

ତାଙ୍କର ଆଖିର ଲୁହ ଆଉ ବୋଲ ମାନିଲା ନାହିଁ । ସେ କାଉଲି ବାଉଳି ହୋଇ ମୁଣ୍ଡରେ ହାତ ବାଡ଼େଇ ଭୋ’ ଭୋ’ ହୋଇ କାନ୍ଦି ଉଠିଲେ ।

 

ପାଞ୍ଚ

 

ରାତି ହେଲେ ତାଙ୍କ ଘରଟା ସୁରଭିକୁ କିପରି ଏକ କଳ୍ପନା ରଞ୍ଜିତ ସ୍ଵପ୍ନିଳ ନିର୍ଜନ ମରୁଦ୍ୟାନ ପରି ମନେହୁଏ.... ।

 

ସହର ହେଲେ ବି ତାଙ୍କ ଘର ପାଖରେ ସେ ବିକଟ ଜନଗହଳି, ଗାଡ଼ି–ଘୋଡ଼ା କୋଳାହଳର ଅତ୍ୟାଚାର ମୋଟେ ନାହିଁ କହିଲେ ଚଳେ । ସନ୍ଧ୍ୟା ଉତ୍ତୀର୍ଣ୍ଣ ହେଲାପରେ ତାଙ୍କ ଘର ଆମ ବିରାଟ ପିଚୁ ରାସ୍ତାଟା ତାଙ୍କୁ କେଉଁ ଦୂର ମଫସଲ ଗାଆଁର ସାପେଇ ନଈ ପରି ଦିଶେ; ଆଉ ତାଙ୍କ ଘର ପାଖରେ ବହି ଯାଉଥିବା ମହାନଦୀ ତାଙ୍କ ଘର ଛାତ ଉପରୁ କିପରି ଏକ ପୁରୁଷର ଫୁଙ୍ଗୁଳା ଦେହ ପରି ଦେଖାଯାଏ; ଅଥଚ ପିଲାଦିନେ ଏ ମହାନଦୀଟା ତା’ ବାସନ୍ତୀ ମାଷ୍ଟ୍ରାଣୀର ହସ ପରି ଦେଖାଯାଉଥିଲା ।

 

ତାଙ୍କ ଘର ଆଗ ବଗିଚାଟା ଭାର ଲୋଭନୀୟ । ପୁଣି ବଗିଚାକୁ ଘେରି ଅଳ୍ପଦୂରରେ ଧ୍ୟାନରତ ଦଣ୍ଡାୟମାନ ନଗ୍ନ ସନ୍ନ୍ୟାସୀମାନଙ୍କ ପରି ଦୀର୍ଘକାୟ ଦେବଦାରୁମାନେ ଯେତେବେଳେ ତପଭଗ୍ନ ହୋଇ ଉଦ୍ୟାନର ଫୁଲସୁନ୍ଦରୀମାନଙ୍କ ପରସ୍ପର ଥଟ୍ଟା ପରିହାସ ଖେଳରେ ହସି ଉଠନ୍ତି, ସେତେବେଳେ ସୁରଭି ଏ ଅଜବ ଦୃଶ୍ୟ ଦେଖି ଭାରି ହସେ ଏବଂ ନାନା ଜାତିର ଫୁଲରେ ମହକି ଉଠୁଥ‌ିବା ପବନମାନଙ୍କ ଦେହରେ ପହଁରି ପହଁରି ଘଷି ହେବାକୁ ତାକୁ ଭାରି ମଜା ଲାଗେ ।

 

ଆଜି ସୁରଭି ମନେ ମନେ ସ୍ଥିର କରିଥିଲା, ରାତିରେ ତାଙ୍କ ବଗିଚାରେ ଏକୁଟିଆ ବସି ତାଙ୍କ ଘର ଆଗ ରାସ୍ତାରେ ଏକାକୀ ଯାଉଥିବା ପଥିକମାନଙ୍କ ବିଷୟରେ କିଛି ଭାବିବ ।

 

କିନ୍ତୁ ହାୟ, ସେ ବାହାରୁ ବୁଲିଆସି ତାଙ୍କ ଗେଟ୍‍ଟା ପାରିହୋଇ ଦେଖିଲା, ତାଙ୍କ ବାପା ବୋଉ ବଗିଚାରେ ବେଶ୍ ଆସ୍ଥାନ ଜମେଇ ଖୁସି ଗପରେ ମାତି ଗଲେଣି ।

 

ସୁରଭି ହତୋଲ୍ଲାସରେ ବିମର୍ଷ ହୋଇ ଘରକୁ ଯାଉଥିବା ବେଳେ ସେମାନଙ୍କ ଆଳାପର କିଛିଟା ଅଂଶ ତା’ କାନରେ ପଡ଼ଯିବାରୁ ସେ ଉତ୍‌କର୍ଣ୍ଣ ହୋଇ ଉଠି ଶୁଣିଲା ସେମାନେ ତା’ର ପ୍ରିୟ ସମୀର ବକ୍ଷୟରେ କଥାବାର୍ତ୍ତା ହେଉଛନ୍ତି । ସୁରଭିର ପାଦ ଆଗକୁ ନ ଯାଇ ମନକୁ ମନ ବଗିଚା ରାସ୍ତାରେ ଘନୀଭୂତ ହୋଇ ଉଠୁଥ‌ିବା ଏକ କ୍ରୋଟନ୍ ଗଛର ଛାଇରେ ଅଟକି ଗଲା ଏବଂ ସୁରଭି ବାପା ବୋଉଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଅତି ସନ୍ତର୍ପଣରେ ସେମାନଙ୍କ କଥା ଶୁଣିବା ପାଇଁ ଉତ୍କଣ୍ଠିତ ହୋଇ ଉଠିଲା ।

 

ସବ୍ୟସାଚୀଙ୍କ ସ୍ଵର ସ୍ପଷ୍ଟ ଶୁଭୁଛି–ଦେଖିଲଟି, ମୁଁ କ’ଣ କହୁଥିଲି । ଆଜି ଯାଏ ସେ ଟୋକା ଖଣ୍ଡେ ଚାକିରି କଲା ନା...ଆରେ ପୁଅ ହୋଇ ଯଦି ଟଙ୍କା ନ କମେଇଲ ତାହାହେଲେ ସେଥିରେ ପୁରୁଷ ପଣିଆ ରହିଲା କେଉଁଠି ? ଆଉ ତୁମେ ତ ସବୁବେଳେ ହମ ହମ ହେଉଛ ସମୀର ହାତରେ ଝିଅକୁ ଟେକିଦେବା ପାଇଁ ।

 

କ’ଣ ତା’ର ରୂପ ଦେଖି ? ରୂପକୁ ବ୍ୟାଙ୍କ୍‌ରେ ଜମା ଦିଆଯାଏ ନାହିଁ, ଜମା ଦିଆଯାଏ ଟଙ୍କା । ବୟସ ବଢ଼ିଲେ ରୂପ କମିଯାଏ, କିନ୍ତୁ ବ୍ୟାଙ୍କ୍ ରେ ଟଙ୍କା ବଢ଼େ ଜାଣିଲ ? ଆଉ ତୁମ ଜାତିଟା ବୟସ ଥିଲାବେଳେ ଖୋଜୁଥ‌ିବେ ରୂପ, ଆଉ ବୟସ ଖସିଗଲେ ଖୋଜିବେ ଖାଲି ଟଙ୍କା । ଏକଥା କ’ଣ ତୁମେ ଏବେ ବୁଝି ପାରୁନ ?

 

ସୁରଭି ବୋଉ ଶ୍ୟାମାମଣି ବିରକ୍ତ ହୋଇ କହିଲେ, ଭାରି ତ ଏବେ ବଙ୍କେଇ ବଙ୍କେଇ କଥା କହି ଶିଖିଲଣି । ହଁ, ସେ କ’ଣ ଏହା ଭିତରେ ଗୋଟିଏ ନେତା ହୋଇଛି । ଆଉ ତୁମେ ପରା କହୁଥିଲ ନେତା ପରେ କୁଆଡ଼େ ମନ୍ତ୍ରୀ ହୁଅନ୍ତି ?

 

ଶ୍ୟାମାମଣୀଙ୍କ ଏପରି କଥାରେ ସବ୍ୟସାଚୀ କେବଳ କିଛି ସମୟ ହୋ’ ହୋ’ ହୋଇ ହସି ଉଠିଲେ । ପରେ ବ୍ୟଙ୍ଗବ୍ୟଞ୍ଜିତ ସ୍ୱରରେ କହିଲେ, କ’ଣ କହିଲ, ସମୀର ହେବ ମନ୍ତ୍ରୀ । ...ସତରେ ତୁମକୁ ଟିକିଏ ଲାଜ ଲାଗୁନାହିଁ ? ହଉ, ହଉ, ତୁମରି କଥାରେ ସେ ଏବେ ମନ୍ତ୍ରୀଟିଏ ହେଉ । ହେଲେ କେତେଦିନ ପାଇଁ ଜାଣିଛ ? ଆଗପରି ଆଉ ମନ୍ତ୍ରୀ ଗାଦିରେ ବର୍ଷ ବର୍ଷ ଧରି ରହିବା ହେଉ ନାହିଁ । ଏବେ ବର୍ଷରୁ ମାସକୁ ପୁଣି ମାସରୁ ଦିନରେ ଆସି ରହିଲାଣି । ଯାହା ଦେଖାଗଲାଣି ଏବେ ଘଣ୍ଟାକୁ ଘଣ୍ଟା ମନ୍ତ୍ରୀ ବଦଳିବେ ନା କ’ଣ ? ଆଉ ଇଏ କହିଲେ କ’ଣ ନା ସମୀର ଆମର ମନ୍ତ୍ରୀ ହେବ ! ଆଚ୍ଛା ତୁମେ ଜାଣିଛ ଏ ଟୋକାର ମଗଜରେ ଟିକିଏ ହେଲେ ବୁଦ୍ଧି ନାହିଁ । ଏ କୁଆଡ଼େ ସାଧୁ ସଚ୍ଚୋଟ ପୁରୁଷ । ମିଥ୍ୟା କହିବେ ନାହିଁ କି ପରଧନକୁ ଆଖିଦେବେ ନାହିଁ । ଆଚ୍ଛା କହିଲ, ଏମିତି ସତିଆ ପୁରୁଷ ହୋଇ କେଇଟା ଲୋକ ଏ ଯୁଗରେ ଧନୀ ହୋଇଛନ୍ତି-?

 

ଶ୍ୟାମାମଣୀ ଏଥରକ ଅଧୈର୍ଯ୍ୟ ହୋଇଯାଇ କହିଲେ, ହଉ ସେ କଥା ଛାଡ଼ । ତାକୁ ଖଣ୍ଡେ ଭଲ ଚାକିରି ଯୋଗାଇଦେଲେ ସେ କ’ଣ ତା’ ନେତାପଣିଆ ଛାଡ଼ି ଦିଅନ୍ତା ନାହିଁ ?

 

ହଁ, ହେ ଶୁଣ ବା, କ’ଣ ଏଣିକି ତେଣିକି ଚାହିଁଛ ?

 

ହଁ, କ’ଣ କୁହ ମୁଁ ଶୁଣୁଛି ।

 

ଆମ ରତନ ପୁଣି ତ ଚାକିରି ପାଉ ନ ଥିଲା । କାହାକୁ ପୁଣି ପାଞ୍ଚହଜାର ଟଙ୍କା ଲାଞ୍ଚ ଦେଇ ଗୋଟାଏ ବଡ଼ ଚାକିରି କରେଇ ଦେଲ ତ ? ସେମିତି ଗୋଟାଏ ସମୀର ପାଇଁ ମୋଟା ଟଙ୍କାବାଲା ଚାକିରିଟାଏ କରେଇ ଦେଲେ ମୁଁ ତାକୁ ବୁଝେଇ ଦିଅନ୍ତି ନାହିଁ ?

 

ଶ୍ୟାମାମଣୀଙ୍କ କଥାରେ ସବ୍ୟସାଚୀ ଏଥରକ ବିରକ୍ତ ହୋଇଉଠି କହିଲେ, ସେ କଥା ଆଉ କାହାକୁ କହିବ ! ମୁଁ ତାକୁ କ’ଣ କମ ବୁଝେଇଛି । ତା’ର କିନ୍ତୁ ଗୋଟାଏ ଜିଦ୍ ମୁଁ ଚାକିରି କରିବି ନାହିଁ । ନ କରୁ । ଆଉ କହିଲେ କ’ଣ ନା ଚାକିରିଟାଏ ଯୋଗାଡ଼ କରିବା ପାଇଁ । ସେ କ’ଣ କରୁଛି ତା’ର କରୁ । ଆମର ସେଥିରେ ଯାଏ ଆସେ କ’ଣ ?

 

ହଁ, ସାଗର କୁଆଡ଼େ ଯାଇଛି ?

 

କଥାର ମୋଡ଼ ଅନ୍ୟ ଆଡ଼କୁ ଯିବା ଜାଣି ସୁରଭି ସ୍ଵାଭାବିକ ଭାବରେ ଘରୁ ବଗିଚାକୁ ଆସିବାର ଅଭିନୟ କରି ତ୍ରୋଟନ ଗଛର ଛାଇରୁ ବାହାରକୁ ଆସିଲା । ସବ୍ୟସାଚୀ କଅଁଳ ସ୍ୱରରେ ଡାକିଲେ—କିଏ ସୁର !!

 

ହଁ, ବାପା ।

 

ଆରେ ମା’ ଶୁଣିଲୁ । ହଁ, ଏଇଠି ବସ । ଦେଖ୍ ମା’ ସାଗରଟା କେତେ ଅଝଟିଆ କହିଲୁ-। ସେ ମୋ ସାଙ୍ଗରେ ଆଜି ଦିନଯାକ ଲାଗିଛି କାଲି ଆମକୁ କୁଆଡ଼େ ବାହାରକୁ ବୁଲେଇ ନେବା ପାଇଁ । ମୁଁ ତ ଯାଇ ପାରିବି ନାହିଁ । କାଲି ମୋର ଅନେକ କାମ । ପୁଣି ବୋଉ ମନା କରୁଛି-। ତୁ କାଲି ତା’ ସାଙ୍ଗରେ ଯା’ ବୁଲି ଆସିବୁ । ନ ହେଲେ ତା’ ମନ ଦୁଃଖ ହେବ ?

 

ଚରିତ୍ରହୀନ ସାଗର ପ୍ରତି ବାପାଙ୍କର ଏ ପ୍ରକାର ଉଦାର କଥାରେ ସୁରଭି ଚିଆଁ ଲାଗିଲା ପରି ଚମକି ଉଠିଲା । ହତଚକିତ ସୁରଭି କାତର କଣ୍ଠରେ କହଲା, କାଲି କଲେଜରେ ମୋର ଅନର୍ସ କ୍ଳାସ ଅଛି ବାପା । କିପରି ମୁଁ ଯିବି କହିଲ ?

 

ସବ୍ୟସାଚୀ ହସିଲେ । କହିଲେ, ଦେଖ୍ ମା’ ମୁଁ ତୋ ମନକଥା ବୁଝୁଛି । ସାଗର ଚଗଲା ହେଲେ ବି ତାକୁ ଟିକିଏ ବାଗେଇବାକୁ ବହୁ ସମୟ ଲାଗିବ ନାହିଁ । ପୁଣି ସମାଜରେ ତା’ର ପ୍ରତିପତ୍ତି ଅଛି । ତା’ ସାଥିରେ ବୁଲିଗଲେ ଆମ ସମ୍ମାନ ହାନି ହେବ ନାହିଁ, ବରଂ ବଢ଼ିବ । ଲୋକମାନେ ଆମକୁ ଜାଣିବେ ।

 

ଶ୍ୟାମାମଣୀ କହିଲେ, ସେ ତ ମନା କରୁଛି, ତୁମେ କାହିଁକି ତାକୁ ବାଧ୍ୟ କରୁଛ କହିଲ; ତୁ ଗଲୁ ସୁର, ଯା’ ଘରେ ପଢ଼ିବୁ ।

 

ସବ୍ୟସାଚୀ କ୍ରୋଧ ଜର୍ଜରିତ କଣ୍ଠରେ କହିଲେ, ତୁମକୁ କିଏ ମୋ କଥା ମଝିରେ କଥା କହିବାକୁ ଖୋସାମତ କରୁଛି କହିଲ ? ମୋ ଝିଅକୁ ମୁଁ ଚିହ୍ନିନି, ତୁମେ ଚିହ୍ନିଛ ? ସେ ମୋ ଝିଅ । ସେ ମୋ କଥା ରଖିବ ନାହିଁ, ଆଉ କାହା କଥା ରଖିବ ? ହଁ, ମା, ହେଇତ ସାଗର ଆସିଲାଣି । ଏଇଠି ବସି ତା’ ସହିତ କଥାବାର୍ତ୍ତା ହୁଅ । ହଁ, ତୁମେ ଚାଲିଲ ମୋ ପାଇଁ ଟିକେ କଫି କରିଦେବ ।

 

ବାପା ବୋଉ ଚାଲିଯିବା ପରେ ସୁରଭି ସାଗରକୁ ବ୍ୟଙ୍ଗ କଟାକ୍ଷ ମାରି ହସି ହସି କହିଲା, ଆରେ ସେଠାରେ ଠିଆହେଲେ ଯେ, ଆସନ୍ତୁ, ମୋ ପାଖରେ ବସନ୍ତୁ । କ’ଣ ଏମିତି ଆପଣଙ୍କ ସାଙ୍ଗରେ ମୋତେ ବୁଲାଇ ନେବା ପାଇଁ ଆପଣଙ୍କର ପ୍ରବଳ ଇଚ୍ଛା ହେଲା ? ଦିନରେ ରାସଲୀଳା ପାଇଁ କେହି ଗୋପୀ ମିଳୁନାହାନ୍ତି ପରା ? ଜାଣିଛ ? ମୁଁ ଏତେଟା ଶସ୍ତା ନୁହେଁ । ପୁଣି ଯଦି କେବେ ମୋତେ ବୁଲେଇ ନେବା କଥା ଉଠାଅ, ତେବେ ମୋର ପ୍ରକୃତ ରୂପ ସେଇଦିନ ଦେଖିବ । ଆହାରେ, ମୋର ରସିକ ଶେଖର ?

 

ସୁରଭି ପରିହାସ ମିଶା ଶାଣିତ ଦୃଷ୍ଟି ସାଗର ଉପରକୁ ନିକ୍ଷେପ କରି ସଶବ୍ଦରେ ଘର ଭିତରକୁ ଚାଲିଗଲା ।

 

ସାଗର ସୁରଭିର ଗତିପଥକୁ ଲୋଭିଲା ଦୃଷ୍ଟିରେ ଅନେଇ ଏକ କାମାନ୍ଧ ହିଂସ୍ର ପଶୁ ପରି ତା’ର ଓଠରେ ଜିଭ କେତେଥର ବୁଲେଇ ଆଣି ଦୀର୍ଘଶ୍ୱାସଟାଏ ନେଇ ଧୀର ଅଥଚ ଗମ୍ଭୀର କଣ୍ଠରେ କହିଲା ଆଚ୍ଛା..... !

 

ଛଅ

 

ସୁରଭିର ମନେ ହେଲା ଏହା ଭିତରେ ତା’ ଦେହର ଉତ୍ତାପ ଯେପରି ଯଥେଷ୍ଟ ବଢ଼ିଯାଇଛି ଏବଂ ରାତ୍ରିର ସମସ୍ତ କଳା କିଟିମିଟି ଅନ୍ଧକାର ଯେପରି କଳା କଳା କାଳୀୟ ଗରଳରେ ପରିଣତ ହୋଇଯାଇଛି ।

 

ସୁରଭି ଥଣ୍ଡାପାଣି ଗ୍ଲାସେ ପିଇ ଶୋଇବାକୁ ପୁଣି ଚେଷ୍ଟା କଲା । କିନ୍ତୁ ତା’ ଆଖିରୁ ସାମାନ୍ୟ ତନ୍ଦ୍ରା ବି କୁଆଡ଼େ ହଜିଗଲେ କି !

 

ଚାରିଆଡ଼େ ନିର୍ଜ୍ଜନ ନିସ୍ତବ୍‍ଧ । ଝାଉଁଗଛର ସାଇଁ ସାଇଁ ଶବ୍ଦ ନିଶବ୍ଦ ରାତିର ଛାତିରେ ଆଘାତ ଦେଇ ତାକୁ ଯେପରି ଆହୁରି ଭୟଙ୍କର କରିଦେଉଛି ।

 

ଏତିକିବେଳେ ବାପାଙ୍କର ସାଗର ମହାପାତ୍ର ସହିତ ବୁଲିଯିବା ପ୍ରସ୍ତାବ ପୁଣି ମନେ ପଡ଼ିବାକ୍ଷଣି ଝାଇଁ ଝାଇଁ ଖରାବେଳରେ ଏକ ନିଛାଟିଆ ଗହୀର ମଝିରେ ଏକୁଟିଆ ବରଗଛ ମୂଳରେ ପରିତ୍ୟକ୍ତ କୂଅଟିଏ ପରି ସୁରଭି ନିଜକୁ ଅତି ନିର୍ଜନ ନିଃସହାୟ ମନେ କଲା ।

 

ଦୁଇହାତରେ ମୁଣ୍ଡକୁ ଚାପି ଧରି ତଳକୁ ଝୁଲାଇ ଦେଇ ସୁରଭି ବ୍ୟସ୍ତହୋଇ ଉଠିଲା । ପ୍ରକୃତରେ ସେ କ’ଣ କରିବ ?

 

ସମୀର କ’ଣ ସତେ ତା’ର ହୋଇପାରିବ ନାହିଁ ?

 

ହଠାତ୍ ଏ ହନ୍ତସନ୍ତ ଚିନ୍ତାର ଅଗ୍ନି, ଶଳାକାଟିଏ ତା’ ଛାତିରେ ଭେଦି ତାକୁ ଅସମ୍ଭବ ଭାବରେ ଅଣନିଶ୍ୱାସୀ କରିଦେଲା । ଏକ ଶରହତା ହରିଣୀ ପରି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ସେ କେବଳ କାନ୍ଦିବାକୁ ଲାଗିଲା ।

 

ତା’ ମନ ଭିତରେ କିପରି ଏକ ସାହସର ସୂଚନା ଉଇଁ ତାକୁ ବାରମ୍ବାର ଉତ୍ତେଜିତ କରି ଦେଉଥାଏ ।

 

ସେ ତା’ ବାପାଙ୍କର ଏ ଅସମ୍ଭବ ଧାରଣାର ଶୃଙ୍ଖଳକୁ ତୁଟାଇ ସାଙ୍ଗେ ସାଙ୍ଗେ ଯାଇଁ ସମୀରକୁ କୁହନ୍ତା, ହେ ମୋ’ର ପ୍ରାଣ ପ୍ରତିମ, ପ୍ରିୟ ସମୀର ! ତୁମେ କ’ଣ ମୋତେ ଏ ଅଶୋକ ବନରୁ ରାବଣର କବଳରୁ ରକ୍ଷା କରିପାରିବ ନାହିଁ ?

 

ଚାଲ, ଏଇ ଆମେ ସାଙ୍ଗେ ସାଙ୍ଗେ କେଉଁ ଦୂର ଦୂରାନ୍ତ ନିବିଡ଼ ନିର୍ଜ୍ଜନ ନିଘଞ୍ଚ ଅରଣ୍ୟକୁ ପଳାଇଯିବା । ସେହି ବରଂ ଆମର ଅତି ନିରାପଦ ସ୍ଥାନ ।

 

ସେହି ଅରଣ୍ୟର କେଉଁ ଅଜଣା ଗିରି ଗହ୍ୱରରେ ବରଂ ଆମର ଦ୍ୱୈତ ଜୀବନ ଶାନ୍ତିରେ ବିତାଇ ଦେବା । ବଣର ଫଳଖାଇ, ଝରଣାର ଜଳପିଇ ଆମେ ସେହି ଆଦି ବଂଶଧର ଆଦିମାନବ ପରି ସ୍ୱାଧୀନ ଜୀବନର ସ୍ୱାଦୁ ଚାଖିବା ।

 

ଜୀବଜଗତ ପାଇଁ ଈଶ୍ୱର ଦତ୍ତ ଏ ପ୍ରକୃତିର ଅସୀମ ସମ୍ଭାର ଆମ ପାଇଁ ଯେ ସାଇତା ହୋଇ ଥୁଆ ହୋଇଛି !

 

କିନ୍ତୁ କିଛି ମୁହୂର୍ତ୍ତ ଅନ୍ତେ ସୁରଭିର ଭାବପ୍ରବଣତା ସମୁଦ୍ରରେ ସମ୍ପୂର୍ଣ୍ଣ ଭଟ୍ଟା ପଡ଼ିଗଲା ।

 

ସେ ଯାହା ଏଇ ଭାବିଗଲା, ତାହା କେବଳ କଳ୍ପନାର ଛଇଛଟା; ବାସ୍ତବତାର ନୃଶଂସ ଘନଘଟା ମଧ୍ୟରେ ତା’ହା କୁହାଡ଼େ ସକାଳର ଶିଶିର ବିନ୍ଦୁ ପରି ଶୂନ୍ୟ ହୋଇଯିବ ।

 

ହଁ ସମୀର ପରି ପ୍ରବୀଣ ପ୍ରେମିକ, ଭାବପ୍ରବଣ ବ୍ୟକ୍ତି ତା’କଥାରେ ନିଶ୍ଚୟ ରାଜି ହେବେ-

 

କିନ୍ତୁ ସେଠାରେ ସେ କ’ଣ ଶାନ୍ତିରେ ସତରେ ବଞ୍ଚିପାରିବେ ? କ୍ଷୁଧା, ତୃଷ୍ଣା, ଅଭାବ ଅନାଟନର ବନାଗ୍ନି ମଧ୍ୟରେ ତାଙ୍କ କଳ୍ପନାର ସୁରଭିତ ଉଦ୍ୟାନ କୁଆଡ଼େ ଦୁଗ୍‌ଧୀଭୂତ ହୋଇଯିବ ।

 

ନା...ଏ ବାସ୍ତବଧର୍ମୀ ଯୁଗରେ ଏ ଅଯଥା ପ୍ରବଣତାକୁ ନେଇ କବିତା ଲେଖିହୁଏ, ହେଲେ...

 

ସେ ଜାଣେ ସମୀର ରାଜନୀତି କାର୍ଯ୍ୟରେ ଲିପ୍ତ ଥିଲାବେଳେ ଯେତିକି ଅନ୍ୟ ବିଷୟ ପ୍ରତି ନିର୍ଲିପ୍ତ, ତା’ ପାଖରେ ଥିଲାବେଳେ ସେ ସେତିକି ଆତ୍ମକୈନ୍ଦ୍ରିକ, ସ୍ୱୟଂ ସଚେତନ, ସେଣ୍ଟିମେଣ୍ଟାଲ ଆସକ୍ତ ।

 

ଯଦି ସେ ଏମିତି ଭାବପ୍ରବଣ ହୋଇ ତାକୁ ଏପରି କଥାଗୁଡ଼ାଏ କହେ, ସମୀରର ଦୃଢ଼ତାର ପାହାଡ଼ କୁଆଡ଼େ ଖଣ୍ଡ ଖଣ୍ଡ ହୋଇ ଭୁଷୁଡ଼ି ପଡ଼ିବ ।

 

ସୁରଭିର ଏକାନ୍ତ ଇଚ୍ଛା, ସମୀର ଜଣେ ସଚ୍ଚୋଟ ନିର୍ଭୀକ ଦୃଢ଼ ରାଜନୀତିଜ୍ଞ ନେତା ହୁଅନ୍ତୁ । ତାଙ୍କର ପ୍ରଶସ୍ତି ଲୋକଙ୍କ ମୁହଁରେ ଶତ ଶତ ଫୁଲ ହୋଇ ଫୁଟିଉଠୁ । ତା’ର କେବଳ ସେତିକିରେ ଆନନ୍ଦ, ପରମ ପରିତୃପ୍ତି ।

 

ତରଳ ପଦାର୍ଥକୁ କଠିନ ପାତ୍ରରେ ହିଁ ଧରି ହୁଏ । ସମୀର ପରି ଢଳ ଢଳ କୋମଳ ପ୍ରାଣ ବ୍ୟକ୍ତିର ମନୋବୃତ୍ତିର ଜଳଧାରାକୁ ସେ ନିଜର ଦମ୍ଭିଲା ସତର୍କତା ବନ୍ଧରେ ଆବଦ୍ଧ କରି, ଧୀରେ ଧୀରେ ସେ ଧାରାକୁ ଏ ଦେଶର ଜନତାଙ୍କ ଉପକାରରେ ହିଁ ବିନିଯୋଗ କରିବ ।

 

ସମଗ୍ର ଆହତ ଉଷର ବିଶ୍ୱ ସମୀରର ଆଦର୍ଶ ଜଳରେ ନିଶ୍ଚୟ ସୁନ୍ଦର ସତେଜ, ଉର୍ବର ହୋଇ ଉଠିବ ।

 

ନା ଏ ଅଯଥା ପ୍ରବଣତା ତା’ ପକ୍ଷରେ ମୋଟେ ଶୋଭା ପାଏନା ।

 

ହଁ, ସେଦିନ ତା’ ସାଙ୍ଗ ସଞ୍ଜୟ କହୁଥିଲା, ତା’ ତପନ ଭାଇ କେବଳ ତା’ ପାଇଁ କୁଆଡ଼େ ଏପରି ବାସ୍ତୁରା ହୋଇଗଲା । କାହିଁ ସେ ଏକଥା ଯେତେ ଚିନ୍ତା କରି ବି ବିଶ୍ୱାସ କରିପାରୁ ନ ଥିଲା-। କିନ୍ତୁ ଏବେ ତପନର କଥାବାର୍ତ୍ତାରୁ, ହାବଭାବରୁ ସେ ଯେପରି ସେମିତି କିଛି ସୂଚନା ପାଉଛି-

 

ସତରେ କ’ଣ ତପନ ଭାଇ ତା’ ଦାରିଦ୍ର୍ୟ ଯୋଗୁ ଯେତିକି ପ୍ରତିକ୍ରିୟାଶୀଳ ନ ହୋଇଛି, ତା’ଠାରୁ ଅଧ‌ିକ କୁଆଡ଼େ ହୋଇଛି ସେ ସମୀରର ପ୍ରଣୟିନୀ ହୋଇଗଲା ବୋଲି ।

 

ସୁରଭି ଏକଥା ଚିନ୍ତା କରିବା ମାତ୍ରେ ତାକୁ କିପରି ଅତି ଅଡ଼ୁଆ ଅଡ଼ୁଆ ଲାଗିଲା ଏବଂ ସେ ଏକ ଅଜଣା ଆବେଗରେ ଆକୁଳିତ, ସନ୍ତୁଳିତ ହୋଇ ଉଠିଲା ।

 

ସତେ କ’ଣ ତପନ ଭାଇ ତା’ ପାଇଁ ନଷ୍ଟ ହୋଇଗଲା ? କାହିଁ ତପନ ଭାଇ ସହିତ ପିଲାଟିଦିନୁ ଏତେ ମିଳାମିଶା କରି ବି ତା’ ପ୍ରତି ସାମାନ୍ୟତମ ଦୁର୍ବଳତା ତ ତା’ ମନରେ ଉଇଁ ନାହିଁ-! ଅଥଚ ତପନ ଭାଇ ତାକୁ ନିଜର ପ୍ରଣୟିନୀ ଭାବରେ ଗ୍ରହଣ କରିବାରେ ଏକାବେଳେ ସ୍ଥିର ସିଦ୍ଧାନ୍ତ କରି ନେଇଥିଲା !!

 

ହାୟରେ ହତଭାଗା ତପନ ଭାଇ !

 

କାହିଁ ମୁଁ ତ ତୋତେ ବଡ଼ଭାଇ ବ୍ୟତୀତ ଅନ୍ୟ କୌଣସି ଦୃଷ୍ଟିରୁ ଆଜି ପର୍ଯ୍ୟନ୍ତ ଦେଖି ନାହିଁ; କିନ୍ତୁ ତୋ’ ମନରେ ଏ ବିକାର ଭାବ ପଶିଲା କିପରି ? ଯାହା ତ ମନରେ ଭବିଲୁ ଭାବିଲୁ, ପୁଣି ତୋ’ ମନରେ ସ୍ଥିର କରିନେଲୁ ଯେ ମୁଁ ଧନୀ କନ୍ୟା ବୋଲି ତୋ’ ପରି ଦରିଦ୍ର ବେକାର ତରୁଣକୁ ଘୃଣା କରି ତୋ’ଠାରୁ ଦୂରେଇ ଆସିଛି ! ସମୀର କ’ଣ ତେବେ ଏତେ ଥିଲାବାଲା ଲୋକଟିଏ ?

 

ତପନ ଭାଇ, ତୁ ଏକଥା ବିଶ୍ୱାସ କର କି ନ କର ମୁଁ ଏ ପ୍ରକାର ହୀନ ଧାରଣାରେ କେବେ ନିଜକୁ ତଳକୁ ଖସାଇ ନେଇ ନାହିଁ । ତା’ ହୋଇଥିଲେ ଏବେ ବି ତୋ’ ଘରକୁ ଏତେ ଦୌଡ଼ନ୍ତି କାହିଁକି ? ତୋ’ ମନରେ ପୂର୍ବ ସ୍ଥିରତା ଫେରାଇ ଆଣିବା ପାଇଁ ଏତେ କଥା ତୋତେ କହନ୍ତି କାହିଁକି ?

 

ତେବେ ବି ତୁ ଅକାରଣଟାରେ ଭୁଲ ବୁଝୁଛୁ ? ମୋର କିଛି ଆର୍ଥିକ ସାହାଯ୍ୟ, ତୋ ଘରକୁ ବାରମ୍ବାର ଯିବା ଘଟଣାକୁ ଏକ ବଡ଼ଲୋକୀ ବିଳାସ ଓ ଦେଖେଇ ହେବା ଖୋଇ ବୋଲି କହି ତୁ ମୋତେ ବହୁତ ଆଘାତ ଦେଉଛୁ । ଦେ ମୁଁ କିନ୍ତୁ ଠିକ୍ ଅଛି ।

 

ପୂର୍ବପରି ସେହି ପବିତ୍ର ସମ୍ପର୍କର ମୋହକୁ ମୁଁ କେବେ ତୁଟାଇ ପାରିବି ନାହିଁ ।

 

ତୋ କଥାରେ ମୁଁ ଧନୀ ଘରର ଅଲିଅଳ ଦୁଲାଳୀ ହେଲେ ବି, ମୁଁ ଭାରି ଦୁଃଖିନୀ । ବୋଉ ବ୍ୟତୀତ ଏ କଂସପୁରୀରେ ମୋ’ର ଆଉ କିଏ ସାହା ଭରସା ଅଛି । ମୋ’ କଥା ଏବେ କିଏ ବୁଝୁଛି ଆଜି ତପନ ଭାଇ, ଆଜି ଯଦି ମୋ’ର ତୋରି ପରି ଭେଣ୍ଡିଆ ବଡ଼ ଭାଇଟିଏ ଥାଆନ୍ତା !!

 

ତୁଇ ମୋ’ର ବଡ଼ ଭାଇରେ ତପନ ଭାଇ । ତୁ ମୋତେ ଯେତେ ଭୁଲ ବୁଝ, ଗଞ୍ଜଣା ଦେ; ମୋତେ ପାଖରେ ଦେଖିଲେ ଯେତେ ଚିଡ଼ି ଚିଡ଼ି ହୋଇ ମୋ ଅନ୍ତରକୁ ରକ୍ତାକ୍ତ କର, ମୁଁ କିନ୍ତୁ ତୋ’ଠାରୁ କେବେ ସମ୍ପର୍କ ତୁଟାଇ ପାରିବି ନାହିଁ । ମୋ’ର ବିଶ୍ଵାସ ତୁ ମୋତେ ଶେଷରେ ନିଶ୍ଚୟ ବୁଝିପାରିବୁ । ଆଦରର ସାନଭଉଣୀ ହିସାବରେ ମୋତେ ପୁଣି ଆଦର କରି କୋଳକୁ ଆଉଜାଇ ନେବୁ ।

 

ତପନ ଭାଇରେ ! ସମୀରକୁ କ’ଣ ତୁ ସତେ ହିଂସା କରୁଛୁ ? ତାଙ୍କ ପରି ଦେବତାଙ୍କୁ ପୁଣି କିଏ ଏମିତି ହିଂସୁକ ଦୃଷ୍ଟିରେ ଦେଖିପାରେ ! ତାଙ୍କୁ ତ ଭଲ ଭାବରେ ଜାଣି ନାହୁଁ କି ଚିହ୍ନି ନାହୁଁ-। ତୋ ଭଉଣୀ କେବେ ଅପାତ୍ରରେ ନିଜର ମନଜ୍ଞାନକୁ ସମର୍ପି ଦେଇ ନାହିଁ ।

 

ତେବେ ମୁଁ ଏକଥା ଯେତେ କହିଲେ ବି ତୁ ହସିଛୁ, ମୋତେ ଥଟ୍ଟା କରିଛୁ । କିଛି କଥା ନ ଥିଲେ ବି ସମୀର କଥା ଉଠେଇ ମୋତେ ଅଯଥା ବିରକ୍ତ କରିଛୁ ।

 

ତେବେ ମୁଁ ପଥର ପରି ସ୍ଥିର, ନିଶ୍ଚଳ, ପ୍ରତିଜ୍ଞାବଦ୍ଧ । ତୁ ଯାହା କହ ପଛକେ ମୁଁ ତୋତେ କେବେ ପର କରିପାରିବି ନାହିଁ । ତୁ ମୋର ଭାଇ । ଏକ । ମା’ ପେଟର ନ ହେଲେ ବି ମୋର ଏକାନ୍ତ ଆପଣାର । ଏକା ରକ୍ତର ନ ହେଲେ ବି ଏକ ଆତ୍ମାର ।

 

ହେ ଭଗବାନ ! ତପନ ଭାଇକୁ କ’ଣ ମୋ’ର ଠିକ୍ କରିଦେବ ନାହିଁ ? ସେ କେତେଦିନ ଏମିତି ପାଗଳଙ୍କ ପରି ହନ୍ତସନ୍ତ ହେଉଥିବ । ସେ ଯେଉଁ ପନ୍ଥା ଧରିଛି ତୁମେ ତାହା ବିଚାର କର । ଅବାଟରେ ଯାଉଥିଲେ ବି ତାକୁ ଠିକ୍ ବାଟକୁ ଫେରାଇ ଆଣ ପ୍ରଭୁ । ତା’ର ମଙ୍ଗଳ କର ।

 

ସୁରଭି ନିଜ ଶେଯରୁ ଉଠି ବସି ଖୋଲା ଆକାଶକୁ ଚାହିଁ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲା । ଦୁଇଗାଲରେ ଗଡ଼ି ଆସିଥିବା ଦି’ଧାର ଲୁହକୁ ନିଜ ହାତରେ ପୋଛିଦେଇ ସଜାଡ଼ି ହୋଇ ଦମ୍ଭହୋଇ ବସିଲା ।

 

ଅସୀମ ପ୍ରଶାନ୍ତ ଆକାଶ ।

 

ତା’ ଭିତରେ ବହୁ ଦରକାର ଉଜ୍ଜ୍ଵଳ ରୋଷଣୀ; ଗୋଟିଏ ମନରେ ବିଭିନ୍ନ ପ୍ରବୃତ୍ତିର ରାଜତ୍ଵ ପରି । ଆକାଶରେ କେତୋଟି ସ୍ଥିର ଉଦ୍ଦୀପ୍ତ ଗ୍ରହ ପରି ସେ ତା’ ମନର କେଉଁ ଉପାନ୍ତରେ କେତୋଟି ଲକ୍ଷ୍ୟକୁ ନିଥର ନିଶ୍ଚଳ କରିବାକୁ ଇଚ୍ଛା କଲା ।

 

ତା’ ଜୀବନ ନଈକୁ ଯେତେ ସଂଘର୍ଷର ବାଲିବନ୍ଧ ବାଧା ଦିଅନ୍ତୁ ପଛକେ ସେ କିନ୍ତୁ ସେମିତି ଉଚ୍ଛଳ ହୋଇ ଦୁଇ କୂଳକୁ ହସାଇ ବହି ଚାଲିଥିବ ।

 

ଗୋଟିଏ କୂଳ ତା’ରି ପ୍ରିୟତମ ସମୀର ଓ ଅନ୍ୟକୂଳ ତା’ର ପାଗଳ ତପନ ଭାଇ ।

 

ସେମାନେ ହସିବେ । ସେ ହସାଇ ହସାଇ ହସିବ । ଏହି ହସର ଫୁଆରା ଭିତରେ ସେ ତା’ ସଂକ୍ଷିପ୍ତ ଜୀବନକୁ ସର୍ବାନ୍ତଃ କରଣରେ ଉପଭେଗ କରି ସମାପ୍ତ କରିଦେବ ।

 

ଏକ ଅପୂର୍ବ ଆତ୍ମପ୍ରତ୍ୟୟରେ ଉଲ୍ଲସିତ ହୋଇ ସୁରଭି ଶୋଇବାକୁ ଗଲା । ସୁରଭିର ହେତୁ ନ ଥିଲା ତା’ ଘରର ଦରଜା ବନ୍ଦ କରିବା ପାଇଁ । ପାହାନ୍ତାର ଶୀତଳ ପବନ ସ୍ପର୍ଶରେ ସୁରଭିକୁ କେତେବେଳେ ନିଦ ଆସି ଯାଇଥିଲା ।

 

ହଠାତ୍ ସେହି ନିଦ ମଝିରେ ତା’ର ସ୍ୱପ୍ନ ଦେଖିଲା ପରି ମନେ ହେଲା, ତା’ ଦେହ ଗୋଟାକଯାକ ଯେପରି ପୁଳା ପୁଳା ତେଲଗୁଣି ପୋକ ସାଲୁସାଲୁ ହୋଇ ମାଡ଼ିଯାଉଛନ୍ତି ।

 

ସୁରଭିର ହଠାତ୍ ନିଦ ଭାଙ୍ଗିଗଲା ।

 

ସେ ଶୁଣିଲା ତା’ ମୁହଁ ପାଖରେ ହିଂସ୍ର ଜନ୍ତୁ ପରି ଯେପରି କିଏ ଗୋଟାଏ ସଁ ସଁ ହେଉଛି ଏବଂ କଡ଼ା ମଦର ପୁଳାଏ ଉତ୍କଟ ଗନ୍ଧ ତାକୁ ଯେପରି ଶ୍ଵାସରୁଦ୍ଧ କରାଇ ଦେଉଛି ।

 

ବସ୍ମୟ ଚକିତ ସୁରଭି ଭୟରେ ଜଡ଼ସଡ଼ ହୋଇ ବେଡ଼ଲାଇଟ୍‍ଟା ଜଳାଇ ଚିତ୍କାର କରି ଉଠିଲା, କିଏ ?

 

ସୁରଭି ଆଲୁଅରେ ଯାହା ଦେଖିଲା ଲାଜ ଏବଂ ଆକଣ୍ଠ ଘୃଣାରେ ତା’ ଦେହ ଶୀତେଇ ଉଠିଲା ।

 

ପ୍ରାୟ ନଗ୍ନ ଜଘନ୍ୟ ସାଗର ମହାପାତ୍ର ଏଇ ତା’ ଘରୁ ଏକ ଦୁର୍ବଳ ପଶୁପରି ପଳାଉଛି । ତା’ ଦେହର ବେନିୟନଟା ଏବେ ବି ଘର ଚଟାଣରେ ପଡ଼ି ରହିଛି ।

 

ସୁରଭି ସେ ଅଶ୍ଳୀଳ ଘୃଣ୍ୟ ଦୃଶ୍ୟରେ ନିଃସହାୟ ଓ ଅସ୍ଥିର ହୋଇ ସାଙ୍ଗେ ସାଙ୍ଗେ ତା’ ବୋଉକୁ କାନ୍ଦି କାନ୍ଦି ଏ କଥା କହିବାରୁ ଶ୍ୟାମାମଣି ଚୁପ ଚୁପ କରି କହିଲେ, ମା’ ଭିତରୁ କବାଟ ଦେଇ ଶୋଇବୁ ଯା । ଚାକର ବାକରମାନେ ଏକଥା ଶୁଣିଲେ କ’ଣ ଭାବିବେ କହିଲୁ ।

 

ବୋଉର ଏ କଥାରେ ସୁରଭି ଯେପରି ଆହୁରି ଅସହାୟ ହୋଇ ଉଠିଲା । ସେ ଚଞ୍ଚଳ ପଦକ୍ଷେପରେ ନିଜ ଶେଯରେ ଲୋଟିଯାଇ କେବଳ କାନ୍ଦିଲା । ଆଉ ସେଇ କାନ୍ଦ କାନ୍ଦ ନିଶ୍ୱନ ପରିବେଶରେ ସମୀର ସତେ ଯେପରି ଏକ ଦେବୋପମ ସ୍ଵର୍ଗ ଦୂତ ପରି ତା’ ଆଗରେ ଉଭା ହୋଇଗଲା । ଆଉ ସୁରଭୀ ଏକ ମଗ୍ନା ପୂଜାରିଣୀ ପରି ସେଇ ତା’ର ସ୍ୱପ୍ନର କାନ୍ତି ପୁରୁଷ ସମୀର ପଦ ପ୍ରାନ୍ତରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଅଜାଡ଼ି ଦେଇ ମନରେ ଦମ୍ଭ ଓ ଧୈର୍ଯ୍ୟ ଆଣି ରାତିର ଅବଶିଷ୍ଟାଂଶକୁ କଟାଇଦେଲା ।

 

ସାତ

 

ସୁରଭି ଭାବୁଥିଲା ତା’ ବୋଉ ପାଖରୁ ଏକଥା ଶୁଣି ବାପା ସେ ସାଗର ମହାପାତ୍ରକୁ ସାଙ୍ଗେ ସାଙ୍ଗେ ଜୋତା ମାରି ଘରୁ ନିକାଲି ଦେବେ ଏବଂ ସେ ଯାହାହେଉ ଏକ ଦୃଷ୍ଟଗ୍ରହ କବଳରୁ ରକ୍ଷା ପାଇଯିବ । କିନ୍ତୁ ତାକୁ ତ ବାହାର କରିବା ଦୂରର କଥା, ପଦେ ହେଲେ ବି ଆକଟ କରି ସେ କିଛି କହିଲେ ନାହିଁ; ବରଂ ସବୁଦିନ ପରି ତା’ ସହିତ ସେଇ ସ୍ୱାଭାବିକ ହସଖୁସି କଥାବାର୍ତ୍ତା ।

 

ପ୍ରକୃତରେ ବାପାଙ୍କର ଇଏ କି କଥା ?

 

ସୁରଭି ଅସମ୍ଭବ ବିରକ୍ତ ଓ ଅସହାୟତାରେ ଅସ୍ଥିର ହୋଇ ଯେତେବେଳେ ଟିକିଏ ଉତ୍ସାହ ପାଇବା ପାଇଁ ସମୀର ପାଖକୁ ଗଲା, ସତକୁ ସତ ସେ କିପରି ଦାରୁଣ ଶୂନ୍ୟତାରେ କାନ୍ଦି ପକାଇଲା ।

 

ସମୀର ନାହିଁ ।

 

ସମୀର ତେବେ କାହିଁକି ଫେରିନାହାନ୍ତି ?

 

ମଫସଲର କେଉଁ ଗାଆଁର ହରିଜନ ଆନ୍ଦୋଳନରେ ଭାଗ ନେବାକୁ ସେ ଦୁଇଦିନ ହେଲା ଗଲେଣି । ଗଲାବେଳେ ସେ ତାକୁ ବାରମ୍ବାର କହିଯାଇଥିଲେ ଗଲା କାଲି ରାତିରେ ଫେରିବେ ବୋଲି । ତେବେ କ’ଣ ହେଲା ?

 

କ’ଣ ହେଲା ତା’ର ପ୍ରାଣ ପ୍ରୀୟ ସମୀରର ?

 

ସେ କ’ଣ ଏମିତି ତାଙ୍କର ଘରେ ସେ କଦର୍ଯ୍ୟ ରାକ୍ଷସଟାର କବଳରେ ଏମିତି ଅସମ୍ମାନିତା ହେଉଥିବ । ଅଥଚ ତା’ର ଉଦ୍ଧାରର କ’ଣ କୌଣସି ଉପାୟ ନାହିଁ ? ତେବେ ସମୀର କାହିଁ ? କ’ଣ ତାଙ୍କର କିଛି ଅସୁବିଧା ହେଲା କି ?

 

ପ୍ରକୃତରେ ମଣିଷ ଯାହାକୁ ଯେତେ ଅଧିକ ଭଲପାଏ ତା’ର ବିପଦର ବୃଥା ଆଶଙ୍କା କରି ସେ ଉଦ୍‍ବିଗ୍ନ ହୋଇଉଠେ । ସୁରଭିର ସେଇଆ ହେଲା । ତା’ର ଅନ୍ତରର ସମସ୍ତ ନିଭୃତ କୋଣ ଅନୁକୋଣ କିପରି ଗଭୀର ଉଦ୍‌ବେଗ ଓ ଅତିଶୟ ଆଶଙ୍କାରେ ଅସ୍ଥିର ହୋଇ ଉଠିଲା ।

 

ସେ ଶୁଣିଥିଲା ଜମି ମାଲିକମାନେ ସେ ଆନ୍ଦୋଳନକୁ ଦବାଇବାକୁ କେତେକ ଗୁଣ୍ଡା ଭଡ଼ା ନେବାପାଇଁ ମସୁଧା କରୁଥିଲେ । ତେବେ...ହେ ଭଗବାନ ! !

 

ସୁରଭି ହତାଶାରେ ହନ୍ତସନ୍ତ ହୋଇ ସମୀର ଦୁଆର ମୁହଁର ସେ ପକ୍‌କା ବେଞ୍ଚ ଉପରେ ତଳକୁ ମୁହଁକରି ନଥ କରି ବସି ପଡ଼ଲା । ହଠାତ୍ କାହାର ଆସୁଥ‌ିବାର ପଦଶବ୍ଦ ଶୁଣି ସୁରଭି ଅତିଶୟ ଉତ୍‌କଣ୍ଠାରେ ବିଚାରି ନେଲା ସମୀର କି ?

 

ନା’ ପୂରବୀ ମହାନ୍ତି ତା’ ଆଡ଼କୁ ହସି ହସି ଆସୁଛି ।

 

ପୂରବୀ ତା’ ପାଖରେ ବସି ଯାଉଁ ଯାଉଁ ସୁରଭି ଉତ୍ସୁକ ସ୍ୱରରେ ପଚାରିଲା, ସମୀର କ’ଣ ଫେରି ନାହାନ୍ତି ପୂରବୀ ।

 

ପୂରବୀ ସୁରଭିର ଏ ବାତୁଳପ୍ରାୟ ଆକୁଳ କଥାରେ ସାମାନ୍ୟ ମାତ୍ର ବିଚଳିତ ନ ହୋଇ ଏକ ଉଚ୍ଛୁଳା ବନ୍ୟ ନଦୀଟି ପରି ଖିଲି ଖିଲି ହୋଇ ହସି ଉଠିଲା । ସେଇ ହସର ଲହରୀ ଭିତରେ ନିଜର ପରିହାସ ମିଶା ସ୍ୱରକୁ ନଚେଇ ନଚେଇ କହିଲା, କ’ଣ ସମୀର ସହିତ ପ୍ରେମ କରି କିଛି ଅସୁବିଧାରେ ପଡ଼ି ଯାଇଛୁ କି ? ଆଉ କାନ୍ଦି କାନ୍ଦି ଧାଇଁ ଆସିଛୁ ପ୍ରେମିକଙ୍କ ଆଗରେ ନିବେଦନ କରିବାକୁ-ତୋତେ ସାଙ୍ଗେ ସାଙ୍ଗେ ଗ୍ରହଣ କରି କଳଙ୍କମୁକ୍ତ କରିବା ପାଇଁ ! ଦେଖିବୁ ରହିଥା ସୁରଭି, ତୋତେ ଯଦି ସେ ସାତପଟା ଚିତାକାଟି ନ ଛାଡ଼ିଛି ତେବେ ମୋ ନାଁ ପୂରବୀ ନୁହେଁ ।

 

ପୂରବୀର ଏ ତାତ୍ସଲ୍ୟ କଥାରେ ସୁରଭି ସମ୍ଭବତଃ ବୋକୀ ହୋଇଯାଇଥିଲା । ପରେ ନିଜକୁ ପ୍ରକୃତିସ୍ଥ କରି ସେ ପରିଷ୍କାର କଣ୍ଠରେ କହିଲା, ଦେଖ ପୂରବୀ, ସମୀର ସାଧାରଣ ପୁରୁଷଙ୍କ ପରି ଏତେଟା ଶସ୍ତା ନୁହନ୍ତି ତୋ’ଠାରୁ ମୁଁ ତାଙ୍କୁ ଅଧିକ ବୁଝିଛି, ଅଧିକ ଜାଣିଛି ।

 

ସୁରଭି କଥାରେ ପୂରବୀ ହସି ହସି ବେଦମ ହୋଇ କହିଲା, କେଉଁ ବହିରେ ପଢ଼ିଥିଲି ଯେ ଝିଅମାନେ ନିଜ ପ୍ରେମିକର ପ୍ରଶଂସା ବଖାଣିଲା ବେଳେ ସେଥିରେ କିଛି କାଳ୍ପନିକ ମିଥ୍ୟା ପ୍ରଶସ୍ତି ଜାଣି ଜାଣି ମିଶାଇ ଭାରି ଫୁଲେଇ ହୁଅନ୍ତି । ସତରେ ସୁରଭି ତା’ର ପ୍ରମାଣ ଆଜି ମୁଁ ତୋ’ଠାରେ ପାଇଲି ।

 

ଇଲୋ ହେ ହୁଣ୍ଡୀ, ପ୍ରେମଇ ପାଗଳିନୀ ରାଈ ! ସବୁ ପ୍ରେମିକ ଏକା । ପ୍ରେମ କଲାବେଳେ ନିଜ ବାହାଦୁରୀ ଦେଖାଇ ଥୋଡ଼ାଏ ଡାହାମିଛ ଗପି ଆମ ହୃଦୟକୁ କିଣି ନିଅନ୍ତି । କାମ ସରିଗଲେ ଖାଲି ମଦ ବୋତଲ ପରି ଆମକୁ ଗଡ଼ାଇ ଦେବାରେ ସେମାନେ ଭାରି ଓସ୍ତାଦ । ଏ କଥା ଯଦି ତୁ ନ ବୁଝିଛୁ, ତେବେ ପ୍ରମାଣ ପାଇବାକୁ ଆଉ ବହୁତ ଡେରି ନାହିଁ ।

 

ସୁରଭି ବିରକ୍ତ ହୋଇ କହିଲା, ତୋର ଏମିତି ଏଣୁ ତେଣୁ ଗପିବା ସ୍ଵଭାବ ଏକ ଅଭ୍ୟାସରେ ପଡ଼ିଗଲାଣି । ସତରେ ଏମିତିକା କଥା ମୋତେ ମୋଟେ ଭଲଲାଗେ ନାହିଁ ।

 

ହଁ, ମୋ’କଥା ତୋତେ ଭାରି ଚିଟା ଲାଗୁଥିବ, ହେଲେ ତୋ’ ପ୍ରେମିକପ୍ରବରଙ୍କ କଥା ତୋତେ ଭାରି ମିଠା ଲଗୁଛି, ନୁହେଁ !

 

ପୂରବୀର କଥାକୁ କାନ ନ ଦେଇ ସୁରଭି ରାସ୍ତାର ଲୋକ ଆତଯାତ ମଧ୍ୟରେ ତା’ ସମୀରକୁ ଖୋଜୁ ଖୋଜୁ କିପରି ଅନ୍ୟମନସ୍କ ହୋଇ ପଡ଼ୁଥାଏ ।

 

ପୂରବୀ ଏଥରକ ସୁରଭିକୁ ହଲେଇ ଦେଇ କହିଲା, ମୁଁ ଯାହା ଦେଖୁଛି, ତୁ ଆଉ ତୋ ଅକ୍ତିଆରରେ ନାହୁଁ । ସତରେ ଭଲପାଇବାର କିମିଆଁରେ ତୁ ତ ନିଜକୁ ସମ୍ପୂର୍ଣ୍ଣ ଭାବରେ ହରେଇ ଦେଇ ସାରିଲୁଣି । ମୁଁ କ’ଣ ବୁଝିପାରୁନି ! ତୁ ସିନା ଏଠାରେ ସଶରୀରରେ ବସିଛୁ, ହେଲେ ତୋ’ର ମନପକ୍ଷୀ ସମୀରର ରୂପବନରେ ଉଡ଼ିବୁଲୁଛି ନୁହେଁ ? ...ହଁ, ଆଲୋ ତୋ ଅନ୍ୟ ନାୟକ ସାଗର ମହାପାତ୍ରର ହାଲଚାଲ କ’ଣ ?

 

ସାଗର ମହାପାତ୍ର ପୁଣି ତା’ର ଅନ୍ୟ ନାୟକ ! ସୁରଭି ପୂରବୀର ଏପରି କଥାରେ ବିସ୍ମୟବିମୂଢ଼ା ହୋଇଉଠିଲା । ସତରେ ସାଗର ମହାପାତ୍ରକୁ ଏ ପୁଣି ଚିହ୍ନିଲା କିପରି ?

 

ନିଜକୁ ଯଥେଷ୍ଟ ଭାବରେ ସ୍ୱାଭାବିକ କରି ସେ ସହଜ କଣ୍ଠରେ ପଚାରିଲା, ତୁ ତା ହେଲେ ତାକୁ ଚିହ୍ନିଛୁ ନୁହେଁ ?

ପୂରବୀ ଏକ ରହସ୍ୟମୟୀ ଅଭିନେତ୍ରୀ ପରି ପୁଣି ହସି ଉଠି କହିଲା, ଏଇ କେତେ ମାସ ମଧ୍ୟରେ ଏ ସହରର କେଉଁ ଝିଅ ତାକୁ ନ ଚିହ୍ନେ କହିଲୁ ?

ଏଥରକ ସେ ନିଜ ସ୍ୱରକୁ ଧିମା କରି କହିଲା, ତୋ’ ଦେହକୁ ସେ କେତେଥର ଛୁଇଁଲାଣି, ସତ କହିଲୁ ?

ସୁରଭି ଅସମ୍ଭବ କ୍ରୋଧରେ ଉତ୍ତେଜିତ ହୋଇ ଉଠି ତା’ ପାଖରୁ ଉଠି ଯାଉଁ ଯାଉଁ, ପୂରବୀ ତାକୁ ଟାଣି ଆଣି, ପାଖରେ ବସାଇ ସେମିତି ନିର୍ବିକାର କଣ୍ଠରେ କହିଲା, ତୁ ରଗିଲୁ କି ସୁରଭି ! ତୁ ଧନୀ ଦୁଲାଳୀ । ତୋ’ ପେଟ କ’ଣ କେବେ ଭୋକରେ ପୋଡ଼ିଯାଉଛି ? ତେଣୁ ତୁମେ କେବଳ ତୁମର ଦେହ ଓ ମନର ଉଚ୍ଚାଟନକୁ ଶୀତଳ କରିବା ପାଇଁ ଅନ୍ୟ ପୁରୁଷ ପାଖରେ ତୁମର ଦେହ ଦାନ କର । ଆଉ ଆମେ ପେଟ ବିକଳରେ ଭୋକରେ ଆଟୁପାଟୁ ହୋଇ ଆମ ମନକୁ ଜାଳିପୋଡ଼ି ଏ ଦେହଟା ବିକି ଯଦି କେତେଟା ଟଙ୍କା ରୋଜଗାର କରୁ, ତେବେ କ୍ଷତି କ’ଣ ? ଏ ଦୁନିଆରେ ସାଗର ମହାପାତ୍ର ପରି ଟଙ୍କା ଦେଇ ଆମକୁ ବ୍ୟବହାର କରିବା ଲୋକଙ୍କର ଅଭାବ ନାହିଁ ଲୋ ସୁରଭି !

ପୂରବୀ !!

କ’ଣ ଚମକି ପଡ଼ିଲୁ କି ?

ତୁ ମୋ ସାଙ୍ଗରେ ମାଟ୍ରିକ୍ ପାସ୍‍ କରି ଅୟସରେ ରାଜନନ୍ଦିନୀ ପରି ବଢ଼ି ବର୍ତ୍ତମାନ କଲେଜରେ ପଢ଼ୁଛୁ; ଆଉ ମୁଁ….

ପୂରବୀର କଣ୍ଠରୋଧ ହେଲା । ସେ ଏକ ଗଭୀର ଦୀର୍ଘଶ୍ୱାସ ନେଇ ଆଉ କିଛି କହି ପାରିଲା ନାହିଁ ।

ସୁରଭି ଦେଖିଲା ପୂରବୀ ଆଖିରେ ଲୋତକର ବନ୍ୟା ଉଛୁଳି ଉଠିବାକୁ ଆରମ୍ଭ କଲାଣି-। ପୂରବୀ ପ୍ରତି କାହିଁକି କେଜାଣି ସୁରଭିର ଭାରି ଦୟା ହେଲା ।

ସେ ପୂରବୀର ଆଖିରୁ ଲୁହ ପୋଛିବାକୁ ଯାଉ ଯାଉ ପୂରବୀ ନିଜେ ତା’ ଆଖିରୁ ନିର୍ଲିପ୍ତ ଭାବରେ ଲୁହ ପୋଛି କହିଲା, ବାପା ମୋର ଭାରି ଇଚ୍ଛା କରିଥିଲେ, ମୋତେ ଅନ୍ତତଃ ମାଟ୍ରିକ୍‌ ପାସ୍‍ କରେଇ ଦେଲେ ତାଙ୍କ ମୁଣ୍ଡରୁ ମୋ ବାହାଘର ଚିନ୍ତାଟା ଦୂର ହୋଇଯିବ । କିନ୍ତୁ ହେଲା କ’ଣ-!

ଏ ଦେଶରେ ଯେତେ ଯେ ଶିକ୍ଷିତ…ଶିକ୍ଷିତ ନୁହେଁ ଲୋ, ଡିଗ୍ରୀଧାରୀ ପାଠୁଆ, ତାଙ୍କର ଯୌତୁକ ଦାବି ସେତେ ବହୁତ । ତୁ କହିଲୁ ସୁରଭି, ମୁଁ ଆଉ କେତେଦିନ ବାପା, ମା’ଙ୍କ ଉପରେ ବୋଝହୋଇ ରହିଥ‌ିବି ?

ସୁରଭି ପୂରବୀ ଆଖିରୁ ଲୁହ ପୋଛିଦେଇ ଦୃଢ଼ କଣ୍ଠରେ କହିଲା, ମୁଁ ସବୁକଥା ବୁଝୁଛି ପୂରବୀ; କିନ୍ତୁ ଆମ ପେଟ ପାଇଁ କ’ଣ ଆମର ନାରୀତ୍ୱକୁ, ଆମର ପବିତ୍ର ଆଦର୍ଶକୁ ଏମିତି କେତେଟା ଲମ୍ପଟଙ୍କ ପାଖରେ ଅତି ଶସ୍ତା ଭାବରେ ସମର୍ପି ଦେବା ?

ପୂରବୀ ହସିଲା, ମ୍ଳାନ ସଂକ୍ଷିପ୍ତ ହସ । କହିଲା, କେବଳ ମୋ ପେଟ ନୁହେଁ ଲୋ ସୁରଭି, ମୋ ସାଙ୍ଗରେ ଆହୁରି ଦି’ଦିଟା ପେଟ । ଆମ ଘର ଦେଖିଛୁଟି ? ସେ ତ ଘର ନୁହେଁ । ଏକ ଅବରୁଧ ଆଦିମ ଗିରି ଗହ୍ୱର । ସେଇ ଅନ୍ଧାରୀ ଖୋପ ଭିତରେ ମୋ ରୋଗିଣୀ ବୋଉର ବିକଳ ଚିତ୍କାର ଆଉ ମୋ ବାପାଙ୍କର ଏ ବୁଢ଼ା ବୟସରେ ଜାଲଜାଲୁଆ ଆଖିରେ ଠୁଙ୍ଗା ତିଆରି କରିବାର ଦୃଶ୍ୟ କେଉଁ ଝିଅ ସହିପାରିବ କହିଲୁ ? ତାଙ୍କୁ ପୋଷିବାକୁ ମୋ ବ୍ୟତୀତ ଆଉ କିଏ ଅଛି ?

 

ବେଳେ ବେଳେ ମୋର ମନ ଭାରି ହେଉଛି, ସେ ଶ୍ୱାସରୋଧୀ ଦୃଶ୍ୟକୁ ଦେଖି ଅତ୍ୟନ୍ତ ଆଶ୍ୱସ୍ତିବୋଧ କରିବା ଅପେକ୍ଷା କୁଆଡ଼େ ଘରଦ୍ୱାର ଛାଡ଼ି ପଳାଇ ଯାଆନ୍ତି । କିନ୍ତୁ ମୋତେ କିଏ ଆଶ୍ରୟ ଦେବ ? ପ୍ରତ୍ୟେକ ଝିଅ ଚାହାନ୍ତି ତା’ର ମନୋନୀତ ସ୍ଵାମୀଟି ଚରିତ୍ରବାନ ହୋଇଥିବ, ସୁନ୍ଦର ହୋଇଥିବ । କିନ୍ତୁ ମୋତେ ବିନା ଯୌତୁକରେ ଏପରି ପୁରୁଷ ମିଳିବ କେଉଁଠି ? ସୁରଭି ଆଶ୍ଵାସନା ଦେଇ କହିଲା, ତୁ ଏମିତି ଅଧୈର୍ଯ୍ୟ ହେଲେ ଚଳିବ ପୂରବୀ । ଦେଖିବୁ ରହିଥା ତୋତେ ଜଣେ ନିଶ୍ଚୟ ଚନ୍ଦ୍ରଉଦିଆ ବର ଘରଣା କରି ତା’ ଘରକୁ ନେଇଯିବ ।

 

ପୂରବୀ ଏଥରକ ବହୁତ ହସିଲା । ହସି ହସି ବେଦମ ହୋଇଯାଇ କହିଲା, କ’ଣ କହିଲୁ ଚନ୍ଦ୍ରଉଦିଆ ବର ! ଆଲେ, ସେ ସ୍ଵପ୍ନ ମୋର କଟିଗଲାଣି । ମୋର ଏବେ ଦରକାର ଏକ ପ୍ରେମିକ କି ଲମ୍ପଟ ପୁରୁଷ ।

 

ମାନେ...... ?

 

ଆଲୋ ବୁଝି ପାରୁନୁ ! ବୋକୀଟା । ଆରେ ଯେ ପ୍ରେମିକ ସେ ବହୁଦିନ ପ୍ରେମ କରି କରି ଆଶ୍ୱସ୍ତି ଅନୁଭବ କରି ମୋ ଆଡ଼କୁ ଅନାଇପାରେ, ନ ହେଲେ ଜଣେ ଲମ୍ପଟ ପୁରୁଷ ବହୁ ନାରୀ ସଂସର୍ଗ ଦ୍ୱାରା ଉନ୍ମାଦ ହୋଇ ମୋତେ ନିଜର କରିବାକୁ ମନ ବଳାଇପାରନ୍ତି । ...ଇଲୋ, ମୋ ଆଡ଼କୁ ଏମିତି କଟମଟ କରି ଚାହୁଁଛୁ କ’ଣ ? ତୋ’ର କ’ଣ ହେଲା କି ?

 

ସୁରଭି ଢୋକ ଗିଳି କହିଲା, ନାହିଁ କିଛି ନାହିଁ...ହଁ, ତୁ ଏଠାକୁ ଆସିଥିଲୁ କାହିଁକି ? ସମୀର ପାଖରେ ତୋ’ର କ’ଣ କିଛି କାମ ଥିଲା କି ?

 

ପୂରବୀ ଏଥରକ ପୁଣି ଏକ ରହସ୍ୟମୟୀ ନାୟିକା ପରି ହସି ଉଠିଲା । ଆଉ ସେ ହସର ଉତ୍ତାଳ ତରଙ୍ଗମାଳାରେ ସୁରଭିର କୋମଳ ସରଳ ମନ ଦୋଳାୟମାନ ହୋଇ ଯେପରି କିଛି ଠିକ୍ କରି ପାରୁ ନ ଥିଲା । ପୂରବୀ କାହିଁକି ଏମିତି ହସୁଛି ? କାହିଁକି ? କାହିଁକି ?

 

ପୂରବୀ ହସ ବନ୍ଦ କରି ଦମ୍ ନେଲା l କହିଲା, ସମୀର କ’ଣ ତୋର ଏକା ସୁରଭି ! ସେ ଆଜି ସମସ୍ତଙ୍କର । ଚାକିରି ନ କରି ସେ ଯେଉଁ କାମରେ ଆଜି ହାତ ଦେଉଛନ୍ତି, ବହୁ ଲୋକ ସହିତ ସମ୍ପର୍କ ପ୍ରତିଷ୍ଠା ନ କଲେ ସେ କ’ଣ ସେ କାମରେ କେବେ ଆଗେଇ ପାରିବେ ?

 

ମୁଁ ତ ତାଙ୍କ ପାଖକୁ ଆଜି ଆସୁନାହିଁ, ଆସୁଛି ପ୍ରାୟ ତିନି ଚାରିମାସ ହେଲା ରାଜନୀତି କାମରେ ।

 

ସୁରଭି କିପରି ଅସୂୟାରେ ଅସ୍ଥିର ହୋଇଉଠି କହିଲା, କ’ଣ କହିଲୁ ! ତୁ କରିବୁ ରାଜନୀତି, ଯାହାର ନୀତିଜ୍ଞାନ ନାହିଁ, ସାମାଜିକ ଶୃଙ୍ଖଳାବୋଧ ନାହିଁ, ସମ୍ମାନ ଜ୍ଞାନ ନାହିଁ, ସେ ଯଦି କୌଣସି ରାଜନୀତି ଦଳରେ ମିଶେ, ସେ ଦଳର ସ୍ଥିତି ତଳକୁ ତଳକୁ ଯାଏ ଜାଣିଲୁ ?

 

ପୂରବୀ ଓଠରେ ପୁଣି ଏକ ହସର ଉଦ୍‌ବେଳନ ଚହଟି ଉଠିଲା । ସେ ହସ ହସ ସ୍ୱରରେ କହିଲା, ଧର୍ମ, ନୀତି ଆଦି ବଡ଼ ବଡ଼ କଥା ତୁମ ପରି ଧନୀ ଲୋକମାନଙ୍କ ମୁହଁରେ ଶୋଭାପାଏ, ବୁଝିଲୁ ? ଆଉ ଏହି ମୁହଁକଥା ପଛରେ ତୁମର ଶୋଷଣ ଓ ପେଷଣ ନୀତି କାମ କରେ । ଅଥଚ ଏଗୁଡ଼ାକ ଆମ ମୁହଁରେ କେବଳ ନିଜର କଲବଲ ମନକୁ ସାନ୍ତ୍ୱନା ଦେବା ପାଇଁ ଆତ୍ମସନ୍ତୋଷର ବାଣୀ । ଆମର ମାନସମ୍ମାନ କ’ଣ ?

 

ପେଟ ପୋଷ । ନାହିଁ ଦୋଷ । ହଁ......

 

ହଠାତ୍ ବାହାରେ ଏକ ପଟୁଆରର କାନଫଟା ସ୍ଳୋଗାନରେ ପୂରବୀ କଥା ଅଧା ରହିଗଲା । ସୁରଭି ଉଚ୍ଚକିତ ହୋଇଉଠି ଭାବିଲା—ଇଏ ପୁଣି କି ବିକ୍ଷୋଭ ? ଏଥିରେ କ’ଣ ସମୀର ନେତୃତ୍ୱ ନେଇଛନ୍ତି କି ?

 

ତା’ର ସନ୍ଦେହକୁ ପରିଷ୍କାର କରି ପୂରବୀ କହିଲା, ଆଜି କେତେକ ଶିକ୍ଷିତ ବେକାର ଏମ୍ପ୍ଳୟମେଣ୍ଟ ଏକ୍‌ସଚେଞ୍ଜ ଅଫିସ ଆଗରେ ଏକ ବିକ୍ଷୋଭ କରିବେ ବୋଲି ମୋତେ ସମୀର ବାବୁ କହିଥିଲେ । ତେବେ ସମ୍ଭବ ସେହି ହେଉଛି ଏହି ପଟୁଆର ।

 

ସୁରଭି ପ୍ରଲୁବ୍‌ଧ ଦୃଷ୍ଟିରେ ଦେଖିଲେ ଏକ ବିରାଟ ପଟୁଆର ରାସ୍ତାରେ ଆଗକୁ ଆଗକୁ ମାଡ଼ି ଆସୁଛି, ଆଉ ସେହି ପଟୁଆରର ନେତୃତ୍ୱ ନେଇଛି ସତକୁ ସତ ତା’ର ପ୍ରାଣପ୍ରତିମ ସମୀର ରାୟ ।

 

ସୁରଭି ଲକ୍ଷ୍ୟ କଲା, ସମୀର ଦୃଷ୍ଟିରେ ସ୍ପର୍ଦ୍ଧିତ ଚାହାଣୀ । ଆଉ ତା’ର ବକ୍ରମଗତିରେ ଯେପରି କୋଟି କୋଟି ବିପ୍ଳବର କାହାଣୀ ଲେଖା ହୋଇଯାଉଛି... ! ସମୀର ସ୍ଲୋଗାନ ଦେଉଛି । ହାତ ମୁଠାକୁ ଟାଣ କରି, ଦୃଢ଼ଭାବରେ ଉପରକୁ ଟେକି ବଜ୍ରନିନାଦୀ କଣ୍ଠରେ । ଆଉ ସେଇ ନିର୍ଦ୍ଦୋଷର ପ୍ରତିଧ୍ୱନି ଆଲୋଡ଼ନ ସୃଷ୍ଟି କରୁଛି ତା’ର ହୃଦୟର ସମସ୍ତ ତନ୍ତ୍ରୀରେ ।

 

ପଟୁଆର, ହେଇ ତାଙ୍କ ପାଖ ଦେଇ ଚାଲିଯିବା ଉପରେ ।

 

ସମୀରକୁ ସେ ବହୁଥର ତା’ ନିକଟରେ ଭାବପ୍ରବଣ ପ୍ରେମିକ ଭାବରେ ଦେଖିଥିଲା, ତା’ର ଥରିଲା ପୀତିପୂର୍ଣ୍ଣ କଣ୍ଠସ୍ୱର ସେ ଶୁଣିଥିଲା । କିନ୍ତୁ ଆଜି... ସମୀରର ସେ ଉଦ୍ଧତ ବକ୍ଷରେ ଅପ୍ରମିତ ଶକ୍ତି....ମୁଖମଣ୍ଡଳରୁ ନିର୍ଗତ ଜ୍ୟୋତି, ତା’ର ସୁନ୍ଦର ଚକ୍ଷୁରେ ଶାଣିତ ଦୀପ୍ତି, ସମସ୍ତ ଅବୟବରେ ପ୍ରମତ୍ତ ପୌରୁଷର ସ୍ୱାକ୍ଷର...ସବୁ ମିଶାମିଶି ହୋଇ ଯେପରି ଏକ ଅଖଣ୍ଡ ଦୁର୍ବାର ଝଡ଼ରେ ପରିଣତ ହୋଇଯାଇଛି ଏବଂ ସେ ଝଡ଼ ମାଡ଼ି ଆସୁଛି, ମାଡ଼ି ଯାଉଛି । ଆଗକୁ...ଆହୁରି ଆଗକୁ… ।

 

ସୁରଭି ଗଭୀର ଆତ୍ମତୃପ୍ତି ଓ ଜାଗୃତିରେ ରୋମାଞ୍ଚିତା ହୋଇ ଉଠିଲା ।

 

କିଏ କହେ ସମୀର ସର୍ବହରା । ଦରିଦ୍ର କାଙ୍ଗାଳ ଭିକ୍ଷୁ ? ଶତ ଶତ ଅଶାନ୍ତ ମନର ବାର୍ତ୍ତାବହ ଏହି ଉଚ୍ଛଳ ଝରଣାଟି କେତେ ପ୍ରଖର ! କେତେ ସୁନ୍ଦର... !!

 

ଆଃ ! ଏ ପୁରୁଷ ନିକଟରେ ସେ କେତେ ସାମାନ୍ୟ ସତେ ! ସତେ କ’ଣ ଏ ସମୀର ତା’ର ? ଏକାନ୍ତ ଭାବରେ ତା’ର ? ନା, ପୂରବୀ କଥାରେ ସେ ସମସ୍ତଙ୍କର ।

 

ସମୀର ପ୍ରତି ତା’ର ପ୍ରୀତିମିଶା ଅନୁରକ୍ତି ଗଭୀର ଭକ୍ତିରେ ପରିଣତ ହୋଇ ତା’ର ମଥାନତ କରିଦେଲା ।

 

ଅଭିଭୂତା ସୁରଭି ଦୃଷ୍ଟିକୁ ସାଙ୍ଗରେ ଟାଣି ଟାଣି ପ୍ରୋସେସନ ଆଗେଇ ଚାଲିଛି…..ସମୀର ଆଉ ଦେଖାଯାଉ ନାହିଁ... । ଦେଖା ଯାଉଛନ୍ତି ଶତ ଶତ ବେକାରମାନଙ୍କର ବୁଭୁକ୍ଷିତ ଅବୟବ ।

 

ସତେ ଯେପରି ସେମାନେ ମିଶାମିଶି ହୋଇ ଏକ ଅନନ୍ତ ଅଶାନ୍ତ ବିକ୍ଷୁବ୍‌ଧ ସାଗରର ଲହରୀ ପରି ଆଗକୁ ମାଡ଼ି ଯାଉଛନ୍ତି । ସ୍ଳୋଗାନ ଏବେ ବି ସୁରଭିର କାନରେ ବାଜୁଛି । ସୁରଭିର ମନେ ହେଲା, ଏ ସ୍ଳୋଗାନ ନୁହେଁ, କୋଟି କୋଟି ବୁଭୁକ୍ଷୁମାନଙ୍କର ଅନ୍ତରର ଏକ ଶକ୍ତିଶାଳୀ ଅପୂର୍ବ ଆଲୋଡ଼ନ । ଏହା କେବେହେଲେ ଅନ୍ନଂ ଦେହି...ଅନ୍ନଂ ଦେହିର କରୁଣ ଚିତ୍କାର ହୋଇ ନ ପାରେ ।

 

ଅନ୍ୟମନସ୍କ ସୁରଭି ହଠାତ୍ ସଚେତନ ହୋଇ ଉଠିଲା ପୂରବୀର ଉଠିବା ଶବ୍ଦରେ ।

 

ଆରେ ପୂରବୀ ! ତୁ କୁଆଡ଼େ ଯାଉଛୁ ?

 

ସୁରଭି ଚମକି ପଡ଼ିଲା ପରି ହୋଇ ଏ ପ୍ରଶ୍ନ କଲା ।

 

ବିକ୍ଷୋଭରେ ଯୋଗ ଦେବାକୁ ।

 

ପୂରବୀର ଗମ୍ଭୀର ସ୍ୱର ।

 

ପୂରବୀ ପ୍ରତି ସମସ୍ତ ସନ୍ଦେହ । ସମସ୍ତ ଭୁଲ ଧାରଣା ସୁରଭିର ମନରୁ ସାଙ୍ଗେ ସାଙ୍ଗେ ହଟିଯାଇ ତା’ ଆଖିରୁ ଯେପରି ଝର ଝର ହୋଇ ଝରି ପଡ଼ିଲା । ସେ ବିହଳିତ ସ୍ୱରରେ କହିଲା-ଯା’ ତୁ ପୂରବୀ । ତୁମେ ଏମିତି ଶତ ଶତ ହୋଇ ମୋ ସମୀର ସହିତ ସହଯୋଗ କରି ତାଙ୍କ ଶକ୍ତିକୁ ସୁଦୃଢ଼ କର ।

 

ପୂରବୀ ସୁରଭିର କୌଣସି କଥାକୁ ଅପେକ୍ଷା ନ କରି ଚାଲି ଯାଉଥିଲା ଏବଂ ସୁରଭି ଧ୍ୟାନମଗ୍ନ ପରି ହାତଯୋଡ଼ି ଈଶ୍ୱରଙ୍କୁ ପ୍ରାର୍ଥନା କଲା, ମୋ ସମୀରର ମଙ୍ଗଳ କର ପ୍ରଭୁ ! ତାଙ୍କର ଏହି ସଂଘର୍ଷମୟ ପଥରେ ଫୁଲ ମହୁ ବରଷୁ । କୋଟି କୋଟି କର୍ମୀ ତାଙ୍କର ଶାନ୍ତିପୂର୍ଣ୍ଣ ଅନ୍ଦୋଳନକୁ ସଫଳ କରନ୍ତୁ । ସେ ବଡ଼ ହୁଅନ୍ତୁ । ଆକାଶଠାରୁ ଆହୁରି ବଡ଼ । ତାଙ୍କର ସ୍ଥିତି ଉଜ୍ଜ୍ୱଳରୁ ଆହୁରି ଉଜ୍ଜ୍ୱଳତର କର ପ୍ରଭୁ !

 

ଆଠ

 

ଲୋକଟା ମୁହଁରୁ କ’ଣ ଲାଜ ସରମ ଏକାବେଳକେ କୁଆଡ଼େ ଉଭେଇ ଗଲା ?

 

ସେ ଦିନର ସେ ଘୃଣ୍ୟ, ଅଶ୍ଳୀଳ ଘଟଣା ପରେ ବି ସେ ଅଭଦ୍ର ସାଗର ମହାପାତ୍ରଟା ତା’ ସହିତ ନିର୍ବିକାର ଭାବରେ ହସି ହସି କଥାବାର୍ତ୍ତା କରି ଚାଲିଛି ।

 

ନା-ବାପାଙ୍କ ମୁହଁ ପାଇ ସେ ଏବେ ତାଙ୍କ ମୁଣ୍ଡ ଉପରେ ବସିବାକୁ ଆରମ୍ଭ କଲାଣି । ଓ ହୋ ଯେପରି ଏ ଘରର ସେ ଗୋଟାଏ ବଡ଼ ମୁରବି ?

 

ସୁରଭି ଦେହଟା ସାଗର ପ୍ରତି ତାତ୍ସଲ୍ୟ ଭାବରେ ଶିହରି ଉଠୁଥିଲେ ବି ସେ ନିଜକୁ ନିୟନ୍ତ୍ରଣ କରି ଆଗରେ ବସିଥିବା ସାଗର ମହାପାତ୍ରକୁ ମୁହଁ ଟେକି ଚାହିଁଲା ।

 

ସାଗର ମହାପାତ୍ର କିନ୍ତୁ ବେଶ୍ ନିର୍ଲଜ୍ଜ ପରି ସ୍ମିତ ହସି ତା’ ମୁହଁକୁ ଚାହିଁଥାଏ ।

 

ସତକୁ ସତ ସୁରଭି ଏଥରକ ରାଗରେ ଗୋଟା ସୁଦ୍ଧା ଥରି ଉଠିଲା । ସେ କର୍କଶ କଣ୍ଠରେ କହିଲା, କାହିଁକି ଆପଣ ଏମିତି ବେହିଆଙ୍କ ପରି ହସୁଛନ୍ତି ?

 

ସାଗର ମହାପାତ୍ର ସଶବ୍ଦରେ ହସିଲା ଓ ପରେ ଦମ୍ ନେଇ କହିଲା, ହସ ଉପରେ ଯେ ମଣିଷର ଏକଚାଟିଆ ଅଧିକାର । ଏ ଜଗତରେ କେବଳ ମଣିଷ ହସନ୍ତି, ପଶୁପକ୍ଷୀ କି କୀଟପତଙ୍ଗ ନୁହଁନ୍ତି ।

 

ସୁରଭି ବିରକ୍ତ ହୋଇ କହିଲା, ଜାଣିଲେ ସାଗର ବାବୁ, ଏ ହାସ୍ୟତତ୍ତ୍ୱ ଆଉ କାହା ଆଗରେ ବଖାଣିବେ ! ମୁଁ ଭଲ ଭାବରେ ଜାଣେ ଏ ଜୀବ ଜଗତରେ ମଣିଷ କେବଳ ହସେ । ଆପଣ ତ ହସୁଛନ୍ତି ବୋଲି ମୁଁ ଆପଣଙ୍କୁ ମଣିଷ ବୋଲି କହିବାକୁ ବାଧ୍ୟ ହେଉଛି । ନଚେତ୍....

 

....କ’ଣ ପଶୁ ବୋଲି କହିଥାନ୍ତ ନା ? ସାଗର ମହାପାତ୍ର ସୁରଭିର କଥାକୁ ପୂର୍ଣ୍ଣ କଲା । ଜାଣିଛ, ମଣିଷମାନେ ମଣିଷ । ଟିକିଏ ସେ ପଶୁ ସ୍ଵଭାବର ନ ହେଲେ ନାରୀମାନଙ୍କୁ ଯେ ମୋଟେ ଭଲ ଲାଗେ ନାହିଁ ।

 

ସୁରଭି ଅତିଶୟ କ୍ରୋଧରେ ବିବ୍ରତ ହୋଇ ଉଠି କହିଲା, ଅଭଦ୍ର, ଏମିତିଆ କଥା ମୋ’ ଆଗରେ କହିବାକୁ ଆପଣଙ୍କୁ ଟିକିଏ ଲାଜ ଲାଗୁନାହିଁ ? ଆପଣ ସେ ଦିନ ରାତିର ଅପକର୍ମ ପାଇଁ ଟିକିଏ ଲଜ୍ଜିତ ବି ନୁହଁନ୍ତି ? ଆଶ୍ଚର୍ଯ୍ୟ !

 

ସାଗର ଉଦ୍‌ଭ୍ରାନ୍ତ ପରି ହୋ ହୋ ହୋଇ ହସି ଉଠିଲା । ତାତ୍ସଲ୍ୟର ହସ । ସୁରଭି ତା’ ମୁହଁକୁ ବୋକା ପରି ଚାହିଁ ରହିଥାଏ–ଲୋକଟା କ’ଣ ସତରେ ପାଗଳ ହୋଇଗଲା ନା କ’ଣ ? ଯେଉଁ ଲୋକ ସେଦିନ ରାତିରେ ଚୋରଙ୍କ ପରି ତା’ ଘରୁ ପଳାଇ ଆସିଥିଲା, ତା’ ମୁହଁରେ ପୁଣି ଏପରି କଥା ? ଚୋରଙ୍କର ମୁହଁ ଟାଣ ପରା !

 

ସାଗର ଏଥରକ ହସ ବନ୍ଦ କରି କହିଲା, ଜାଣିଲ ସୁରଭି, ସେ ରାତି କଥାକୁ ତୁମେ ଏକ ଅପକର୍ମ ବୋଲି ଭାବୁଛ ନୁହେଁ ? କିନ୍ତୁ ମୁଁ ତ ସେଥିପାଇଁ ମୋଟେ ଚିନ୍ତିତ ନୁହେଁ । ....ତେବେ ଜଣେ ନାରୀ ପାଖରେ ପୁରୁଷ ଉଲଗ୍ନ ହେବ ନାହିଁ ତ, ଆଉ ହେବ କାହା ପାଖରେ ?

 

ସୁରଭିର ମନ ହେଉଥିଲା ତା ଗାଲରେ ଠାଏ ଠାଏ ଦିଇଟା ଚଟକଣା ମାରି ସେଠାରୁ ତାକୁ କୁକୁର ପରି ସାଙ୍ଗେ ସାଙ୍ଗେ ତଡ଼ି ଦିଅନ୍ତା । ନା, ଯେ ଅଭଦ୍ର ତା’ ସହିତ ଏପରି ବ୍ୟବହାର କଲେ ସେ ଆହୁରି ଅଭଦ୍ର ଉନ୍ମତ୍ତ ହୋଇ ଉଠିବ ବରଂ ଏଠାରୁ ଚାଲିଯିବା ଭଲ ।

 

ସୁରଭି ବେଶ୍ ନିଜକୁ ଯଥାସମ୍ଭବ ସଂଯତ କରିନେଲା ଓ ସେ ଘରୁ ଉଠି ବାହାରକୁ ଚାଲି ଯାଉ ଯାଉ ସାଗର ଏକପ୍ରକାର ତାକୁ ଅଟକାଇ କଣ୍ଠରେ କିଛି ଅନୁନୟତା ଫୁଟାଇ କହିଲା-ମୋ ଉପରେ ତୁମେ ରାଗିଲ ନୁହେଁ ?

 

ଆଚ୍ଛା, ସାଗର ବାବୁ ମୋତେ ଆପଣ ଏପରି ସମ୍ବୋଧନ ନ କରି ମୋତେ ଅତି ଆପଣାର ପରି ‘ଭାଇ’ ବୋଲି ଡାକିଲେ କ୍ଷତି କ’ଣ ?

 

ସୁରଭି ଆଶ୍ୱସ୍ତ ହୋଇ କଣ୍ଠ ନମ୍ର କରି କହିଲା, ମୁଁ ତ ଆପଣଙ୍କୁ ପ୍ରଥମରୁ ହିଁ ‘ଭାଇ’ ଦୃଷ୍ଟିରେ ଦେଖୁଛି । ଅଥଚ ଆପଣ ମୋତେ କ’ଣ କେବେ ଭଉଣୀ ପରି ବ୍ୟବହାର ଦେଖାଇଛନ୍ତି । ଆଜି ଆପଣ କ’ଣ ମୋତେ ଏ କଥା କହୁଛନ୍ତି ? ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୋତେ ଅନ୍ତତଃ ଟିକିଏ ଭଉଣୀ ଦୃଷ୍ଟିରେ ଦେଖନ୍ତୁ ।

 

ସାଗର ମହାପାତ୍ର ପୁଣି ପାଗଳଙ୍କ ପରି ଅଟ୍ଟହାସ୍ୟ କରି ଉଠିଲା । କହିଲା, ତପନକୁ ତୁମେ ଦେଖିଲେ ‘ଭାଇ’, ‘ଭାଇ’ ବୋଲି ପାଣି ପିଅ ନାହିଁ; ସେ କ’ଣ ସତରେ ତୁମକୁ ଭଉଣୀ ଦୃଷ୍ଟିରେ ଦେଖେ ?

 

ସୁରଭି ଆଖି ଆକାଶରେ ଯେଉଁ ନମ୍ରତା ଉଷାର ସଙ୍କେତ ମିଳୁଥିଲା, ତାହା ଆସ୍ତେ ଆସ୍ତେ ଟାଣ ହୋଇ ଯେପରି ରୁକ୍ଷତାର ମଧ୍ୟାହ୍ନ ପାଲଟିଗଲା ।

 

ସେ ସତେ ଏ ଲୋକଟାକୁ କ’ଣ କହିବ ? ରାଗରେ ଏଣୁ ତେଣୁ ଯା’ଛା ତା’ କରି ଗପି ଯିବାକୁ ଇଚ୍ଛା ହେଉଥିଲେ ମଧ୍ୟ ସେ କିଛି କହି ପାରିଲା ନାହିଁ । ସେ ଅନୁଭବ କଲା ତା’ ମୁଣ୍ଡ ଭିତରେ ଯେପରି କିଏ ରାମ୍ପି ବିଦାରି, ରକ୍ତାକ୍ତ କରି ଦେଉଛି ।

 

ସାଗର ସୁରଭିକୁ ଚତୁରତାର ସହ ନିରୀକ୍ଷଣ କଲା ଏବଂ ତା’ କଥା ଠିକ୍ ଲକ୍ଷ୍ୟ ଭେଦ କରିଛି ଜାଣି ଏକ ଅସୂୟା-ଆନନ୍ଦରେ ଉଲ୍ଲସିତ ହୋଇ କହିଲା, କ’ଣ ମୋ କଥାର କିଛି ଉତ୍ତର ଦେଉ ନାହିଁ ଯେ......ଭାଇ ବୋଲି ଡାକିଲେ କେହି ଭାଇ ହୋଇଯାଏ ନାହିଁ । ଏବେ ବି କେତେଜଣ ଅତି ଶ୍ରଦ୍ଧାରେ ନିଜର ସ୍ୱାମୀକୁ ‘ଭାଇ’ ବୋଲି ଡାକୁଛନ୍ତି; ଅବଶ୍ୟ ସେମାନେ ତାଙ୍କର ପୂର୍ବ ପ୍ରେମିକ ହୋଇଥିବେ, ତେବେ ପ୍ରେମିକକୁ ‘ଭାଇ’ ବୋଲି ସମ୍ବୋଧନ କରିବା ଗୋଟାଏ ତ ପ୍ରବଣତାର ଖିଆଲ, ସଉକ୍ । କ’ଣ କହୁଛନ୍ତି ?

 

ସୁରଭି ସାଗରର ଏ ପ୍ରକାର ଥଟ୍ଟାଳିଆ ପ୍ରଳାପରେ ଅଥୟ ହୋଇ ଉଠିଲା ।

 

ସେ ଅସ୍ଥିର କଣ୍ଠରେ କହିଲା, ଏ ବାଜେ କଥାଗୁଡ଼ାକ ଅନ୍ୟ କେଉଁ ଶଯ୍ୟାସଙ୍ଗିନୀ ପାଖରେ ଗପିଲେ ଶୋଭା ପାଇବ । ...ଆପଣଙ୍କୁ ଟିକିଏ ଲାଜ ଲାଗୁନାହିଁ । ଆପଣ କେଇଟା ଝିଅ ସହିତ ପ୍ରେମ କରିବେ କି ?

 

ସାଗର ମହାପାତ୍ର ଟିକିଏ ଦବିଗଲା । ତେବେ ବି ନିଜର କଣ୍ଠସ୍ୱର ଯଥାସମ୍ଭବ ସ୍ଵାଭାବିକ କରିବାକୁ ଚେଷ୍ଟା କରି ସେ କହିଲା, ମୁଁ ପୁରୁଷ । ମୁଁ କେତେ ଜଣଙ୍କ ଦେହକୁ ବ୍ୟବହାର କରିପାରେ । କିନ୍ତୁ ଗୋଟିଏ ମନ ପାଇଁ ତ ମୋ’ର ଏକ ନାରୀ ଦରକାର; ଯାହା ସହିତ ମୁଁ ଶାଶ୍ଵତ ପ୍ରେମ ପ୍ରତିଷ୍ଠା କରି ପାରିବି । ତୁମେ ତ ନାରୀ । ତୁମେ ପୁଣି ଏକାଧିକ ପୁରୁଷ ସହିତ ସମ୍ପର୍କ ରକ୍ଷା କରି ପାରୁଛ ତ ? ମାନେ ! ତପନ ଓ ତା’ପରେ ସମୀର । ଆଉ ମୋ ସହିତ ସମ୍ପର୍କ ସୃଷ୍ଟି କରିବାରେ ଏବେ କ୍ଷତି କ’ଣ ? ଲାଜ କ’ଣ ?

 

ସାଗରର ଏ କଥାରେ ସୁରଭି ଦେହରେ ଯେପରି ଫାଇଲେରିଆ ଜରର ଅସହ୍ୟ ପ୍ରକୋପ ଭରିଗଲା । ପ୍ରଚଣ୍ଡ କ୍ରୋଧରେ ଅନ୍ଧ ହୋଇ ସେ ନିଜକୁ ସମ୍ଭାଳି ନ ପାରି ସାଗର ଗାଲରେ ଚପଲ କାଢ଼ି ବାଡ଼େଇବାକୁ ଯାଉଁ ଯାଉଁ ସାଗର ତା’ ହାତଟାକୁ ସାଙ୍ଗେ ସାଙ୍ଗେ ଧରି ପକାଇ ଗର୍ଜି ଉଠି କହିଲା, ତୁମର ତ ଭାରି ସାହସ ! ସାଗର ମହାପାତ୍ର କେବେ କାହା ପ୍ରତି ଏ ପର୍ଯ୍ୟନ୍ତ ଜୋର ଜବରଦସ୍ତି ଅନଧିକାର ଚର୍ଚ୍ଚା କରିନାହିଁ । ତୁମକୁ ବିବାହ କରିବା ପାଇଁ ମୁଁ ତୁମ ବାପାଙ୍କ ପାଖରୁ ଏକ ପ୍ରକାର ସ୍ୱୀକୃତି ପାଇ ସାରିଛି ।

 

ସୁରଭି ସାଗର ମହାପାତ୍ରର ଟାଣ ହାତମୁଠାରୁ ଜୋର୍‌ରେ ନିଜ ହାତଟା ଟାଣି ଆଣିଲା-। ଅତିଶୟ ଅସହାୟତାରେ ତା’ ଆଖିରେ କେତେ ବିନ୍ଦୁ ଲୋତକ ସହ ଅଗ୍ନିକଣା ଯେପରି ଝଲସି ଉଠିଲା । ସେ ଥର ଥର ଉଦ୍ଦୀପ୍ତ କଣ୍ଠରେ କହିଲା, ଜାଣିଲ ମୁଁ କେଉଁ ଦିନଠାରୁ ସମୀରକୁ ବିବାହ କରି ସାରିଛି । ଆଉ ସେଥିପାଇଁ ମୁଁ ମଧ୍ୟ ବୋଉଙ୍କଠାରୁ ସମ୍ମତି ପାଇ ସାରିଛି ।

 

ଏତକ କହି ଚଞ୍ଚଳ ପଦକ୍ଷେପରେ ସୁରଭି ବାହାରକୁ ବାହାରି ଯାଉଁ ଯାଉଁ ସାଗର ପୁଣି ତାକୁ ଆଗରୁ ଓଗାଳି କହିଲା, ତୁମର ଏ ପିଲାଳିଆ କଥା ମୋତେ ମୋଟେ ଭଲ ଲାଗୁନାହିଁ । ଭାବପ୍ରବଣତାରେ ଭାସି ଯାଇ ଯେଉଁ ଝିଅମାନେ ଭବିଷ୍ୟତ କଥା ବିଚାର ନ କରି ଯାହାକୁ ମନ ତାହାକୁ ସ୍ୱାମୀ ବୋଲି ବାଛି ନିଅନ୍ତି, ପଛରେ ସାଂସାରିକ ଅଭାବ ଅସୁବିଧା ଜଞ୍ଜାଳ ଭିତରେ ସେ ତିଳେ ହେଲେ ଶାନ୍ତି ପାଆନ୍ତି ନାହିଁ । ଦେଖ୍ ସୁରଭି, ମୋ କଥା ମାନ । ସମୀରର କ’ଣ ଅଛି ? ମୋ’ ବାପାଙ୍କର କଲିକତାରେ ଅଜସ୍ର ସମ୍ପତ୍ତି କଥା କ’ଣ ତୁମେ ଜାଣି ନାହଁ ?

 

ସୁରଭି କହିଲା ମୁଁ ସମ୍ପତ୍ତିକୁ ବିବାହ କରିବାକୁ ଚାହେଁ ନାହିଁ, ମୁଁ ଚାହେଁ ଜଣେ ଚରିତ୍ରବାନ୍, ନୀତିବାନ୍ ପୌରୁଷ ସମ୍ପନ୍ନ ପୁରୁଷକୁ । ସେତକ ମୁଁ ସମୀରଠାରେ ପାଇଛି । ସେ ହିଁ ମୋ’ ପାଖରେ ମହାଧନ, ଅକ୍ଷୟ ସମ୍ପଦ । ......ଆରେ ଆପଣ ମୋ’ ଆଗରୁ ଉଠିଲେ । ସୁରଭି ସମୀର ବ୍ୟତୀତ ଆଉ କାହାର ହୋଇ ପାରେନା......ହଁ ହଁ ଆଉ ସେ କାହାର ହୋଇ ପାରେନା ।

 

ସାଗର ସେମିତି ଦୃଢ଼ ଭାବରେ ଆଗରେ ଠିଆ ହୋଇ ସୁରଭିକୁ ଯିବାକୁ ନ ଦେଇ ସେ ଗମ୍ଭୀର କଣ୍ଠରେ କହିଲା-ସୁରଭି ?

 

କ’ଣ !

 

ତୁମେ କ’ଣ ବାପାଙ୍କ ସମ୍ମାନ ମର୍ଯ୍ୟାଦା ରକ୍ଷା କରିବାକୁ ଚାହଁନା ?

 

ସେ ବିଷୟରେ ଆପଣ ମୁଣ୍ଡ ଖେଳେଇବାକୁ କିଏ ?

 

ମୁଁ ଏ ଘରର ସବୁ ।

 

ମାନେ !

 

ମୁଁ ଏକଥା କହିଲି ବୋଲି ତୁମେ ତୁମ ବାପାଙ୍କ ଆଗରେ ଅଭିଯୋଗ କରିପାର ।

 

ଆପଣ ଆଗରୁ ଉଠିଲେ !

 

ମୁଁ ତୁମକୁ ପଚାରୁଛି, ତୁମେ ସମୀର ଘରକୁ ତା’ର ଆନ୍ଦୋଳନର ସଫଳତାରେ ବଧାଇ ଜଣାଇବାକୁ ଯାଇଥିଲ ନା ?

 

ହଁ-ସୁରଭିର ଦୃଢ଼ ସ୍ୱର ।

 

ସମୀର ଏବେ ନାନା ସରକାରୀ ବିରୋଧୀ ଆନ୍ଦୋଳନରେ ଲିପ୍ତ ରହିଛି ବୋଲି ତୁମେ ତ ଜାଣ । ଆଉ ତା’ ସହିତ ବାରମ୍ବାର ଏପରି ମିଳାମିଶା କରିବା ଦ୍ଵାରା ଶେଷରେ ସରକାର ମଉସାଙ୍କୁ ହିଁ ସନ୍ଦେହ କରିବେ । ଆଉ ଜାଣିଛ ଏହାଦ୍ୱାରା ଆମେ ହିଁ ଆମର ବ୍ୟବସାୟରେ କ୍ଷତିଗ୍ରସ୍ତ ହେବୁ ।

 

ସାଗର ମହାପାତ୍ରର ଏ ଜୋର ଜବରଦସ୍ତି ମୁରବି ପଣିଆରେ ସୁରଭି ହସିଉଠି ବ୍ୟଙ୍ଗବ୍ୟଞ୍ଜିତ ଶାଣିତ ସ୍ୱରରେ କହିଲା, ଆମେ ? ଏ ଯେମିତ ଆମ ଘରର ବଡ଼ପୁଅ । କୁକୁରକୁ ଆଶ୍ଵାସନା କଲାବେଳକୁ ତା’ ମୁହଁ ବଢ଼ି ଗଲାଣି । ଛାଡ଼, ଭଲ ଗତି ଅଛି ତ ଯେଉଁ କାମରେ ଆସିଛ ସେ କାମ ହାସଲ କରି ସିଧା ସିଧା ନିଜ ଘରକୁ ଫେର । ଏମ୍. ଏ. ପରୀକ୍ଷା ମାତ୍ର ଆଉ ମାସୁଟାଏ ରହିଲା ।

 

ସୁରଭୀର ଏ ପରିହାସ ମିଶା ଦମ୍ଭୋକ୍ତି ସାଗର ମହାପାତ୍ରର ଅତି ଅସହ୍ୟ ହୋଇ ଉଠିଲା ଏବଂ ତା’ ଆଖିରେ ପ୍ରଶଂସାର ବହ୍ନି ଚହଟି ଉଠୁ ଉଠୁ ସବ୍ୟସାଚୀ ସ୍ଵାଇଁଙ୍କ ସ୍ୱରରେ ସେ ପ୍ରକୃତିସ୍ଥ ହେଲା ।

 

ସବ୍ୟସାଚୀ ଘରକୁ ଆସୁ ଆସୁ ହସି ହସି କହୁଥାନ୍ତି ହଁ, ହଁ, ସାଗର ! ମୋ ମା’ ଠିକ୍ କହୁଛି । ତୁମର ଏବେ ପଢ଼ାପଢ଼ି କରିବା କଥା; ଏ କଥାରେ ମୁଣ୍ଡ ପରାଉଛ କାହିଁକି ? ନିଜର କାମ ନିଜେ କରି ସାରିଲେ ପରେ ଯେଉଁ କଥା । ତୁମେ ତାକୁ ଏତେ ବୁଝେଇବା ଦରକାର ନାହିଁ ।

 

ସେ ମୋ ଝିଅ । ତା’ର ଯଥେଷ୍ଟ ବୁଝିବା ଜ୍ଞାନ ଅଛି । ସେ ସବୁ କଥା ବୁଝିପାରୁଛି ।

 

ସମୀର କେବେ ଭଲ ପିଲା ଥିଲା । ଏବେ ଗୋଟାଏ ଫାଲ୍‍ତୁ ଧନ୍ଦାରେ ହାତ ଦେଇ ନିଜେ ତ ନଷ୍ଟ ହେଲାଣି; ପୁଣି ତା’ ସାଙ୍ଗରେ ଆଉ କେତେଟା ଟୋକାକୁ ମଧ୍ୟ ନଷ୍ଟ କରୁଛି ।

 

ତା’ ସହିତ ଏତେ ମିଳାମିଶା କରିବା ଯେ ଖରାପ, ସେ କଥା ସେ ନିଶ୍ଚୟ ହୃଦୟଙ୍ଗମ କରି ପାରୁଥିବ ।

 

ବାପା !!

 

ହଁ ମା’ ତୁ ଏଠାରୁ ଗଲୁ । ସାଗର ପାଗଳାଟାଏ, ତା’ କଥା କାହିଁକି ଧରୁଛୁ କହିଲୁ ? ଯା–

ସୁରଭି ସବ୍ୟସାଚୀଙ୍କ ପାଖରୁ ଝଡ଼ ବେଗରେ ଚାଲିଆସି ନିଜ ଶୋଇବା ଘରେ ପଶିଯାଇ ଭିତରୁ କବାଟ ଦେଇ ନିଜ ଶେଯରେ ଏକ ଶରବିଦ୍ଧା ହରିଣୀ ପରି ଛଟପଟ ହେବାକୁ ଲାଗିଲା ।

ତା’ର ସମସ୍ତେ ଥାଇ, ସବୁ ଥାଇ ସେ ନିଜକୁ ଏପରି ଅରକ୍ଷ, ନିରାଶ୍ରୟ ପରି ଭାବୁଛି କାହିଁକି ?

ଏମାନେ କ’ଣ ଏତେ ଅବୁଝା । ସମୀର ପରି ଶିଷ୍ଟ ବ୍ୟକ୍ତିକୁ ଏମାନେ ଏପରି ହୀନ ଚକ୍ଷୁରେ ଦେଖୁଛନ୍ତି କାହିଁକି ?

ଓଃ ! ତା’ର ଯେ ମୁଣ୍ଡ ଗୋଳମାଳ ହୋଇଯାଉଛି ।

ହଁ ହଁ, ସମୀର ତା’ର ।

ଏକାନ୍ତ ଭାବରେ ତା’ର ।

ସର୍ବାନ୍ତଃକରଣରେ ତା’ର ।

ତା’ର ହୃଦୟ ଆକାଶରେ ସେ ଏକ ସପ୍ତାଙ୍ଗରଞ୍ଜିତ ଶାଶ୍ୱତ ରଙ୍ଗୀନ ଇନ୍ଦ୍ରଧନୁ ।

 

ନଅ

 

ସୁରଭି ଦୂର ଦିଗ୍‌ବଳୟକୁ ବିହଳ ଦୃଷ୍ଟିରେ ଚାହିଁଲା । ସକାଳର ପାଚିଲା ପତୁରିଆ କଅଁଳ ଖରା ନଈ ସେପାରିର ଦିଗ୍‍ବଳୟର ସବୁଜ ପାହାଡ଼ର ଚୂଳ ଉପରେ ଝିଲିମିଲି ହୋଇ ଉଠି ଧୀରେ ଧୀରେ ଟାଣ ହେଉଛି, ଉଜ୍ଜ୍ୱଳ ହେଉଛି ଠିକ୍ ତା’ର ହୃଦୟ ବେଦୀରେ ସମୀର ସ୍ଥିତି ପରି, ସ୍ମୃତି ପରି ।

ସତରେ ସମୀର ତା’ର ଉଚ୍ଛଳ ଝରଣାଟିଏ ।

ସୁରଭି ସେଇ ଝରଣା ଜଳରେ ନିଜର କଳ୍ପନାର ଫୁଲ ପାଖୁଡ଼ାକୁ ଭସାଇ ସମୀରର ଛବି ମନେ ମନେ ଆଙ୍କି ପୁଲକିତ ହୋଇ ଉଠିଲା ।

ସୁରଭି !

ସୁରଭି ସ୍ୱପ୍ନରୁ ଉଠିଲା ପରି ଚମକି ଉଠିଲା ।

କିଏ ସମୀର କି.... ?

ଉତ୍କଣ୍ଠିତ, ସୁରଭି ସ୍କ୍ରିନ୍ ଆଡ଼େଇ ଦେଖିଲା ତପନ ଠିଆ ହୋଇ ମୃଦୁ ମୃଦୁ ହସୁଛି ।

ସୁରଭି କଣ୍ଠରେ ସଙ୍ଗୀତ ସୃଷ୍ଟି କରି କହିଲା, ହେ ତପନ ଭାଇ ଆ’ ଭିତରକୁ ଆ’ । ଅନ୍ତତଃ ତୋ ଆନ୍ଦୋଳନ ବିଷୟରେ ଗପ କରିବା ।

ତପନ ବସୁ ବସୁ ହସି ହସି କହିଲା, କ’ଣ ଥଟ୍ଟା କରୁଛୁ କି ? ମୁଁ ଯାହା ଦେଖୁଛି, ସମୀର ପ୍ରେମରେ ପଡ଼ି ତୁ ବି ଗୋଟାଏ ନେତ୍ରୀ ପାଲଟିଯିବୁ ।

 

ତପନର ଏପରି ଅଭ୍ୟାସଗତ ଶାଣିତ କଥାରେ ସୁରଭି ସାମାନ୍ୟତମ ବିବ୍ରତ ନ ହୋଇ ନିର୍ଲିପ୍ତ କଣ୍ଠରେ କହିଲା, ମୁଁ ତୋତେ ଥଟ୍ଟା କରିବି କାହିଁକି ? ଥଟ୍ଟା କରୁଛି ତୋ’ର ସେ ଅଖାଡ଼ୁଆ ନୀତିକୁ । ...ହଁ, ସେ ବାଟରେ କେତେ ଆଗେଇଲୁଣି ? ତୁ କୁଆଡ଼େ ଏବେ ଭାରି ପ୍ରତିକ୍ରିୟାଶୀଳ ହୋଇ ଉଠିଛୁ ବୋଲି ସମସ୍ତେ କହୁଛନ୍ତି ।

 

ସମସ୍ତେ ମାନେ ସମୀର ନୁହେଁ ତ । କାରଣ ସମୀର ହେଉଛୁ ତୋ’ର ତ ସଂସାର ।

 

ତପନର ଏ କଥାରେ ଲଜ୍ଜା କୁଣ୍ଠିତ କଣ୍ଠରେ ସୁରଭି କହିଲା, ତୋ’ର ସବୁବେଳେ ସେଇ କଥା । ସମୀର ନାଆଁ ନ ଧରିଲେ ତୋ’ର ଯେପରି ଗତି ନାହିଁ ।

 

ତପନ ହସିଲା, କହିଲା ସେଇ ପ୍ରତିକ୍ରିୟାଶୀଳ କଥା ତୋତେ କହିଥ‌ିବ । ଆଉ ପ୍ରକୃତରେ ତୁ ଯାହା ଶୁଣୁଛୁ ତାହା ମିଛ ନୁହେଁ । ବର୍ତ୍ତମାନ ସମାଜ ସମ୍ପୂର୍ଣ୍ଣ କଳୁଷିତ ହେବାକୁ ବସିଲାଣି । ଧନୀ ସ୍ଵାର୍ଥପର ଗୋଷ୍ଠୀଙ୍କର ଅହମିକା, ଆତ୍ମବଡ଼ିମା ବିଷରେ ଏ ସମାଜ ଆଜି ବିଷାକ୍ତ-। ତେଣୁ ଏ ସୃଷ୍ଟିକୁ ଧ୍ୱଂସ କରିବାପାଇଁ ଦରକାର କେବଳ ଅସନ୍ତୋଷ, ପ୍ରତିକ୍ରିୟାର ହୁତାଶନ-। ସେଇ ଅଗ୍ନିରେ ଏ ସୃଷ୍ଟି, ଯେ କେବଳ ଧ୍ୱଂସ ହେବ ତାହା ନୁହେଁ, ବରଂ ସେଇ ଭସ୍ମକୁଢ଼ ମଧ୍ୟରୁ ପୁଣି ସମ୍ଭୂତ ହେବ ଆଗାମୀ ଯୁଗର ଏକ ସଫଳ ମଙ୍ଗଳମୟ ଜୟଯାତ୍ରା । ପ୍ରଳୟରୁ ସୃଷ୍ଟି ଉଦ୍ଭବ ବୋଲି ପୁରାଣରେ ପଢ଼ିଥିଲି । ଏବେ କିନ୍ତୁ ତାହା ମୁଁ ମର୍ମେ ମର୍ମେ ଅନୁଭବ କରୁଛି ।

 

ତପନର ଏ ଭାଷଣ ଏକ ପୋଖତ ଅଧ୍ୟାପକ ମୁହଁର କଥା ପରି ସୁରଭିକୁ ଶୁଣାଗଲା । ସେ ପରିହାସ ସ୍ନାତ କଣ୍ଠରେ କହିଲା, ହେଉ ସେ ଜ୍ୱାଳାମୟୀ ସାହିତ୍ୟକ ଭାଷଣ ବନ୍ଦ କରନ୍ତୁ ନେତା ପ୍ରବର ! ଏମିତ କଥା ଗୁଡ଼ାଏ ତୁମେ ସବୁବେଳେ କହି କହି ସାଧାରଣ କଥାବାର୍ତ୍ତାରେ ବି ସେ ଚାତୁରୀ ବାହାରି ପଡ଼ୁଛି ।

 

ସତରେ ସୁରଭି, ମୁଁ ଯାହା କହିଲି ତାହା କ’ଣ ମିଛ କଥା ??

 

ସୁରଭି ଉତ୍ସୁକ କଣ୍ଠରେ ପ୍ରଶ୍ନ କଲା–ଆଚ୍ଛା ତପନ ଭାଇ, ବିକ୍ଷୋଭ, ଆନ୍ଦୋଳନ, ବିପ୍ଳବ କହିଲେ ତୁ କାହିଁକି ସେଥିରେ ହିଂସାତ୍ମକ, ରକ୍ତାକ୍ତ ପ୍ରଭୃତି ବିଶେଷଣ ଶବ୍ଦଗୁଡ଼ାଏ ଯୋଡ଼ୁ ? ସେଥିରେ କ'ଣ ତୁ କେବେ ସଫଳ ହେବୁ ?

 

ଆଉ ତୁ କ’ଣ ଭାବୁଛୁ ସମୀର ପରି ମୁଁ ସେ ଦୁର୍ବଳ ଅହିଂସା ଆନ୍ଦୋଳନ କରିବି ? ହିଂସ୍ର ପଶୁ ପରି ସ୍ଵାର୍ଥପରଙ୍କ କ୍ଷୁଧିତ ଦୃଷ୍ଟି ଯଜ୍ଞରେ ଏ ଦୁର୍ବଳ ଆନ୍ଦୋଳନ କେବଳ ପଳ ପଳ ଘୃତ ଆହୂତି ଦେବା କେବଳ ସାର ହେବ । ଏ ଯେଉଁ ପ୍ରୋସେସନ, ଏ ଯେଉଁ ସ୍ଳୋଗାନ, ଏଥିରେ କେବଳ ପାଦ ଦରଜ ହୁଏ । ପାଟି ଘୋଳେଇ ହୁଏ । କିନ୍ତୁ ପେଟ ପୂରେ କି ?

 

ଏ ପୃଥିବୀରେ କେବଳ କ’ଣ ଧନୀ କୋଟିପତିମାନେ ତାଙ୍କରି ହିଂସ୍ର ଦୃଷ୍ଟିରେ ଆମକୁ ଲାଞ୍ଛିତ ଦଳିତ କରି କେବଳ ବଞ୍ଚି ରହିବେ ? ଅର୍ଥାତ ଆମର କ’ଣ ଏ ମାଟିରେ ବଞ୍ଚିବାର ଅଧିକାର ନାହିଁ ? ସେମାନଙ୍କ ପରି ଆମେ ମଣିଷ ତ ?

Unknown

 

ସୁରଭି ଏଥରକ ଏକ ଶାଣିତ ବ୍ୟଙ୍ଗାତ୍ମକ ଚାହାଣୀ ତପନ ଉପରକୁ ନିକ୍ଷେପ କରି କହିଲା, ତୁ କହୁଛୁ ତୁ ମଣିଷ ନା ? ହେଲେ ମଣିଷ କହିଲେ ତୁ କ’ଣ ବୁଝୁ, କେଜାଣି । କିନ୍ତୁ ମୁଁ ବୁଝେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବା । ବାଲ୍ମୀକିରୁ ଦସ୍ୟୁ ରତ୍ନାକର ନୁହେଁ ।

 

ତପନ ହସି ଉଠିଲା । କହିଲା, ବାଃ ! ଭଲ କଥାଟିଏ କହିଲୁ ତ ! ଏବେ କ’ଣ ରାମାୟଣ ପଢ଼ା ଆରମ୍ଭ କଲୁଣି କି ! ମୁଁ ଦେଖୁଛି ତୁ ଏଥରକ ଏକବାରେ ପତିପରାୟଣା ସତୀ ସୀତା ପାଲଟିଯିବୁ । ...ଜାଣିଲୁ ସୁରଭି, ବାଲ୍ମୀକି ହେବାର ଆବଶ୍ୟକତା ବର୍ତ୍ତମାନ କ’ଣ ଅଛି । ଏ ଯୁଗର ଶାସକମାନେ କ’ଣ ଆଉ ରାମଚନ୍ଦ୍ରଙ୍କ ପରି ସୁଶାସକ, ଚରିତ୍ରବାନ ହୋଇଅଛନ୍ତି । ଯେଉଁ ଚରିତ୍ରକୁ ନେଇ ରାମାୟଣ ରଚନା କରିହେବ, ବରଂ ଏ ଯୁଗରେ ଦସ୍ୟୁଗିରି କରି ଭୋକରେ ନିଜର ହାଉଜାଉ ପେଟକୁ ଶାନ୍ତ କରିବାକୁ ଯାଇ ପୁଲିସ୍‌ ଗୁଳିରେ ମରିବା ଭଲ । ଆଉ ଯେବେ ଧରାପଡ଼ିବ ଅନ୍ତତଃ ଜେଲ୍‌ରେ ମୁଠାଏ ଖାଇବାକୁ ମିଳିବ ତ ?

 

ତପନର ଦାଉ ଦାଉ ଜଳିଲା ଆଖି ନରମ ହୋଇ ଆସୁଥ‌ିବାର ଦେଖି ସୁରଭି କଥାକୁ ବଙ୍କେଇ ଥଙ୍ଗେଇ ଥଙ୍ଗେଇ ହୋଇ କହିଲା, ତପନ ଭାଇ, ମୁଁ ଯାହା ଶୁଣୁଛି କ’ଣ ତା’ ସତ ?

 

କ’ଣ !

 

ତୁ କୁଆଡ଼େ ଏ ସହରର ବାହାରେ କେଉଁଠି ଗୁପ୍ତ ଆଉଡ଼ା କରି ବୋମା ତିଆରି କରୁଛୁ, ଆଉ ସେଠାରେ ସମସ୍ତ କୁକାର୍ଯ୍ୟ କରିବା ପାଇଁ ପ୍ଲାନ୍ କରୁଛୁ ?

 

ସୁରଭିର ଏ ନର୍ବୋଧ କଥାରେ ତପନ ନ ହସି ରହି ପାରିଲା ନାହିଁ । ହସି ହସି ସେ କହିଲା, ଖାଲି ଅନ୍ୟମାନଙ୍କ ପାଇଁ ନୁହେଁ ଲୋ ସୁରଭି; ଯେଉଁ ନୀତିବାଗୀଶମାନେ ବଡ଼ ବଡ଼ କଥା କହି ଶେଷରେ ଆମକୁ ପ୍ରତାରଣା କରୁଛନ୍ତି, ତାଙ୍କ ପାଇଁ ସେଠାରେ ମସୁଧା ଚାଲିଛି, ଜାଣିଲୁ ! କଥା ଶେଷରେ ତପନ ପୁଣି ହସି ଉଠିଲା ।

 

ସୁରଭି ଭୟରେ ଜଡ଼ ସଢ଼ ହୋଇ ଚକିତ କଣ୍ଠରେ କହିଲା, ହେ ତପନ ଭାଇ ତୁ ଏମିତି ହସିଲେ, ମୋତେ ତୁ କେମିତି ଅନ୍ୟପ୍ରକାର ଦେଖା ଯାଉଛୁ । ତୁ କ’ଣ ସତେ ପାଗଳ ହୋଇଗଲୁ; ତୁ ଏମିତି ହସିଲେ ସେ ଘରେ ବୋଉ କ’ଣ ଭାବିବ କହିଲୁ ?

 

ତପନ ହଠାତ୍ ଗମ୍ଭୀର ହୋଇ ଉଠିଲା । ଭୋଦୁଅ ଗୋଧୂଳିରେ ଦୂର ଦିଗନ୍ତ କରୁଣ ଦେଖାଗଲା ପରି ତପନର ମୁହଁ ଦେଖାଗଲା । ସେ କିଛି ସମୟ ଚୁପ୍ ହୋଇଯାଇ ସ୍ପନ୍ଦିତ କଣ୍ଠରେ କହିଲା, ତୋର ଏଇ ଶେଷ କେଇପଦ କଥା ଶୁଣି ମୋର ପିଲାଦିନ କଥା ମନେ ପଡ଼ୁଛି । ସତେ ଯେପରି ଏଇ ଘରେ ଆମେ ଏକାଠି ବସିଛେ । ବାହାରର ଅପରାହ୍ନର ଖରାରେ ନାଲି କଙ୍କି ଦଳ ଦଳ ହୋଇ ଉଡ଼ୁଛନ୍ତି ... ମୁଁ ତୋତେ କୋଳକୁ ଟାଣି ଆଣି ତୋ କାନରେ ଚୁପି ଚୁପି କହୁଛି, ସୁରଭି ତୁ ମୋତେ ବାହାହେବୁ....ଆଉ ତୁ କହୁଛୁ, ବୋଉ ସେ ଘରେ ଶୁଣିଲେ କ’ଣ ଭାବିବ କହିଲୁ ?

 

କଥା ଶେଷରେ ଉପନର ଛଳ ଛଳ ଆଖିକୁ ସୁରଭି ମୋଟେ ଚାହିଁ ପାରିଲା ନାହିଁ । ତା’ର କଣ୍ଠର କାରୁଣ୍ୟକୁ ସେ ଯଥାସମ୍ଭବ ଏଡ଼ାଇ କହିଲା, ସେ ପିଲାଦିନ କଥା ମନେ ପକାଇ ଆଉ କାହିଁକି ମୋ ମନରେ ଆଘାତ ଦେଉଛୁ ।

 

ତପନ ବାଷ୍ପରୁଦ୍ଧ କଣ୍ଠରେ କହିଲା, ମୋ ଅନ୍ତରରେ ତୁ ତ କିଛି କମ୍ ଆଘାତ ଦେଇନୁ-? ଏ ପର୍ଯ୍ୟନ୍ତ ମୋର ସାଂସାରିକ ଭଲ ମନ୍ଦ ତୁ ବୁଝି ଆସିଛୁ । ହେଲେ ମୋ ମନର ଦଗ୍‌ଧ ବନରେ ଯେଉଁ ଛିନ୍ନ ପକ୍ଷ ପକ୍ଷୀଟି ବାହୁନି ଉଠୁଛି ତା’ କଥା କ’ଣ ତୁ କେବେ ବୁଝିବାକୁ ଚେଷ୍ଟା କରିଛୁ ?

 

ତପନ ଭାଇ !!

 

ପିଲାଦିନର ତୋତେ ପାଇବାର ଯେଉଁ ସ୍ଵପ୍ନ ମଞ୍ଜିଟି ମୋ ଭିତରେ ଏକ ବିରାଟ ମହୀରୂହ ପାଲଟି ଫଳ ଫୁଲରେ ନେସି ହେଲା ବେଳକୁ, ତୁ ତାକୁ ଝଡ଼େଇ ଦେଇ ତ ପୁଣି ଥୁଣ୍ଟାଗଛ କରିଦେଲୁ ? ସତରେ ତୁ କେବେ ମୋ ଭିତରଟାକୁ ବୁଝିବାକୁ ଚେଷ୍ଟା କରିଛୁ ସୁରଭି ?

 

ତପନର ଏ କଥାଗୁଡ଼ିକ ସୁରଭି ଛାତିରେ ଯେପରି ଚାଉଁକିନା ଲାଗିଗଲା–ସେ ସିଧା ଚାହିଁ ପାରିଲାନି ତପନର ମୁହଁକୁ । ତେବେ ଅତି ସନ୍ତର୍ପଣରେ ସେ ଅନାଇ ଦେଖିଲା ତପନ ଆଖିରେ ଧୀରେ ଧୀରେ ଲୁହ ପ୍ରବଳ ଭାବରେ ଜମି ଆସୁଛି । ଆଉ ସେ ଲୋତକର ବନ୍ୟାକୁ ରୋକିବା ପାଇଁ ତପନ ଉପରକୁ ମୁହଁ କରି ଦୀର୍ଘ ନିଶ୍ୱାସ ପକାଉଛି ।

 

ସୁରଭି ଛାତିଟା ଯନ୍ତ୍ରଣାରେ କାଉଳି ବାଉଳି ହୋଇଗଲା । ସେ କାନ୍ଦି କାନ୍ଦି ତପନର ପାଦତଳେ ପଡ଼ି ଆବେଗ ଉଚ୍ଛ୍ୱସିତ କଣ୍ଠରେ କହିଲା–ତପନ ଭାଇରେ ତୋତେ ମୁଁ ବାରମ୍ବାର କରି କହୁଛି, ସେ ଗଲା ଅତୀତ କଥାକୁ ପାସୋରି ଦେ । ଏ ଦୁନିଆରେ ସମ୍ପର୍କ କହିଲେ କ’ଣ କେବଳ ପତି-ପତ୍ନୀ ସମ୍ପର୍କକୁ ବୁଝାଏ ?

 

ତପନ ସୁରଭିକୁ ତଳୁ ଉଠାଇଲା । ଜାଣି ଜାଣି କଣ୍ଠରେ କିଛି ନିର୍ଲିପ୍ତତା ମିଶାଇ ସେ କହିଲା, ହଁ ମୁଁ ଆଉ ଅତୀତ କଥା ଭାବିବି କାହିଁକି ? କହିଲୁ ! ମୁଁ ଯେ ବର୍ତ୍ତମାନ ଏକ ଅସଫଳ ବୃତ୍ତାନ୍ତ । ମୋ’ର ଅନ୍ତରଟା କେବଳ ଏକ ଧୁ ଧୁ ବାଲିବନ୍ତ । ସେଇ ଶୁଷ୍କ ବାଲିବନ୍ତର କୁଢ଼ କୁଢ଼ ବାଲିସ୍ତୁପ ଭିତରେ ପ୍ରୀତିନନ୍ଦା ନଈଟି କୁଆଡ଼େ ହଜିଯାଇଛି । ହଜିଯାଇଛି ତା’ର କୂଳରେ ଠିଆ ହୋଇଥିବା ମୋ’ର ଆଶାର ଥୁଣ୍ଟାଗଛଟା । ......ହଉ ଯାହା ହେବାର କଥା ତ ତାହା ହୋଇଗଲା ।

 

ତା’ପରେ ତପନ କିଛି ସମୟ ଗୁମ୍ ମାରି ଓ ପରେ ସଚେତନ ହୋଇ କହିଲା, ଆରେ ମୁଁ ଯେଉଁଥିପାଇଁ ଆସିଥିଲି ସେ କଥା ଏ କଥାବାର୍ତ୍ତା ଭିତରେ ଏକାବେଳେକେ ପାସୋରି ଗଲିଣି-। ...ହଁ ସୁରଭି ତୁ ଯେଉଁ ମଝିରେ ମଝିରେ ଆମକୁ ଟଙ୍କା ଦେଉଥିଲୁ ସେ ଟଙ୍କା ଆଜି ସୁଧମୂଳ ସହ ମୁଁ ପରିଶୋଧ କରିବାକୁ ଆସିଛି ।

 

ସୁରଭି ଆକାଶରୁ ଖସିପଡ଼ିଲା ପରି ଜଳ ଜଳ କରି ତପନ ମୁହଁକୁ ଚାହିଁ କହିଲା–ତୁ ଆଣିଛୁ ଟଙ୍କା ? କେଉଁଠୁ ? କ’ଣ କାହା ଛାତିରେ ଛୁରି ଭୁଷି ? ଡକାୟତି କରି ?

 

ତପନ ଏଥରକ ଏକ ସଫଳ କୁଟିଳ ନାୟକ ପରି ଜୋର୍‌ରେ ହସିଉଠି କହିଲା–ଟଙ୍କା କେବଳ କ’ଣ ଛୁରି ଭୁଷି, ବୋମା ପକାଇ ଆଦାୟ କରାଯାଏ ? ଏ ଧନୀ ଲୋକଗୁଡ଼ାକ ଭାରି ବୋକା ଜାଣିଲୁ ? ଯେ ଯେତେ ଧନୀ ସେ ସେତେ ଦୁର୍ବଳ, ମିଥ୍ୟା ଭକ୍ତ । ଏମାନଙ୍କୁ କେଉଁ ମନ୍ତ୍ରୀ କି ନେତା ନାଁ କହି; ନ ହେଲେ କେତେଟା ଶୂନ୍ ଫୋଟକା ଓ ପିଲାଙ୍କର ଖେଳନା ବନ୍ଧୁକ ଫୁଟାଇ; ନ ହେଲେ ଥୋଡ଼ାଏ ଫଡ଼ଫଡ଼ିଆ ଧମକ କଥା କହି ଟଙ୍କା ଆଦାୟ କରିବା ବଡ଼ ସହଜ ସୁରଭି ? ଏଇଥିରେ ତ ସେମାନେ ଛାନିଆଁ !

 

ତା’ ହେଲେ ତୁ ଏହା ଭିତରେ ଟାଉଟରୀ ବି ଆରମ୍ଭ କଲୁଣି ତପନ ଭାଇ । ଆରେ ଶୁଣ-। ଏବେ ସେମାନେ କାହିଁକି କେଜାଣି ମୋତେ ଘରକୁ ନିମନ୍ତ୍ରଣ କରି ମୋତେ ନୁହେଁ, ମୋ ପାଟିକୁ କୁଆଡ଼େ ସାହାଯ୍ୟ କରିବା ପାଇଁ ନୋଟ୍ ତୋଡ଼ା ପ୍ରୀତ୍ୟୁପହାର ଦେଉଛନ୍ତି... । ଆରେ ମୋର ଗୋଟାଏ ପାର୍ଟି କେଉଁଠୁ ଆସିଲା ? ...ଯାହାହେଉ ଏ ଟଙ୍କାରେ କେତେଟା ଦରିଦ୍ର ଲୋକଙ୍କ ପେଟପୂଜା ହେବ ତ !

 

ତପନ ସମ୍ଭବ ଆଉ କିଛି କହିଥାନ୍ତା; କିନ୍ତୁ ଏତିକବେଳେ ବୁଢ଼ା ଚାକର ମଧୁ ଆଣି ଚା’ ଆଉ ସରବତ ଟିପୟ ଉପରେ ରଖିଲା ।

 

କିନ୍ତୁ ସୁରଭି ତପନର ନିଆଁ ହୁଳା ପରି ଜଳି ଉଠୁଥ‌ିବା ଆଖିକୁ ଦେଖି ଶଙ୍କି ଯାଇ ତାକୁ ଚା’ କି ସରବତ ଖାଇବାକୁ ଅନୁରୋଧ କରିବା ପାଇଁ ସାହସ କଲା ନାହିଁ ।

 

ତପନ କିନ୍ତୁ ଏକ ବ୍ୟଙ୍ଗାତ୍ମକ ହସର ବର୍ଚ୍ଛା ସୁରଭି ଉପରକୁ ଅତି ନିଷ୍କରୁଣ ଭାବରେ ଫିଙ୍ଗିଦେଇ ପରିହାସ ମିଶା ସ୍ୱରରେ କହିଲା, ଏକାବେଳେକେ ହଟ୍ ଆଉ କୋଲ୍ଡ଼ । ଲୋକମାନେ ପେଟକୁ ମୁଠାଏ ଖାଇବାକୁ ନ ପାଇଲା ବେଳେ ଏ ସମାଜର ଧନୀ ଲୋକମାନଙ୍କର ଏସବୁ ଆଦବ୍ କାଏଦା ନା ?

 

ସୁରଭି ଆଘାତ ପାଇ କହିଲା, ତପନ ଭାଇ ତୁ ନିଜେ କ’ଣ କହୁଛୁ ତାହା ନିଜେ ବୁଝି ପାରୁଛୁ । ତୋ’ର ଯାହା ଇଚ୍ଛା ହେଉଛି ଖା’...ନ ହେଲେ ନ ଖା’ ।

 

ତପନ ସୁରଭିର କଥାକୁ ସାମାନ୍ୟ କର୍ଣ୍ଣପାତ ନ କରି ପାଗଳଙ୍କ ପରି ହସି ଉଠି କହିଲା, ମୋ ଛାତିର ଯେଉଁ ତୃଷାର ଅଗ୍ନି, ଶିଖା ପ୍ରଜ୍ଜ୍ୱଳିତ ହେଉଛି, ତାକୁ ଏ କୋଲଡ଼ କି ହଟ୍ ଡ୍ରିଙ୍କ୍ ନର୍ବାପିତ କରିପାରିବ ନାହିଁ ।

 

ତା’ପରେ ତପନ ଆଖି ଡୋଳାକୁ ବଡ଼ ବଡ଼ କରି ଛାତିକୁ ଆଉଁଷି କହିଲା, ମୋର ହଟ୍ ଦରକାର । ହଁ, ହଁ, ମୋର ହଟ୍ ଦରକାର । ସ୍ଵାର୍ଥାନ୍ଵେଷୀ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କର ସେଇ ହଟ୍ ରକ୍ତ ସୁରଭି । ସେଇ ଗରମ ତାଜା ରକ୍ତ ।

 

କହୁ କହୁ ତପନ ଏକ ଉଦ୍‌ଭ୍ରାନ୍ତ ପରି ଟଳି ଟଳି ଘରୁ ବାହାରିଗଲା ।

 

ସୁରଭି ସମ୍ପୂର୍ଣ୍ଣ ବୋକା ପାଲଟି ହତଭମ୍ବ ହୋଇ ଚାହିଁଥିଲା–ତା’ର ଅଭିଶପ୍ତ ତପନ ଭାଇର ଗତିପଥକୁ ।

 

ସତରେ ! ଯିଏ ପିଲାଦିନେ କୁକୁଡ଼ାମରା ଦେଖି ପାଞ୍ଚବର୍ଷ ମାଂସ ଛାଡ଼ି ଦେଇଥିଲା, ସେ ପୁଣି ଖୋଜୁଛି ମଣିଷର ଗରମ ତାଜା ରକ୍ତ ?

 

କାହିଁକି ?

 

କାହିଁକି ?

 

ସୁରଭି ଏକ ବୋକି ଛୋଟ ଶିଶୁ ପରି ଦ୍ୱିଧା ଓ ଦ୍ଵନ୍ଦର ମଝି ଛକ ଉପରେ ବୋକା ପାଲଟି ଠିଆ ହୋଇଥିବାବେଳେ ହଠାତ୍ ପୁଣି ତପନକୁ ଦେଖି ଚମକି ପଡ଼ିଲା ।

 

ତପନ ହସି ହସି କହିଲା, କ’ଣ ଭୂତ ଦେଖିଲୁ କି ? ତୋ ତପନ ଭାଇ ଭୂତ ହେଲେ ତୋତେ ଡରାଇବ ନାହିଁ ଲୋ ସୁରଭି ! ସେ ପ୍ରତିଶ୍ରୁତି ତୋତେ ମୁଁ ଆଜି ଦେଉଛି ।

 

ସୁରଭି ତପନର ସ୍ଵାଭାବିକ ଅବସ୍ଥାରେ ସାହସ ପାଇ କହିଲା, ପୁଣି କୁଆଡ଼େ ଆସିଲୁ ତପନ ଭାଇ ?

 

ଆରେ ଯେଉଁଥିପାଇଁ ଆସିଥିଲି ସେ କଥା ମୁଁ ତ ବାରମ୍ବାର ପାସୋରି ଦେଉଛି । ହଁ ନେ ତୋ ଟଙ୍କା ନେ ।

 

ସୁରଭିର କୌଣସି କଥାକୁ ଅପେକ୍ଷା ନ କରି ତପନ ଦଶ ଟଙ୍କିଆ ନୋଟ କେତେ ବିଡ଼ା ସୁରଭି ଆଗରେ ଥୋଇଦେଇ ବାହାରି ଯାଉଁ ଯାଉଁ ସୁରଭି ତାକୁ ଅଟକାଇ କହିଲା, ଏ ପାପ ଟଙ୍କା ମୁଁ ରଖିବାକୁ ଚାହେଁ ନାହିଁ ତପନ ଭାଇ । ତୁ ଯେଉଁଦିନ ଦେହ ମିହନତ କରି ଭଲ ଉପାୟରେ ଟଙ୍କା ରୋଜଗାର କରିବୁ, ସେଦିନ ତୋତେ ଟଙ୍କା ଦେବାକୁ ଦରକାର ପଡ଼ିବ ନାହିଁ ତପନ ଭାଇ । ମୁଁ ତ ତୋ’ଠାରୁ ଜବରଦସ୍ତି ନେଇ ଆସିବି ।

 

ତପନ ହସିଲା । ନିର୍ବିବାର ନିର୍ଲିପ୍ତ ହସ । କହିଲା, ସେଦିନ କେବେ ଆସିବ ମୁଁ ବିଚାରୁ ନାହିଁ । ଛାଡ଼ ସେ କଥା । ତୁ ମୋତେ ଟଙ୍କା ଦେଇଥିଲୁ । ମୋର କ’ଣ ତୋତେ ଫେରାଇବା ଉଚିତ ନୁହେଁ ?

 

ସୁରଭି ଅତି କରୁଣ କଣ୍ଠରେ କହିଲା, ସତରେ ତପନ ଭାଇ ମୁଁ କ’ଣ ତୋର କେହି ନୁହେଁ ? ତୁ ମୋତେ ଏମିତି ପର ବୋଲି ଭାବୁଛୁ କାହିଁକି ?

 

ସୁରଭିର ଏପରି କଥାରେ ତପନ ଶାନ୍ତ ହେଲା । କିପରି ଏକ ଅଜଣା ଆବେଗରେ ଝରା ପତ୍ରର କାରୁଣ୍ୟ ନେଇ ତା’ର ଓଠ ଦୁଇଟି ଥରି ଉଠିଲା । ସେ ସତରେ କ’ଣ କରିବାକୁ ଯାଇଁ କିଛି କହି ପାରିଲା ନାହିଁ ।

 

ସୁରଭି ତପନର ହାତ ଧରି କହିଲା, ତପନ ଭାଇରେ ତୁ କହିଥିଲୁ ନା ଏ ଟଙ୍କା ତୁ ଦରିଦ୍ରଙ୍କ କାମରେ ଲଗାଇବୁ । ନେଇଯା ଏ ଟଙ୍କା, ମୁଁ କ’ଣ ସତରେ ଦରିଦ୍ର !...ଆରେ ତପନ ଭାଇ ତୁ କିଛି କହୁନାହିଁ ଯେ ! ସତରେ ତପନ ଭାଇ, ତୁ ମଣିଷ, ହଁ । ଟଙ୍କା ରୋଜଗାର କର । ସେ ଟଙ୍କାତକ ସବୁ ମୋ’ର । ତୁ କ’ଣ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହୋଇ ପାରିବୁ ନାହିଁ ? କହ, କହ ମୋତେ ତୁ ତପନ ଭାଇ !

 

କଥା ଶେଷରେ ପୌଷ ଉଷାର ଶିଶିର ପାତ ପରି ସୁରଭି କାନ୍ଦି ଉଠି ତପନର ପାଦ ଧରିଲା ।

 

ତପନ ସୁରଭିକୁ ଧୀରେ ଉଠାଇ ଠିଆକଲା । ଅତି ନିର୍ବିକାର ଭାବରେ ସେ ନୋଟଗୁଡ଼ାକ ପକେଟରେ ପୂରାଇ ଧୀରେ ଧୀରେ ଘରୁ ବାହାରିଗଲା ।

 

ସୁରଭି ସେମିତି ଠିଆ ହୋଇଥାଏ ଚଟାଣ ଉପରେ ।

 

ବାହାରେ ସବୁଜ ଗଛଲତାର କୁଞ୍ଜରେ ପରିଷ୍କାର ଖରା ଅତି ରହସ୍ୟ ଭାବରେ ଲୁଚକାଳି ଖେଳ ଆରମ୍ଭ କରି ଦେଇଥାଏ ।

 

ଦଶ

 

ଅପରାହ୍ନର ଧାଡ଼ିଏ ସୁନେଲି ରଙ୍ଗର ଖରା ଝରକା ରେଲିଂ ଦେଇ ସୁରଭିର ପାଦତଳ ଚଟାଣ ଉପରେ ହଳଦୀ ଗଣ୍ଠି ଗୋଖର ସାପ ପରି ଯେପରି ଯେପରି ହଳ ହଳ ହେଉଥାଏ ।

 

ସୁରଭି ସେ ଖରାରୁ ଆଖି ଫେରାଇ କିଛି ସମୟ ଜଳ ଜଳ କରି ଚାହିଁଲା ଓ ଏକ ଗୋପନ ବ୍ୟଥାରେ ହନ୍ତସନ୍ତ ହୋଇ କାନମୁଣ୍ଡା ଆଡ଼କୁ ଗଡ଼ି ପଡ଼ୁଥିବା ଦି’ଧାର ଲୁହକୁ ପୋଛିଦେଇ ସନ୍ଦିଗ୍‌ଧ ଚିତ୍ତରେ ବିଚାର କଲା ।

 

ଆଜି କଲେଜରେ ପହଞ୍ଚୁ ପହଞ୍ଚୁ ତା’ ସାଙ୍ଗ ସୁଷମା ତାକୁ ଯାହା କହିଲା, ତାହା କ’ଣ ପ୍ରକୃତରେ ସତ କଥା ?

 

ସତେ କ’ଣ ତା’ ସମୀର ଏତେ ଚଞ୍ଚଳ ବଦଳି ଗଲା ??

 

କାହିଁ, ଏଇ ତ କାଲି ସନ୍ଧ୍ୟାରେ ସେ ନିର୍ଜ୍ଜନ ପାର୍କରେ ବସି ଯେତେବେଳେ ତାକୁ ସାଗର ମହାପାତ୍ର କଥା କହୁଥିଲା, ସେତେବେଳେ ତ ସେ ତା’ଠାରେ ସେପରି କିଛି ବିଚକ୍ଷଣ ଭାବ ଦେଖି ନ ଥିଲା ? ...ବରଂ ସମୀର ତାକୁ ଏକାନ୍ତ ସ୍ନେହସିକ୍ତ କଣ୍ଠରେ କହିଥିଲା, ଦେଖ ସୁରଭି ତୁମେ ତ ଆଜି ଆଉ ତୁମର ହୋଇନାହଁ । ସେଇ କେଦାରଗୌରୀ ପାର୍କର ଅଭୁଲା ସ୍ମୃତିଠାରୁ ତୁମେ ଯେ ସମ୍ପୂର୍ଣ୍ଣ ଭାବରେ ମୋର । ମୋ’ର ସମ୍ମାନ ତୁମର ସମ୍ମାନ ଉପରେ ନିର୍ଭର କରେ । ତେଣୁ ଆଉ କେତେଦିନ ମାତ୍ର କ’ଣ ତୁମେ ତୁମର ସମ୍ମାନ ଅର୍ଥାତ୍ ନିଜର ନାରୀତ୍ୱକୁ ନିରାପଦରେ ରଖିପାରିବ ନାହିଁ ? ତୁମ ଉପରେ ମୁଁ ଦୃଢ଼ ଭରସା ରଖି ସେ ବିଷୟରେ ମୁଁ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ।

 

ନିଜେ ଠିକ୍ ରହିଲେ କୋଟି କୋଟି ଲମ୍ଫଟ, ଅସାମାଜିକ ବ୍ୟକ୍ତି ଆମର କିଛି କରିପାରିବେ ନାହିଁ ।

 

...କିନ୍ତୁ, କିନ୍ତୁ...ସେ ଆଜି ଇଏ କି ଅସମ୍ଭବ କଥା ଶୁଣିଲା !! ପୂରବୀ ସହିତ ସମୀରର ଏହା ଭିତରେ ପୁଣି ଅଶ୍ଳୀଳ ସମ୍ପର୍କ ଜମି ଉଠିଛି...ହେ ଭଗବାନ !!

 

ତେବେ ତା’ର ସନ୍ଦେହ କ’ଣ ପ୍ରକୃତରେ ସତ୍ୟ !!

 

ନା-ନା-ଅସ୍ଥିର ସୁରଭି ଅସ୍ପଷ୍ଟ ସ୍ଵରରେ ଚିତ୍କାର କରି ଉଠିଲା । ଏହା କେବେ ହୋଇ ପାରେନା । ତା’ ସମୀର, ତା’ର ପ୍ରାଣରେ ଆପଣାର ସମୀର ଏକ ଅସୀମ ନୀଳ ସାଗର । ସେଠାର ସଂକୀର୍ଣ୍ଣତାର ସାମାନ୍ୟତମ ଆଭାସ ନାହିଁ !

 

ସୁରଭି ଶେଯରେ ପୁଣି ଚିତ୍ ହୋଇ ଶୋଇ ପଡ଼ିଲା । ଆଙ୍ଗୁଠିଟାକୁ କାମୁଡ଼ି, ଛଳ ଛଳ ଆଖିରେ ସେ ମନକୁ ବହୁତ ସମୟ ବୁଝାଇ ବି ସେ ବୁଝାଇ ପାରିଲା ନାହିଁ ।

 

ସୁରଭିର ସେଇ ଇଙ୍ଗିତପୂର୍ଣ୍ଣ ଉଦନ୍ତର ଅର୍ଥ ତା’ର ମାନସିକ ସ୍ଥିତିରେ ଯେପରି ଭୂମିକମ୍ପ ସୃଷ୍ଟିକରି ଏପାଖ ସେପାଖ କରି ଦେଉଛନ୍ତି !

 

ଏକ ଅବନମିତ ସନ୍ଦେହରେ ବିବ୍ରତ ହୋଇ, ବ୍ୟସ୍ତ ହୋଇ, ବ୍ୟଥିତ ହୋଇ, ଅସ୍ଥିର ସୁରଭି ଗୋଟାଏ ଖିଆଲରେ ସମୀର ପାଖକୁ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲା ।

 

ହଁ, ହଁ, ସେ ଏ ବିଷୟରେ ସନ୍ଦେହମୁକ୍ତ ନ ହେବାଯାଏ ସେ ଶାନ୍ତିରେ ଗୋଟିଏ ମୁହୂର୍ତ୍ତ ବି ନିଶ୍ୱାସ ମାରିପାରିବ ନାହିଁ ।

 

ସୁରଭି ଯାଉ ଯାଉ ଆକସ୍ମିକ ଭାବରେ ବାଟରେ ଯାହା ଦେଖିଲା, ସେ ଦୃଶ୍ୟକୁ, ସେ ତା’ ନିଜ ଆଖିରେ ଦେଖି ବି ସାଙ୍ଗେ ସାଙ୍ଗେ ବିଶ୍ଵାସ କରିପାରିଲା ନାହିଁ ।

 

ତା’ର ହୃତକମ୍ପନ ବଢ଼ିବା ସଙ୍ଗେ ସଙ୍ଗେ ସେ ଅନୁଭବ କଲା ତା’ ଛାତି ଭିତରଟା ଯେପରି ଅସହ୍ୟ ଯନ୍ତ୍ରଣାରେ ଅସ୍ଥିର ହୋଇ ଉଠୁଛି ।

 

ପୂରବୀ ସହିତ ଗୋଟିଏ ରିକ୍‌ସାରେ ବସି ସମୀର କୁଆଡ଼େ ଯାଉଛନ୍ତି ? ....କ’ଣ କେଉଁ ନିର୍ଜନ ପାର୍କକୁ, ନା, ନିର୍ଜନ ନଈକୂଳକୁ, ଏ ମନୋରମ ସନ୍ଧ୍ୟାକୁ ସର୍ବତୋଽଭାବେ ଅବୈଧ ରୀତିରେ ଉପଭୋଗ କରିବାକୁ... ??

 

ସୁରଭିକୁ ଦେଖି ସମୀର ରିକ୍‌ସା ଅଟକାଇଲା । ଆଉ ସୁରଭି ଦେଖିଲା ସମୀର ପିଠିଆଡ଼େ ତାକୁ ଅନେଇ ଏକ ଖଳନାୟିକା ପରି ପୂରବୀ ମୁରୁକି ମୁରୁକି ହସୁଛି ।

 

ସେଇ ହସର ଟିକି ଟିକି ଶାଣିତ ଟୁକୁରା ଯେପରି ଶତ ଶତ ବିଷାକ୍ତ ଧୂମକୁଣ୍ଡଳୀ ହୋଇ ତା’ ଆଡ଼କୁ ମାଡ଼ିଆସି ତାକୁ ଅଣନିଶ୍ୱାସୀ କରି ଦେଉଛନ୍ତି !! ଏବଂ ସମୀର ମୁହଁରେ ଝୁଲି ପଡ଼ିଥ‌ିବା ସ୍ମିତ ହସ ସୁରଭିକୁ କିପରି ଏକ ରହସ୍ୟପୁରୀର ଆଲୋକ ଛିଟିକା ପରି ଜଣାଗଲା ।

 

ସମୀର ମୁହଁ ଖୋଲିଲା, ଆରେ ସୁରଭି ! ଏତେବେଳେ କୁଆଡ଼େ ଯାଉଛ ? ମୁଁ ବର୍ତ୍ତମାନ ଟିକିଏ ଭାରି ବ୍ୟସ୍ତ । କାଲି ମଫସଲର ସେଇ ନନ୍ଦିପୁର ଗ୍ରାମରେ ହରିଜନ ଆନ୍ଦୋଳନରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଶୁଣୁଛି, ସେ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ପୁଲିସ୍ କୁଆଡ଼େ ଗୁଳିଚାଳନା କରିବ । ତେଣୁ ପ୍ରୋସେସନ୍‌ରେ କେତେକ ନାରୀ ନେତୃତ୍ଵ ନେଲେ ହୁଏତ ପୁଲିସ ଶଙ୍କି ଯାଇପାରେ । ତେଣୁ ପୂରବୀ ସ୍ଵତଃପ୍ରବୃତ୍ତ ହୋଇ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆରେ ହଁ, ଏ ବିଷୟରେ ପୁଣି କେତେକ ଝିଅଙ୍କ ସହିତ ପରାମର୍ଶ କରିବାର ଅଛି । ଆମକୁ ଏ ସନ୍ଧ୍ୟାରେ ପୁଣି ଏ ସହର ଛାଡ଼ିବାକୁ ହେବ....ହଁ ମୁଁ ଯାଉଛି । ଫେରିଲେ ଦେଖାହେବ । ଏଁ... ?

 

ସୁରଭିର କୌଣସି ଉତ୍ତରକୁ ଅପେକ୍ଷା ନ କରି ସମୀର ଚାଲି ଯାଇଥିଲା । ଆଉ ସମୀରର ସେ ଫୋପାଡ଼ିଲା ପରି ଖାପଛଡ଼ା କଥାରେ ସୁରଭି ଅନ୍ତରର ସମସ୍ତ କୋମଳ ତନ୍ତ୍ରୀ ପେପରି ଟିକ୍ ଟିକ୍ ହୋଇ ଛିଡ଼ିଯାଉଛି !

 

ତା’ରି ଆଗରେ ପୂରବୀ ସହିତ ସମୀର ଚାଲିଗଲା ନାହିଁ ଯେ, ତା’ର ହୃଦୟ ପାତ୍ରକୁ ଅକାରଣରେ ଅସହ୍ୟ ନିଃସହାୟତାରେ ଗରଳରେ ଭରିଦେଇ ଚାଲିଗଲା ।

 

ସୁରଭି ସେ ରାସ୍ତାରେ ସେପରି ନିର୍ବାକ, ନିଷ୍ପନ୍ଦ, ବଧୀର ହୋଇ ଠିଆ ହୋଇଥାଏ ଏବଂ ସେ ଚଳନ୍ତା ରିକ୍‌ସାକୁ ଚାହିଁ ଆଶା କରୁଥାଏ ଯେ ସମୀର ତାକୁ ପୁଣି ଅନାଇ ହାତ ହଲାଇବେ, ହାତ ଠାରିବେ, ହସିବେ ଓ ଆଶ୍ୱାସନା ଦେବେ ।

 

କିନ୍ତୁ ହାୟ ! ସେ ଗୁମ୍‌ସୁମ୍ ହୁଡ଼ଟେକା ରିକ୍‍ସା ଯେପରି ଦୂରକୁ ଗଡ଼ିଯାଉ ନାଇଁ ଯେ, ଏକ ଟ୍ୟାଙ୍କ ଯେପରି ଭୟଙ୍କର ଭାବରେ ତା’ ଉପରେ ମାଡ଼ିଯାଇ ଦୂରକୁ ଦୂରକୁ ଚାଲି ଯାଉଛି... !!

 

ସୁରଭି ସେ ରାସ୍ତା ମଝିରେ ପିଲାଙ୍କ ପରି କାନ୍ଦି ଉଠିବାକୁ ଇଚ୍ଛା କରୁଥିଲେ ବି ଆତଯାତ ହେଉଥିବା ଲୋକଙ୍କୁ ଦେଖି ତା’ର ଉଦ୍‌ଗତ କୋହକୁ ଚାପି ତା’ର ହୃଦୟକୁ ଅବଦମିତ ବ୍ୟଥାରେ ଆହୁରି ଅଥୟ କରିଦେଲା ।

 

ଅତ୍ୟନ୍ତ ଅସହାୟତାରେ ଅଧୈର୍ଯ୍ୟ ହୋଇ ସେ ସାଙ୍ଗେ ସାଙ୍ଗେ ଘରକୁ ଫେରି ନିଜ କୋଠରୀ ଭିତରୁ କବାଟ ବନ୍ଦ କରି ଶେଯ ଉପରେ ପଡ଼ି ରହି ବିକଳ ଭାବରେ କାନ୍ଦି ଉଠିଲା ।

 

ସତେ କ’ଣ ସେ ଅଭିଶପ୍ତା ହତଭାଗିନୀଟିଏ ?

 

ପୂରବୀକୁ ସେ ଭଲ ଭାବରେ ଚିହ୍ନେ । ମାତ୍ର ଟଙ୍କାକରେ ବି ସେ ତା’ ଦେହକୁ ବିକିବାକୁ କେବେ କୁଣ୍ଠାବୋଧ କରେ ନାହିଁ ।...ପୁଣି ସେଦିନ ସେ ଯାହା କହୁଥିଲା...କେବଳ ପ୍ରେମିକ ମାନେ ଓଃ ! ସମୀର ସହିତ ଏତେଦିନ ମିଳାମିଶାରେ ତା’ର ପବିତ୍ର ହୃଦୟ ଅମୃତଭାଣ୍ଡରେ ସେ କ’ଣ ସତେ ଆସକ୍ତିର ବିଷ ମିଶାଇ କଳୁଷିତ କରିଦେଲା ?

 

ବାପା ଯଦି ଏ କଥା ଜାଣନ୍ତି ?

 

ବୋଉ ଯଦି ଏ କଥା ଜାଣେ ? ସେ କ’ଣ ସମୀର ସହିତ ତା’ର ବାହାଘର ନେଇ ସମର୍ଥନ ଜଣାଇବ ?

 

ସେ ତ ଶୁଣୁଛି ଯେ, ଏହା ଭିତରେ ସାଗର ମହାପାତ୍ର ସହିତ ତା’ର ବାହାଘର କରିଦେବା ପାଇଁ ବାପାଙ୍କର କୁଆଡ଼େ ଭାରି ଇଚ୍ଛା ।

 

ସେ ସତେ କେଉଁ ସାହସରେ ତା’ ବାପାଙ୍କ ଆଗରେ ଓ ସାଗର ମହାପାତ୍ର ଆଗରେ ସମୀର ପାଇଁ ଟାଣ ପଣିଆ ଦେଖାଇବ ?

 

ରାଜନୀତି କଲେ ଲୋକମାନେ ରୁକ୍ଷ, ନିର୍ଲିପ୍ତ ହୋଇଯାଆନ୍ତି ବୋଲି ସେ ଶୁଣିଥିଲା । କିନ୍ତୁ ତା’ ସମୀର ଏମିତି ସୃଷ୍ଟିଛଡ଼ା ହେବ ବୋଲି ସେ କ’ଣ କେବେ କଳ୍ପନା କରିଥିଲା ?

 

ସେ କ’ଣ ଚାହୁଁ ନ ଥିଲା ସମୀରର ଆନ୍ଦୋଳନରେ, ବିକ୍ଷୋଭରେ ନିଜକୁ ଉଜେଇଁ ଦେବ ବୋଲି । ତାହା ହୋଇଥିଲେ ବରଂ ଭଲ ହୋଇଥାନ୍ତା । ସେ ତା’ର ସମୀରକୁ ଉପଯୁକ୍ତ ଭାବରେ ନିୟନ୍ତ୍ରଣରେ ରଖିପାରିଥାନ୍ତା । କେଦାରଗୌରୀ ମନ୍ଦିରରେ ଶପଥ ନେଲା ଦିନୁ ସେ ତା’ର ଧର୍ମତଃ ସହଧର୍ମିଣୀ । ସେ କାହିଁକି ତାହାହେଲେ ସମୀର ଧର୍ମରେ ନିଜକୁ ସମର୍ପଣ ନ କଲା-?

 

କିନ୍ତୁ ସମୀରର ସେଇ କଅଁଳ ଧୀର କଥା–ଦେଖ ସୁରଭି, ତୁମେ ଅନ୍ତତଃ ବି.ଏ.ଟା ପାସ କରିଯାଅ । କେତେ ତୁମେ ମୋତେ ସାହାଯ୍ୟ କରିବ ଦେଖିବା ? ଶିକ୍ଷାର ସମାପ୍ତି ପରେ ରାଜନୀତିରେ ପଶିବାକୁ ତୁମକୁ ତ କିଏ ବାରଣ କରୁନାହିଁ ?

 

ତେବେ କ’ଣ ପୂରବୀ ସହିତ ଏପରି ଗୋପନ ପ୍ରଣୟରେ ମାତିବା ପାଇଁ ସେ ତାକୁ ଏପରି ଛଳନାଭିଜା କଥା କହିଥିଲେ ? ନା ନିଜକୁ ହୃଦୟରେ କେତେଜଣଙ୍କୁ ସ୍ଥାନ ଦେବାପାଇଁ ସେ ଚାଲାକି କରି ନିଜକୁ ନୀଳ ହ୍ରଦ ସହିତ ତୁଳନା କରୁଥିଲେ ?

 

ସତରେ, ଅକସ୍ମାତ ସାକ୍ଷାତ ପରେ ପରେ ମୋ’ଠାରୁ ବିଦାୟ ନେବାର ଏପରି ବ୍ୟଗ୍ରତା ସେ ତ କେବେ ସମୀରଠାରେ ଦେଖି ନ ଥିଲା !

 

ଅଦମ୍ୟ ସନ୍ଦେହ ଓ ଅତିଶୟ ମାନସିକ ଦ୍ୱନ୍ଦ୍ୱରେ ନିଜର ମନର ସ୍ଥିତାବସ୍ଥାକୁ ଅସ୍ତବ୍ୟସ୍ତ କରି ସୁରଭି ମୁଣ୍ଡଟାକୁ ଦୁଇ ହାତରେ ଜାବୁଡ଼ି ଧରି ପୁଣି କାନ୍ଦି ଉଠିଲା ।

 

ସତରେ କ’ଣ ସମୀର ତାକୁ ଭୁଲିଯିବ ???

 

ଭୁଲିଯିବ ସେ ସ୍ମୃତିତୀର୍ଥର ଅପୂର୍ବ ପବିତ୍ର ଭାବାବେଶକୁ ??

 

କେଦାରଗୌରୀ ମନ୍ଦିର...ନାରାୟଣୀ ଝର, ଜବଲପୁର ମାର୍ବଲ କାନ୍ଥିତଳେ ନୀଳ ନର୍ମଦା ଜଳରେ ନିର୍ଜନ ନୌକାବିହାର...ସାରନାଥ ବୌଦ୍ଧ ତୀର୍ଥରେ ନିଷ୍କାମଭାବର ଆଳାପ, ଆଉ ଖଣ୍ଡଗିରିର ସେ ସ୍ଵପ୍ନିଳ ନିକାଞ୍ଚନ ଅପୂର୍ବ ପରିବେଶର ସ୍ଵରକୁ ସେ କ’ଣ ସତେ ଭୁଲିଯିବ ?

 

ଆଃ ! ସେ ଦିନର ସେ ଖଣ୍ଡଗିରିର ସ୍ମୃତି !!

 

ପୂର୍ବ ଦିଗର ଅଗଣାରେ ଅଳସେଇ ଜହ୍ନ ଧୀରେ ଧୀରେ ଲାଜେଇ ଉଠୁଥିଲା । ତା’ରି ଆଗରେ ଯେଉଁ ଭସାବାଦଲ ବୋଇତଟିଏ ହୋଇ ଭାସି ଯାଉଥିଲା, ସେ ସାଙ୍ଗେ ସାଙ୍ଗେ ଆକାର ବଦଳାଇ ଯେପରି ସୁନ୍ଦର ପୁରୁଷଟାଏ ହୋଇଗଲା... । ଆଉ ସେ ହାତଠାରି ଜହ୍ନକୁ ଡାକୁଛି ଜହ୍ନ ଯାଉନାହିଁ...ହସୁଛି...ବାଦଲ ତା’ ପାଖକୁ ଯାଉଛି । ଏଇତ !! ଏଇତ ତାକୁ କୋଳରେ ପୂରାଇ ଗେଲ କରୁ କରୁ ଚଗଲୀ ଜହ୍ନ ହସି ହସି ଖସିଗଲା ।

 

ସୁରଭି ଜହ୍ନ ବାଦଲର ଲୁଚକାଳି ଖେଳରୁ ନିଜର ବିହ୍ୱଳ ଦୃଷ୍ଟି ଫେରାଇ ପୂରିଲା ପୂରିଲା ଆଖିରେ ଚାହିଁଲା ସମୀରକୁ !

 

ସମୀର ତା’ ଆଡ଼କୁ ଅନାଇ ଥିରି ଥିରି ହସୁଛି ।

 

ସ୍ପର୍ଦ୍ଧିତ ଶରୀରରେ ଦୃଢ଼ ମାଂସପେଶୀ ଆହୁରି କିପରି ଲୋଭନୀୟ ହୋଇ ଉଠୁଛି । ମୁହଁରେ ଉଦାତ୍ତ ତାରୁଣ୍ୟର ଅପୂର୍ବ ଝଲକ ଯେପରି ପ୍ରଦୀପ୍ତ ଶିଖାର ଆଲୋକ ପରି ଉଜ୍ଜ୍ୱଳି ଉଠିଛି-!

 

ସୁରଭି ପୁଲକିତ ହୋଇ ଉଠିଲା ।

 

ସମୀର ବିହଳ କଣ୍ଠରେ କହିଲା, ସୁରଭି ଚାଲ ସେପାଖକୁ ସେ ସ୍ତୂପଘେରା ପାହାଡ଼ ଉପରେ ଠିଆ ହୋଇ ଘନ ଅରଣ୍ୟରେ କିପରି ଫେନିଳ ଜ୍ୟୋତ୍ସ୍ନା ଲହରୀ ଭାଙ୍ଗୁଥ‌ିବା ଦେଖିବା ।

 

ସେମାନେ ଲଗାଲଗି ହୋଇ ଠିଆ ହୋଇଥିଲେ ସେ ପାହାଡ଼ର ଗୋଟାଏ ପାଖରେ । ତଳେ ମୂର୍ଚ୍ଛିତ ବନାନୀର ଦୃଶ୍ୟ ଦେଖୁ ଦେଖୁ ସମୀର ଭାବପ୍ରବଣ ହୋଇ ସୁରଭିକୁ କୋଳରେ ଧରି ଥର ଥର କଣ୍ଠରେ କହିଲା, କେଦାରଗୌରୀ ମନ୍ଦିର କଥା ମନେ ଅଛିଟି ସୁରଭି ?

 

ସମୀରର ଏ କଥାରେ ସୁରଭି ଚମକି ଉଠି ଜଳ ଜଳ ହୋଇ ଅନାଇଲା ସମୀର ଆଡ଼େ-

 

ସମୀରର ମୁହଁରେ ଗମ୍ଭୀରତା ଛାଇ ହେବାକୁ ବସିଛି । ତେବେ କ’ଣ ସେ କିଛି ଅନର୍ଥ ଘଟାଇବେ କି ?

 

ସମୀର ବ୍ୟସ୍ତ କଣ୍ଠରେ କହିଲା, ଆରେ, କ’ଣ କିଛି କହୁନାହିଁ ଯେ ସୁରଭି ! କ’ଣ ମୋତେ ଏତେ ଦେଖୁଛ !

 

ସୁରଭି ସମୀରର ହାତ ଟାଣିଆଣି ମୁହଁରେ କିଛି ସ୍ମିତ ହସ ଜାଣି ଜାଣି ଉକୁଟାଇ କହିଲା, ଆଜିଯାଏ ଏ ହାତରୁ ଚିରାଦାଗ ଲିଭିଲାଣି ନା ??

 

ସମୀର ଏଥରକ ହୋ ହୋ ହୋଇ ହସିଉଠି ସେ ବନ୍ୟ ନିର୍ଜନତାକୁ କିଛିକ୍ଷଣ ଥରାଇ ଦେଇ କହିଲା, ଆରେ ତୁମେ ତା’ ହେଲେ ସେଇ କଥା ଭାବୁଛ ? ପ୍ରକୃତରେ ସୁରଭି ଏ ଦାଗ ଲିଭିବାର ନୁହେଁ । ତୁମକୁ ଏ ଦାଗଟା ବାହାରକୁ ଦେଖାଯାଉଛି ସିନା; ସେ ଦାଗ ମୋର ହୃଦୟର ଶୈଳ ଭାଲରେ ଏବେ ବି ଅଲିଭା ଶିଳାଲିପି ହୋଇ ରହିଯାଇଛି ।

 

ସୁରଭି ସାଙ୍ଗେ ସାଙ୍ଗେ ବିମୁଗ୍‌ଧ କଣ୍ଠରେ କହିଲା, ଆଉ ତୁମର ସେ ରକ୍ତ ସିନ୍ଦୂରଗାରର ଉଷ୍ଣତା ମୋ’ର ଏ ସୁନ୍ଥା ଭେଦି, ମୋର ପ୍ରତିଶୋଣିତ ବକ୍ଷରେ ଦିହୁଡ଼ି ଜାଳୁଛି ସମୀର ।

 

ସୁରଭିର ଏପରି କଥାରେ ସମୀର ଶିହରି ଉଠି ମୁଗ୍‌ଧ ଦୃଷ୍ଟିରେ ଚାହିଁ ରହିଲା ଶିହରି ଉଠୁଥ‌ିବା ବନାନୀର ଶୋଭା ସମ୍ପଦକୁ । ମର୍ମରୀ ଉଠୁଛି ତଳେ ସୁନ୍ଦର ବନାନୀ ।

 

ସମୀର ଅପୂର୍ବ ମୋହାବେଶରେ ସୁରଭି ସହିତ ଘନିଷ୍ଠ ହୋଇ ସ୍ୱପ୍ନଭରା କଣ୍ଠରେ କହିଲା, ଆମେ ଦୁଇଜଣ ଯାକ ଏମିତି ଏକା ହୋଇ ଏଇଠୁ ତଳକୁ ଡେଇଁ ପଡ଼ିଲେ କିପରି ହୁଅନ୍ତା-?

 

ସମୀର... ??

 

ଆରେ ଆମର ନିଶ୍ଚିତ ମୃତ୍ୟୁ ହୁଅନ୍ତା । ଆଉ ପରଜନ୍ମରେ ଆମେ ଏମିତ ସେଇ ସ୍ଵପ୍ନିଳ କଳ୍ପଲୋକରେ ହାତରେ ହାତ ମିଶାଇ, ଛାତିରେ ଛାତି ମିଶାଇ କେତେ ସ୍ୱର୍ଗୀୟ ଆନନ୍ଦ ପାଆନ୍ତେ କହିଲ ? ସୁରଭି ଏଥରକ କଞ୍ଚିତ ଆନନ୍ଦ ଓ ଅପ୍ରମିତ ବିସ୍ମୟ ଦୃଷ୍ଟିରେ ସୃଷ୍ଟି କରି ଚାହିଁଲା ସମୀରକୁ-

 

ସମୀର ଆଖିରେ ସହସ୍ର ସହସ୍ର ବେହୋସ ଭାବ ଏଇ ଜ୍ୟୋତ୍ସ୍ନାଲୋକ ପରି ଥମ ଥମ ହୋଇ ଉଠୁଛି ।

 

ସେ ଉଦାସ କଣ୍ଠରେ କହିଲା, ଏ ଜୀବନ ଥରେ ଗଲେ ଆଉ ମିଳେ ନାହିଁ ସମୀର । ଅନ୍ୟ କଳ୍ପଲୋକ ତ କେବଳ କଳ୍ପନାର କଥା । ମଣିଷ ହୋଇ ଜନ୍ମ ହେବା ଈଶ୍ୱରଙ୍କର ଆଶୀର୍ବାଦ ! ଏ ଜନ୍ମରେ ଏ ଜୀବନକୁ ସର୍ବାନ୍ତଃକରଣରେ ଉପଭୋଗ କରିବା ଆମର ଧର୍ମ । କେଦାରଗୌ‍ରୀ ମନ୍ଦିରରେ ଆମେ ଶପଥ କରିଛେ । ସେହିଦିନଠାରୁ ଆମେ ସ୍ଵାମୀ-ସ୍ତ୍ରୀ । ଅଭିନ୍ନ-ଅଜ୍ଜୟ । ଏକା, ସୁଖ ଦୁଃଖର ସାଥୀ ।

 

ଜୀବନ କହିଲେ କେବଳ ଆନନ୍ଦକୁ ବୁଝାଏ ନାହିଁ ସମୀର । ବିଷାଦକୁ ମଧ୍ୟ ବୁଝାଏ । ଆମେ ଆଜି ଆନନ୍ଦରେ ଅଧୀର ହେଉଛେ, ବିଷାଦରେ କେବେ ଅସ୍ଥିର ହୋଇଛେ କି ? ବିଷାଦରେ ଜଳିବାରେ ଅପ୍ରମିତ ଆନନ୍ଦ ରହଛି ସମୀର । ଭାବର ପ୍ରବଣତାରେ ଭାସିଯାଇ ବାସ୍ତବତାଠାରୁ ଦୂରେଇ ରହି ଏମିତି ଏଣୁ ତେଣୁ ଚିନ୍ତାରେ କେବଳ ଯାହା ସାମୟିକ ତୃପ୍ତି ମିଳେ । ଶାଶ୍ୱତ ଜୀବନଧାରା ସେଠାରେ ନିଶ୍ଚିହ୍ନ । କଳ୍ପନା ସହିତ ବାସ୍ତବତାର ମଧୁର ମିଳନ ହିଁ ପ୍ରକୃତ ଜୀବନର ଜୟଗାନ ।

 

ସୁରଭିର ଏ ଦୀର୍ଘ ଦାର୍ଶନିକ ଉକ୍ତି ସମୀର ଅନ୍ତର ସରୋବରରେ ସତେ ଯେପରି ଶତ ଶତ ଶୀତ୍‌କାରର ଶତଦଳ ଫୁଟାଇ ଦେଲା ।

 

ଅଜସ୍ର ପୁଲକ, ଅସଂଖ୍ୟ ଭୟରେ ଯେପରି ତାକୁ ମୋହଗ୍ରସ୍ତ କରି ଦେଉଛନ୍ତି । ଥର ଥର ସମୀର ଆତ୍ମବିସ୍ମୃତ ହୋଇ ଚାହିଁ ରହିଲା ପ୍ରଶାନ୍ତ ଆକାଶକୁ, ପୁଣି ସୁରଭିର ମୁହଁକୁ । ଏ ଆକାଶ ପରି ସୁରଭିଟା କେତେ ପ୍ରଶାନ୍ତ ଅସୀମ ସତେ ।

 

ତଳେ ଅରଣ୍ୟନୀ ଜ୍ୟୋତ୍ସ୍ନା ମଦ ପିଇ ଏକାଥରେ ମତୁଆଲା ହୋଇ ଉଠିଛି । ଧୀର ପବନ ସେଇ ଆଦାମ ଇଭ ଯୁଗର ଆଦିମ ବଂଶୀସ୍ଵରର ମୋହକାରୀ ମୃଦୁ ମୂର୍ଚ୍ଛନା କାନରେ ବାରବାର ଢାଳିଦେଉଛି ।

 

ନିର୍ଜନ, ନିକାଞ୍ଚନ, ନୀରବ ପରିବେଶ ।

 

ସେମାନଙ୍କ ସ୍ନାୟୁ ଶୋଣିତ ସମୁଦ୍ରରେ ଉତ୍ତାଳ ଉଚ୍ଚାଟନର ଲହରୀମାଳା ଉଦ୍‌ବେଳିତ ହୋଇ ଉଠୁଛି । ସେମାନେ ସେଥିରେ ସାମାନ୍ୟ ବୁଦ୍‌ବୁଦ୍ ଆକାରରେ ମିଶିଯିବେ କି ? ହୋଇଯିବେ କି ସେମାନେ ସେଇ ଆଦି ଯୁଗର ପ୍ରକୃତି ପୁରୁଷ !

 

ସୁରଭି ନିଜକୁ ନିୟନ୍ତ୍ରଣ ଓ ସଂଯତ କରି ସମୀରକୁ ଥର ଥର କଣ୍ଠରେ କହିଲା–ଚାଲ, ଚାଲ ଏଠାରୁ ଫେରିଯିବା ସମୀର ।

 

ସମୀର ବାଧ୍ୟରେ ମୋହ ଭାଙ୍ଗି ସଚେତ ହେଲା ।

 

ସେମାନେ ଫେରିଥିଲେ, ସିଧା ସିଧା ଚାଲି ଚାଲି ଭୁବନେଶ୍ଵର ବସ୍‍ଷ୍ଟାଣ୍ଡକୁ !

 

ସେ ନିର୍ଜନ ପଥରେ ସେମାନେ ଆସିଲାବେଳେ ସମୀର ଆବେଗଭିଜା କଣ୍ଠରେ କହିଥିଲା, ଏପରି ଚାଲିବାରେ ଏକ ଅପୂର୍ବ ମାଦକତା ଅଛି ସୁରଭି ।...ସତରେ ତୁମ ହାତ ଧରି କି ପୂର୍ଣ୍ଣିମା କି ଅମାବାସ୍ୟା ରାତିରେ ଯୋଜନ ଯୋଜନ ବାଟ ଚାଲିଲେ ମଧ୍ୟ ମୋ’ର ଟିକିଏ ବି କ୍ଳାନ୍ତି ଆସିବ ନାହିଁ ।

 

ସୁରଭି ଅନୁଭବ କରିଥିଲା, ସେମାନେ ହାତ ଛନ୍ଦାଛନ୍ଦି ହୋଇ ଯେପରି ଚାଲୁ ନାହାନ୍ତି । ସେମାନେ ଉଡ଼ି ଯାଉଛନ୍ତି ଏକ ପକ୍ଷୀ ଦମ୍ପତି ପରି ପକ୍ଷରେ ପକ୍ଷ ଛନ୍ଦି ଜ୍ୟୋତ୍ସ୍ନା ପ୍ଳାବିତ ଆକାଶ ବକ୍ଷରେ କେଉଁ ଅଜଣା ଦୂର ରାଇଜକୁ... ।

 

ହଠାତ୍ ବୋଉ ଶ୍ୟାମାମଣୀଙ୍କ ଡାକରେ ସୁରଭି ଅତୀତରୁ ଖସିପଡ଼ି ସଚେତନ ହେଲା ।

 

ବୋଉ ଜଳଖିଆ ଖାଇବାକୁ ଡାକୁଛି । କଲେଜ କ୍ୟାଣ୍ଟିନ୍‌ରେ ଜଳଖିଆ ଖାଇ ଆସିଛି ବୋଲି କହି ବୋଉକୁ ଭୁଲେଇ ଦେଇ ସୁରଭି ଏଥରକ ମନକୁ ବୁଝାଇଲା । ଅତୀତ କଥା ବାରମ୍ବାର ରୋମନ୍ଥନ କରି ସେ ବେଶ ମନକୁ ଟାଣ କଲା ।

 

ନା, ତା’ ସମୀର କେବେ ଏତେଟା ନୀଚ ହୋଇପାରିବ ନାହିଁ ।

 

ହଁ, ପୂରବୀ ସେଦିନ କହିଥିଲା ନା, ସବୁ ପ୍ରେମିକ ଏକା ଲୋ ସୁରଭି । ପ୍ରେମ କଲାବେଳେ ଛଳନା କରି ଆମ ହୃଦୟକୁ କିଣିନେଇ ଶେଷରେ ଖାଲି ମଦ ବୋତଲ ପରି ଗଡ଼େଇ ଦିଅନ୍ତି ।

 

ନା-ନା-ତା’ ନିଷ୍କଳଙ୍କ ସମୀର କେବେହେଲେ ଏତେଟା ନୀଚ ହୋଇପାରିବ ନାହିଁ । ଏତେ ଦିନର ସଂସର୍ଗରେ ସେ କ’ଣ ତାକୁ ଚିହ୍ନିବାକୁ ଆଉ ବାକି ଅଛି । ସମୀର କେବେ ତାକୁ ଭୁଲି ପାରିବନି । ଏତେ ସ୍ମୃତି ସଙ୍ଗୀତର ମଧୁର ମୂର୍ଚ୍ଛନାର ଅନୁରଣନକୁ ସେ କେବେ ମନରୁ ପୋଛିଦେଇ ପାରିବ ନାହିଁ ।

 

ସୁରଭିର ସନ୍ଦେହ ମେଘାକ୍ରାନ୍ତ ମୁଖମଣ୍ଡଳରେ ପ୍ରତ୍ୟୟର ସପ୍ତରଙ୍ଗୀ ଇନ୍ଦ୍ରଧନୁ ପୁଣି ଝିଲିମିଲି ହୋଇ ଉଠିଲା ।

 

ସମୀର ଅବଶ୍ୟ ଏହା ଭିତରେ କିଏ ଖାପଛଡ଼ା ସ୍ଵଭାବର ହୋଇଯାଇଛି । ହେବା କଥା-। ବହୁ ବିପ୍ଳବର ନେତୃତ୍ଵ ନେଇ ତା’ ଅନ୍ତରର ପ୍ରବଣତା ସୁଅ ଟିକିଏ ଧିମା ପଡ଼ିଯାଇଛି । ସେଇ କ୍ଳାନ୍ତ ସ୍ରୋତ ପୁଣି କ’ଣ ଉଲ୍ଲାସରେ ଫୁଲି ହସି ଉଠିବନି ?

 

ସୁରଭି ଏହିପରି ଏକ କାଳ୍ପନିକ ଆତ୍ମତୃପ୍ତିରେ ସାହସ ବାନ୍ଧ ଶିହରି ଉଠି ଆଖି ବୁଜିଦେଲା ।

 

ତା’ର ମନେହେଲା ସେଇ ଆଖିବୁଜା ନିବୁଜ ଅନ୍ଧକାର ଯେପରି ଦ୍ୱାପର ଯୁଗର ସେଇ ନୀଳ ନୀରା ଯମୁନାର ଛଳ ଛଳ ଜଳଧାରା । ଆଉ ସେ ତା’ର ସମୀରର କରଛଡ଼ା ବଂଶୀଟି ହୋଇ ସେଇ ସ୍ରୋତରେ ଭାସି ଚାଲିଛି । ତା’ର ସମୀର ନନ୍ଦସୁତ କଳାକାହ୍ନୁ ପରି କୂଳେ କୂଳେ ଧାଇଁ ହସି ହସି କହୁଛନ୍ତି, ଅଗୋ ମୋର ଆଦରର ବଂଶୀ ! ମୋତେ ଭୁଲ ବୁଝିଲ କି ?

 

ପ୍ରଳୟ ପରି ଆମର ପ୍ରଣୟ ଗୋ !

 

ପ୍ରଳୟରେ ନାନା ଝଡ଼ ଝଞ୍ଜାର ଆଘାତରେ ଦୋହଲି ଉଠି ବୃକ୍ଷଟିଏ ଯଦି ତା’ର ଆପଣାର ଲତାକୁ ନିଜ ଦେହରେ ଛନ୍ଦି ରଖି ନ ପାରିଲା, ତା କ’ଣ ବୃକ୍ଷର ଦୋଷ କି ?

 

ଆଉ ମୁଁ ଠିକ୍ ସେପରି । ବାସ୍ତବତାର ସଂଘର୍ଷରେ କ୍ଷତବିକ୍ଷତ ହେଇ ଯଦି ତୁମକୁ ଅଜାଣତରେ ସାମାନ୍ୟ ଅନାଦାର କରିଥାଏ, ତେବେ ମନ ଦୁଃଖ କରିବ ନାହିଁଟି ?

 

ତୁମେ ଯେ ତୁମ ପାଗଳ କାହ୍ନୁର ଆଦରର ବଂଶୀ । ତୁମେ ମୋ ଅଧରରୁ ଖସିପଡ଼ି ଭାସି ଚାଲିଛ ନା; ହେଇ ତ ମୁଁ ତୁମକୁ ପୁଣି ମୋ ଅଧରରେ ତୋଳି ଧରିଲି । ଆ ! କି ମଧୁର ସ୍ୱର......ସତେ ମୋ ବଂଶୀ, ତୁମେ ଯେ ମୋ ଯୁଗ ଯୁଗ ପ୍ରୀତିର ସ୍ୱାକ୍ଷର ।

 

ସୁରଭି ଆଖି ଖୋଲିଲା ।

 

ଏକ ଅପୂର୍ବ ଆବେଗରେ ରୋମାଞ୍ଚିତ ହୋଇ ନିଜର ଓଠ ଦିଗ୍‌ବଳୟରେ ଶତ ଶତ ଆତ୍ମତୃପ୍ତିର ସୂର୍ଯ୍ୟ ଉଦୟ କରି ମନେ ମନେ ସିଦ୍ଧାନ୍ତ କଲା, ସେ ତା’ର ପ୍ରାଣର ସମୀରକୁ ପୂରବୀର ଚରିତ୍ରଗତ ଇତିହାସ ସବୁ କହିବ । ତାକୁ ବୁଝାଇ ପୂରବୀର ବିଷାକ୍ତ ଦଂଶନଠାରୁ ଦୂରେଇ ରଖିବ । ସମୀର ତା’ କଥା ନ ରଖି ଆଉ କାହା କଥା ରଖିବେ ?

 

ସୁରଭି ଅନାଇଲା ପଶ୍ଚିମ ଦିଗ୍‍ବଳୟକୁ ।

 

ଦୂର ପାହାଡ଼ ରଥ ଉପରକୁ ସୂର୍ଯ୍ୟଙ୍କର ପହଣ୍ଡି ବିଜେ ହେଉଛି...। କିଏ ସେ ସୁନା ଝାଲର ଲଗା ବାଦଲର କମକୁଟା ଚାନ୍ଦୁଆଟା ସେ ରଥ ଉପରେ ଟାଙ୍ଗିଦେଲା ? ଆରେ ଠାକୁରଙ୍କ ମୁହଁ ଦିଶୁ ନାହିଁ ଯେ; ଉଠା ସେ ଚାନ୍ଦୁଆ ।

 

ଚାନ୍ଦୁଆ ଉଠିଲା; ଠାକୁର କାହାନ୍ତି ? ଠାକୁର ରଥ ସେ ପାଖକୁ ଗଡ଼ି ପଡ଼ିଲେ ନା କ’ଣ-?

 

ସୁରଭି ଭାବିଲା ବର୍ତ୍ତମାନ ସମୀର ମଫସଲକୁ ବାହାରି ପଡ଼ିବେଣି । ସମୀରର ମଙ୍ଗଳ କାମନା କରି ସୁରଭି ଅସ୍ତାୟମାନ ତପନଙ୍କ ପ୍ରତି ଭକ୍ତିପୂର୍ଣ୍ଣ ପ୍ରଣତି ଜଣାଇଲା ।

 

ଏଗାର

 

ବାତ୍ୟା ପ୍ରକମ୍ପିତ ଏକାକୀ ବୃକ୍ଷ ପରି ସୁରଭି ଅସ୍ଥିର ହୋଇ ଉଠିଲା ।

 

ସମୀର ନନ୍ଦୀପୁର ହରିଜନ ଆନ୍ଦୋଳନରୁ ଫେରିବା କଥା ଶୁଣି ସୁରଭି ତା’ ସହିତ ସାକ୍ଷାତ ପାଇଁ ବ୍ୟଗ୍ର ହୋଇ ଉଠୁଥିଲେ ବି ତା’ ବସାକୁ ଯିବାକୁ ତାକୁ କିପରି ଭୟ ଲାଗିଲା ।

 

ସେଠାରେ ଯଦି ସେ ପୂରବୀକୁ ଦେଖେ ??

 

ଏପରି ଏକ କାଳ୍ପନିକ ଆଶଙ୍କାରେ ସୁରଭି ସେଠାକୁ ନ ଯାଇ ସମୀର ପାଖକୁ ଅନୁନୟ କରି ଲେଖିଥିଲା ତା’ ସହିତ ଏ ସନ୍ଧ୍ୟାରେ ଏଇ ଗଡ଼ଗଡ଼ିଆ ଘାଟରେ ଭେଟିବା ପାଇଁ ।

 

କିନ୍ତୁ ଆସି ସାତଟା ବାଜିଲାଣି; ଅଥଚ ତାଙ୍କର ଏ ପର୍ଯ୍ୟନ୍ତ ଦେଖା ନାହିଁ ??

 

ଉତ୍‌କଣ୍ଠିତା ସୁରଭି ନଈକୂଳରେ ପକ୍‌କା ବେଞ୍ଚ ଉପରୁ ଉଠି ଉତ୍ସୁକତାପୂର୍ଣ୍ଣ ଦୃଷ୍ଟିରେ ରାସ୍ତାକୁ ଅନାଇଲା ।

 

ସମୀର ଆସୁଛି କି ??

 

......ହଁ, ସମୀର ତ ।

 

ସୁରଭି ଆନନ୍ଦରେ ଅଧୀର ହୋଇ ଉଠୁଥିଲେ ବି କୃତ୍ରିମ ଅଭିମାନରେ ସେ ସମୀରକୁ ନ ଦେଖିଲା ପରି ସେ ପକ୍‌କା ବେଞ୍ଚ ଉପରେ ମହାନଦୀର ଚଳନ୍ତି ସ୍ରୋତକୁ ଅନାଇ ରହିଲା ।

 

ସମୀର ହସ ହସ ହୋଇ ସୁରଭିର ଦେହ ସଂଲଗ୍ନା ହୋଇ ବସି ତା’ର ଫୁଲ କଅଁଳ ହାତକୁ ନିଜ ହାତ ମୁଠାରେ ରଖି ମୃଦୁ ଚାପା ଦେଇ କହିଲା, ମୋ ଉପରେ ତୁମେ ନିଶ୍ଚୟ ରାଗିଥିବ ସୁରଭି ! ହେଲେ କ’ଣ କରିବି ମୁଁ କହିଲ ? ଏ ଯେଉଁ କାମରେ ମୁଁ ମୁଣ୍ଡ ପୂରେଇଛି ସେଥିରେ ବ୍ୟସ୍ତ ହୋଇ, ଧନ୍ଦି ହୋଇ ମୁଁ ମରିଗଲିଣି ।

 

.....ଆରେ ମୋ ଆଡ଼କୁ ଅନାଅ ।

 

ସମୀର ସୁରଭିକୁ ଆଦରରେ ଛାତିକୁ ଆଉଜାଇ ଆଣିଲା । ସୁରଭି ଏଥରକ ସାମାନ୍ୟ ମୁହଁ ଟେକି ଚାହିଁଲା ସମୀରକୁ ।

 

ସମୀର ହସୁଛି ! ସେଇ ସବୁଦିନର ସ୍ଵାଭାବିକ ହସ । ସୁରଭି ଯାହା କହିବାକୁ ବସିଥିଲା, ସେ ସବୁ କଥା ଓ ତା’ର ସମସ୍ତ ଅଭିମାନ ସମୀରର ସେ ଉଷ୍ମ ସାନ୍ନିଧ୍ୟ, ଛଳ ଛଳ ଫୁଆରାରେ ଯେପରି କୁଆଡ଼େ ଭାସିଗଲା ।

 

ଆରେ ମୋ ମୁହଁକୁ କ’ଣ ସିଧା ଚାହିଁବାକୁ ତୁମକୁ ଲାଜ ଲାଗୁଛି ? ଏତେଦିନ ପରେ ତୁମେ ମୋ ପାଖରେ ବସିଛ; ଅଥଚ ମୋଠାରୁ ଏମିତି ଦୂରେଇ ଦୂରେଇ ରହିବା ଭାବ କ’ଣ ତୁମକୁ ଭଲ ଲାଗୁଛି ?

 

ସୁରଭି ବିସ୍ମୟ ଓ ଉଲ୍ଲାସରେ ଦୋଳାୟମାନ ହୋଇ ଅନୁଭବ କଲା, ଏତେଦିନ ପରେ ସମୀର ଅନ୍ତର ସାଗରର ପ୍ରେମ ପ୍ରବଳ ଊର୍ମିମାଳାର ନିଦ ଭାଙ୍ଗିଛି । ସମୀରର ଉଷ୍ମାଳ ସ୍ପର୍ଶରେ ଅପୂର୍ବ ଶୀତକାକରରେ ଶିହରି ଉଠିଲା ସୁରଭି । ସମୀର କୋଳରେ ଆହୁରି ନିବିଡ଼ ହୋଇ ସେ ଅନାଇଲା ଆକାଶକୁ.....

 

ଆଜି କେଉଁ ତିଥି, ସେ ହେତୁ କରିବା ଅବସ୍ଥାରେ ନ ଥିଲା । ତେବେ ଆକାଶରେ ଜହ୍ନ ଥିଲା । ହସ ହସ ସୁନ୍ଦରୀ ଜନ୍ମ । ପୁଳା ପୁଳା ଜ୍ୟୋତ୍ସ୍ନାର ମଲ୍ଲୀ ପାଖୁଡ଼ା ମହାନଦୀର ଥରିଲା ଛାତିରେ ବିଞ୍ଚିହୋଇ ପଡ଼ିଥିଲା । ଆଉ ବେଳେ ବେଳେ ପାଗଳ ପବନମାନେ ପାଖ ବୃକ୍ଷଶାଖାରେ ସୁସୁରି ମାରି ହସି ହସି କିଛି ସମୟ ବିଶ୍ରାମ ନେଇ ମହାନଦୀର ଜଳ ଆସ୍ତରଣ ଉପରେ ପହଁରି ଆରପାଖ ନଈପଠା ଦେଇ ଗୀତ ଗାଇ ଗାଇ କେଉଁ ଦୂର ରାଇଜକୁ ଯାତ୍ରା କରୁଥିଲେ କେଜାଣି !!

 

ସୁରଭି ଏକ ଅନାସ୍ଵାଦିତ ଆବେଗରେ ଅତ୍ୟଧ‌ିକ ଭାବରେ ପୁଲକି ଉଠିଲା । ସେ ସମ୍ଭବ ଚାହୁଁଥିଲା ନିଜର ଅସ୍ତିତ୍ଵକୁ ସମୀରର ପ୍ରଶସ୍ତ ବକ୍ଷ ଭେଦକରି ହୃଦୟର କେଉଁ ଅଜଣା କନ୍ଦରରେ ଅବସ୍ଥାନ କରେଇବା ପାଇଁ, ଯେଉଁଠାରେ କି ସେ ସର୍ବଦା ଏକ ଉଜ୍ଜ୍ଵଳ ଆଲୋକ ଶିଖା ପରି ଦାଉ ଦାଉ ହୋଇ ଜଳୁଥିବ ଓ ଅନ୍ୟ କାହାର ସ୍ଥିତିର ସାମାନ୍ୟତମ ଆଭାସକୁ ବି ସେଠାରେ ସେ ଜାଳିପୋଡ଼ି ଧ୍ୱଂସ କରିଦେବ ।

 

କେତେକ ରୋମାଞ୍ଚିତ ମୁହୂର୍ତ୍ତରେ ଉତ୍ତପ୍ତ ନୀରବତା ପରେ ସମୀର ସହିତ ସେପରି ଘନିଷ୍ଠ ହୋଇ ସୁରଭି ଟିକିଏ ମନକୁ ଦୃଢ଼ କରି କଣ୍ଠକୁ ସଜାଡ଼ି କହିଲା, ମୁଁ ଗୋଟିଏ କଥା କହିବି, କିଛି ଭାବିବ ନାହିଁ ତ ?

 

ସୁରଭିର ଏପରି ପ୍ରଶ୍ନରେ ସମୀର ବିସ୍ମିତ ହେଲେ ମଧ୍ୟ ହସିଲା । କହିଲା, ମୋତେ ପୁଣି ତୁମକୁ କୌଣସି କଥା କହିବାରେ ଦ୍ୱିଧା ଅଛି ? ପୁଣି ମୁଁ କୁଆଡ଼େ କିଛି ଭାବିବି । ସତରେ ସୁରଭି ତୁମ ମୁହଁରୁ ଏପରି କଥା ଆଜି ଏଇ ମୁଁ ପ୍ରଥମ ଶୁଣିଲି ।

 

ସୁରଭି ଢୋକ ଗିଳି ଥତମତ ହୋଇ କହିବ କହିବ ବୋଲି କହିଦେଲା–ପୂରବୀ ପ୍ରତି ତୁମର ଧାରଣା କ’ଣ ?

 

ସମୀର ସୁରଭିର ଏ ପ୍ରଶ୍ନରେ ଅକସ୍ମାତ ଶିଥିଳ ହୋଇ ଉଠି ସୁରଭିକୁ ନିରୀକ୍ଷଣ କଲା ଓ ତା’ପରେ କଣ୍ଠରେ ସ୍ଵାଭାବିକତା ଫୁଟାଇ କହିଲା, ତା’ ବିଷୟରେ କେବଳ ମୁଁ ଏତିକି ଜାଣେ ଯେ ସେ ଅତି ଦୟନୀୟା, ନିଃସହାୟ ଝିଅଟିଏ ! ଆଉ ତା’ ଉପରେ ତା’ର ରୋଗୀଣା ବାପ ମା’ ଦୁଇଟି ସମ୍ପୂର୍ଣ୍ଣ ନିର୍ଭର କରନ୍ତି ।

 

ଆଉ ସେ ବାପା ବୋଉକୁ ଭରଣ ପୋଷଣ କରିବାପାଇଁ ସେ କ’ଣ କରେ ଜାଣିଛ ?

 

ମୁଁ ସେ ବିଷୟରେ ନ ଜାଣିଥିଲେ ମଧ୍ୟ ଅନେକଙ୍କଠାରୁ ଶୁଣିଛି ସେ ଚରିତ୍ରହୀନା । ତା’ ଦେହ ବିକି ସେ ଟଙ୍କା ରୋଜଗାର କରେ; କିନ୍ତୁ ଶୁଣିବା କଥା ତ ସଦାବେଳେ ସତ ହୋଇ ନ ଥାଏ-

 

ତୁମ ସହିତ ସେ ଦୀର୍ଘ ତିନିମାସ ହେଲା କାମ କରୁଛି । ଅଥଚ ତୁମେ ସେ ବିଷୟରେ ମୋଟେ ଆଭାସ ପାଇନ !! ତୁମେ ମିଛ କହୁଛ ।

 

ସମୀର ଏଥରକ ସୁରଭିଠାରୁ ଅଲଗା ହୋଇ ବିସ୍ମୟବିମୂଢ଼ କଣ୍ଠରେ କହିଲା, କ’ଣ କହିଲ ? ମୁଁ ମିଛ କହୁଛି, କାହିଁକି ? ମୁଁ କେବଳ ଏତିକି ଜାଣେ ଯେ ସେ ମୋତେ ଆନ୍ଦୋଳନରେ, ବିକ୍ଷୋଭରେ ବହୁ ସାହାଯ୍ୟ କରିଛି । ମୋର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ମୋତେ ସେ ପ୍ରତିଶ୍ରୁତି ଦେଇଛି ।

 

ସୁରଭି ପରିଷ୍କାର କଣ୍ଠରେ କହିଲା, ତୁମ ଅପେକ୍ଷା ମୁଁ ପୂରବୀକୁ ଭଲଭାବରେ ଜାଣେ । ସେପରି ଚରିତ୍ରହୀନା ନଷ୍ଟ ଯୁବତୀକୁ ତୁମର ବିକ୍ଷୋଭରେ ସାମିଲ କଲେ ତୁମ ବ୍ୟକ୍ତିତ୍ଵରେ, ଆମ୍ଭମର୍ଯ୍ୟାଦାରେ ଆଞ୍ଚ ଆସିବ ନାହିଁ ।

 

ସମୀର ହସିଲା । ନିର୍ଲିପ୍ତ ହସ । କହିଲା, ମଣିଷର ବ୍ୟକ୍ତିତ୍ୱ, ଆତ୍ମମର୍ଯ୍ୟାଦା ମାଟିହାଣ୍ଡି ନୁହେଁ ଯେ, ଟିକିଏ ଛୁଆଁରେ ତାହା ମାରା ହୋଇଯିବ । ମଣିଷ ସାଧାରଣଙ୍କ ସହିତ ମିଶିଲେ ତାକୁ ବହୁକଥା ଶୁଣିବାକୁ ହୁଏ, ସହିବାକୁ ହୁଏ । ତେବେ ସେ ତ ବହୁତ କଥା ସେଠାରୁ ଶିଖେ ।

 

ସୁରଭି ବ୍ୟସ୍ତହୋଇ କହିଲା, ଯାହା ପାଇଁ ତୁମେ ଏତେ ଶୁଣୁଛ ତା’ ସହିତ ସମ୍ପର୍କ ମୋଟେ ନ ରଖିଲେ...... ।

 

ସୁରଭିର ଏପରି କଥାରେ ସମୀର ଚିହିଁକି ଉଠିଲା । କହିଲା, ତୁମେ ତା’ହେଲେ ମୋତେ ସନ୍ଦେହ କରୁଛ ନା ? ପୂରବୀ ସହିତ ମୋର କିଛି ଖରାପ ସମ୍ପର୍କ ଅଛି ବୋଲି ।

 

ସୁରଭି ଯାହା କହିବାକୁ ଯାଇଁ ସ୍ପଷ୍ଟ କହିପାରୁ ନ ଥିଲା ହଠାତ୍ ସେହି କଥା ସମୀର ମୁହଁରୁ ଶୁଣି ସେ ଚମକି ଉଠିଲା । ସେ ଢୋକ ଗିଳି ସଙ୍କୋଚ କଣ୍ଠରେ କହିଲା । ମୁଁ କ’ଣ ସେ କଥା କହିଛି ? ତେବେ ପୂରବୀକୁ ନେଇ ବାହାରେ ଲୋକମାନେ ଯେଉଁ କୁତ୍ସାପ୍ରଚାର କରୁଛନ୍ତି ଯାହା ଯେ ମୁଁ ମୋଟେ ସହି ପାରୁନାହିଁ ।

 

ତୁମକୁ ସହିବାକୁ ହେବ । ଜୀବନରେ ବଡ଼ ନାରୀ କର୍ମୀ ମୋ ସଂସ୍ପର୍ଶରେ ଆସିବେ । ତେବେ କେବଳ ତୁମର ସମ୍ପର୍କ ପାଇଁ ତୁମରି ସନ୍ଦେହ ପାଇଁ ତୁମରି କଥାରେ କ’ଣ ମୁଁ ସେମାନଙ୍କ ସହିତ ସମ୍ପର୍କ ରଖିବି ନାହିଁ ? ଅସମ୍ଭବ ।

 

ସମୀର !!

 

ପୂରବୀ ମୋତେ ଏହା ଭିତରେ ବହୁତ କ୍ଷେତ୍ରରେ ସାହାଯ୍ୟ କରିଛି । ପୁଲିସ ଗୁଳିକୁ ନ ଡରି ମୋ ବିକ୍ଷୋଭର ସେ ନେତୃତ୍ଵ ନେଇ ତାକୁ ସଫଳ କରିଛି । ଆଉ ତା’ପରି ଜଣେ ଗରିବ ଝିଅକୁ ମୁଁ କ’ଣ ପାଖରୁ ତଡ଼ିଦେଇ ଠିକ୍ କରିବି । ତା’ର ଦାନର ପ୍ରତିଦାନ କ’ଣ ଏଇଆ ? ମୁଁ ଏତେଟା ଅମଣିଷ ହୋଇ ପାରିବିନି ସୁରଭି । ବରଂ ଅନ୍ୟମାନଙ୍କଠାରୁ କିଛି ଅର୍ଥ ସଂଗ୍ରହ କରି । ତାକୁ ମୁଁ ସାହାଯ୍ୟ କଲେ ଈଶ୍ୱର ମୋ ଉପରେ ସନ୍ତୁଷ୍ଟ ହେବେ ।

 

ତୁମକୁ ମୁଁ କ’ଣ ଏବେ କହିବି ? ସମୀର ସତରେ ମୁଁ କିଛି ବୁଝିପାରୁନାହିଁ, କିଛି ଜାଣିପାରୁ ନାହିଁ ।

 

ସୁରଭିର ଦ୍ୱିଧାଗ୍ରସ୍ତ ମୁହଁକୁ ସମୀର କିଛିକ୍ଷଣ ନିରୀକ୍ଷଣ କରି ବିସ୍ମିତ ହୋଇ କହିଲା, ତୁମେ ତା’ହେଲେ କହୁଛ ମୁଁ ପୂରବୀ ସହିତ ନ ମିଶିବା ପାଇଁ ତ ?

 

ସୁରଭି ଏବେ କ’ଣ କହିବ ?

 

ସେ କିଛି ନ କହି ମୁହଁ ତଳକୁ କଲା ।

 

ସୁରଭିର ଏପରି ନୀରବତାରେ ସମୀର ଅସ୍ପଷ୍ଟ ସ୍ୱରରେ ଚିତ୍କାର କରି ଉଠି କହିଲା, ତୁମେ ଏତେ ନୀଚ, ସଂକୀର୍ଣ୍ଣ ବୋଲି ମୁଁ କେବେ କଳ୍ପନା କରି ନ ଥିଲି ।

 

ସମୀରର ମୁହଁରୁ ଏଇ ପ୍ରଥମ ଏପରି କର୍କଶ ନିଷ୍ଠୁର କଥା ଶୁଣି ସୁରଭି ପ୍ରଥମେ ତା’ କାନକୁ ବିଶ୍ୱାସ ଗଲା ନାହିଁ । ସେ ବିସ୍ମୟରେ କିଛି ସମୟ ବୋକା ହୋଇ ଅବୁଝା ଅବୁଝା ଆଖିରେ ଚାହିଁ ରହିଲା ସମୀର ମୁହଁକୁ । କେଉଁ ଏକ ଝରା ଫୁଲର ବେଦନା ତା’ ଛାତିରେ ଯେପରି ଆଚ୍ଛନ୍ନ ହୋଇ ଆସିଲା । ସେ ଅତି ନିମ୍ନ ଅଥଚ କରୁଣ କଣ୍ଠରେ କହିଲା, ତୁମେ ମୋତେ ଏପରି କଥା କହି ପାରିଲ ସମୀର ??

 

ସୁରଭିର ଏପରି ଅବସ୍ଥା ସମୀର ସହିପାରିଲା ନାହିଁ ବୋଧହୁଏ । ତେବେ ସେ ନିଜ କଣ୍ଠରେ ଜାଣି ଜାଣି କିଛି ଦୃଢ଼ତା ମିଶାଇ କହିଲା, ମୋର ଧାରଣା ଥିଲା । ଅନ୍ତତଃ ତୁମେ ମୋତେ ବୁଝିବ । ମୁଁ ଯେଉଁ ରାସ୍ତାରେ ଚାଲୁଛି ସେ ରାସ୍ତା ଅନେକ ଅପବାଦ ଅପନିନ୍ଦାର କଣ୍ଟକରେ ପରିପୂର୍ଣ୍ଣ । ମୋ ପାଦ ସେ କଣ୍ଟାରେ ରକ୍ତାକ୍ତ ହେଲେ ତୁମେ ମୋ ହାତଧରି ମୋତେ ଚଳାଇବ, ମୋତେ ସାହସ ଦେବ, ଉତ୍ସାହ ଦେବ । କିନ୍ତୁ.....

 

ସୁରଭି ବିକ୍ଷୁବ୍‌ଧ କଣ୍ଠରେ କହିଲା, ଆଜି ସତରେ ତୁମର କ’ଣ ହୋଇଛି ସମୀର ! କାହିଁକି ତୁମେ ମୋ’ ପ୍ରତି ଏତେ ନିର୍ଦ୍ଦୟ ହେଉଛ ? ମୁଁ ତୁମକୁ ଝଡ଼ଝଞ୍ଜାପୂର୍ଣ୍ଣ ପଥରେ ଆଗେଇ ନେବି ବୋଲି କ’ଣ ମୋ’ ଉପରେ ତୁମର ବିଶ୍ୱାସ ନାହିଁ । ସତରେ କାହିଁକି ତୁମେ ମୋତେ ଏତେ ନିଷ୍ଠୁର କଥା କହି ଆଘାତ ଦେଉଛ ।

 

ସତ କହିଲ, ତୁମେ କ’ଣ ମୋତେ ଆଘାତ ଦେଇନ ? ଏକ କାଳ୍ପନିକ ସନ୍ଦେହ ସୃଷ୍ଟି କରି ପୂରବୀ ସହିତ ମୋ’ ସମ୍ପର୍କ ଅଛି ବୋଲି ତ ତୁମେ ଧାରଣା କରି ପାରୁଛ ?

 

ସୁରଭି ସରଳ କଣ୍ଠରେ କହିଲା, ମୁଁ ନାରୀ । ଆଉ ପ୍ରତ୍ୟେକ ନାରୀ ଚାହେଁ ତା’ର ପୁରୁଷ ନିଷ୍କଳଙ୍କ ରହୁ । ଅନ୍ୟ କୌଣସି ନାରୀର ଛାଇ ତା’ ଉପରେ ନ ପଡ଼ୁ ।

 

ସମୀର ସନ୍ଦିଗ୍‌ଧ କଣ୍ଠରେ କହିଲା, ତେବେ ବି ତୁମେ ମୋତେ ସନ୍ଦେହ କରୁଛ ସୁରଭି ।

 

ମୋର ସନ୍ଦେହ କରିବା ସ୍ଵାଭାବିକ । କାରଣ ମୁଁ ପୂରବୀ ବିଷୟରେ ଭଲ ଭାବରେ ଜାଣେ । ଆଉ ଜାଣିଛ, ଏ ସହରର ଅନେକ ଚରିତ୍ରବାନ୍ ଯୁବକ ତା’ ସମ୍ପର୍କରେ ଆସି ନଷ୍ଟ ହୋଇ ଗଲେଣି । ଏମିତି କି ଆମ ଘରର ସେ ଲମ୍ପଟ ସାଗର ମହାପାତ୍ର ମଧ୍ୟ ତା’ ସହିତ ସମ୍ପର୍କ ରଖିଛି ।

 

ସମୀର ହସିଲା । କେମିତି ଏକ ଖାପଛଡ଼ା ପରିହାସ ମିଶା ହସ । କହିଲା, ସମସ୍ତେ ତ ଆଉ ସାଗର ମହାପାତ୍ର ହୋଇଯିବେ ନାହିଁ । ଆଉ ସୁରଭି ତୁମକୁ ତ ମୁଁ ମୋଟେ ସନ୍ଦେହ କରି ପାରୁନି । ତୁମ ଘରେ ତ ପୁଣି ସାଗର ମହାପାତ୍ର ଅଛି । କାହିଁକି, ତୁମେ ତା’ ନିକଟରେ ରହି ବି ନଷ୍ଟ ହୋଇଯାଇ ନାହିଁ ।

 

ସୁରଭି ଇଙ୍ଗିତ କରି କହିଲା, ମୋର କୌଣସି କାର୍ଯ୍ୟରେ ସାଗର ମହାପାତ୍ରକୁ ମୁଁ ସାହାଯ୍ୟ କରିବା ପାଇଁ କହୁନି କି ତା’ ସହିତ ବିଚ୍ ବଜାରରେ ରିକ୍‍ସାରେ ବସି ବୁଲୁନି ।

 

ସୁରଭି !!

 

ରାଗିଗଲ କି ? ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞରେ ସୁବର୍ଣ୍ଣ ସୀତା ଥାପିଲେ ବି ସୀତାଙ୍କର ସନ୍ଦେହ ହୋଇଥିଲା ସେ ଅନ୍ୟ ପତ୍ନୀ ଗ୍ରହଣ କରିଛନ୍ତି ବୋଲି । ମୁଁ ତ ସତୀ ସୀତାଠାରୁ ସେତେ ଆଦର୍ଶନାରୀ ନୁହେଁ !

 

କିନ୍ତୁ ସୁରଭି ତୁମେ ଏତିକି ଜାଣିଥା ରାମଚନ୍ଦ୍ରଙ୍କର ସନ୍ଦେହ ସୀତାଙ୍କ ପ୍ରତି ମୋଟେ ନ ଥିଲା ।

 

ସୁରଭି ହସିଲା । କହିଲା, କ’ଣ କହିଲ ? ପୁରୁଷ ଜାତିଟା ତା’ହେଲେ ସନ୍ଦେହୀ ନୁହଁନ୍ତି ନା ? ରାମଚନ୍ଦ୍ର ତେବେ କାହିଁକି ସୀତାଙ୍କର ଅଗ୍ନି ପରୀକ୍ଷା କରିଥିଲେ ? କାହିଁକି ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ ?

 

ପ୍ରଜାମାନଙ୍କ ପାଇଁ ।

 

ତୁମେ ଏତେ ଜ୍ଞାନୀ ହୋଇ ବି ଏହା କହି ପାରୁଛ ? ସାଧାରଣ ଏକ ପ୍ରଜା କଥାରେ ରାମଚନ୍ଦ୍ର ପରି ଜଣେ ନ୍ୟାୟବାନ୍ ବିଚାରବନ୍ତ ରାଜା ସୀତାଙ୍କୁ ଦେଇଥାନ୍ତେ ନିର୍ବାସନ ଦଣ୍ଡ; ଏ ସବୁ ମିଛ କଥା । ଅଗ୍ନି, ପରୀକ୍ଷା ପରେ ସୀତାଙ୍କ ପ୍ରତି ରାମଚନ୍ଦ୍ର ମୋଟେ ସନ୍ଦେହ ମୁକ୍ତ ନ ଥିଲେ । ସେହିଯୋଗୁ ସେ ଆଳ ଖୋଜି ସୀତାଙ୍କୁ ଅତି ନିର୍ଦ୍ଦୟ ଭାବରେ ବିଚାରଶୂନ୍ୟ ଭାବରେ ବଣକୁ ପଠାଇ ଦେଲେ ।

 

ମୁଁ ତ ତୁମକୁ ସନ୍ଦେହ କରୁନି ।

 

ସୁରଭି ଏଥରକ ହସି ଉଠିଲା । କହିଲା ମିଛ କଥା । ମୁଁ ତୁମକୁ ସାଗର ମହାପାତ୍ର କଥା ଅନେକଥର କହିଥିଲେ ମଧ୍ୟ ତୁମେ ମୋ ସହିତ ତାକୁ ସମ୍ପର୍କିତ କରି ସେ କଥା । କାହିଁକି ଉଠାଇଲ-? ମୋ ପ୍ରତି ତୁମର ସନ୍ଦେହ ନାହିଁ, କଥାରେ ମଧ୍ୟ କଥାରେ ମଧ୍ୟ ସନ୍ଦେହର ଆଭାସ ରହିଛି ସମୀର ।

 

ମୋଟେ ନୁହେଁ । ମୁଁ ଏତେଟା ସଂକୀର୍ଣ୍ଣ ନୁହେଁ ସୁରଭି !!

 

ଆମେ ରକ୍ତ-ମାଂସଧାରୀ ମଣିଷ ସମୀର । ଆମ ଭିତରେ ସ୍ଵାର୍ଥ ରହିଛି, ସନ୍ଦେହ ରହିଛି, ଅସୂୟା ରହିଛି । ଦେବତାମାନେ, ମହା ମହା ଋଷିମାନେ ମଧ୍ୟ ଏଥିରୁ ରକ୍ଷା ପାଇ ପାରିନାହାନ୍ତି ।

 

ଆମେ ସେ ସନ୍ଦେହର ଊର୍ଦ୍ଧ୍ୱରେ କ’ଣ ରହିପାରିବା ନାହିଁ ସୁରଭି ?

 

ସୁରଭି ଏଥରକ ମୁରୁକି ମୁରୁକି ହସି କହିଲା, ମୁଁ ଯଦି ତୁମର ଆଗରେ ଏଇ ସହରରେ ଜଣେ ଅଜଣା ଯୁବକ ସହିତ ରିକ୍‌ସାରେ ବୁଲେ, ନିରୋଳା ନଈକୂଳେ ବସି ଖୁସି ଗପ କରେ କି ସିନେମା ଦେଖିବାକୁ ଯାଏ, ତୁମେ କହିଲ ସମୀର ! ତୁମେ ଏହା ସହିପାରିବ ? ତୁମେ ସନ୍ଦେହଠାରୁ ଦୂରରେ ରହିପାରିବ ?

 

ସମୀର କଥା ବୁଲେଇ ଦେଲା, କହିଲା–ଏସବୁ ଯୁକ୍ତିତର୍କରେ କିଛି ଲାଭ ନାହିଁ ସୁରଭି । ମୋର ଏତିକି କଥା, ଆମେ ପରସ୍ପର ଯେତେ ପାରୁ ସେତେ ସନ୍ଦେହଠାରୁ ଦୂରରେ ରହିବାକୁ ଚେଷ୍ଟା କରିବା । ତା’ହେଲେ ଆମେ ଭବିଷ୍ୟତରେ ବେଶ ଏକ ସୁଖମୟ ଦାମ୍ପତ୍ୟ ଜୀବନଯାପନ କରିବା ।

 

ସମୀରର ଏପରି କଥାରେ ସୁରଭି ମନେ ମନେ ବୁଝିଲା ଯେ, ସମୀର ପ୍ରକାରାନ୍ତରେ ତା’ କଥା ଗ୍ରହଣ କରିନେଇଛି । ତେଣୁ ଆଉ ସେ ଯୁକ୍ତିତର୍କ କରି ସମୀର ମନରେ ଦୁଃଖ ଦେବାକୁ ନ ଚାହିଁ ଆଜ୍ଞାଧୀନା ଛାତ୍ରୀ ପରି ବଶମ୍ବଦ କଣ୍ଠରେ କହିଲା, ଚାଲ ରାତି ଅନେକ ହେଲାଣି ।

 

ସମୀର ନିର୍ବିବାଦରେ ଉଠିଥିଲା ଓ ସେମାନେ ସ୍ୱାଭାବିକ ଭାବରେ ହସି ହସି ଘରକୁ ଫେରିଥିଲେ ।

 

ତେର

 

ଏକ ସ୍ଵପ୍ନାଭ ସ୍ଵର୍ଣ୍ଣସନ୍ଧ୍ୟାରେ ସୁରଭି ଯେତେବେଳେ ଅଦୂର ମହାନଦୀ କୂଳରେ ପ୍ରାଣଭରି ଶୀତଳ ସମୀରଣ ସେବନ କରି ଖୁସି ହୋଇ ଘରକୁ ଫେରିଲା; ଦେଖିଲା ତା’ ବୋଉ ସଜବାଜ ହୋଇ ତାକୁ ଅପେକ୍ଷା କରି ଠିଆ ହୋଇଛନ୍ତି ।

 

ଶ୍ୟାମାମଣୀ କହିଲେ, ତୁ କୁଆଡ଼େ ବୁଲିଯାଇଛୁ ଯେ ଏ ପର୍ଯ୍ୟନ୍ତ ଦେଖା ନାହିଁ । ତୁ ଗଲା ପରେ ପରେ ମାମୁଁ ବ୍ରହ୍ମପୁରରୁ ଟ୍ରଙ୍କ୍‍ କଲ କରି କହିଲେ ଯେ, ସେମାନେ କାଲି ତାଙ୍କ ପୁଅ ବାବୁଲାର ମାନସିକ ପାଇଁ ତାରାତାରିଣୀ ବାହାରିଛନ୍ତି । ସକାଳୁ ସେମାନେ ଆମକୁ ଏକଥା ଜଣାଇବାକୁ ଚାହିଁଥିଲେ ବି ଲାଇନ୍ ଖରାପ୍ ଥିଲା । ହଁ, ସେ ବାରମ୍ବାର କରି କହିଛନ୍ତି ଆମେ ଯିବାକୁ । କେତେବେଳୁ ଆମେ ବାହାରି ପଡ଼ନ୍ତୁଣି । ତୋତେ ଅପେକ୍ଷା କରିଛୁ । ବାପା ତେଣେ ବିରକ୍ତ ହେଉଛନ୍ତି ।

 

ସୁରଭି ତରବରରେ କହିଲା, ବୋଉ ଏଇ ମୁଁ ସାଙ୍ଗେ ସାଙ୍ଗେ ବାହାରୁଛି, ବୋଉ ।

 

ଶ୍ୟାମାମଣୀ ହସିଲେ । କହିଲେ, ତୁ କୁଆଡ଼େ ଯିବୁ ? ତୁ ଥା’ । ମଧୁକୁ ମୁଁ ପଠାଇଛି ସେ ସାଙ୍ଗେ ସାଙ୍ଗେ ସମୀରକୁ ଡାକିଦେବ । ହଁ, ତାକୁ ଆଜି ଯେମିତି ଆମ ଘରେ ଖୁଆଇ ଛାଡ଼ିବୁ । ତୁ ତ ଜାଣିଛୁ ଆଜିଯାଏ ସେ ଆମ ଘରେ ସଙ୍କୁଡ଼ି ହେଲା ନାହିଁ ।

 

ସୁରଭି କ’ଣ କହିବ ବୋଲି କହିବାକୁ ବାହାରିଲାବେଳେ ଶ୍ୟାମାମଣୀ ହଠାତ୍ କହିଲେ, ହଁ, ମା’ ଆଜି ଗଲାବେଳେ ନିରୋଳାରେ ବାପାଙ୍କୁ ମୁଁ ତୋ’ କଥା ବୁଝାଇବି । ସେ ତ ଯେପରି ମନୁଆଲୋକ ତୁ ଜାଣିଛୁ । ମାମୁଁ ଓ ମାଇଁ ମଧ୍ୟ ସମୀର କଥା କହିବେ । ଦେଖିବା, ସେ କେମିତି ରାଜି ନ ହେବେ ?

 

ସୁରଈ ହୃଦୟ ଆନନ୍ଦର ଊର୍ମିରେ ଉଦ୍‌ବେଳିତ ହୋଇଉଠିଲା । ତା’ର ସ୍ନେହମୟୀ ବୋଉକୁ ସେ ଏବେ କେଉଁ ଭାଷାରେ କୃତଜ୍ଞତା ଜଣାଇବ !!

 

ଅତି ଆନନ୍ଦରେ ସେ ବୋଉ କାନ୍ଧରେ ଝୁଲିପଡ଼ି ଗେଲ ହେଉ ହେଉ, ବୋଉ ଶ୍ୟାମାମଣୀ କୃତ୍ରିମ କ୍ରୋଧରେ କହିଲେ ଯା’ ଚଞ୍ଚଳ ତେଣେ ରୋଷେଇ ପାଇଁ କ’ଣ ବରାଦ କରି ବଜାରରୁ ମଗାଇବୁ । ମୁଁ ଯାଏ, ଦେଖୁନୁ ବାପା ତେଣେ କିପରି ଉଚ୍ଛନ୍ନ ହୋଇ ଡାକ ପକାଇଛନ୍ତି । ...ହଁ ମା’ ସାଗର ପ୍ରତି ଟିକିଏ ହୁସିଆର ଥିବୁ । ମଧୁକୁ ମଧ୍ୟ ମୁଁ ବାରମ୍ବାର କରି କହିଯାଇଛି । ଯଦି କିଛି ଅସୁବିଧା ହୁଏ ତପନକୁ ଡକାଇ ପଠାଇବୁ । ଆମେ କାଲି ସିଧା ସିଧା ଇଆଡ଼େ ତାରାତାରିଣୀରୁ ଚାଲି ଆସିବୁ ।

 

ଶ୍ୟାମାମଣୀ ତରତର ହୋଇ ଚାଲି ଯାଉ ଯାଉ ହଠାତ୍ ପୁଣି ଦୁଆର ମୁହଁରୁ ଫେରିଆସି କହିଲେ, ଜାଣିଲୁ ସୁର ଯେଉଁ କଥା ତୋତେ କହିବି ବୋଲି ଠିକ୍ କରଥିଲି ସେ କଥା ପାସୋରି ଦେଇ ମୁଁ ଚାଲିଯାଉଛି । ସେ କ’ଣ ତେଣେ ଏମିତି ଉଚ୍ଛନ୍ନ ହେଉଛନ୍ତି ?

 

କେଉଁ କଥା ବୋଉ ?

 

ସେ ସେମିତି କିଛି କଥା ନୁହେଁ ମା ! ତେବେ ତୁ ମନରେ କିଛି ଭାବିବୁ ନାହିଁ । ...ସାଗର ମହାପାତ୍ର କାଲି ବାପାଙ୍କୁ କ’ଣ କହିଲା ଜାଣିଛୁ ?

ସୁରଭି ଅଣନିଶ୍ୱାସୀ ଉତ୍କଣ୍ଠାରେ ଅସ୍ଥିର ହୋଇ କହିଲା, କ’ଣ ବୋଉ ??

ପୂରବୀ କୁଆଡ଼େ ସମୀର ସହିତ ଏବେ ବହୁତ ମିଶୁଛି । ସେ କେଉଁ ପ୍ରକାର ଝିଅ ତ ତୁ ଜାଣିଛୁ । ...ତେବେ ମୋ’ର କାହିଁକି ସେ ସାଗର କଥାରେ ମୋତେ ବିଶ୍ୱାସ ହେଉନି । ତେବେ… ।

ସୁରଭି କିପରି ଏକ ସ୍ତମିତ ହତାଶାରେ ଭାଙ୍ଗି ପଡ଼ିଲା । ତେବେ ମଧ୍ୟ କଣ୍ଠରେ ଦୃଢ଼ତା ମିଶାଇ କହିଲା, ତା’ଙ୍କ ଉପରେ ତୋ’ର କ’ଣ ବିଶ୍ଵାସ ନାହିଁ ବୋଉ ? ସେ ଯେଉଁ କାମରେ ହାତ ଦେଇଛନ୍ତି ସେଥ‌ିରେ ସେ ଏପରି ଅନେକ ଲୋକ ସହିତ ମିଶିବେ ବୋଉ । ତା’ ବୋଲି ସେ କ’ଣ ଖରାପ ହୋଇଯିବେ ? ମିଛ କଥା କହି ସଜମାଛରେ ପୋକ ପକାଇବା ଲୋକ ଏ ସହରରେ କିଛି କମ୍ ନାହାନ୍ତି, ବୋଉ ?

ଶ୍ୟାମାମଣୀ ସୁରଭିର ଏ ସରଳ କଥାରେ ତା’ ମୁହଁକୁ ଚାହିଁ ସାମାନ୍ୟ ହସି କହିଲେ, ହଁ ମା, ମୁଁ ସମୀରକୁ ଭଲ ଭାବରେ ଜାଣେ । ତଥାପି ମା’ ତୁ ତାକୁ ସେ ବିଷୟରେ ବୁଝାଇଦେବୁ । ମୋର ବିଶ୍ୱାସ ସେ ତୋ’ କଥା ନିଶ୍ଚୟ ରଖିବ ।

ସୁରଭି ତା’ ବୋଉ କଥା ବୁଝିପାରିଲା । କେଉଁ ମମତାମୟୀ ମା’ ନ ଚାହେଁ ତା’ ଜ୍ୱାଇଁ ତା’ ଝିଅର ସାମଗ୍ରିକ ଭାବରେ ଆପଣାର ହୋଇ ରହିବାକୁ ? ତେବେ ସୁରଭିର ମନ ହେଉଥିଲା, ତା’ ବୋଉକୁ ସେ କହିଦେବ ଯେ, ସେ ଏ ବିଷୟରେ ସମୀର ସହିତ କଥା ହୋଇଛି ବୋଲି । କିନ୍ତୁ କାଳେ ତା’ ବୋଉ ସମୀର ସହିତ ପୂରବୀର ସମ୍ପର୍କକୁ ସତ ମଣି ମନ ଦୁଃଖ କରିବେ ସେଇ ଆଶଙ୍କାରେ ସେ ବିଷୟରେ କିଛି ସୂଚନା ନ ଦେଇ କହିଲା, ବୋଉ; ତୁ ସେ ବିଷୟରେ ନିଶ୍ଚିନ୍ତ ରହ-। ମୁଁ ତାଙ୍କୁ ଆଜି ସେ ବିଷୟ ନିଶ୍ଚୟ ବୁଝାଇ ଦେବି ।

ଶ୍ୟାମାମଣି ସୁରଭିର ମୁଣ୍ଡକୁ ସ୍ନେହରେ ଆଉଁଷି କହିଲେ, ତୁ ପିଲାଲୋକ ମା’ । ପୁରୁଷର ମନକଥା ତୁ ବୁଝିପାରିବୁ ନାହିଁ । ପୁରୁଷର ମନ ପାହାଡ଼ି–ନଈପରି । କୁଆଡୁ କେମିତି ଅସରାଏ ବର୍ଷା ହେଲେ ପାହାଡ଼ିଆ ନଈ ଫୁଲି ଉଠି କୂଳ ଉଛୁଳାଇ ଏଣେତେଣେ ମାଡ଼ିଯାଏ । ତୁ’ ତ ମା’ ପାଠ ପଢ଼ିଛୁ । ମୋ କଥା ବୁଝି ପାରୁଥ୍‌ବୁ । ତୁ ଏ ବିଷୟରେ ଏବେଠୁଁ ସତର୍କ ରହ ମା’ । ହଁ, ଏ କଥା ଯଦି ସତ ହୋଇଥାଏ ତେବେ ତୁ ତା’କୁ ବାଗେଇ ନେବୁ । ସେ ଭରସା ମୋର ତୋ’ ଉପରେ ଅଛି । ଯଦି ଏକଥା ମିଛ ହୋଇଥାଏ ତେବେ ମୁଁ ସାଗରକୁ ଏଥରକ ସିଧା ସିଧା ପଚାରିବି ସେ ଆମ ଘର କଥାରେ କଥା କହିବାକୁ କିଏ ? ମୁଁ ମା’ ବହୁତ ସହିଲିଣି । ଏଇଘରେ ସେ କ’ଣ କରୁଛି ମୁଁ ଜାଣିପାରୁ ନାହିଁ ? ଖାଲି ତୋ’ ବାପା ଟିକିଏ ଯଦି ବୁଝନ୍ତେ ତେବେ ମୁଁ ତାକୁ କାଲି ମୋ ଘରୁ କୁକୁର ପରି ତଡ଼ି ଦିଅନ୍ତି । କ’ଣ ବୋଲି ସେ ଭାବିଛି କି ?

ଏହା କହି ଶ୍ୟାମାମଣି ଚାଲିଗଲେ ।

କିନ୍ତୁ, ଯେଉଁ ସନ୍ଦେହର ଘାଆ ସୁରଭି ମନରେ ଖୋଳପା ବାନ୍ଧି ଶୁଖି ଆସିଥିଲା, ପୁଣି ସେ ଉଖୁରି ଯାଇଁ ରକ୍ତାକ୍ତ ହୋଇଗଲା ।

ସତରେ କ’ଣ ଏ କଥା ମିଛ ? ପୂରବୀ ସହିତ ସମୀର କ’ଣ ସତରେ ମିଶୁ ନାହାନ୍ତି-? ...ସେ’ ତ ନିଜ ଆଖିରେ ତାହା ଦେଖିଛି ।

ଶ୍ୟାମାମଣୀଙ୍କ ଆଗରେ ସୁରଭି ସିନା ଏତେ ଟାଣ କରି ସମୀର ପକ୍ଷ ସମର୍ଥନ କରି କହିଗଲା, କିନ୍ତୁ ଏବେ ତା’ର ମନରେ ସନ୍ଦେହର ପୋକ କିପରି ଟୁକୁ ଟୁକୁ ହୋଇ କାଟିବାକୁ ଆରମ୍ଭ କଲେ ।

ତେବେ ବି ସୁରଭି ମନକୁ ବୁଝାଇଲା । ଜଣକ ସହିତ ମିଶିଲାମାନେ ଯେ ତା’ ସହିତ କିଛି ଅଶ୍ଳୀଳ ସମ୍ପର୍କ ଯୋଡ଼ି ହୋଇଗଲା ଏକଥା ଭାବିବା ତା’ର ମୋଟେ ଉଚିତ ନୁହେଁ । ପୁଣି ଏ ବିଷୟରେ ସେ ସମୀର ସହିତ କଥାବାର୍ତ୍ତା ହୋଇଛି ଏବଂ ତା’ କଥା ସମୀର ପରୋକ୍ଷରେ ସମର୍ଥନ କରିଛନ୍ତି । ....କିନ୍ତୁ, କିନ୍ତୁ...ପୂରବୀ ସହିତ ନ ମିଶିବା ପାଇଁ ସେ, ତ ସେପରି କିଛି ନିର୍ଭର ପ୍ରତିଶ୍ରୁତି ସମୀରଠାରୁ ପାଇନାହିଁ ।

 

ବୋଉ ତ ପୁଣି ଏବେ କହିଗଲା, ପୁରୁଷର ମନ ପାହାଡ଼ିଆ ନଈ ସହିତ ସମାନ । ସତରେ ସେ କ’ଣ କରିବ ? ...କ’ଣ କରିବ ?

 

ସୁରଭି ଏମିତି ଅଜସ୍ର ଅସ୍ଥିରତାରେ କୁହୁଳି ଅଣନିଶ୍ୱାସୀ ହେବାକୁ ଲାଗିଲା ।

 

ସମୀରକୁ ସେ ଏବେ କିପରି ବୁଝାଇବ ?

 

ସେ ଭଲଭାବରେ ଜାଣେ ସମୀର ଯେତିକି କୋମଳ, ତା’ ମନରେ ଆଘାତ ଆସିଲେ ସେ ସେତିକି କଠୋର ହୋଇପଡ଼େ । ତା’ର ମନେ ପଡ଼ୁଛି ପୂରବୀ ବିଷୟ ତା’ ସହିତ କଥାବାର୍ତ୍ତା ହେଲାବେଳେ, ସମୀର କିପରି ଗମ୍ଭୀର ମୂର୍ତ୍ତି ଧାରଣ କରିଥିଲା, କିପରି କଠୋର କଥା ତାକୁ କହିଥିଲା ।

 

ନା, ସେ ବାରମ୍ବାର ଆଉ ସେ କଥା ଉଠାଇ ତା’ର ପ୍ରିୟତମ ସମୀର ହୃଦୟରେ ଆଉ ଆଘାତ ଦେବ ନାହିଁ । ସେ ନିଜେ ବରଂ ସବୁ ସହିଯିବ ।

 

କିନ୍ତୁ ସମୀର ପୁଣି ଯଦି ପୂରବୀ ସହିତ ମିଶେ ଆଉ ତା’ ବୋଉ, ବାପା ଯଦି ଏକଥା ଜାଣି ପାରନ୍ତି.... ??

 

ଏମିତି ଅଜସ୍ର ଆଶ୍ଵସ୍ତିବୋଧ ଓ ସନ୍ଦିଗ୍‌ଧତାରେ ସୁରଭି ଆଉଟୁ ପାଉଟୁ ମୁଁ ହେଉଥ‌ିବାବେଳେ ହଠାତ୍ ସେ ସମୀରକୁ ଆଗରେ ଦେଖି ଚମକି ପଡ଼ିଲା ।

 

ସେ ନିଜକୁ ଯଥାସମ୍ଭବ ସଜାଡ଼ି, ପ୍ରକୃତିସ୍ଥ କରି ମୁହଁରେ କୃତ୍ରିମ ହସ ଚହଟାଇ କହିଲା, ତୁମର ଆସିବାକୁ ଏତେ କାହିଁକି ଡେରି ହେଲା ସମୀର ?

 

ସମୀର ଆଶ୍ଚର୍ଯ୍ୟ ହୋଇ କହିଲା, ମଧୁ ତ ମୋ’ ପାଖରେ ପହଞ୍ଚିବା ମାତ୍ରେ ମୁଁ ଆସୁଛି-। ମୋର ଡେରି ହେଲା କେଉଁଠି-? .....ସତରେ ସୁରଭି, ତୁମେ ଆଜି କାହିଁକି ଏତେ ଅନ୍ୟମନସ୍କ ? କ’ଣ ହୋଇଛି ତୁମର ?

 

ସୁରଭି କଥା ବୁଲାଇବାପାଇଁ କହିଲା, ଆଜି ତୁମେ ଆମ ଘରେ ଖାଇବ ବୋଲି ବୋଉ ମୋତେ ବାରମ୍ବାର କରି କହିଯାଇଛି ।

 

ମୋତେ ତ ସେ ଖବର ଆଗରୁ ମଧୁ ଦେଇସାରିଲାଣି । କିନ୍ତୁ, ମୋତେ ତୁମେ ଅସଲ କଥା ଲୁଚାଉଛ ସୁରଭି ? ସତରେ ତୁମର ଏମିତି କଥା ଅଛି, ଯାହା ତୁମେ ମୋ’ଠାରୁ ଗୁପ୍ତ ରଖିବ-? ତୁମେ ମୋ’ର ଅଯଥା ଉତ୍କଣ୍ଠା ନ ବଢ଼ାଇ ସତକଥା କୁହ ସୁରଭି !

 

ସୁରଭି ଅଡ଼ୁଆରେ ପଡ଼ି ବିଚଳିତ ହେଇ ଉଠିଲା । ସେ ଅତି ସନ୍ତର୍ପଣରେ ଅନାଇଲା ସମୀରର ମୁହଁକୁ । ସମୀର ଉତ୍କଣ୍ଠିତ ହୋଇ ତା’ କଥାକୁ ଅପେକ୍ଷା କରିଛନ୍ତି ।

 

ସମୀର ଏଥରକ ଆଶ୍ଵାସନା ଦେବା ଭଙ୍ଗୀରେ କହିଲା, ଆରେ, ତୁମେ କୁହ । ମୋତେ କହିବାରେ ଏତେ ସଙ୍କୋଚ କାହିଁକି ? ଏହା କହି ସମୀର ସୁରଭିର ଦେହ ସଂଲଗ୍ନା ହୋଇ ବସିଲା-

 

ସମୀରର ସେ ଆନ୍ତରିକ ଉଷ୍ମ ସ୍ପର୍ଶରେ ସୁରଭି ସାହସ ପାଇଲା । ସେ ସ୍ପନ୍ଦିତ କଣ୍ଠରେ କହିଲା, ବୋଉ କହୁଥିଲା... ?

 

କ’ଣ ଆମ ବାହାଘର ବିଷୟଟି ? ମଧୁତ ମୋତେ ଆଜି ବାଟରେ ମିଠାଇ ମାଗିସାରିଲାଣି ।

 

କିଛି ସମୟ ନୀରବ ରହି ପୁଣି ସୁରଭି କହିଲା, ହଁ, ଆମ ବାହାଘର ବିଷୟରେ ।

 

ସମୀର ସୁରଭିକୁ ଦୁଇହାତରେ କୋଳେଇ ନେଇ ହସି ହସି କହିଲା, ତେବେ ଏଥିରେ ଲାଜ କରିବାର କ’ଣ ଅଛି ? ହଁ, ବୋଉ ଆଉ କ’ଣ କହୁଥିଲେ ?

 

ସୁରଭି ହଠାତ୍ କିପରି କହି ପକାଇଲା–ପୂରବୀ କଥା ।

 

ପୂରବୀ କଥା... ? ମାନେ ତୁମେ କ’ଣ କହୁଛ ?

 

ଏତକ କହି ସମୀର ଶିଥିଳ ହୋଇ ପଡ଼ିଲା । ସୁରଭି ନିରୀକ୍ଷଣ କଲା ଏହି ମୁହୂର୍ତ୍ତ ପୂର୍ବର ସମୀରର କୋମଳ ମୁହଁର ରେଖା ଧୀରେ ଧୀରେ କିପରି କଠିନ ହୋଇ ଯାଉଛି; ସେ ଗମ୍ଭୀର ହୋଇ ଉଠୁଛି ।

 

ସୁରଭି ଶଙ୍କିଯାଇ କହିଲା, ମୋତେ ଖରାପ ବୁଝିବ ନାହିଁ ସମୀର, ବୋଉ ଜାଣିପାରିଛି ତୁମ ପାଖକୁ ପୂରବୀ ଯାଉଛି ବୋଲି । ସାଗର ମହାପାତ୍ର ଏ କଥା ବାପାଙ୍କୁ କହିଲାବେଳେ ବୋଉ ଶୁଣିଛି ।

 

ସମୀର ହାଲକା ଭାବରେ ହସିଉଠି କହିଲା, ଏଇ କଥା ପାଇଁ ଏତେ ଗୌରଚନ୍ଦ୍ରିକା ? ତୁମେ ନିଶ୍ଚୟ ବୋଉକୁ ବୁଝାଇ ଦେଇଥିବ ।

 

ହଁ, ମୁଁ ବୋଉକୁ ବୁଝାଇ ଦେଇଛି । କିନ୍ତୁ...କିନ୍ତୁ ସମୀର ??

 

ସମୀର ଆଶ୍ଚର୍ଯ୍ୟ ହୋଇ କହିଲା, କିନ୍ତୁ ପୁଣି କ’ଣ ସୁରଭି ? ଓ... ତା’ହେଲେ ଏ ସନ୍ଦେହ ବୋଉଙ୍କର କେବେ ନୁହେଁ । ଏ ସନ୍ଦେହ ତୁମର । ଏ ବିଷୟରେ ମୋ ସହିତ ଏତେ କଥାବାର୍ତ୍ତା ହେଲା ପରେ ବି... ।

 

ତୁମେ ମୋତେ ବୁଝ ସମୀର; ପୂରବୀ ଭଲଝିଅ ନୁହେଁ ।

 

ତୁମେ ମୋତେ କହିଛ ଯେ ଦୁନିଆରେ କୌଣସି ମଣିଷ ସମ୍ପୂର୍ଣ୍ଣ ଦୋଷମୁକ୍ତ ନୁହେଁ । ତେବେ ପୂରବୀ ଯଦି ଭଲ ଝିଅ ନ ହେଲା, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?

 

ସମୀର ପ୍ରତ୍ୟକ୍ଷ ଭାବରେ ପୂରବୀର ପକ୍ଷ ସମର୍ଥନ କରୁଥିବା ଅନୁଭବ କରି ସୁରଭି ଈଷତ୍ ଈର୍ଷାରେ ଅସ୍ଥିର ହୋଇ କହିଲା, ଅଧିକାଂଶ ଲୋକେ ଯଦି ଗୋଟିଏ ଝିଅକୁ ଖରାପ ବୋଲି କହିବେ, ସେ ଝିଅ ପ୍ରତି ତୁମର ଏତେ ସମର୍ଥନ କାହିଁକି ? କାହିଁକି ଏତେ ଦରଦ ?

 

କଥା ଶେଷରେ ନିଜ କଥାରେ ସୁରଭି ନିଜେ ଚକିତ ହୋଇ ସମୀର ମୁହଁକୁ ଚାହିଁ ଦେଖିଲା, ତା’ର ଦୁଇ ଆଖିରେ କ୍ରୋଧର ଅଗ୍ନି ଝଡ଼ ଯେପରି ମାଡ଼ି ଆସୁଛି । ସେ ସିଧା ସମୀର ମୁହଁକୁ ଚାହିଁ ନ ପାରି ମୁହଁ ତଳକୁ କରି କରି ପ୍ରମାଦ ଗଣିଲା ।

 

ହଠାତ୍ ସମୀର ଗର୍ଜନ କରିଉଠି କହିଲା, ତୁମେ ଏତେ ସଂକୀର୍ଣ୍ଣମନା, ବୋଲି ମୁଁ ଜାଣି ନ ଥିଲି ସୁରଭି ? ତୁମେ ମୋତେ ତୁମ ଘରକୁ ନିମନ୍ତ୍ରଣ କରି ଏପରି ଅପମାନ ମୋତେ ଦେବା କ’ଣ ଉଚିତ । ମୋତେ ଯନ୍ତାରେ ପକାଇ ଚାବୁକ ପାହାର ଦେଇ ପୋଷା ମନାଇବ ବୋଲି ତୁମେ ମୋତେ ଭାବିଛ ?

 

ସୁରଭି ସମୀରର ଏପରି କଥାରେ ଭାଙ୍ଗିପଡ଼ି ଅନୁନୟ ଭଙ୍ଗୀରେ କହିଲା, ମୋ’ର ଭୁଲ ହୋଇଛି ସମୀର ! ଅଭିମାନରେ ଆକୁଳ ହୋଇ ଯଦି ମୁଁ ତୁମକୁ ଆଘାତ ଦେଇଛି ତେବେ ତୁମେ ମୋତେ କ୍ଷମା କର ସମୀର । ମୋତେ କ୍ଷମା କର ।

 

ସୁରଭି ଅସହ୍ୟ ଆକୁଳତାରେ ସମୀରର ଦୁଇ ହାତକୁ ଜାବୁଡ଼ି ଧରିଲା ।

 

ସମୀର ନିଷ୍ଠୁର ଭାବରେ ସୁରଭିର ହାତକୁ ଛିଞ୍ଚାଡ଼ି ଦେଇ ଦୃଢ଼ କଣ୍ଠରେ କହିଲା, ତୁମ ଅନ୍ତର ମଧ୍ୟରୁ ଯେ ପର୍ଯ୍ୟନ୍ତ ଏ ହୀନମ୍ମନ୍ୟତା ଦୂର ହୋଇନାହିଁ, ସେ ପର୍ଯ୍ୟନ୍ତ ତୁମେ ମୋର କେହି ନୁହଁ । ହଁ, ହଁ, ତୁମେ ମୋର କେହି ନୁହଁ ।

 

ସମୀର…. !

 

ହଁ, ହଁ, ସୁରଭି, କେବଳ ତୁମରି ପ୍ରେମର ସୀମିତ କ୍ଷେତ୍ରରେ ଅବରୁଦ୍ଧ ରହି ମୋର ସାମଗ୍ରିକ ପ୍ରେମର ମହତ୍ତ୍ଵ ଦ୍ୟୋତନାକୁ ମୁଁ କେବେ ବଳି ଦେଇ ପାରବି ନାହିଁ । ମୁଁ ଆଜି ତୁମର ଏକା ନୁହଁ, ମୁଁ ସମସ୍ତଙ୍କର । ଚାରିଆଡ଼େ ଆଜି ସହସ୍ର ଚକ୍ଷୁର ଲୋତକ ବନ୍ୟା ଏ ଜୈବିକ ପ୍ରେମର ସାମାନ୍ୟ ଜଳବିନ୍ଦୁର ମୂଲ୍ୟବୋଧ କିଛି ନାହିଁ ।

 

ସମୀର ଏମିତି କହୁ କହୁ ବାତୁଳପ୍ରାୟ ଟଳି ଟଳି ବାହାରକୁ ଚାଲିଯିବା ବେଳେ ସୁରଭି ଅତି ଆକୁଳ ହୋଇ, ଦୟନୀୟ ହୋଇ ସମୀରର ଦୁଇ ଗୋଡ଼କୁ ଜାବୁଡ଼ି ଧରିଲା । ସତେ ଯେପରି ତା’ର ପ୍ରିୟ ସମୀର ତା’ପାଖରୁ ସବୁଦିନ ପାଇଁ ବିଦାୟ ନେଉଛନ୍ତି ।

 

ଗଭୀର ନିଃସହାୟତାବୋଧରେ ସେ ବାହୁନି ଉଠି କହିଲା, ମୋତେ ତୁମେ ଛାଡ଼ି ଚାଲିଯିବ ସମୀର ? ତୁମେ ସତେ ଚାଲିଯିବ ? ସମୀର ଯେପରି ପାଷାଣ ପରି କିଛି ଶୁଣୁ ନ ଥିଲା-

 

ତା’ ଦୃଷ୍ଟି ପ୍ରସାରିତ ଆହୁରି ଆଗକୁ ...ବହୁ ଦୂରକୁ...ଏ ଝରକାର ରେଲିଂ ଦେଇ ସେ ଅସୀମ ପ୍ରଶାନ୍ତ ଆକାଶକୁ ।

 

ସୁରଭି ପାଗଳୀ ପରି ହଠାତ୍ ସମୀରର ପାଦ ଦୁଇଟି ଛାଡ଼ି ତା’ ଆଗରେ ଠିଆହୋଇ ସମୀର ମୁହଁକୁ ଅବାକ୍ ଆଖିରେ ଚାହିଁଲା ।

 

ସମୀର ମୁହଁରେ ତା’ପ୍ରତି ନିର୍ଲିପ୍ତ ଭାବ, ଫାଙ୍କା ଫାଙ୍କା କର୍କଶ ଭାବ, ଘରଛଡ଼ା, ସଂସାରଛଡ଼ା ସନ୍ନ୍ୟାସୀ ଭାବକୁ ନିରୀକ୍ଷଣ କରି ତା’ ମୁଣ୍ଡରେ ଅଜସ୍ର ବୁଶ୍ଚିକର ଦଂଶନ ଜ୍ୱାଳା ସେ ଯେପରି ଅନୁଭବ କଲା । ଏଇ ସମୀର ତ ପୁଣି ଏଇ କେତେଟା ମୁହୂର୍ତ୍ତ ପୂର୍ବରୁ ଏକ ସ୍ଵପ୍ନକୁମାର ପରି ତାକୁ ଆଦର କରୁଥିଲେ ନା । ସେ କେବେ ତା’ ପାଖରୁ ସମୀରକୁ ଛାଡ଼ିଦେବ ନାହିଁ ।

 

ସୁରଭି ମୁଣ୍ଡଟା ଯେପରି ଗୋଳମାଳିଆ ହୋଇଯାଉଛି; ସେଇ ଗୋଳମାଳିଆ ଯନ୍ତ୍ରଣା ଜର୍ଜରିତ ଅନ୍ତରର ବିଳାପ ମଧ୍ୟରେ ସେ ସମୀରକୁ ନିଜର ସମସ୍ତ ଶକ୍ତି ଖର୍ଚ୍ଚ କରି ମାଡ଼ିବସି ଉନ୍ମାଦିନୀ ପରି ଦୃଢ଼ କଣ୍ଠରେ କହିଲା, ମୁଁ ତୁମକୁ ମୋ ଜୀବନ ଥିବା ଯାକେ ଛାଡ଼ି ଦେବିନି । ହଁ, ହଁ; ମୁଁ କେବେ ଛାଡି ଦେବିନି ।

 

ସମୀର ନିଜକୁ ସୁରଭିଠାରୁ ଅଲଗା ହେବାକୁ ଚେଷ୍ଟାକରି ବିବ୍ରତ କଣ୍ଠରେ କହିଲା, ନା, ନା; ମୁଁ ଏ ସୀମିତ ବନ୍ଧନ ଆଦୌ ଚାହେଁନା ... ମୁଁ ଏ ମିଥ୍ୟା ବନ୍ଧନ ଚାହେଁନା ।

 

ସୁରଭି ମୁଣ୍ଡଟା ଅସମ୍ଭବ ଭାବରେ ତାତି ଉଠିଲା । ଛାତିର ଉତ୍‌ଥିତ ଦୀର୍ଘଶ୍ଵାସ, ଯନ୍ତ୍ରଣା, ନିଜର ଅସହାୟ ଭାବ, ନିଷ୍ଠୁର ପରିବେଶ ସବୁ ମିଶି ତାକୁ ଯେପରି ଆଉ କିଛି କରି ଦେଇଛନ୍ତି ।

 

ସୁରଭି ସମୀରର ଛାତିରେ ମୁଣ୍ଡ ବାଡ଼େଇ କାନ୍ଦି କାନ୍ଦି କହିଲା, ଏ ବନ୍ଧନ ମିଥ୍ୟା ନା ? ତେବେ ମୋତେ ଏତେ ଛଳନା କରିଥିଲ କାହିଁକି ? କ’ଣ କେବଳ ତୁମର ଉତ୍ତେଜିତ ବିକାରଗ୍ରସ୍ତ ମନକୁ ଶାନ୍ତକରିବା ପାଇଁ, କୁହ ! କୁହ !

 

ସୁରଭି ଭୋ’ ଭୋ’ ହୋଇ କାନ୍ଦି ଉଠି ସମୀର ପାଦତଳେ ଲୋଟିଯାଇ ତା’ ଗୋଡ଼ ଦୁଇଟିକୁ ଗଭୀର ଆବେଗରେ ଜାବୁଡ଼ି ଧରିଲା ।

 

ସମୀର ଅତି ନିଷ୍ଠୁର ନିର୍ମମ ଭାବରେ ସୁରଭି ଦୁଇ ହାତମୁଠାରୁ ନିଜକୁ ମୁକୁଳାଇ ନେଇ ଝଡ଼ବେଗରେ ସେ ଘରୁ ବାହାରିଗଲା ।

 

ଆଉ, ସୁରଭି ଉଠିବାକୁ ଚେଷ୍ଟାକରି ବି ଉଠିପାରିଲା ନାହିଁ । ତା’ ମୁଣ୍ଡଟା ଭିତରେ ଯେପରି ସହସ୍ର ସହସ୍ର କଲକତରା ପୋକ କିଲିବିଲି ହୋଇ ଖେଳେଇ ଖେଳେଇ କାମୁଡ଼ି ପକାଉଛନ୍ତି । ସେ ଘୁରୁଛି, ତା’ ସହିତ ସମସ୍ତ ବିଶ୍ୱ...ଏବଂ ସେହି ମିଶାମିଶି ଜାଲୁଜାଲୁ ଚକାଭଉଁରୀ ଦୃଶ୍ୟରେ ସମୀର ଗୋଳେଇ ହୋଇ ଯେମିତି କୁଆଡ଼େ ମିଶି ଅଦୃଶ୍ୟ ହୋଇଯାଉଛି ? କିଛି ଦେଖି ହେଉନାହିଁ, କିଛି ଶୁଣି ହେଉ ନାହିଁ । କେବଳ ମୁଣ୍ଡ ଉପରେ ପୁଳାଏ ଦମକା ଭାଁ ଭାଁ ଶବ୍ଦ ଭୟଙ୍କର ଭାବରେ ଜାଣି ହେଉଛି ।

 

ସୁରଭି ସେଇଠି ସାଙ୍ଗେ ସାଙ୍ଗେ ଟଳିପଡ଼ିଲା ।

 

ତେର

 

ସୁରଭି ଆଖି ଖୋଲି ଚାରିଆଡ଼କୁ ବୋକାଙ୍କ ପରି ବଲ ବଲ ହୋଇ ଚାହିଁ ଦେଖିଲା, ତା’ ମୁଣ୍ଡ ଉପରେ ତାଙ୍କ ଘରର ବିଶ୍ୱସ୍ତ ବୁଢ଼ାଚାକର ମଧୁ ବିଷଣ୍ଣ ହୋଇ ବସିଛି ।

 

ସୁରଭି ମଧୁର ଦୁଇ ହାତକୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦି ଉଠି କହିଲା, ତୁ ତାଙ୍କୁ ଟିକିଏ ଅଟକାଇଲୁ ନାହିଁରେ ମଧୁ ?

 

ମଧୁ ଶଙ୍କିତ କଣ୍ଠରେ କହିଲା, ମୁଁ ଅଟକାଇ ଥିଲି ମା’ ହେଲେ ସେ ଆଖି ଛଳ ଛଳ କରି ମୋ କଥା ନ ଶୁଣି ଚାଲିଗଲେ ।

 

ସୁରଭି ପୁଣି କାନ୍ଦି ଉଠି କହିଲା, ସେ ତୋତେ ଆଉ କ’ଣ କିଛି କହିଲେ ନାହିଁ ମଧୁ ?

 

ମଧୁ ସୁରଭିର ଆଖିରୁ ଲୁହ ପୋଛି କହିଲା, କହିଲେ ମା’ । କହିଲେ, ଯା ମଧୁ ସେ ଘରେ ତୋ’ ଛୋଟ ମା’ ଏକାଟିଆ ପଡ଼ିଛି... ।

 

ମଧୁର କଥାରେ ସୁରଭି କୋହ ଉଚ୍ଛ୍ୱସିତ କଣ୍ଠରେ କହିଲା, ମୁଁ ମରେ କି କୁଆଡ଼େ ଯାଏ, ସେଥିରେ ତାଙ୍କର କ’ଣ ଅଛି ।

 

ଏଥରକ ମଧୁ ସ୍ୱାଭାବିକ ଭାବରେ କହିଲା, ତୁମେ ଯାହା କହ ମା’ ସମୀରବାବୁ ଆମର ଭାରି ଭଲଲୋକ । ସେ ତୁମକୁ ଭାରି ଭଲ ପାଆନ୍ତି ମା’ । ହେଲେ ତୁମେ ତାଙ୍କ ମନରେ... ।

 

ମଧୁର କଥାରେ ସୁରଭି ଲଜ୍ଜିତ ହୋଇଯାଇ କହିଲା, ମୋର ସବୁ ଭୁଲ୍ ରେ ମଧୁ, ମୋର ସବୁ ଭୁଲ । ହେଲେ ସେ କ’ଣ ମୋ’ କଥା ବୁଝିଲେ ?

 

ମଧୁ ସୁରଭିର ମୁଣ୍ଡ ଆଉଁଷି ଦେଇ କହିଲା, ସେ ବୁଝିବେ ମା’–ସ୍ଵାମୀ ସ୍ତ୍ରୀ ମଧ୍ୟରେ ଏହାଠାରୁ ବଡ଼ ବଡ଼ ଝଗଡ଼ା କୁଆଡ଼େ ପାଣି ଫାଟି ଯାଉଛି । ଇଏ ଏମିତି କ’ଣ କି ?

 

ସୁରଭି ଏତେ ଦୁଃଖରେ ବି ମନେ ମନେ ହସିଲା । ସତରେ ସେ ସ୍ଵାମୀ ସ୍ତ୍ରୀ ନୁହନ୍ତି ଆଉ କ’ଣ ? ସେ କହିଲା, ମଧୁ ସତରେ ସେ ଆଜି ନ ଖାଇ ଆମ ଘରୁ ଚାଲିଗଲେ ।

 

ମଧୁ ହସିଲା । କହିଲା, ସେ ଭାରି ବାଇଆ ମା’ । ହେଲେ ସେ ଏମିତି ରାଗିକରି ସିନା ଚାଲିଗଲେ, ହେଲେ ମା’ ସେ ବର୍ତ୍ତମାନ ଭାବି ହେଉଥ‌ିବେ । ମୁଁ ପରା ଆସି ବୁଢ଼ା ହେଲିଣି । ମୁଁ କ’ଣ ମଣିଷ ଚିହ୍ନି ନାହିଁ ମା’ । ଦେଖିବ ରହିଥା କାଲି ଯଦି ତାଙ୍କୁ ମୁଁ ନିଜେ ଟାଣି ଆଣି ଏଠାରେ ନ ଖୁଆଇଛି, ତେବେ ମୋ ନାଁ ମଧୁ ନୁହେଁ ।

 

ମଧୁର କଥାରେ ଯଥେଷ୍ଟ ଉତ୍ସାହ ଓ ଆଶ୍ୱାସନା ପାଇ ସୁରଭି କହିଲା, ମଧୁ ତୁ ଗଲୁ ଟିକିଏ ତପନ ବାବୁଙ୍କୁ ଡାକି ଦେବୁ ।

 

ମଧୁ ସାଙ୍ଗେ ସାଙ୍ଗେ କହିଲା, ମା’ ତ ମୋତେ କହିଯାଇଥିଲେ ତପନବାବୁକୁ ଡାକି ଦେବାପାଇଁ । ମୁଁ ତ ଯାଇଥିଲି । ସେ କହିଛନ୍ତି ରାତି ୯ଟା ବେଳକୁ ଆସିବା ପାଇଁ । ହଁ ମା’ ତୁମ ମୁଣ୍ଡ ବର୍ତ୍ତମାନ ଭଲନାହିଁ । ତୁମେ ଟିକିଏ ଏଇଠି ଶୋଇପଡ଼ । ମୁଁ ଯାଉଛି ରୋଷେଇ କ’ଣ ହେଲା ତେଣେ ଦେଖେ । ତପନବାବୁ ଆସିଲେ ମୁଁ ଡାକି ଦେବି ।

 

ସୁରଭି ଶୋଇବାକୁ ଚେଷ୍ଟା କରି ବି ଶୋଇପାରିଲା ନାହିଁ । ସମୀରର ଏଇ କେତେ ମୁହୂର୍ତ୍ତ ପୂର୍ବର ନିଷ୍ଠୁର ବ୍ୟବହାର ସେ ମୋଟେ ଭୁଲିପାରୁ ନ ଥିଲା । ସତେ କ’ଣ ସେ ଆଉ ଆସିବେ ନାହିଁ ? ଏମିତି ଅନେକ ଚିନ୍ତାରେ ତା’ର କ୍ଳାନ୍ତ ଆଖିପତା ଦୁଇଟି କେତେବେଳେ ମୁଦିହୋଇ ଯାଇଛି ତା’ର ହେତୁ ନାହିଁ ।

 

ହଠାତ୍ ଆଖି ଖୋଲି ସେ ଦେଖିଲା, ତପନ କେତେବେଳୁ ଆସି ତା’ ଆଗରେ ବସିଛି । ତପନକୁ ଦେଖି ସୁରଭି ପୁଣି ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠି ବାଷ୍ପାକୁଳ କଣ୍ଠରେ କିଛି କହିବାକୁ ଯାଇଁ ପ୍ରକୃତରେ କିଛି କହିପାରିଲା ନାହିଁ ।

 

ତପନ ଆକଟ କରି କହିଲା, କାହିଁକି ଏମିତି ହେଉଛୁ କହିଲୁ ? ଆରେ ତୁମର ଆଜି କ’ଣ ହୋଇଛି ?

 

ସୁରଭି କୋହ ଉଚ୍ଛ୍ୱସିତ କଣ୍ଠରେ କହିଲା, ଯାହାକୁ ମୋ’ର ମନଧ୍ୟାନ ଦେଇ ଦେବତା ପରି ପୂଜା କରୁଥିଲି, ସେଇ ସମୀର ମୋତେ ଆଜି ପାଦରେ ଆଡ଼େଇ ଦେଇ ଚାଲିଗଲେ ତପନ ଭାଇ !

 

ସୁରଭିର ଏଇ କାନ୍ଦୁରା କଥାରେ ତପନ ବହେ ହସିଲା । କହିଲା, ମୁଁ ମଧୁଠାରୁ ଏ ବିଷୟରେ କିଛି ସୂଚନା ପାଇଛି ।...ହୁଁ ବୁଝିଲି । ତୁମ ଭିତରେ ଆନ୍ତରିକତାଟା ଟିକିଏ ଜୋର୍‌ରେ ଘନେଇ ଆସିଛି ନା, ସେଠାରେ ସନ୍ଦେହ ଟିକିଏ ବସା ବାନ୍ଧିଲାଣି । ଆଲୋ ହୁଣ୍ଡୀ, ତୋ’ ପ୍ରତି ଯଦି ତା’ର ମମତା ନ ଥାନ୍ତା, ସେ ଆଖି ଛଳ ଛଳ କରି କାହିଁକି ମଧୁକୁ ପଠାଇଥାନ୍ତା ତୋ’ ପାଖକୁ । ତୁ ସେ ଘରେ ଏକୁଟିଆ ପଡ଼ିଥିଲୁ ବୋଲି ତା’ ଛାତିଟା ଆଉଟୁ ପାଉଟୁ ହୋଇଯାଇଥିବ ଜାଣିଛୁ । ଗୋଟିଏ ଜିଦ୍ ରେ ସିନା ସେ ପଳାଇଗଲା ?

 

ସୁରଭି ଏଥରକ ସେ ଲୁହଭରା ଆଖିରେ ତପନକୁ କଟମଟ କରି ଅନାଇଲା । କହିଲା, ତୁ ସମୀରକୁ ଏପରି ପ୍ରଶଂସା କରିବା କେତେଦିନ ହେଲା ଆରମ୍ଭ କଲୁଣି ? ଓଃ ! ତୁମେ ସମସ୍ତେ ମିଶି ମୋତେ ବାଇଆଣୀ କରି ଦେବ ଦେଖୁଛି ।

 

ତପନ ହସି ହସି କହିଲା, ଭାରି ଭଲ ହେବ । ସେ ବାଇଆକୁ ତୁ ବାୟାଣୀ, ବେଶ୍ ଭଲ ହେବ ତୁମ ଦୁଇଜଣଙ୍କର ଯୋଡ଼ି ।

 

ସୁରଭି ଆଖି ଛଳ ଛଳ କରି କହିଲା, ମୁଁ ମରୁଥିବାବେଳେ ତୁ ମୋତେ ଥଟ୍ଟା କରୁଛୁ, ନୁହେଁ ତପନ ଭାଇ । ତୁ ମୋତେ ନେଇ ଏବେ ମୋ ବାପା ବୋଉଙ୍କ ପାଖରେ ବ୍ରହ୍ମପୁରରେ ଛାଡ଼ିଦେଇ ଆସିଲୁ ।

 

ସତରେ ସୁରଭି ତୁ କ’ଣ କହୁଛୁ ମୁଁ ମୋଟେ ବୁଝିପାରୁନି ।

 

ହଁ, ରେ ତପନ ଭାଇ, ମୋ’ ବାପା ଯାହା କହୁଥିଲେ ଠିକ୍, ମୁଁ ବର୍ତ୍ତମାନ ବୁଝୁଛି ଗୁରୁଜନମାନଙ୍କ କଥା ନ ମାନିଲେ ଶେଷରେ ଫଳ ଏଇଆ ହୁଏ ।

 

ସେ ଗୁରୁଜନ ଫୁରୁଜନ କଥା ଛାଡ଼ । ମଧୁ ତ ଅଛି, ମୁଁ ଯାଉଛି । ଆଉ ଟିକିଏ ଛାଡ଼ି ଆସିବି ।

 

ନା, ତପନ ଭାଇ । ତୁ ମୋତେ ଛାଡ଼ିକି ଯାଆନା । ଘରେ କେହି ନାହାନ୍ତି । ସେ ସାଗର ମହାପାତ୍ର କୁଆଡ଼େ ଯାଇଛି । ଏବେ ସେ ପ୍ରାୟ ଫେରିବ । ଆଉ ସେ ମୋତେ ଏକୁଟିଆ ଦେଖିଲେ ରାକ୍ଷସ ପରି ଗୋଟାସୁଦ୍ଧା ଖାଇବାକୁ ଦୌଡ଼ି ଆସିବ ।

 

ଆଚ୍ଛା ତୁ ଚୁପ୍ ହୋଇ ଶୋଇପଡ଼ । ମୁଁ ଏଇଟି ବସିଛି ।

 

କିଛି ସମୟ ନିଶ୍ଚୁପ ପରିବେଶ ପରେ ସୁରଭି ପୁଣି ମୁହଁ ଖୋଲିଲା । ହେ ତପନ ଭାଇ, ତୋ’ର ବୋମା ତି‍ଆରି କାମ କେଉଁଯାଏ ଗଲା ? ମୋତେ ଟିକିଏ ବୋମା ତିଆରି ଶିଖାଇ ଦେବୁ ନାହିଁ ?

 

ସୁରଭି ତୁ ପୁଣି ଗପିଲୁ ? ସେଇ ବାଜେ କଥା ।

 

ବାଜେ କଥା...! ସୁରଭି ପାଗଳୀଙ୍କ ପରି ଖିଲି ଖିଲି ହୋଇ ହସି ଉଠିଲା ।

 

ତପନ ଏଥରକ କଣ୍ଠରେ କିଛି ଗମ୍ଭୀରତା ଆଣି କହିଲା, ବାଜେ କଥା ନୁହେଁ ? ତୁ ମୋତେ ସେଦିନ କହିଥିଲୁ ନା, ମଣିଷମାନେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବା ।

 

ସୁରଭି ବିସ୍ମୟବିମୂଢ଼ ହୋଇ ଚାହିଁଲା ତପନକୁ । ତପନର ଏ କଣ୍ଠସ୍ୱରକୁ ସେ ଯେପରି ବିଶ୍ଵାସ କଲା ନାହିଁ । ଅବିଶ୍ୱାସ କଣ୍ଠରେ କହିଲା, ତୁ ତେବେ ଏହା ଭିତରେ ବାଲ୍ମୀକି ହୋଇଗଲୁଣି ନା କ’ଣ ।

 

ହଁ ସୁରଭି, ତୋ’ରି କଥାକୁ ମୁଁ ସମ୍ମାନ ଦେଇ ମଣିଷ ହେବାକୁ ଚେଷ୍ଟା କରୁଛି ସୁରଭି ।

 

ସୁରଭି ଏକ ଦୀର୍ଘଶ୍ୱାସ ନେଇ କହିଲା, ସତରେ ତପନଭାଇ, ତୁମ ପୁରୁଷ ଜାତିଟା ଗୋଟାଏ ମସ୍ତବଡ଼ ପାଗଳ ଜାତି ।

 

ସତରେ ସୁରଭି ମୁଁ ତ ସେ କାମ କେବଳ ଛାଡ଼ିନାହିଁ । ବହୁତ ବିଚାର କରି ଶେଷରେ ମନେ ମନେ ମୁଁ ଠିକ୍ କରିଛି ସମୀର ସହିତ ମିଶି ତା’ର ସଙ୍ଗଠନକୁ ମୁଁ ଆହୁରି ସୁଦୃଢ଼ କରିବି ।

 

ତପନଭାଇ ? ତୁ ଏ କ’ଣ କହୁଛୁ ? ସମୀର ସହିତ ତୁ ମିଶିବୁ ? କାହିଁକି ? କ’ଣ ସେଇ ପୂରବୀ ମହାନ୍ତି ଜାଲରେ ପଡ଼ି ନଷ୍ଟ ହେବାପାଇଁ ? ମୋ ରାଣ ତପନଭାଇ, ତୁ ସେଠିକି ମୋଟେ ଯିବୁନି ।

 

ତପନ ଏଥରକ ବହେ ହସିଲା । ତା’ପରେ ଦମ୍ ନେଇ କହିଲା–ଓ ହୋ–ତେବେ ସେ ପୂରବୀ ଯୋଗୁ ଏତେକଥା ନା ? ତାହାହେଲେ ତୋରି ଆଡ଼ୁ ପ୍ରଥମେ ଭୁଲ ବୁଝାମଣା ଆରମ୍ଭ ହୋଇଛି ! ଦେଖ୍ ସୁରଭି, ସମୀର ଏତେଟା ଶସ୍ତା ନୁହେଁ । ତୁ ଯାହା ଶୁଣୁଛୁ ସବୁ ମିଛ କଥା ।

 

ତପନଭାଇ, ମୋ କଥାକୁ ତୁ ହସରେ ଉଡ଼େଇ ଦେଲୁ ନା ! ପୂରବୀ କଥା ତୁ ଜାଣିନୁ ? ସେ କଞ୍ଚା ଡାହାଣୀ । ଯେତେ ଭଲଲୋକ ହେଲେ ବି ସେ ତାକୁ ମେଣ୍ଢା କରି ତା’ ମୁଣ୍ଡ ବିଗାଡ଼ିଦେବ, ନ ହେଲେ ସମୀର ଆଜି ମୋତେ...... ।

 

ତୁ ଶୋଇପଡ଼, ସେ କଥା ମୁଁ ପରେ ବୁଝିବି । ତୋ ତପନଭାଇ ଉପରେ ତୋ’ର ବିଶ୍ଵାସ ଅଛି ତ ? ତେବେ ତୁ ଏତିକି ଜାଣିଥା ତପନ ବିଶ୍ଵାଳ କେବେ କାହାର ଅଯଥା ପ୍ରଶଂସା କରେ ନାହିଁ-। ମୁଁ ସମୀରକୁ ଭଲ ଭାବରେ ଚିହ୍ନିଛି ଓ ତୋ’ ସହିତ ତା’ର ସମ୍ପର୍କ କେତେ ନିବିଡ଼, କେତେ ପବିତ୍ର ସେକଥା ମୁଁ ଜାଣିଛି ।

 

ତପନଭାଇ... ।

 

ଆଚ୍ଛା ସୁରଭି ତୁ ସତ କହିଲୁ, ତୋ’ ସହିତ ଏତେଦିନର ସମ୍ପର୍କ ଭିତରେ ତୁ ତାକୁ କ’ଣ ସତରେ ଚିହ୍ନି ପାରିନୁ ?

 

ସେ ନିଷ୍କଳଙ୍କ । ଶତ ଶତ ପୂରବୀ ଆସିଲେ ବି ତାକୁ କେବେ ନୀତିଚ୍ୟୁତ କରିପାରିବେ ନାହିଁ ।

 

ତପନଭାଇ !!

 

ମୁଁ ଜାଣେ ସୁରଭି, ସମୀର ସାମାନ୍ୟ ମିଛ କଥାରେ ଆଘାତ ପାଇଲେ କେତେ ହିଂସ୍ର ହୋଇଉଠେ । ଆଉ ସେ ନିଶ୍ଚୟ ତୋ’ଠାରୁ ପୂରବୀ କଥା ଶୁଣି ନିଷ୍ଠୁର ହୋଇ ଉଠିଥିବ ।...ଇଲୋ ହେ ପାଗଳୀ, ତୁମ ଭିତରେ ଯେଉଁ ଗହିରିଆ ସମ୍ପର୍କ ନା, ସେଥିରେ ଏମିତି ଟିକିଏ ଟିକିଏ ଖଟ୍‍କା ନ ପଶିଲେ କ’ଣ ମଜା ଅଛି ? ପୀରତିରେ ଛାତି କରତି ନ ହେଲେ, କି ପୀରତି ସିଏ କହ... ।

 

ଏତେ କହି ତପନ ଚୁପି ଚୁପି ହସିଲା । ଆଉ ସେ ନିରୀକ୍ଷଣ କଲା, ସୁରଭିର ମୁହଁ ଆକାଶରୁ ବିଷଣ୍ଣତାର ଅନ୍ଧକାର କଟିଯାଇ ଆଶା ଓ ବିଶ୍ୱାସର ଉଷା ଧୀରେ ଧୀରେ ଉଇଁ ଆସୁଛି ।

 

ସୁରଭିର ଏ ଭାବ ଦେଖି ତପନ କହିଲା, କ’ଣ ମୋ’ କଥା ତୋ’ ମନକୁ ପାଇଲାଟି ? ଆରେ କିଛି ନାହିଁ । ମିଛରେ ଗୋଟାଏ ଏତେ ବଡ଼ କାଣ୍ଡ ଘଟାଇ ବସିଲ ?

 

ତପନର କଥାରେ ସୁରଭିର ଯେପରି ଆଉ କିଛି କହିବାର ନ ଥିଲା । ସେ ପ୍ରସଙ୍ଗ ବଦଳାଇ କହିଲା ! ମାଉସୀ କିପରି ଅଛନ୍ତି ?

 

ତପନ ଚମକି ଉଠି ବ୍ୟସ୍ତ କଣ୍ଠରେ କହିଲା, ମୁଁ ଯାଉଛି ସୁରଭି ବୋଉର ଔଷଧ ସରିଯାଇଛି । କିଣିନେଇ ଦେଲେ ସେ ଖାଇବ । ତୁ ଟିକିଏ ଅଧିକ ମାନସିକ ଆଘାତ ପାଇ କ୍ଳାନ୍ତ ହୋଇ ପଡ଼ିଛୁ । ରୋଷେଇ ସରିବଣି, କ’ଣ ଟିକିଏ ଖାଇଦେଇ ସେ ବାଜେ ଚିନ୍ତା ସନ୍ଦେହ ମୁଣ୍ଡରେ ନ ପୂରାଇ ଶୋଇପଡ଼ । ହଁ, ଆଉ କିଛି ସମୟ ପରେ ମୁଁ ନିଶ୍ଚୟ ଆସିବି ।

 

ସୁରଭି କଣ୍ଠରେ ସ୍ଵାଭାବିକତା ଫୁଟାଇ କହିଲା, ତୁ ଆସିବୁ ତପନଭାଇ, ନିଶ୍ଚୟ ଆସିବୁ-

 

ଚଉଦ

 

ତପନ ଯିବା ପରେ ସୁରଭିର ମୋଟେ ଖାଇବାକୁ ଇଚ୍ଛା ହେଲା ନାହିଁ । ଯାହାପାଇଁ ସେ ଆଜି ଖାଇବାର ଏତେ ଆୟୋଜନ କରିଥିଲା, ସେଇ ସମୀର ତ ରାଗି ଚାଲିଗଲେ । ସେ ଏବେ ଖାଇବ କ’ଣ ?

 

ମଧୁକୁ ଖାଇବାକୁ ମନାକରି ଦେଇ ସୁରଭି ମନକୁ ମନ ଆତ୍ମବିଶ୍ଳେଷଣ କଲା ।

 

ସେ ପ୍ରକୃତରେ ଗୋଟାଏ ଏକପାଖିଆ ବିଚାରରେ ଭାବପ୍ରବଣତାରେ ଭାସିଯାଇ ସମୀରକୁ ଯଥେଷ୍ଟ ଆଘାତ ଦେଇଛି । ତପନଭାଇ କଥାରେ ସତକୁ ସତ ସେ ମିଛଟାରେ ଗୋଟାଏ ଏତେବଡ଼ କାଣ୍ଡ ଘଟାଇଲା । ପ୍ରକୃତରେ ଆଜି ଏ ଅନର୍ଥକ କଥା ପାଇଁ ସେ ସମ୍ପୂର୍ଣ୍ଣ ଦୋଷୀ ।

 

ସୁରଭିର ମନେହେଲା, ସେ ସାଙ୍ଗେ ସାଙ୍ଗେ ଯାଇ ସମୀର ପାଖରେ ପୁଣି ଥରେ ନିଜ ଦୋଷ ସ୍ୱୀକାର କରି କ୍ଷମା ମାଗନ୍ତା ।

 

ହଠାତ୍ କିନ୍ତୁ ପୂରବୀର କଣ୍ଠସ୍ଵର ତାଙ୍କ ଘରେ ଶୁଣି ସୁରଭି ଚମକି ପଡ଼ିଲା । ପୂରବୀ ତାଙ୍କ ଘରେ ଏତେବେଳେ କାହିଁକି ?

 

ସୁରଭି ବାହାରକୁ ଅନାଇ ଚିନ୍ତା କଲା ।

 

ବାହାରେ ବର୍ଷୁକ ମେଘର ଆୟୋଜନ । ଦୂର ଦିଗନ୍ତରେ ସୁନ୍ଦର ସ୍ୱର୍ଣ୍ଣ ଗୋଧୂଳିର ସ୍ୱପ୍ନାଭ ଆଭା କେତେବେଳୁ କୁଆଡ଼େ ହଜିଗଲାଣି । ଦିଗନ୍ତଟା କିପରି ଅତ୍ୟନ୍ତ ରହସ୍ୟମୟ ଭୟଙ୍କର ପରି ଜଣାଯାଉଛି ।

 

ସୁରଭି ଆକାଶରୁ ମୁହଁ ଫେରାଇ କାହିଁକି କେଜାଣି ମନକୁ ମନ ହସିଉଠି ଭାବିଲା, ଓଃ...ଜଣା ପଡ଼ିଲା । ସମୀର ସମ୍ଭବତଃ ତାକୁ ପଠାଇଛନ୍ତି ତା’ର ଅବସ୍ଥା କିପରି ଅଛି ଦେଖିବା ପାଇଁ ?

 

ବାଃ ! ଆଗ ପାଦରେ ଆଡ଼େଇ ଦେଇ ହନ୍ତସନ୍ତ କରିବେ । ପୁଣି ପଛରେ ଡହଳବିକଳ ହୋଇ ଖବର ବୁଝିବା ପାଇଁ ଲୋକ ପଠାଇବେ । ନିଜେ ଆସିଥିଲେ କ’ଣ ହୁଅନ୍ତା ନାହିଁ ? ତାଙ୍କର କେବଳ ଅଭିମାନ ଅଛି ନା ?

 

ସତରେ ସମୀର ସିନା ଏଡ଼େ ବଡ଼ ନେତା ହେଲେ, କିନ୍ତୁ ତାଙ୍କର ସେ ପାଗଳାମୀ ଆଜି ପର୍ଯ୍ୟନ୍ତ ଗଲା ନାହିଁ ।

 

ମଣିଷ ପୁଣି ଏତେଟା ସେଣ୍ଟିମେଣ୍ଟାଲ ହୋଇପାରେ ! କେଉଁ ପ୍ରେମିକ ନିଜ ହାତ ଚିରି ରକ୍ତରେ ନିଜ ପ୍ରେମିକା ସୁନ୍ଥାରେ ସିନ୍ଦୂର କରେ ? ସେ ଏ ପାଗଳକୁ ନେଇ କିପରି ତା’ର ଘର ସଂସାର କରିବ ? ଆଉ ତା’ ପେଟରୁ ଯେଉଁ ପିଲା ଜନ୍ମ ହେବେ ସେମାନେ ଯଦି ତା’ ବାପା ପରି ପାଗଳ ହୁଅନ୍ତି, ତେବେ ତା’ ଘରଟା କ’ଣ ଗୋଟାଏ ପାଗଳ ଗାରଦ ହୋଇଯିବ ? ଓଃ ! ସେ କେମିତି ଏଗୁଡ଼ାକ ସମ୍ଭାଳିବ ? ସତରେ ସେ ସିନା ଘରେ ପଡ଼ିଥିଲା, ସମୀର ଦୁଃଖରେ କାନ୍ଦିଲେ କେମିତି ଦେଖାଯାଆନ୍ତି ସେ ଦେଖିଥାନ୍ତା । ଆଉ ଚୁପି ଚୁପି ହସି କହିଥାନ୍ତା, ଦେଖିଲଟି ? ତୁମକୁ କିପରି ପରୀକ୍ଷା କରୁଥିଲି ? ପ୍ରକୃତରେ ତୁମେ ମୋତେ ଭଲପାଉଛ କି ନାହିଁ ? ମୋତେ ଛାଡ଼ି ଚାଲିଯାଇଥିଲଟି ? ପୁଣି ମୋ ପାଇଁ କାନ୍ଦି ମଧୁକୁ ମୋ’ କଥା କହୁଥିଲ ?

ଏ କଥା ଶୁଣି ସମୀର ନିଶ୍ଚୟ ହସିଥାନ୍ତା ଏବଂ ସମୀରର ସେ ସୁନ୍ଦର ମୁହଁରେ ଭୋଦୁଅ ଅପରାହ୍ନର ଝୁରୁ ଝୁରୁ ବର୍ଷାରେ ଖରାର ଝଲକ ପରି ହସ କାନ୍ଦର ଲୁଚକାଳି ଖେଳ ଦେଖି ସେ ବହେ ହସିଥାନ୍ତା ।

ହେ, ସେ କେଉଁ ଅକଳରେ କହୁଥିଲା–ହେ ତପନଭାଇ, ମୋତେ ଟିକିଏ ବୋମା ତି‍ଆରି ଶିଖାଇ ଦେବୁ । ଛେନା ତି‍ଆରି ଶିଖାଇ ଦେବୁ...ଯା...

ସୁରଭି ତା’ ପଛ ‘କଥାଗୁଡ଼ାକ ମନରେ ଦୋହରାଇ ଅପ୍ରତିଭତାରେ ସଢ଼ିଯାଇ ମନେ ମନେ ହସିଲା ।

ଏଇ ତ ପୂରବୀ ତା’ ଘରଆଡ଼କୁ ଆସୁଛି । ଏତେବେଳଯାଏ କାହା ସହିତ ତଳେ କଥାବାର୍ତ୍ତା ହେଉଥିଲା ? ମଧୁ ପାଖରୁ ସମ୍ଭବ ସବୁକଥା ବୁଝି ସେ ଆସି ବର୍ତ୍ତମାନ ତାକୁ ଥଟ୍ଟା କରିବ । କହିବ, ସମୀର ସହିତ ପ୍ରେମରେ ପଡ଼ି କିଛି ଅସୁବିଧାରେ ପଡ଼ିଯାଇଛୁ କି ? ଆଉ କାହିଁକି ତୋ’ର ମୁଣ୍ଡ ବୁଲେଇ ଦେଲା ଯେ ତୁ ତଳେ ପଡ଼ିଯାଇଛୁ ।

ଏଇ ତ ପୂରବୀ, ସ୍କ୍ରି ନ୍ ଆଡେଇ ତା’ ଘରେ ପଶୁଛି ।

କିନ୍ତୁ...କିନ୍ତୁ ତା’ର ସମସ୍ତ ସ୍ଵପ୍ନିଳ ଉନ୍ମାଦନାକୁ ଧୂଳିସାତ୍ କରି ପୂରବୀ ଗଛ କାଟିଲା ପରି ତା’ ଗୋଡ଼ତଳେ ପଡ଼ିଯାଇ ଭୋ ଭୋ ହୋଇ କାନ୍ଦିଉଠି କହିଲା–ମୋର ସବୁ ସରିଗଲା ସୁରଭି, ସବୁ ସରିଗଲା । ସମୀର ଏପରି ପ୍ରତାରକ ହେବେ ବୋଲି ମୁଁ ମୋଟେ ବିଶ୍ୱାସ କରି ନ ଥିଲି ଲୋ ସୁରଭି !

ପୂରବୀ ତୁ ଏ କ’ଣ କହୁଛୁ ? ସୁରଭି ଚିଆଁ ଲାଗିଲା ପରି କହିଲା ।

ହଁ, ଲୋ ସୁରଭି, ଦୀର୍ଘ ତିନିମାସ ଧରି ମୋ ସହିତ ସମସ୍ତ ସମ୍ପର୍କ ରଖି ମୋତେ କଥା ଦେଇଥିଲେ ବିବାହ କରିବାକୁ । ଆଉ ମୁଁ ସେହି ଯୋଗୁଁ ବାଧ୍ୟରେ ତାଙ୍କ ଆନ୍ଦୋଳନରେ, ବିକ୍ଷୋଭରେ ଯୋଗ ଦେଲି । ଶେଷରେ......

କହ, କହ ପୂରବୀ, ତୁ ବନ୍ଦ କଲୁ କାହିଁକି ?

ମୁଁ ଆଜି ଅନ୍ତଃସତ୍ତ୍ୱା ସୁରଭି ।

ପୂରବୀ... !

ମୁଁ ସତ କହୁଛି ସୁରଭି, ଆଉ ସେ ମୋତେ ଆଜି ପ୍ରତ୍ୟାଖ୍ୟାନ କରି ତଡ଼ିଦେଲେ ।

ପୂରବୀର ଏ କଥା ଯେପରି ଶହ ଶହ ଚଡ଼ଚଡ଼ି ହୋଇ ତା’ କାନରେ ପଡ଼ିଲା । ସୁରଭି ଅସ୍ଥିର ହୋଇ ଉଠି ଦୁଇ ହାତରେ କାନଟା ବନ୍ଦ କରି ଚିତ୍କାର କରି ଉଠିଲା–ମିଛ ମିଛ । ତୁ ଏ ସବୁ ମିଛ କହୁଛୁ ପୂରବୀ ।

ସୁରଭି...... !

 

ହଁ, ହଁ, ତୁ ବାହାର ମୋ ଘରୁ ! ମୋ ସମୀରର କିଛି ଦୋଷ ନାହିଁ । ତୁ ତାଙ୍କୁ ଖରାପ କରି, ତଳକୁ ଆଣି ଶେଷରେ ଠକି ଯାଇଛୁ । ଭଲ ହୋଇଛି, ତୋ’ ଫଳ ତୁ ନିଜେ ପାଇଛୁ ।

 

ସୁରଭି କହୁ କହୁ ଅତ୍ୟଧିକ ଉତ୍ତେଜନାରେ ଉନ୍ମାଦିନୀ ପରି ହୋଇ, ପୂରବୀକୁ ଗୋଇଠା ମାରି, ପୁଣି ତାକୁ ଉଠାଇ ତା’ ଗାଲରେ ଚଟକଣା ମାରି ତାକୁ ବାହାରକୁ ଠେଲି ଦେଇ ଶେଯ ଉପରେ ପଡ଼ି ଗୁମୁରି ଗୁମୁରି କାନ୍ଦିବାକୁ ଲାଗିଲା ।

 

ହେ ପ୍ରଭୁ ! ଏ ମୁଁ କ’ଣ ଶୁଣୁଛି ପ୍ରଭୁ । ମୋ ଭାଗ୍ୟରେ ଶେଷରେ କ’ଣ ଏଇଆ ଶୁଣିବାର ଥିଲା । ସୁରଭି କିଛିକ୍ଷଣ ଭାବି ଶେଯରୁ ଉଠି ପାଗଳୀ ପରି ଡାକ ଛାଡ଼ିଲା–ପୂରବୀ, ପୂରବୀ ।

 

ଏତିକିବେଳେ ପଶ୍ଚିମ ଦିଗରେ ଏକ ଶକ୍ତ ଘଡ଼ଘଡ଼ି କାନ ବଧିରା ପକାଇ ଗର୍ଜି ଉଠିଲା-

 

ସେଇ ଭୟଙ୍କର ଶବ୍ଦ ଭିତରେ ସୁରଭି କାନ୍ଦି କାନ୍ଦି କହୁଥାଏ ତୁ ରହ ପୂରବୀ; କୁଆଡ଼େ ଯିବୁ ଏ ବର୍ଷା ରାତିରେ ମୁଁ ତୋତେ ସାଙ୍ଗରେ ନେଇ ତାଙ୍କ ପାଖକୁ ଯିବି । ତାଙ୍କୁ ଅନୁରୋଧ କରିବି ସେ ତୋତେ ଗ୍ରହଣ କରିବା ପାଇଁ । ହଁ, ହଁ, ସେ ମୋ କଥା ରଖିବେ ଲୋ ପୂରବୀ !

 

ସୁରଭି ଉନ୍ମାଦିନୀ ପରି ଟଳି ଟଳି ବାହାରକୁ ନିର୍ଗତ ହେବା ସମୟରେ ସମ୍ମୁଖରେ ସାଗର ମହାପାତ୍ରକୁ ଦେଖି ସର୍ପାହତ ପରତ ଚମକି ପଡ଼ିଲା ।

 

ଆକାଶରେ ହୁ ହୁ ହୋଇ ଅଦିନିଆ ମେଘ ମାଡ଼ି ଆସୁଛି । ଚାରିଆଡ଼େ ଉନ୍ନତ୍ତ ପ୍ରକୃତି କିପରି ଅଟ୍ଟହାସ୍ୟ କରି ଉଠୁଛି । ବାହାରେ ଉନ୍ନତ୍ତ ତୋଫାନରେ ସିଂହ ରଡ଼ି...ଏଣେ ସୁରଭି ମନରେ ତୋଫାନର ବିକଟ ଫୁତ୍‌କାର । ପ୍ରକୃତରେ ସେ କ’ଣ କରିବ ?

 

ସୁରଭି ଅତିଶୟ ଆକୁଳତାରେ ଉଚ୍ଛନ୍ନ ହୋଇ କହିଲା–ମୋ ଆଗରୁ ଉଠନ୍ତୁ ସାଗର ବାବୁ । ମୁଁ ବାହାରକୁ ଯିବି ।

 

ସାଗର ମହାପାତ୍ର ତାକୁ ଭୋକିଲା ଆଖିରେ ଅନାଇ ମୁରୁକି ମୁରୁକି ହସି କହିଲା, କ’ଣ ସମୀର ପାଖକୁ । ଏ ଝଡ଼ ରାତିରେ ! ପୂରବୀଠାରୁ ଶୁଣିଲଟି ? ଆଉ ଏପରି ପଶୁର ମୁହଁ ଚାହିଁବାକୁ ତୁମର ପୁଣି ଇଚ୍ଛା ହେଉଛି ?

 

ସାଗର ବାବୁ, ସେ ପଶୁ ହୁଅନ୍ତୁ କି ଦେବତା ହୁଅନ୍ତୁ ସେ ମୋର ସ୍ଵାମୀ । ଏବେ ବି ମୋ ସୁନ୍ଥାରେ ତାଙ୍କ ରକ୍ତ ସିନ୍ଦୂର ହୋଇ ଦାଉ ଦାଉ ହୋଇ ଜଳୁଛି...।

 

ସାଗର ଏଥରକ ହସି ଉଠିଲା ତୁମେ କ’ଣ ପାଗଳୀ ହେଲ ସୁରଭି ? କ’ଣ ଏମିତି ଗପୁଛ ? ଆରେ କି ସ୍ବାମୀ ? କି ସିନ୍ଦୂର ?

 

ସାଗର ବାବୁ !!

 

କାହିଁକି ଏମିତି ପାଟି କରୁଛ ? ତୁମେ ଜାଣିଛ ମୁଁ ତୁମର ପ୍ରକୃତ ସ୍ଵାମୀ ଏବଂ ଏଥିପାଇଁ ତୁମ ବାପାଙ୍କର ଯେ ପ୍ରବଳ ଇଚ୍ଛା ।

 

ଅଭଦ୍ର !

 

ସମୀର ରାୟଠାରୁ କମ୍‍ ।

 

ସାଗର ବାବୁ ମୁଁ କହୁଛି ଆପଣ ମୋ ଆଗରୁ ଉଠି ଯାଆନ୍ତୁ ।

 

ସାଗର ବିରକ୍ତ ହୋଇ ଉଠି କହିଲା, ସେ ଧମକ କଥା ଛାଡ଼ । ମୁଁ ତୁମକୁ ବିବାହ କରିବା ପାଇଁ ଠିକ୍ କରି ନେଇଛି । ନ ହେଲେ ମିଛରେ ଏଠାରେ ରହି କାହିଁକି ମୁଁ ଶହ ଶହ ଟଙ୍କା ତୁମ ଘର ପିଛାରେ ବରବାଦ୍ କରୁଥାନ୍ତି ? ତୁମେ ମୋତେ ବହୁତ ଥର ଆଘାତ ଦେଇ ଖସି ଯାଇଛ; ହେଲେ ଆଜି ନୁହେଁ ।

 

ସାଗର ବାବୁ, ମୁଁ ଆପଣଙ୍କୁ ଭଲରେ କହୁଛି ବାଟ ଛାଡ଼ି ଦିଅନ୍ତୁ ।

 

ଏଥରକ ବନ୍ୟ ସାଗର ଦୁର୍ଦ୍ଦାନ୍ତ ପରି ହୋ ହୋ ହୋଇ ହସି ଉଠିଲା ଏବଂ ତା’ ମୁହଁରୁ ନିର୍ଗତ ଉତ୍କଟ ମଦର ଗନ୍ଧ ସୁରଭି ନାସା ରନ୍ଧ୍ରରେ ପଶି ତାଙ୍କୁ ଆତଙ୍କିତ କରିଦେଲା । ସୁରଭି ନିରୁପାୟ ହୋଇ ମଧୁ ମଧୁ ବୋଲି ଚିତ୍କାର କରି ଉଠିଲା ।

 

ସେ ଚିତ୍କାର ବାହାରର ଭୀଷଣ ଘଡ଼ଘଡ଼ି ଗର୍ଜ୍ଜନରେ କୁଆଡ଼େ ମିଳାଇଗଲା । ସୁରଭି ପୁଣି କାନ୍ଦି କାନ୍ଦି କହିଲା, ମୋତେ ଛାଡ଼ି ଦିଅନ୍ତୁ ସାଗର ବାବୁ, ମୁଁ ତୁମର ଗୋଡ଼ ଧରୁଛି ।

 

ସାଗର ଏକ ଉନ୍ନତ୍ତ ହିଂସ୍ର ପଶୁ ପରି ସୁରଭି ଆଡ଼କୁ ମାଡ଼ିଆସି କହିଲା, ଏହି ନିର୍ଜ୍ଜନ ଘରଟାରେ ବର୍ତ୍ତମାନ କେହି ନାହାନ୍ତି । ତୁମେ ଯେତେ ଚିତ୍କାର କଲେ ମଧ୍ୟ ଏ କାଳରାତ୍ରିର ହୁଙ୍କାରକୁ ଟପି ସେ ପଦାକୁ ଯାଇପାରିବ ନାହିଁ । ଆରେ ଆସ । ମୋ ଆଡ଼କୁ ଆସନା । ମୋର ଏ ବଳିଷ୍ଠ ଅବୟବ ଦେଖି ତୁମର ଟିକିଏ ଲୋଭ ହେଉ ନାହିଁ ?

 

ସୁରଭି ଏକ ତ୍ରସ୍ତା ହରିଣୀ ପରି ପଛକୁ ଘୁଞ୍ଚିଗଲା ଏବଂ କ୍ରୋଧ ଜର୍ଜ୍ଜରିତ ସ୍ୱରରେ କହିଲା, ଆପଣ ଏତେ ନୀଚ, ଏତେ ଖରାପ ଲୋକ ? ଏତେ ନାରୀକୁ ସମ୍ଭୋଗ କରି ବି ଆପଣଙ୍କର ଦୈହିକ କ୍ଷୁଧା ଶାନ୍ତ ହେଉନି ? ପଶୁ କେଉଁଠିକାର ?

 

ସାଗର ଅଭଦ୍ରଙ୍କ ପରି ବହେ ହସିଲା, କହିଲା–ନାରୀ ସମ୍ଭୋଗ ଏକ ନିଶା । ତାହା ସହିତ ଅଭ୍ୟସ୍ତ ହେଲେ ସେ ନିଶା ବଢ଼େ ସିନା, ହେଲେ କମେ ନାହିଁ । ଆରେ ତୁମେ ଆସ ନା ! ସମୀର ସହିତ ବହୁତ ମିଶିଛ, ହେଲେ ମୋ ସହିତ ମିଶ, ମୁଁ କେତେ ଶକ୍ତିବାନ ପରୀକ୍ଷା କରନା ।

 

ସାଗରର ଏପରି ନଗ୍ନକଥା ସହି ନ ପାରି, ସୁରଭି ଭଲ ମନ୍ଦ କିଛି ବିଚାର ନ କରି ଅତିଶୟ କ୍ରୋଧରେ ଥରି ଉଠି ସାଗର ଗାଲରେ କସିକରି ଚଟକଣାଟାଏ ଲଗାଇଲାବେଳେ, ଉନ୍ନତ୍ତ ଉତ୍ତେଜିତ ସାଗର ଏଇ ଅବସରରେ ସୁରଭିକୁ କୋଳରେ ଭିଡ଼ିଧରି ତା’କୁ ବିବସ୍ତ୍ର କରିବାକୁ ଚେଷ୍ଟା କଲା ।

 

ସୁରଭି ହଠାତ୍ କ୍ରୋଧାବସ୍ଥାରୁ ଖସି ଆସି ଅତି ଅନୁନୟ ଓ କାକୁସ୍ଥ ହୋଇ, ଅସହାୟ କଣ୍ଠରେ କହିଲା, ସାଗର ବାବୁ, ମୁଁ ଆପଣଙ୍କ ଗୋଡ଼ତଳେ ପଡୁଛି, ମୋତେ ଦୟାକରି ଛାଡ଼ି ଦିଅନ୍ତୁ-

ବାହାରେ ଏତିକିବେଳେ ପ୍ରଳଙ୍କାରୀ ଝଡ଼ ଯେପରି ଆହୁରି ହିଂସ୍ର ହୋଇ ଉଠିଲା । ସାଗର କାନରେ କିଛି ବାଜୁ ନ ଥାଏ, ସୁରଭି ଅନୁଭବ କଲା ସାଗର ମହାପାତ୍ରର ହାତ ସରୀସୃପ ପରି ତାକୁ ଯେପରି ଶକ୍ତ ଭାବରେ ଭିଡ଼ି ଧରୁଛି ।

ବାହାରେ ଅସରାଏ ବର୍ଷା ଝର ଝର ହୋଇ କାନ୍ଦି ଉଠିଲା । ଏଣେ କାନ୍ଦି ଉଠିଲା ସୁରଭି ଅସହାୟତାରେ । ବାଡ଼େଇ ପିଟି ହୋଇ ତା’ କବଳରୁ ମୁକ୍ତ ହେବାକୁ ଆପ୍ରାଣ ଚେଷ୍ଟା କଲା ସିଏ ଏବଂ ସାଗର ହୋଇ ଉଠିଲା ଆହୁରି ଉନ୍ମତ୍ତ, ଆହୁରି ହିଂସ୍ର ।

ହେ ପ୍ରଭୁ ! ସମୀର ତା’ର ନାରୀତ୍ୱକୁ ନିରାପଦରେ ବଖିବା ପାଇଁ ତା’ ଉପରେ ଭରସା ରଖି ଦାୟିତ୍ଵ ଦେଇଥିଲେ ନା ? ସେ କ’ଣ ନିଜର ଏତେଦିନର ସଞ୍ଚିତ ପବିତ୍ରତା ଏପରି ଅଭଦ୍ର ପଶୁଟାର କ୍ଷୁଧାରେ ବଳିଦେବ । ସମୀର ସିନା ତାକୁ ପ୍ରତାରଣା କଲେ; ସେ ମରିଯିବ ପଛକେ ହେଲେ ତାହା ମୋଟେ କରେଇ ଦେବନାହିଁ । ନା–ନା–

ସେ ଏଥରକ ଗୋଟାଏ ହୋସରେ ସମସ୍ତ ଶକ୍ତି ଖଟାଇ ଅକସ୍ମାତ୍ ସାଗର ମହାପାତ୍ର କବଳରୁ ମୁକୁଳି ଗଲା । ଏ ଅବସ୍ଥାରେ ସାଗର ଆହୁରି ହିଂସ୍ର ହୋଇ ଉଠିଲା । ସେ ପାଗଳ ପରି ପୁଣି ମାଡ଼ି ଆସିଲା ସୁରଭି ଆଡ଼କୁ ।

ସୁରଭିକୁ ଯେପରି ଚାରିଆଡ଼ ଅନ୍ଧାର ଦେଖାଗଲା । ଯେଉଁ ଦୁଆର ମୁହଁ ଦେଇ ସେ ବାହାରକୁ ବାହାରି ପାହାଚ ଦେଇ ତଳକୁ ଓହ୍ଲେଇ ଯିବା କଥା, ସେଇ ପଥକୁ ଓଗାଳି ତା’ ଆଡ଼କୁ ଅନାଇ କାମାନ୍ଧ ପଶୁପରି ସାଗର ଠିଆ ହୋଇଛି ।

ଅତ୍ୟଧିକ କାରୁଣ୍ୟ ଓ ଅସମ୍ଭବ ଭୟରେ ସୁରଭି ଅସ୍ଥିର ହୋଇଉଠି ସାଗର ପ୍ରତି ଦୃଷ୍ଟି ନିବଦ୍ଧ ରଖି ପଛେଇ ପଛେଇ ସେ ଘରର ଅନ୍ୟବାଟ ଦେଇ ଖୋଲା ଛାତକୁ ବାହାରି ଆସିଲାବେଳେ ସେ ହଠାତ୍ କାହା ଦେହର ଧକ୍‌କାରେ ଚମକି ପଡ଼ି ଦେଖିଲା, ମଧୁ ତାକୁ କୋଳରେ ଧରି ସାଗରକୁ କ’ଣ କହିବାରେ ଲାଗିଛି ।

ସୁରଭିର ଆଉ ହୋସ୍ ନ ଥିଲା । ସେ ମୂର୍ଚ୍ଛିତ ହୋଇ ଢଳି ପଡ଼ିଲା ମଧୁ କୋଳରେ । ଏ ଦୃଶ୍ୟରେ ହଠାତ୍ ସଚେତନ ହୋଇ ସାଗର ମହାପାତ୍ର ଦୁଆର ଖୋଲି ତଳକୁ ଧାଇଁବା ସମୟରେ ତପନକୁ ଆଗରେ ଦେଖି ସେ ଚମକି ପଡ଼ିଲା ।

କିନ୍ତୁ ମଧୁ ଉପରେ ଚିତ୍କାର କରି ଉଠୁଥାଏ, ମୋ’ ମା’ର ସତେ ଏ କ’ଣ ହେଲା । ମୁଁ କାଲି ମୋ’ ବାବୁ ଓ ମା’ଙ୍କୁ କହିବି ?

ମଧୁର ଏ ଚିତ୍କାର ତପନକୁ ବାଟରେ ଅଟକାଇ ପାରିଲା ନାହିଁ । ସେ ଏକ ପ୍ରଚଣ୍ଡ ଧକ୍‌କା ସାଗରକୁ ଦେଇ ଆଖି ପିଛୁଳାକେ ଉପରକୁ ଆସି ଦେଖେ ସୁରଭିର ସଜ୍ଞାହୀନ ଅବସ୍ଥା ।

ତପନ ଏକ କ୍ଷୁଧିତ ବ୍ୟାଘ୍ରପରି ଗର୍ଜନ କରି ଉଠିଲା । ସୁରଭିକୁ ମୁଁ ଧରିଛି । ତୁ ଯା’ ମଧୁ ସେ ପଶୁଟାକୁ ଅଟକାଇ ରଖ । ତା’କୁ ମୋଟେ ବାହାରକୁ ଯିବାକୁ ଦେନା ।

ସୁରଭିକୁ ଧରି ଅତି ଯତ୍ନରେ ତପନ ଶେଯରେ ଶୁଆଇ ଦେଲା । ବାହାରେ ସେମିତି ଝଡ଼ରାତ୍ରିର ତାଣ୍ଡବ ନୃତ୍ୟ ଲାଗି ରହିଥାଏ ମଧୁ ଧାଇଁ ଆସି କହିଲା, ବାବୁ ସେ ରାକ୍ଷସଟା ବାରିଦ୍ଵାର ଖୋଲି ନଦୀ ଆଡ଼କୁ ଯେଉଁ ବାଟ, ସିଆଡ଼େ ପଳାଇ ଯାଇଛି ।

ତପନ ତା’ କଥାରେ ବାଧାଦେଇ କହିଲା, ସେ ଯୁଆଡ଼େ ଯାଉ ତୁ ଆଗ ଗ୍ଲାସେ ପାଣି ଆଣିଲୁ, ଆଉ ଡାକ୍ତରଙ୍କୁ ସାଙ୍ଗେ ସାଙ୍ଗେ ଫୋନ୍‌ରେ ଖବର ଦେ ।

 

ମଧୁ ପାଣି ଆଣି ସୁରଭି ମୁହଁରେ ଛାଟିଲା । ତପନ ଅତି ଉତ୍କଣ୍ଠା ଓ ଆଦରରେ ଡାକିଲା, ସୁରଭି ସୁରଭି !

 

ସୁରଭି ଆଖି ଖୋଲି ତପନକୁ ଦେଖି, ଚିତ୍କାର କରି ଉଠିଲା, ତପନଭାଇରେ, ମୁଁ ଆଉ ଜୀବନ ଚାହେଁ ନାହିଁ । ମୋ’ର ଏଇ ମୁହୂର୍ତ୍ତରେ ମରଣ ଦରକାର ତପନଭାଇ ।

 

ସୁରଭି ତୁ ଏ କ’ଣ ପାଗଳୀଙ୍କ ପରି ଗପୁଛୁ । ଦେଖ୍ ତୋ ଅବସ୍ଥା ପରା ମୋଟେ ଭଲ ନୁହଁ ।

 

ସୁରଭି ଏଥରକ ସତକୁ ସତ ପାଗଳୀଙ୍କ ପରି ହୋ ହୋ ହୋଇ ହସି ଉଠିଲା ।

 

ବାହାରେ ବର୍ଷା ସାମାନ୍ୟ କମିଯାଇଥିଲେ ବି ସେଇ ନିରନ୍ଧ୍ର ଅନ୍ଧକାର ଝଡ଼ ରାତିରେ ସୁରଭିର ହସ କିପରି ଭୌତିକ ପରିବେଶ ସୃଷ୍ଟି କଲା ।

 

ତପନ ଚକିତ ହୋଇ କହିଲା, ସତରେ ସୁରଭି ତୁ ମୋଟେ ବ୍ୟସ୍ତ ହଅନା । ସେ ସାଗର ତୋତେ ଯେଉଁ ଅପମାନ ଦେଇଛି ତା’ର ପ୍ରତିଶୋଧ ମୁଁ ନେବି । ଏଇ ତୋ ଆଗରେ ତୋ ଦେହ ଛୁଇଁ ମୁଁ ଶପଥ କରୁଛି ।

 

ସେଇ ରହସ୍ୟମୟୀ ରାତିକୁ ଆହୁରି ରହସ୍ୟମୟ କରି, ଆହୁରି ଭୟଙ୍କର କରି ସୁରଭି ପୁଣି ଜୋର୍‌ରେ ହସି ଉଠି କହିଲା, କ’ଣ ତୁ ପ୍ରତିଶୋଧ ନେବୁ କାହାର ? ସାଗର ମହାପାତ୍ରର......କାହିଁକି ? କାହିଁକି ? ତୁମ ପୁରୁଷ ଜାତିଟାର ସ୍ଵଭାବ ତ ଏପରିରେ ତପନଭାଇ ।

 

କଥା ଶେଷରେ ସୁରଭି ପୁଣି ଝର ଝର ହୋଇ କାନ୍ଦି ପକାଇଲା ।

 

ତପନ ବ୍ୟସ୍ତ ହୋଇ କହିଲା, ସୁରଭି ତୋ’ ମୁଣ୍ଡ ପ୍ରକୃତରେ ଠିକ୍‍ ନାହିଁ I ଗୋଟିଏ ଦିନରେ ଦୁଇଥର ଆଘାତ ପାଇଲା ପରେ ତୁ ତୋ’ର ମାନସିକ ଭାରସାମ୍ୟ ହରାଇଛୁ । ଆଚ୍ଛା ମୁଁ ଏଇଠି ବସିଛି । ତୁ ଶୋଇଯା । କାଲି ସକାଳୁ ସବୁ ଠିକ୍ ହୋଇଯିବ ।

 

ସୁରଭି ଏଥରକ ମୁଣ୍ଡବାଳକୁ ଟାଣି, ଆଖି ବଡ଼ ବଡ଼ କରି ତପନକୁ ଅନାଇଲା । ସୁରଭିର ଏପରି ଚାହାଣୀରେ ତପନ ସତକୁ ସତ ଭୀତତ୍ରସ୍ତ ହୋଇ ଉଠିଲାବେଳକୁ ସୁରଭି ହସି ଉଠିଲା । ହସି ହସି ବେଦମ୍ ହୋଇ କେଜାଣି କାହିଁକି ସେ କାନ୍ଦିପକାଇ କରୁଣ କଣ୍ଠରେ କହିଲା, ମୋ’ର ସବୁ ସରିଗଲା ରେ ତପନଭାଇ, ମୋ’ର ସବୁ ସରିଗଲା ।

 

ତପନ ବିସ୍ମୟରେ ବିମୂଢ଼ ହୋଇ ପଚାରିଲା, ତେବେ କ’ଣ ସାଗର... ।

 

ନାଇଁରେ ତପନଭାଇ । କ’ଣ ମୁଁ ଏତେ ସହଜରେ ମୋ’ର ନାରୀତ୍ୱକୁ ଜଳାଞ୍ଜଳି ଦେଇ ପବିତ୍ରତା ହରାଇବି ? ହଁ, ରେ ତପନଭାଇ ସମୀରକୁ କହିଦେବୁ ମୁଁ ତାଙ୍କୁ ଯେଉଁ କଥା ଦେଇଥିଲି, ସେଇକଥାକୁ ରକ୍ଷାକରି ମୁଁ ମୋର ପବିତ୍ରତାକୁ ଉଜାଇଁ ଦେଇନାହିଁ । ହେଲେ ସେ......

 

ବିସ୍ମିତ ତପନ ବୁଝେଇଲା ସ୍ୱରରେ କହିଲା, ତୁ ପୁଣି କ’ଣ ସେଇ ପୂରବୀ କଥା ଭାବୁଛୁ ସୁରଭି ?

 

ସୁରଭି ଏଥରକ କାନ୍ଦି କାନ୍ଦି ଗପି ଚାଲିଲା, ଜାଣିଛୁ ତପନଭାଇ ତୁ ଗଲାପରେ ପୂରବୀ ଆସିଥିଲା । ଆଉ ପୂରବୀ କ’ଣ କହିଲା ଜାଣୁ ?

 

କ’ଣ ?

 

ସେ ଯେ ସମୀରଙ୍କ ରକ୍ତରେ ଅନ୍ତଃସତ୍ତ୍ୱା ।

 

ତୁ ଏ କ’ଣ କହୁଛୁ ସୁରଭି ।

 

ହଁ, ରେ ତପନଭାଇ, ତୁ ତାଙ୍କୁ ଟିକିଏ ବୁଝେଇଦେବୁ ସେ ବର୍ତ୍ତମାନ ପୂରବୀକୁ ଗ୍ରହଣ କରିବାକୁ ନାରାଜ । ମୋ ରାଣ, ତୁ ତାକୁ ଯେମିତି ହେଲେ ସମୀରକୁ ବୁଝାଇ ପୂରବୀ ସହିତ ବାହାଘର କରାଇ ଦେବୁ ।

 

ସୁରଭି !!

 

ହଁ ରେ ତପନଭାଇ ! ବିଚାରୀ ମୋ’ ପାଖକୁ ଆସିଥିଲା ତା’ର ଦୁଃଖ ଜଣାଇବାକୁ । ହେଲେ ମୁଁ ଚାଣ୍ଡାଳୀ ତାକୁ ଗୋଇଠାମାରି ତଡ଼ିଦେଲି ରେ ତପନଭାଇ ! ଏ ଯେଉଁ ଝଡ଼ରାତ୍ରି, କୁଆଡ଼େ ସିଏ ଗଲା କେଜାଣି ?

 

ସୁରଭି, ତୁ ଆଉ ଏତେ ଗପନା । ମୁଁ ସବୁ ବୁଝିବି ।

 

ସୁରଭି ଏଥରକ ଅତି କରୁଣ ଭାବରେ ମୁହଁରେ ହସ ଖେଳାଇ କହିଲା, ତୁ ଆଉ କ’ଣ ବୁଝିବୁରେ ତପନଭାଇ ! ମୋ’ କଥାକୁ ତୁ ଅବିଶ୍ଵାସ କରିଥିଲୁ ନା ? ହେଲେ ବୁଝିଲୁଟି ?

 

ସୁରଭି ତୁ ଏଥରକ ଶୋଇପଡ଼ । ମୁଁ କିଛି ବୁଝି ପାରୁନାହିଁ କି ବିଚାର କରିପାରୁ ନାହିଁ । ତୁ ସୁସ୍ଥ ହେଲେ ସବୁକଥା ଠିକ୍ ହୋଇଯିବ ।

 

ସୁରଭି ପୁଣି ହସି ଉଠି କହିଲା, ମୁଁ ସୁସ୍ଥ ହେବି ? କାହା ପାଇଁ ତପନଭାଇ ? ସତରେ କାହା ପାଇଁ ?

 

କଥା ଶେଷରେ ପୁଣି ଫୁଲି ଫୁଲି କାନ୍ଦି ଉଠିଲା ସୁରଭି ।

 

ବାହାରେ ଝଡ଼ ଦୁର୍ବଳ ହୋଇ ଯାଇଥିଲେ ବି ମେଘ କନ୍ୟା ତା’ର କେଶ ଫିଟାଇ ବିରହିଣୀ ପରି ଅନ୍ଧାରୀ ଗଗନରେ ଝୁରି ଝୁରି କାନ୍ଦୁଥିଲା । କାନ୍ଦୁଥିଲା ସମବେଦନା ଜଣାଇ ମହାନଦୀର ଉଚ୍ଛଳ ଜଳଧାର । କାନ୍ଦୁଥିଲା ଗଛ ଡାଳରେ କରୁଣ ସମୀର । ଆଉ କାନ୍ଦୁଥିଲା ରତ୍ରିର ସ୍ନାୟୁ ଚିର କେଉଁ ଏକ ଅଜଣା ନିଶାଚର ।

 

ସେଇ ରାତ୍ରିରେ ସୁରଭିର ପାଗଳାମୀ ବଢ଼ିବାକୁ ଲାଗିଲା ।

 

ଡାକ୍ତର ଆସିଲେ । ସୁରଭିକୁ ପରୀକ୍ଷା କରି କହିଲେ, ଗଭୀର ମାନସିକ ଆଘାତ ଯୋଗୁ ସେ ତା’ର ମାନସିକ ଭାରସାମ୍ୟ ହରାଇଛି । ତେଣୁ ତା’ର ବର୍ତ୍ତମାନ କେବଳ ନିଶ୍ଚିନ୍ତରେ ଶୋଇବା ଦରକାର ।

 

ଶୋଇବା ପାଇଁ ଡାକ୍ତର ସୁରଭିକୁ ଇଞ୍ଜେକ୍‌ସନ ଦେଇ କହିଲେ–ରାତି ଦୁଇଟା ଆସି ବାଜିଲାଣି । ଏ ଇଞ୍ଜେକ୍‌ସନ୍‌ରେ ସେ ସକାଳଯାଏ ଶୋଇଯିବ । ସକାଳୁ ମୁଁ ଆସିବି । ତା’ପରେ ଅନ୍ୟ ଔଷଧ ବ୍ୟବସ୍ଥା କରିବା ।

 

ଡାକ୍ତର ଚାଲିଗଲେ ।

 

ଇଞ୍ଜେକ୍‌ସନ୍ ଯୋଗୁ ସୁରଭି ଶୋଇ ପଡ଼ିଲା ।

 

ପାଖରେ ମଧୁ କିପରି ବିଷଣ୍ଣ ହୋଇ ବସିଥାଏ । ଏବଂ ଉନ୍ନିଦ୍ର ହୋଇ ବସି ରହିଥାଏ ତପନ ।

 

ସୁରଭିର ସରଳ ମୁହଁକୁ ଚାହିଁ କିପରି ତା’ ଆଖି ଛଳ ଛଳ ହୋଇ ଉଠୁଥାଏ ।

 

ନିସ୍ତବ୍‌ଧ ରତ୍ରି । ଝଡ଼ ଶେଷର ଅବଶତା ଯେପରି ରାତ୍ରିର ସ୍ନାୟୁତନ୍ତ୍ରୀକୁ ଆଚ୍ଛନ୍ନ କରି ଦେଇଥାଏ ।

 

ତପନ ହୃଦୟର କୋଣ ଅନୁକୋଣରେ କିପରି ଶୂନ୍ୟତା ଗ୍ରାସ କରିବାକୁ ବସିଲା । ସତରେ ତା’ର ଆଦରର ସୁରଭି କ’ଣ ମରୀଚିକା ପଛରେ ଗୋଡ଼ାଇଥିଲା ? ବିଚାରୀ କ’ଣ ଫଳ ପାଇଲା ?

 

ଆଃ ! ତା’ର ଏକାନ୍ତ ଆପଣାର ସୁରଭି ! ......ତପନଭାଇରେ, ମୋତେ ଚକୋଲେଟ୍ ଦେବୁ ନାହିଁ ? ସତରେ ଆଜି ମୋ’ ପାଇଁ ଚନାଚୂର ନ ଆଣିଲେ ମୁଁ କଥା କହିବି ନାହିଁ । ......ସତରେ ମୁଁ ତୋତେ ବାହାହେଲେ ମୋତେ ବହୁତ ବରକୋଳି ଦେବୁଟି ? ସେଇ ମହାନଦୀ ପଠାର ଟିକି ଟିକି ମିଠା ବରକୋଳି;......ତୁ କାହିଁକି ଏମିତି ଖେଳୁଛୁ କହିଲୁ ? ଆଙ୍ଗୁଠିଟାକୁ ଛିଡ଼ାଇ ଦେଇଛୁ । କେତେ ରକ୍ତ ଗଲା ସତେ...... । ଏମିତି ତୁ ଅଖାଡ଼ୁଆ ହେଲେ ମୁଁ ତୋ ସହିତ ଖେଳିବି ନାହିଁ...... ।

 

ସେଇ ପିଲାଦିନର ସୁରଭିର କଥା ଅଭିମାନଭରା ମୁହଁ ତପନର ମନରେ ବାରମ୍ବାର ରୋମନ୍ଥିତ ହୋଇ ତପନ ଛାତିକୁ କାରୁଣ୍ୟରେ ଅସ୍ଥିର କରିଦେଲା । ସେ ଲୁହ ଛଳ ଛଳ ଆଖିରେ ଦେଖିଲା, ସୁରଭିର ମଝିରେ ମଝିରେ କୋହ ଉଠୁଛି । ମୁହଁଟା କିପରି ସକାଳର ବାସି କଇଁ ପରି ମଉଳି ଯାଇଛି ।

 

ତପନ ସତରେ ଭୋ ଭୋ ହୋଇ କାନ୍ଦି ଉଠିଲା । ମଧୁ ଗାମୁଛାରେ ଅଜାଣତରେ ବହି ଆସୁଥ‌ିବା ତା’ର ଆଖି ଲୁହ ପୋଛି କହିଲା–ବାବୁ ତୁମେ ଏମିତି ପିଲାଙ୍କ ପରି କାନ୍ଦୁଛ କାହିଁକି ? କ’ଣ ବା ମୋ’ ମା’ର ହୋଇଛି ? ସେ ଦେଖିବ କାଲି ସକାଳୁ ପୁଣି ଉଠି ହସି ହସି କଥା କହିବେ ।

 

କିଛିକ୍ଷଣର ଦାରୁଣ ନୀରବତା ପରେ; ତପନର ଆଖି କିପରି ଉଜ୍ଜ୍ୱଳ ଉଠିଲା । ସେ କେଜାଣି କାହିଁକି ନିଜ ଆଖିରୁ ଅତି ନିଷ୍ଠୁର ଭାବରେ ଦୁଇ ହାତରେ ଲୁହ ପୋଛି କହିଲା, ମଧୁ ତୁ ଏଇଠି ବସିଥିବୁ । କୁଆଡ଼େ ସୁରଭିକୁ ଛାଡ଼ି ଯିବୁ ନାହିଁ । ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି ।

 

ମଧୁର କୌଣସି କଥାକୁ ଅପେକ୍ଷା ନ କରି ତପନ କିପରି ବିଭ୍ରାନ୍ତ ପରି, ଅନ୍ୟମନସ୍କ ହୋଇ ଘରୁ ବାହାରି ଗଲା ।

 

ମଧୁ ଅନାଇଲା ଅକାଶକୁ । ପୁଣି ମେଘ ହେବ ନା କ’ଣ ? ଜଲକାଏ ଥଣ୍ଡା ପବନ ଆସି ଝରକା କବାଟକୁ ଜୋରରେ ବାଡ଼େଇ ଦେଲା । ମହାନଦୀର ସ୍ରୋତର ଗର୍ଜ୍ଜନ ନିଶୀଥର ଛାତି ଥରାଇ ଅଜାଡ଼ି ହୋଇ ପଡ଼ୁଥାଏ ।

 

ମଧୁକୁ କିପରି ଭାରି ଭୟ ଲାଗିଲା । ସେ ଅତି ସନ୍ତର୍ପଣରେ ଝରକା କବାଟ ବନ୍ଦ କରି କବାଟ ଭିତରୁ ଦେଇ ଚୁପ୍ ହୋଇ ବସି ରହିଲା ସୁରଭିର ଶେଯ ନିକଟରେ ।

 

ଶେଷ

 

ଏଇ ବର୍ଷା ବିକ୍ଷୁବ୍‌ଧା ବିଳାପିନୀ ରାତି, ଏଇ ଉନ୍ମାଦିନୀ ପ୍ରଳୟଙ୍କରୀ ପ୍ରକୃତି ସମୀରକୁ ମୁହୂର୍ତ୍ତେ ମାତ୍ର ଶାନ୍ତିରେ ଶୋଇବାକୁ ଦେଲେନି । ସୁରଭିକୁ ନିଷ୍ଠୁର ଭାବରେ ଆଘାତ ଦେଇ ଆସି ସେ ଯେପରି ବାହାରର ଉନ୍ମତ୍ତ ତୋଫାନକୁ ନିଜ ଭିତରକୁ ସଂକ୍ରମିତ କରାଇ ଆଣିଥିଲା !

 

ବିବ୍ରତ ସମୀର ଶେଯରେ ଶୋଇ ଅତି ଦୁଃଖରେ ରାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲା । ବାହାରେ ଶବ୍ଦାୟମାନ ପ୍ରବଳ ଶୀତଳ ଝଡ଼ । ଏତେ ଶବ୍ଦ, ଏତେ ହୁଙ୍କାର, ଏତେ ଶୀତଳତା ମଧ୍ୟରେ ବି ତାକୁ ମନେ ହୋଇଥିଲା ସେ ଯେପରି ଶୋଇଛି କେଉଁ ଏକ ନିର୍ଜ୍ଜନ ନିସ୍ତବ୍‍ଧ ଉତ୍ତପ୍ତ ମରୁଭୂମିରେ ।

 

ପ୍ରକୃତରେ ମମତାସିକ୍ତ ଭଲ ପାଇବାରେ, ପ୍ରିୟଜନକୁ ଆଘାତ ଦେବାରେ ଏଇ ଯେଉଁ ଅକଳ୍ପନୀୟ ଜ୍ଵାଳାକୁ ସେ ଯେପରି ପ୍ରଥମ ଥର କରି ପୂର୍ଣ୍ଣାଙ୍ଗ ଭାବରେ ତା’ର ହୃଦୟର ପ୍ରତିଟି ତନ୍ତ୍ରୀରେ ଅନୁଭବ କଲା !

 

ତା’ର ସ୍ପର୍ଦ୍ଧିତ ପୌରୁଷ, ସମ୍ମାନିତ ବ୍ୟକ୍ତିତ୍ତ୍ୱ ତଳେ ଯେ ଅନ୍ତଃସଲୀଳା ପରି ବିରହ ଜ୍ୱାଳାରେ ଅଗ୍ନି, ଝରଣା ବହିଯାଉଛି ସେ କଥା ଏବେ କିଏ ବୁଝିବ ?

 

ଆଃ ! ତା’ର ସୁରଭି । ଏକାନ୍ତ ଆପଣାର, ଆତ୍ମାର ସୁରଭି । ତା’ ଜୀବନ ଆକାଶର ଉଜ୍ଜ୍ଵଳ ତାରକା । ଯାହାର ଆଲୋକରେ, ଉତ୍ସାହରେ, ଉତ୍ତାପରେ ସେ ଆଗେଇ ଚାଲିଛି ତା’ର କର୍ମକ୍ଷେତ୍ରରେ ଉପଯୁକ୍ତ କର୍ମବୀର ପରି ।

ବାହାରେ ଝଡ଼ରାତ୍ରି ଗର୍ଜ୍ଜନ କରି ଉଠିଥିଲା ଏବଂ ସମୀର ଭିତରେ ଗର୍ଜ୍ଜନ କରି ଉଠିଥିଲା ବିଚାରବନ୍ତ ବିପୁଳ ବିବେକ ।

ନା–ସୁରଭିକୁ ଏପରି ହତାଦର କରି ପଳାଇ ଆସିବା ତା’ର ଉଚିତ ହୋଇନାହିଁ ।

କେଉଁ ପ୍ରଣୟିନୀ ଚାହେଁ ନାହିଁ, ତା’ର ପ୍ରଣୟୀ ଉପରେ ଅନ୍ୟ କୌଣସି ତରୁଣୀର ସାମାନ୍ୟତମ ଛାଇ ଟିକିଏ ବି ନ ପଡ଼ିବା ପାଇଁ ? ସୁରଭି ଯଦି ପୂରବୀ କଥା କହି ତାକୁ ଆଘାତ ଦେଇଥାଏ, ସେଥିରେ ବି ଅଛି ଅନାବିଳ ଆସକ୍ତି, ଅନ୍ତରଙ୍ଗ ଆନ୍ତରିକତା । ବରଂ ସେଠାରେ ସୁରଭି ପରୋକ୍ଷରେ ଚାହିଁଛି ସାମଗ୍ରିକ ଭାବରେ, ପରିପୂର୍ଣ୍ଣ ଭାବରେ ତାକୁ ନିଜର କରିବା ପାଇଁ ।

ତେବେ ସୁରଭି ଭୁଲ୍‍ କଲା କେଉଁଠି ? ଏବଂ ସେ ମଧ୍ୟ ଭଲଭାବରେ ଜାଣେ, ପୂରବୀ ପ୍ରକୃତରେ ଭଲ ଝିଅ ନୁହେଁ । ସେ ସେହି ଯୋଗୁ ଜାଣି ଜାଣି ତା’ ଠାରୁ ବି ନିରାପଦ ଦୂରତ୍ଵରେ ରହିଛି । ତଥାପି ଯଦି ସୁରଭି ତାକୁ ଏ ବିଷୟରେ ସନ୍ଦେହ କରେ, ଏ ସହରବାସୀ ବି ସନ୍ଦେହ କରନ୍ତି ତେବେ ଏଥିରେ ବୈଚତ୍ର୍ୟ ରହିଲା କେଉଁଠି ?

ସବୁ ବୁଝି, ସବୁ ଜାଣି ଏକ ସ୍ପର୍ଦ୍ଧିତ ଅଭିମାନ ଓ ଅଭମାନୀ ଅହଂଭାବକୁ ନେଇ ସେ ସତରେ ସିନା ସୁରଭିର ସ୍ନେହସିକ୍ତ ସନ୍ଦେହକୁ ଉପଯୁକ୍ତ ସମ୍ମାନ ଜଣାଇଲା ନାହିଁ !

ପ୍ରକୃତରେ ସେଇ ସନ୍ଦେହରେ କେତେ ଯେ ଶ୍ରଦ୍ଧାର ମହ ମହ ସୁରଭି ଚହଟିଛି ସେ କଥା କ’ଣ କ୍ରୋଧରେ ଅନ୍ଧ ହୋଇ ସେ ଚାଣ୍ଡାଳ ବୁଝିପାରିଲା ?

ଏମିତି ଅଜସ୍ର ଚିନ୍ତାରେ ଅସ୍ଥିର ହୋଇ ଉଠି ଅତିଶୟ ଆକୁଳତାରେ ନିଜକୁ ନିୟନ୍ତ୍ରଣ କରି ନ ପାରି ସେ ଅନେକ ଥର ନିଶାଗ୍ରସ୍ତ ବ୍ୟକ୍ତିପରି ବାହାରି ପଡ଼ିଛି ସୁରଭି ପାଖକୁ, ତେବେ ବି ସେ ଯାଇପାରିନି । ଏ ଝଡ଼ ରାତ୍ରିର ତାଣ୍ଡବ ନୃତ୍ୟର ଭୟାବହତା ତାକୁ ଅଟକାଇ ଦେଇନି । ବାରଣ କରିଛି ସମାଜର, ଲୋକାଚାରର ନାଲି ଆଖି ।

ଦେଖ ହୋ, ଏ ବର୍ଷା ରାତିରେ ବାପ ମା’ ଘରେ ନ ଥିବାବେଳେ ନେତା ପ୍ରବର ଧାଇଁ ଆସିଛି ଚୋର ପରି ଝିଅ ସହିତ ରାସକ୍ରୀଡ଼ାକରିବା ପାଇଁ ।

ସତରେ ସେ ସାଗର ମହାପାତ୍ର କାଲି ସହର ସାରା ଏ ବିଷୟରେ ନାଗରା ପିଟିବନି !

ଏମିତି ସମ୍ମାନ ସଚେତନ ସମୀର ମାନସିକ ଅସ୍ଥିରତାରେ ଛଟପଟ ହୋଇ ରାତିସାରା ଅନିଦ୍ରା ରହିଥିବାବେଳେ ହଠାତ୍ ବାହାରେ କବାଟ ଠକ୍ ଠକ୍ ଶବ୍ଦରେ ତା’ର ମନେ ହେଲା ସତେ ଯେପରି ସୁରଭି ଡାକୁଛି !

ଏଇତ ଆସୁଛି ତା’ର ପ୍ରିୟତମା ଅଭିମାନିନୀ ସୁରଭି । ସୁରଭି କ’ଣ ତାକୁ କ୍ଷମା ମାଗିଥିଲା ? ସେ ଆଜି ତାକୁ କ୍ଷମା ମାଗିବ ତା’ର ଆସୁରିକ ନିର୍ମମ ବ୍ୟବହାର ପାଇଁ ? ...ସୁରଭି କ’ଣ ସବୁକଥା ଭୁଲଯିବ ନାହିଁ ? ....ହଁ, ସେ ଶପଥ କରିବ ତା’ର ପ୍ରିୟା ଆଗରେ–ସତେ ସୁରଭି ! ତୁମେ ଯାହା କହିଥିଲ ତା’ ଷୋଳଅଣା ଠିକ୍ । ମୁଁ ତୁମରି ଦେହଛୁଇଁ ଶପଥ କରୁଛି, ଆଉ ମୁଁ ଜୀବନରେ ପୂରବୀ କ’ଣ, ତା’ପରି ଅନ୍ୟ କୌଣସି ଚରିତ୍ରହିନା ଝିଅର ଛାଇ ମଧ୍ୟ ମାଡ଼ିବି ନାହିଁ ।

ସମୀର କଳ୍ପନାର ସୁଅରେ ଭାସି ଭାସି କେତେବେଳେ କବାଟ ଖୋଲି ଦେଇଛି ତା’ର ହେତୁ ନାହିଁ । କିନ୍ତୁ କାହିଁ ସୁରଭି... ? ଏ ଯେ’...ଏ ଯେ’...... ।

 

ସମୀର ଆଗରେ ତପନକୁ ଦେଖି ଭୂତ ଲାଗିଲା ପରି ଚମକି ପଡ଼ିଲା ।

 

ତପନର ଅଲରା ବାଳ, ଲାଲ ଆଖି, ଗମ୍ଭୀର ମୁହଁର କଠୋରତା ଦେଖି ଏଇ ଏକାନ୍ତ ରହସ୍ୟମୟୀ ଭୌତିକ ରାତିରେ ସେ ଭିତରେ ଭିତରେ ଭୟରେ ଥରି ଉଠିଲା ।

 

ହଠାତ୍‌ ତପନ ଚିତ୍କାର କରି କହିଲା, ଆପଣ ଏତେଟା ତଳକୁ ଯିବେ ବୋଲି ମୁଁ କଳ୍ପନା କରି ନ ଥିଲି । ହଁ, ହଁ, ଆପଣଙ୍କ ଯୋଗୁ ଆଜି.... ।

 

ସମୀର ଗଭୀର ଉତ୍କଣ୍ଠାର ରିହରେ ଜଳିଯାଇ ତପନକୁ ଆବୋରି ଧରି ତାକୁ ଆଉ କିଛି କହିବାକୁ ନ ଦେଇ, ଆକୁଳ କଣ୍ଠରେ କହିଲା, କ’ଣ ମୋ’ ସୁରଭିର କିଛି ହୋଇଛି ତପନ ବାବୁ ? ଆପଣ ଚଞ୍ଚଳ କୁହନ୍ତୁ ।

 

ସମୀରର ଏପରି କଥା ତପନର କାନକୁ ଯେପରି କୁମ୍ଭୀର କାନ୍ଦଣା ପରି ଜଣାଗଲା । ସେ ସମୀରକୁ ଠେଲିଦେଇ କହିଲା, ସେ ବିରାଡ଼ି ବୈଷ୍ଣବ ନୀତି ଆଉ କାହାକୁ ଦେଖାଇବେ । ମୋ ପାଖରେ ନୁହେଁ । ସତରେ ତୁମକୁ ଟିକିଏ ଲାଜ ଲାଗୁନି ?

 

ସମୀର ଏଥରକ ଆହୁରି ଆଶ୍ଚର୍ଯ୍ୟ ହୋଇ କହିଲା, କ’ଣ ଆପଣ କହୁଛନ୍ତି ମୁଁ କିଛି ବୁଝିପାରୁ ନାହିଁ । ଆପଣ ମୋତେ ପରିଷ୍କାର ଭାବରେ କୁହନ୍ତୁ । ମୁଁ ଆପଣଙ୍କ ହାତ ଧରୁଛି ତପନ ବାବୁ ।

 

ତପନ ତା’ର ହାତକୁ ଛିଞ୍ଚାଡ଼ି ଦେଇ ବ୍ୟଙ୍ଗବ୍ୟଞ୍ଜିତ କଣ୍ଠରେ କହିଲା, ବୁଝି ପାରୁନାହାନ୍ତି ମହାଶୟ ? ଗୋଟିଏ ଝିଅର ସର୍ବନାଶ କରି ବି ଆପଣ କିଛି ବୁଝିପାରୁ ନାହାନ୍ତି ?

 

ସମୀର ବିବ୍ରତ ହୋଇ କହିଲା, ମୋତେ ବୁଝନ୍ତୁ ତପନ ବାବୁ ପ୍ରକୃତରେ ମୁଁ ସୁରଭି ମନରେ ଆଜି ଆଘାତ.... ।

 

ହଠାତ୍ ତପନ କଥା ଛଡ଼ାଇ ଆଣି କଠୋର କଣ୍ଠରେ କହିଲା, ସୁରଭି ନୁହେଁ ସମୀର ବାବୁ ପୂରବୀ ।

 

ଆକାଶରୁ ଖସି ପଡ଼ିଲା ପରି ସମୀର କହିଲା–ଆପଣ ବି ସେ କଥା ବିଶ୍ୱାସ କରୁଛନ୍ତି ? କିଏ ସୁରଭି ଆପଣଙ୍କୁ କହିଲା ତ ! ତାକୁ ଟିକିଏ ଆପଣ ବୁଝେଇ ଦେଇ ପାରିଲେ ନାହିଁ ।

 

ତପନ ଏଥରକ ପରିହାସ ମିଶା ସ୍ଵରରେ କହିଲା, ବେଶ୍ ଚତୁରତାର ସହିତ କଥା କହିବାରେ ଯେ ଆପଣ ଓସ୍ତାଦ୍ ଏକଥା ଆଜି ମୁଁ ବୁଝୁଛି । ଶୁଣନ୍ତୁ, ପୂରବୀ ଆଜି ଯାଇ ସୁରଭିକୁ କହିଛି ସେ ତୁମରି ରକ୍ତରେ ଗର୍ଭବତୀ ।

 

ତପନ ବାବୁ !!

 

ଆଉ ଆପଣ ତାକୁ ଅତି ନିର୍ଦ୍ଦୟ ଭାବରେ ପୁଣି ତଡ଼ି ଦେଇଛନ୍ତି ?

 

ସମୀର ଏଥରକ ଅଧୈର୍ଯ୍ୟ ହୋଇ ପିଲାଙ୍କ ପରି କାନ୍ଦିଉଠି କହିଲା, ଏସବୁ ମିଛ କଥା ତପନ ବାବୁ । ଏ ସବୁ ଖାଣ୍ଟି ମିଛ କଥା । ଏ ଏକ ଚକ୍ରାନ୍ତ । ଏକ ଭୟଙ୍କର ଚକ୍ରାନ୍ତ ତପନ ବାବୁ । ମୋତେ ବିଶ୍ୱାସ କରନ୍ତୁ । ମୁଁ ମୋଟେ...

 

ସମୀର ଆଉ କିଛି କହିପାରିଲା ନାହିଁ । କେବଳ ତପନର ଦୁଇ ହାତକୁ ଅନୁନୟ କରିବା ଭଙ୍ଗୀରେ ଧରି କାନ୍ଦି ଉଠିଲା ।

 

ତପନ ସମୀର ମୁହଁକୁ ଭଲ ଭାବରେ ନିରୀକ୍ଷଣ କରି ହଠାତ୍ ଆଶ୍ଚର୍ଯ୍ୟ ହୋଇ କହିଲା, ଆପଣ ସତ କହୁଛନ୍ତି ସମୀର ବାବୁ ! ଓ...ମୁଁ ସବୁ ବୁଝିଲି । ଆଚ୍ଛା, ଆପଣ ବ୍ୟସ୍ତ ନ ହୋଇ ଟିକେ ଯାଆନ୍ତୁ ସୁରଭି ପାଖକୁ । ସୁରଭିର ଅବସ୍ଥା ମୋଟେ ଭଲ ନାହିଁ । ସେ ଆପଣଙ୍କୁ ଦେଖିଲେ ନିଶ୍ଚୟ ଆଶ୍ୱସ୍ତ ହେବ । ମୁଁ ଯାଉଛି ପରେ ପରେ ।

 

ସମୀରର କୌଣସି ଉତ୍ତରକୁ ଅପେକ୍ଷା ନ କରି ତପନ ଧାଇଁଲା ପୂରବୀ ଘରକୁ ।

 

ପୂରବୀ ଘରେ ପହଞ୍ଚି ତପନ ଚିତ୍କାର କରି ଉଠିଲା, ପୂରବୀ ! ପୂରବୀ !

 

ପୂରବୀ ଏତେ ରାତିରେ ନିଜ ଘରେ ତପନକୁ ଏପରି ଅବସ୍ଥାରେ ଦେଖି ସମ୍ପୂର୍ଣ୍ଣ ଅବାକ୍ ହୋଇଗଲା ।

 

ତପନର କ୍ରୋଧଜର୍ଜରିତ ସ୍ୱର, ତୁ ସୁରଭିକୁ ଯାହା କହିଲୁ ତାହା କ’ଣ ପ୍ରକୃତରେ ସତ କଥା ?

 

ମାନେ ?

 

କିଛି ବୁଝିପାରୁନୁ ? ତୁ କ’ଣ ସତରେ ସମୀର ରକ୍ତରେ ଅନ୍ତଃସତ୍ତ୍ଵା ?

 

ତପନର କଥାରେ ପୂରବୀ ବିସ୍ମୟମୂଢ଼ ଭାବରୁ ଖସି ଆସି ଉନ୍ମାଦିନୀଙ୍କ ପରି ଖିଲି ଖିଲି ହୋଇ ହସି ଉଠିଲା ।

 

ଆରେ ହସୁଛୁ କ’ଣ ? ଶୀଘ୍ର ମୋ ଉତ୍ତର ଦେ ।

 

ପୂରବୀ ସେମିତି ହସି ହସି କହୁଥାଏ–ପତିତା ନାରୀ ନିଜର ଦେହକୁ ବାରମ୍ବାର ବିକିଲେ କ’ଣ କେବେ ଅନ୍ତଃସତ୍ତ୍ଵା ହୁଏ ତପନବାବୁ ?

 

ପୂରବୀ...... !!

 

ତପନର ଏ ଗର୍ଜ୍ଜନଶୀଳ ସ୍ୱରକୁ ମୋଟେ ଖାତିର ନ କରି ସେ, ନିର୍ବିକାର ଭାବରେ କହିଲା, ମୁଁ ବିନା ସ୍ଵାର୍ଥରେ କିଛି କାମ କରେ ନାହିଁ । ସମୀରକୁ ନିଜ ଆୟତ୍ତରେ ରଖି ତା’ ଚାନ୍ଦା ଟଙ୍କାରୁ କିଛି ମାରିବାକୁ ଚେଷ୍ଟାକରି ଯେତେବେଳେ ବିଫଳ ହେଲି, ସେତେବେଳେ ସାଗର ମହାପାତ୍ରଠାରୁ ନଗଦ ପାଞ୍ଚଶହ ଟଙ୍କାପାଇ ସୁରଭି ଆଗରେ ଯଦି ଅଭିନୟ କରି କାନ୍ଦି, ମୋତେ ସମୀର ସହିତ ସଂପୃକ୍ତ କରି ମିଛ କଥା କେଇପଦ କହିଦିଏ, ତେବେ କ’ଣ ଦୋଷ ହୋଇଗଲା ?

 

ପୂରବୀ... ! ତପନ ଏକ ବିସ୍ଫୋରିତ ଆଗ୍ନେୟାସ୍ତ୍ର ପରି ଗର୍ଜନ କରି ଉଠି ଏକ କ୍ଷୁଧିତ ବ୍ୟାଘ୍ର ପରି ପୂରବୀ ଆଡ଼କୁ ଝପଟି ଯାଇଁ ତା’ ଗଳାକୁ ଚିପି ଧରିଲା ।

 

ପୂରବୀ ଭୟରେ ଜଡ଼ସଡ଼ ହୋଇ, ଡୋଳାକୁ ବଡ଼ ବଡ଼ କରି କହିଲା, ତପନ ବାବୁ, ମୋ ରୋଗୀଣା ବାପା, ବୋଉ ସେ ଘରେ କିପରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ! ଶୁଣୁଛନ୍ତି ତ ଆଉ ତାଙ୍କର ପେଟ ପାଇଁ, ଔଷଧ ପାଇଁ ମୁଁ ସବୁ ଏ କଥା କରିଛି ତପନ ବାବୁ । ମୋତେ ସେମାନଙ୍କୁ ବଞ୍ଚାଇବାକୁ ପଡ଼ିବ । ମୋତେ ଛାଡ଼ି ଦିଅନ୍ତୁ ।

 

ହଠାତ୍ ତପନର ହାତ ଶିଥିଳ ହୋଇ ଉଠିଲା । ସେ ଆନମନା ହୋଇ ଶୁଣିଲା ଏକ ଅସ୍ପଷ୍ଟ ମିଠା ସ୍ୱର । ତପନ ଭାଇରେ, ମଣିଷ ଅର୍ଥ ମୁଁ କେବଳ ବୁଝେ ଦସ୍ୟୁରତ୍ନାକରରୁ ବାଲ୍ମୀକି ହେବା ।

 

ତପନ ବାତୁଳ ପ୍ରାୟ ପୂରବୀକୁ ଛାଡ଼ି ଧାଇଁଲା ସୁରଭି ପାଖକୁ । ଯାହାହେଉ, ସେମାନଙ୍କ ମଧ୍ୟରେ ଯେଉଁ ଏକ ଅନର୍ଥକ ଘନଘଟା ସୃଷ୍ଟି ହୋଇଛି ତାକୁ ସେ ଦୂର କରିବ ! ତା’ର ତ ଏଇ ସୁରଭି ପାଇଁ ପରମ କର୍ତ୍ତବ୍ୟ !

 

ସୁରଭି ଘରେ ପହଞ୍ଚି ସେ ଦେଖେ ସମୀର ତାଙ୍କ ଘର ବାରଣ୍ଡାରେ କିପରି ଚିନ୍ତିତ ହୋଇ ଏପାଖ ସେପାଖ ହେଉଛି ।

 

ତପନ କଣ୍ଠରେ ସହସ୍ର ଯୁଗର ଉତ୍ସୁକତା ଫୁଟାଇ କହିଲା, ସୁରଭି କିପରି ଅଛି ସମୀର ବାବୁ ?

 

ସମୀର ବିବ୍ରତ ହୋଇ କହିଲା, କାହିଁ ସୁରଭି ତ ତା’ ଘରେ ନାହିଁ ? ମଧୁକୁ ବି ମୁଁ ଖୋଜି ଖୋଜି ଡାକି ଡାକି ପାଉନାହିଁ । ସତରେ ସେମାନେ କୁଆଡ଼େ ଗଲେ ।

 

ସମୀରର ଏପରି କଥାରେ ତପନର ମନେ ହେଲା ସେ ଯେପରି ଏକ ପୈଶାଚିକ ନିର୍ଜ୍ଜନ ଅରଣ୍ୟ ମଝି ଭୂତବଙ୍ଗଳାରେ ଠିଆ ହୋଇଛି ।

 

ତେବେ ସୁରଭି ଦେହ କ’ଣ ବହୁତ ଖରାପ ହେବା ଯୋଗୁ ମଧୁ ତାକୁ ମେଡ଼ିକାଲ ନେଇ ଚାଲିଗଲା ! ନା…

 

ସମୀର ଅତିଶୟ ବିବ୍ରତବୋଧରେ ତପନକୁ ହଲାଇ ଦେଇ ବ୍ୟଗ୍ର କଣ୍ଠରେ କହିଲା, ଆପଣ କ’ଣ କିଛି କହୁନାହାନ୍ତି ତପନ ବାବୁ ? ସତରେ ମୋ ସୁରଭି କୁଆଡ଼େ ଗଲା ?

 

ତପନ ଏବେ କ’ଣ ଉତ୍ତର ଦେବ କିଛି ଚିନ୍ତା କରି ପାରିଲା ନାହିଁ । କିନ୍ତୁ ଏଇ ସମୟରେ ହଠାତ୍ ମଧୁ ତାଙ୍କ ଆଡ଼କୁ ଆସୁଥ‌ିବାର ଦେଖି ଦୁଇଜଣଙ୍କ ଆଖିରେ ସତେ ଯେପରି ଲକ୍ଷ ଫୁଲଝରୀ ଫୁଟି ଉଠିଲା...କିନ୍ତୁ ମଧୁର ସେ ବିଷଣ୍ଣ ମୁହଁ, ଛଳ ଛଳ ଆଖି ଦେଖି ଏମାନଙ୍କର ସତେ ଯେପରି ହାଲକ ଶୁଖିଗଲା ।

 

ହଠାତ୍ ମଧୁ କାନ୍ଦି କାନ୍ଦି କହିଲା, ତୁମେ ଯିବା ପରେ ବାବୁ କେଜାଣି କେମିତି ମୋତେ ଟିକିଏ କାଳନିଦ ମାଡ଼ିଆସିଲା । ହଠାତ୍‌ ମୁଁ ଉଠି ଦେଖେ ମା’ ମୋର ଆଉ ଶେଯରେ ନାହିଁ । ଘର ବାହାର ଚାରିଆଡ଼ ଖୋଜି ମୁଁ ମୋ ମା’କୁ ପାଉନାହିଁ ବାବୁ । ମୁଁ ଏବେ କ’ଣ କରିବି ? କାଲି ବାବୁ ଓ ମା’ ଫେରିଲେ ତାଙ୍କୁ ମୁଁ କ’ଣ କହିବି ?

 

ମଧୁର କଥାରେ ତପନ ନିର୍ବାକ; ନିଷ୍ପନ୍ଦ, ସ୍ଥାଣୁ ପାଲଟି ଯାଇ ତା’ର ଦୃଷ୍ଟି, ଲମ୍ବେଇ ଦେଇଥିଲା ଆକାଶର ଖଣ୍ଡ ଖଣ୍ଡ ମେଘ ଭିତରେ, ତଥାପି ଉଜ୍ଜ୍ୱଳି ଉଠୁଥିବା ଏକ ଉଜ୍ଜଳ ନକ୍ଷତ୍ର ଆଡ଼େ । ତା’ର ମନେହେଲା ସେ ତାରାର ଆଲୁଅ ସତେ ଯେପରି ଏକ ନଈ ହୋଇଯାଇଛି, ଆଉ ସେ ସେଇ, ନଈର ନିର୍ଜନ ଉପତ୍ୟକାରେ ଏକ ବାଟବଣା ଅବୋଧ ଶିଶୁ ପରି କାକୁସ୍ଥ ହୋଇ ଠିଆ ହୋଇଛି ଏବଂ ସମୀର ଉଦ୍‌ଭ୍ରାନ୍ତ ପରି ନିଜ ମୁଣ୍ଡବାଳଗୁଡ଼ାକ ପୁଳା ପୁଳା କରି ଟାଣି ଛାତିରେ ଅସମ୍ଭବ ଭାବରେ ହାତ ବାଡ଼େଇ କାଉଳି ବାଉଳି ହୋଇ ଆକାଶକୁ ଅନାଇ ଗଳା ଫଟାଇ ଚିତ୍କାର କରୁଥିଲା–

 

ସୁରଭି ! ସୁରଭି । ସୁ...ର...ଭି !

 

ଆଉ ସେ ଶବ୍ଦ ଯେପରି ସମସ୍ତ ବିଶ୍ୱକୁ ସଂକ୍ରମଣ କରି ଗଗନ ପବନ ଭେଦି କେଉଁ ଶୂନ୍ୟ ଜଗତରେ ପହଞ୍ଚି ଫେରଆସି ତା’ କାନରେ ଲହଡ଼ି ଭାଙ୍ଗୁଛି ।

 

ହଠାତ୍ ତପନ ମୋହ ଭାଙ୍ଗି ସ୍ଵପ୍ନରୁ ଉଠିଲା ପରି କହିଲା, ତୁ ନଈ ଆଡ଼େ ଯାଇଥିଲୁ ମଧୁ ?

 

କାକୁସ୍ଥ ମଧୁ, କାନ୍ଦି କାନ୍ଦି କହିଲା, ମୁଁ ଯାଇଥିଲି, ହେଲେ ସେଠାରେ ଦେଈକୁ ପାଇଲି ନାହିଁ ବାବୁ ।

 

ତଥାପି ତପନ ବାତୁଳ ପରି ‘ସୁରଭି’ ‘ସୁରଭି’ ବୋଲି ଚିତ୍କାର କରି, ନଈକୂଳ ଆଡ଼େ ଧାଇଁଲା । ଧାଉଁଥିଲା ଉଦ୍‌ଭ୍ରାନ୍ତ ସମୀର କାନ୍ଦି କାନ୍ଦି ତା’ର ପଛେ ପଛେ ।

 

ରାତି କାନ୍ଦୁଥିଲା । କାନ୍ଦୁଥିଲା ଏକ ଅଜଣା ପକ୍ଷୀ ମହାନଦୀ ସେ ପାଖ ସେ ନିର୍ଜ୍ଜନ ଜାମୁଗଛ ଡାଳ ଘଞ୍ଚ ଅନ୍ଧକାର ପ୍ଳାବିତ ବିଜନତାକୁ ବାରମ୍ବାର ବିଦୀର୍ଣ୍ଣ କରି ।

 

ଖଣ୍ଡ ଖଣ୍ଡ ମେଘ ଭିତରେ ଖଣ୍ଡିତ ଚନ୍ଦ୍ରମା ସେଇ ପ୍ରେତାୟିତ ଦେବଦାରୁ ବିଥିକାର କାନ୍ଥି ସେ ପାଖରେ ସମ୍ଭବ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହେଉଥିଲା !!

Image